ଗୋଟିଏ ଆକାଶ ଦୁଇଟି ତାରା

ଅହିଂସାର ପ୍ରତୀକ ବୁଦ୍ଧ ଓ ଗାନ୍ଧୀ। ଉଭୟ ବିଧି ପ୍ରେରିତ ମହାପୁରୁଷ। ଜଣେ ଭାରତୀୟ ସାଂସ୍କୃତିକ ଇତିହାସର ପ୍ରଥମ ବିଶ୍ବବନ୍ଦିତ ବ୍ୟକ୍ତି, ଆଉ ଜଣେ ବିଶ୍ବ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଉଭୟ ଗୋଟିଏ ସୂତ୍ରରେ ବନ୍ଧା ଏବଂ ସେହି ସୂତ୍ରଟି ହେଉଛି ଯୋଗିତ୍ୱ, ଯାହା ସତ୍ୟ ଓ ଅହିଂସା ଉପରେ ପର୍ଯ୍ୟବସିତ।
ଶାକ୍ୟବଂଶୀୟ ରାଜପୁତ୍ର ସିଦ୍ଧାର୍ଥ ଗୌତମ। ପିଲାଟି ଦିନରୁ ତାଙ୍କୁ ବ୍ୟଥିତ କରିଥିଲା ମଣିଷ ଭୋଗୁଥିବା ଦୁଃଖ ଓ ଯାତନା। ବୟସ ବଢ଼ିବା ସହିତ ତାଙ୍କ ପ୍ରାଣକୁ ଅଧିକ ମ୍ରିୟମାଣ କଲା ରାଜ୍ୟ ବିସ୍ତାରକୁ ରାଜଧର୍ମ ଭାବେ ଗ୍ରହଣ କରିଥିବା ରଣରଙ୍କ ଜାତି ଶାକ୍ୟମାନଙ୍କର ରକ୍ତାଭିଷେକ। ହଜାର ହଜାର ନିରୀହ ମଣିଷଙ୍କ ଶବ ଉପରେ ରାଜ୍ୟ ଜୟର ଏ ଅନ୍ଧ ଉନ୍ମାଦନା କାହିଁକି? ମଣିଷ କ’ଣ ମଣିଷ ପ୍ରତି ଏତେ ନିଷ୍ଠୁର ହୋଇପାରେ? ଏଭଳି କିଛି ମାନବୀୟ ପ୍ରଶ୍ନର ତୀବ୍ର ତାଡ଼ନାରେ ଜର୍ଜରିତ ହୋଇ ସେ ମନେମନେ ଖୋଜି ବୁଲିଲେ ତା’ର ଯଥାର୍ଥ ଉତ୍ତର। ତାଙ୍କ ଜିଜ୍ଞାସୁ ମନକୁ ଆଉ ଅଟକାଇ ରଖିପାରିଲାନି ରାଜକୀୟ ଐଶ୍ବର୍ଯ୍ୟ ତଥା ଆତ୍ମୀୟଙ୍କ ପ୍ରତି ସ୍ନେହ,ଶ୍ରଦ୍ଧା ଓ କର୍ତ୍ତବ୍ୟବୋଧ। ଜଗତ କଲ୍ୟାଣ ନିମନ୍ତେ ଶାନ୍ତିର ଠିକଣା ଖୋଜି ଖୋଜି ସେ କପିଳବାସ୍ତୁରୁ ଯାଇ ପହଞ୍ଚିଗଲେ ନିରଞ୍ଜନା ତଟରେ। ଏକ ସଂକଳ୍ପସ୍ନାତ ପ୍ରଲମ୍ବିତ ସାଧନା ବଳରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇ ସାରା ଜଗତ ପାଇଁ ପାଲଟି ଗଲେ ଦିବ୍ୟଜ୍ଞାନ ଓ କରୁଣାର ବତିଘର।
ବୁଦ୍ଧତ୍ୱ ମଣିଷର ଏକ ପ୍ରଜ୍ଞାଦୀପ୍ତ ଅବସ୍ଥା। ଚେତନାର ଊଦ୍ଧର୍‌ବଗ ସୋପାନ। ଗୌତମ ବୁଦ୍ଧ ସେହି ସ୍ତରରେ ପହଞ୍ଚି ଜଗତକୁ ଯେଉଁ ମାର୍ଗ ପ୍ରଦର୍ଶନ କଲେ ତାହାକୁ କୁହାଗଲା ବୌଦ୍ଧ ଦର୍ଶନ। ଶାନ୍ତ,ଶୁଦ୍ଧ ଓ ଅହିଂସ୍ର ଜୀବନଯାପନ ନିମନ୍ତେ ଏହି ଦର୍ଶନ ମୂଳତଃ ଆଚରଣ ଶୁଦ୍ଧତା ଉପରେ ଆଧାରିତ ଏକ ବୈଜ୍ଞାନିକ ତତ୍ତ୍ବ। ବୌଦ୍ଧ ଦର୍ଶନ କହେ ମଣିଷ ଦୁଃଖ ଭୋଗିବାର ପ୍ରମୁଖ କାରଣ ହେଉଛି ତା’ର ଅତ୍ୟଧିକ ଲୋଭ ବା କାମନା। ବୁଦ୍ଧ କହନ୍ତି-‘କାମନାର ବିନାଶରେ ଦୁଃଖର ବିନାଶ’। ମାତ୍ର ସମ୍ପୂର୍ଣ୍ଣ କାମନା ରହିତ ଜୀବନ ବଞ୍ଚିବା ତ ଏକ ଉଦ୍ଭଟ କଳ୍ପନା ? ଜୀବନର ଏହି ବାସ୍ତବତାକୁ ଅନୁଭବ କଲା ପରେ ସେ ସର୍ବନିମ୍ନ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ନିର୍ଦ୍ଧାରଣ କଲେ ନିର୍ବାଣ ପ୍ରାପ୍ତିର ମଧ୍ୟମ ପନ୍ଥା। ବୌଦ୍ଧ ଦର୍ଶନରେ ନିର୍ବାଣର ଅର୍ଥ ପୁନର୍ଜନ୍ମରୁ ମୁକ୍ତି ନୁହେଁ, ବରଂ ଏକ ଜ୍ବଳନମୁକ୍ତ ଜୀବନ। ମଣିଷ ସେତେବେଳେ ଜ୍ବଳନମୁକ୍ତ ହୁଏ ବା ନିର୍ବାଣ ଲାଭ କରେ, ଯେତେବେଳେ ସେ ପହଞ୍ଚିଯାଏ ସ୍ଥିତପ୍ରଜ୍ଞତାର ଏକ ଊଦ୍ଧର୍‌ବଗ ସ୍ତରରେ। ତଥାଗତଙ୍କ ମତରେ ଯିଏ ନିଜେ ଏହି ସୋପାନରେ ପହଞ୍ଚି ଅନ୍ୟକୁ ମୁକ୍ତିର ମାର୍ଗ ଦେଖାଏ ସେ ହିଁ କେବଳ ବୁଦ୍ଧ। ପ୍ରତ୍ୟେକ ମଣିଷ ଭିତରେ ବୁଦ୍ଧ ହେବାର ଶକ୍ତି ଅଛି ବୋଲି ସେ କହିବା ସହିତ ସମସ୍ତଙ୍କୁ ବୁଦ୍ଧ ହେବା ପାଇଁ ଆହ୍ବାନ ଦେଇ ପ୍ରସ୍ତୁତ କରିଛନ୍ତି ଏକ ଆଚରଣସିଦ୍ଧ ମାର୍ଗଦର୍ଶିକା। ଏକ ଜାତିବିହୀନ ସମତୁଲ ସମାଜ ଗଠନ ଉଦ୍ଦେଶ୍ୟରେ ସେ ଖଞ୍ଜିଥିବା ଏହି ମାର୍ଗଦର୍ଶିକା ବା ‘ଅଷ୍ଟାଙ୍ଗ ମାର୍ଗ’ର ମୂଳ ଆଧାର ହେଉଛି ‘ଅହିଂସା’। ବୁଦ୍ଧଙ୍କର ଏହି ଅହିଂସା ନୀତି ଉପରେ ପର୍ଯ୍ୟବସିତ ମହାମାନବ ମହାତ୍ମା ଗାନ୍ଧୀଙ୍କ ବହୁ ପୋଷିତ ଲକ୍ଷ୍ୟ ବା ଗାନ୍ଧିବାଦର ଭବ୍ୟ ମନ୍ଦିର।
ମାନବବାଦୀ ଚିନ୍ତାନାୟକ ମହାତ୍ମା ଗାନ୍ଧୀ। ଜଣେ ଧର୍ମ ନିରପେକ୍ଷ ଓ ଧର୍ମପ୍ରାଣ ସନ୍ଥ। ତାଙ୍କ ତାରୁଣ୍ୟର ଆବେଗିକ,ବୌଦ୍ଧିକ ଓ ଆଧ୍ୟାତ୍ମିକ ସଚେତନତା ନିର୍ମାଣ ଅନ୍ତରାଳରେ ରହିଛି ଭାରତୀୟ ସନ୍ଥ ସନ୍ନ୍ୟାସୀଙ୍କ ପ୍ରେରଣା ଓ ପ୍ରଭାବ। ବିଶେଷକରି ବୁଦ୍ଧଙ୍କର ଅହିଂସା ନୀତି ତାଙ୍କୁ ଅତି ମାତ୍ରାରେ ଅନୁପ୍ରାଣିତ କରିଥିଲା ଯେ ତାକୁ ସେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗ କରିଥିଲେ ଏକ ନିର୍ବିକଳ୍ପ ସିଦ୍ଧାନ୍ତ ଭାବରେ। ତାଙ୍କ ଦୃଷ୍ଟିରେ ଅହିଂସା କେବଳ ଏକ ସିଦ୍ଧାନ୍ତ ନ ଥିଲା, ବରଂ ଥିଲା ସାମାଜିକ ନ୍ୟାୟ ପ୍ରତିଷ୍ଠାର ଆୟୁଧ। ତାକୁ ରାଜନୈତିକ ଅସ୍ତ୍ର ଭାବରେ ଗ୍ରହଣ କରି ସେ ଜିତିଥିଲେ ଦକ୍ଷିଣ ଆଫ୍ରିକା ସରକାରଙ୍କ ହୃଦୟ। ବର୍ଣ୍ଣବୈଷମ୍ୟ ଜର୍ଜରିତ ପ୍ରବାସ ଭୂମିରେ ଗାନ୍ଧିଜୀଙ୍କ ଏହି ଅବିଶ୍ବସନୀୟ ସଫଳତା ପରେ ବିଶ୍ବ ଜାଣିଲା ଅହିଂସା ଅସ୍ତ୍ରର ଶକ୍ତି। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପୂୂର୍ବରୁ ହିଂସାର ରାସ୍ତାକୁ ଆପଣେଇ ସ୍ବାଧୀନତା ସଂଗ୍ରାମ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ଭାରତୀୟ ଯୁବଶକ୍ତି। ମାତ୍ର ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଡାକରା ଦେଶବାସୀଙ୍କ ମନରେ ଭରିଦେଲା ନୂତନ ବିଶ୍ବାସ ଓ ଅବବୋଧ। ଅହିଂସାର ପୂଜାରୀ ଗାନ୍ଧିଜୀ ଯୁଦ୍ଧକୁ ଦେଲେ ନୂଆ ପରିଭାଷା। ବୁଦ୍ଧଙ୍କ ଅହିଂସା ଦର୍ଶନରୁ ସେ ଆବିଷ୍କାର କଲେ ସତ୍ୟାଗ୍ରହ ଅସ୍ତ୍ର। ସତ୍ୟ ପ୍ରତି ଆଗ୍ରହ ହିଁ ସତ୍ୟାଗ୍ରହ। ଏହି ଅସ୍ତ୍ର ବଳରେ ସେ ଦୁର୍ଦ୍ଧର୍ଷ ଇଂରେଜ ଜାତିକୁ ପରାସ୍ତ କଲା ପରେ ପୁଣି ଥରେ ପ୍ରମାଣ ହେଲା ଏହା ଦୁର୍ବଳର ଅସ୍ତ୍ର ନୁହେଁ, ଅହିଂସ୍ର ଲଢ଼େଇର ଶାଣଦିଆ ଅସ୍ତ୍ର।
ସତ୍ୟ ଓ ଅହିଂସା କେବଳ ଏକ ବିଶ୍ବାସ ନୁହେଁ, ଗାନ୍ଧିଜୀଙ୍କ ପାଇଁ ଏହା ଥିଲା ଜୀବନ ସଂହିତା। ତାଙ୍କ ସମଗ୍ର ଜୀବନକୁ ଧାରଣ କରିଥିବା ଏକ ମହାନ୍‌ ଆଦର୍ଶ। ଅହିଂସାର ପ୍ରୟୋଗକୁ ନେଇ ଜିଜ୍ଞାସୁମାନଙ୍କ ଅନେକ ଜଟିଳ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ଉଭୟ ବୁଦ୍ଧ ଓ ଗାନ୍ଧୀ। ବୁଦ୍ଧଙ୍କୁ ତତ୍କାଳୀନ ଭାରତର ଜଣେ ଦକ୍ଷ ସେନାପତି ପଚାରିଥିଲେ-ଜଣେ ସେନାପତି ଭାବରେ ମୋର କର୍ତ୍ତବ୍ୟ ହେଉଛି ଆକ୍ରମଣକାରୀ ଶତ୍ରୁକୁ ହତ୍ୟା କରି ରାଜ୍ୟକୁ ସୁରକ୍ଷିତ ରଖିବା। ମୁଁ ଯଦି ଅହିଂସାର ପୂଜାରୀ ହୁଏ,ତେବେ ରାଜ୍ୟର ପ୍ରଜାମାନଙ୍କୁ ସୁରକ୍ଷା ଦେବ କିଏ? ମୋ ରାଜ୍ୟର ନାରୀମାନଙ୍କୁ ଶତ୍ରୁ ବଳାତ୍କାର କରୁଥିବା ଦେଖି ମୁଁ ଅହିଂସା ଧର୍ମ ପାଳନ କରିବି କେମିତି? ବୁଦ୍ଧ କହିଥିଲେ, ଶାନ୍ତି ରକ୍ଷାର ସମସ୍ତ ଉଦ୍ୟମ ଅସଫଳ ହେଲା ପରେ ନ୍ୟାୟ ପାଇଁ ସଂଗ୍ରାମ କରିବା ତୁମର କର୍ତ୍ତବ୍ୟ। ମାତ୍ର ଲଢ଼େଇରେ ତମେ ଯଦି ବିଜୟୀ ହୁଅ,ତେବେ ଶତ୍ରୁ ପ୍ରତି ଘୃଣା ନୁହେଁ, ପ୍ରେମପୂର୍ଣ୍ଣ ବ୍ୟବହାର କରିବା ଉଚିତ।
ଏହି ମର୍ମରେ ଗାନ୍ଧୀ ବି କହନ୍ତି-ଅହିିଂସା ଉପାୟରେ ଅନ୍ୟକୁ ପ୍ରତିରୋଧ କରିବା ହିଁ ଜୀବନର ସର୍ବଶ୍ରେଷ୍ଠ ପଥ। ଅହିଂସାର ରାସ୍ତାରେ ଜୀବନକୁ ବାଜି ଲଗାଇ ନ ପାରିଲେ ନୀରବରେ ଅନ୍ୟାୟକୁ ସହିବା ଅପେକ୍ଷା ପ୍ରବଳ ଆକ୍ରମଣର ପ୍ରତିରୋଧ କରି ଜୀବନ ହରାଇବା ଶ୍ରେୟସ୍କର। କାରଣ ଅହିଂସା କେବେ ଭୀରୁର ଧର୍ମ ନୁହେଁ, ତାହା ବୀରର ଧର୍ମ।
ଇତିହାସ କହେ ବୁଦ୍ଧ ଥିଲେ ନିରୀଶ୍ବରବାଦୀ। ଅଥଚ ସେହି ଐତିହାସିକ ପୁରୁଷ ବୁଦ୍ଧଙ୍କୁ ଭଗବାନଙ୍କ ନବମ ଅବତାର କହି ହାତଗୋଡ଼ ବାନ୍ଧି ବସେଇ ଦିଆଗଲା ଅମୋଘସିଦ୍ଧି ମୁଦ୍ରାରେ। ଫଳରେ ଯେଉଁ ଭାରତ ଭୂଖଣ୍ଡରେ ବୌଦ୍ଧଧର୍ମ ଉତ୍ପତ୍ତି ଲଭିଥିଲା,କ୍ରମଶଃ ସେହି ମାଟିରେ ବିପନ୍ନ ହୋଇ ପଡ଼ିଲା ବୌଦ୍ଧଧର୍ମ ଓ ସଂସ୍କୃତିର ସ୍ଥିତି। ମାତ୍ର ତାହା ବିଶ୍ବ ମାନବ ପାଇଁ ଆଲୋକ ବର୍ତ୍ତିକା ହୋଇ ରହିଗଲା କାଳକାଳ ପାଇଁ।

– ଡ.ପ୍ରଫୁଲ୍ଲ କୁମାର ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?