ଗୋଟିଏ ନଦୀ, ଦୁଇଟି ଧାରା

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତୀୟ ଅସ୍ମିତାର କିମ୍ବଦନ୍ତୀ ପୁରୁଷ ସୁଭାଷ ଚନ୍ଦ୍ର ବୋଷ- ଉଭୟ ବିଶ୍ବ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଦେଶପ୍ରେମ ବହ୍ନିର ଅନିର୍ବାଣ ଜ୍ୟୋତି। ଜଣେ ଅହିଂସା ସଂଗ୍ରାମର ବେସାଲିସ୍‌ କର୍ଣ୍ଣଧାର, ଅନ୍ୟ ଜଣେ ସଶସ୍ତ୍ର ସଂଗ୍ରାମର ଅପ୍ରତିଦ୍ବନ୍ଦ୍ୱୀ ସେନାଧ୍ୟକ୍ଷ। ଜଣେ କହୁଥିଲେ ଶୁଦ୍ଧ ସାଧନା ବଳରେ ସମ୍ଭବ ଅସାଧ୍ୟ ସାଧନ। ଆଉ ଜଣେ କହୁଥିଲେ ବିନା ରକ୍ତପାତରେ ଅରି ହାତରୁ ଅଧିକାର ଛଡ଼ାଇ ଆଣିବା ଅସମ୍ଭବ। ବିଧିପ୍ରେରିତ ଉଭୟ ମହାପୁରୁଷଙ୍କ ଲକ୍ଷ୍ୟ ଥିଲା ଗୋଟିଏ, ମାତ୍ର ନ୍ୟାୟ ଓ ସାଧନକୁ ନେଇ ପରସ୍ପର ମଧ୍ୟରେ ଥିଲା ମୌଳିକ ପାର୍ଥକ୍ୟ। ଅର୍ଥାତ୍‌ ଗୋଟିଏ ନଦୀ, ଦୁଇଟା ଧାରା ଏବଂ ଗୋଟିଏ ଆକାଶ, ଦୁଇଟି ତାରା।
ଗାନ୍ଧିଜୀଙ୍କ ତାରୁଣ୍ୟର ଆବେଗିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ସଚେତନତା ନିର୍ମାଣ ଅନ୍ତରାଳରେ ଥିଲା ଅନେକ ଭାରତୀୟ ସନ୍ଥ ସନ୍ନ୍ୟାସୀଙ୍କ ପ୍ରଭାବ। ଅନ୍ୟପକ୍ଷରେ ଛାତ୍ର ଜୀବନରୁ ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସ ଓ ସ୍ବାମୀ ବିବେକାନନ୍ଦଙ୍କ ବାଣୀରେ ଉଦ୍‌ବୋଧିତ ହୋଇ ଦେଶ ପାଇଁ ପ୍ରାଣବଳି ଦେବାକୁ ସଂକଳ୍ପ ନେଇଥିଲେ ସମର୍ପିତ ରାଷ୍ଟ୍ର ଭକ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ।
ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଫେରି (୧୯୧୫) ‘ସତ୍ୟାଗ୍ରହ ଆଶ୍ରମ’ ପ୍ରତିଷ୍ଠା କଲେ, ଯେଉଁଠି ସତ୍ୟ ଓ ଅହିଂସାର ଆଧ୍ୟାତ୍ମିକ ପରୀକ୍ଷା ସହିତ ପ୍ରସ୍ତୁତ ହେଲା ପୃଥିବୀର ସବୁଠାରୁ ଉଦ୍ଧତ ଓ ପ୍ରଭାବଶାଳୀ ସାମ୍ରାଜ୍ୟ ବିରୋଧରେ ଅହିଂସା ଆନ୍ଦୋଳନର ଖସଡ଼ା। ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ (୧୯୨୦)ରେ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେଲା ପରେ କଂଗ୍ରେସର ଜଣେ ଅପ୍ରତିହତ ନେତା ଭାବରେ ଉଭା ହେଲେ ଗାନ୍ଧିଜୀ। ତାଙ୍କ ଅହିଂସା ନୀତିକୁ ନେଇ ଲୋକଙ୍କ ଭିତରେ ଖେଳିଗଲା ଏକ ଅଦ୍ଭୁତ ଉନ୍ମାଦନା। ତାଙ୍କର ଆହ୍ବାନକୁ ଐଶ୍ବରିକ ମୁକ୍ତିଦାତାର ଅକାଟ୍ୟ ବାଣୀ ମନେକରି ରାଜରାସ୍ତାକୁ ଓହ୍ଲାଇ ଆସିଲେ ଲୋକେ। ସ୍କୁଲ, କଲେଜ ଓ ସରକାରୀ ଚାକିରି ଛାଡ଼ି ସତ୍ୟାଗ୍ରହରେ ସାମିଲ ହେଲେ ଲକ୍ଷ ଲକ୍ଷ ଛାତ୍ର, ଶିକ୍ଷକ ଓ ସରକାରୀ କର୍ମଚାରୀ। ଅନ୍ୟପକ୍ଷରେ ଆଇସିଏସ୍‌ ଚାକିରିକୁ ପାଦରେ ଏଡ଼ାଇ ଦେଇ ନେତାଜୀ ଯେତେବେଳେ ଲଣ୍ଡନରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ(୧୯୨୧), ସେତେବେଳେ ସାରା ଦେଶରେ ଜଳୁଥିଲା ଅସହଯୋଗ ଆନ୍ଦୋଳନର ନିଆଁ। ସେ ସିଧାସଳଖ ବମ୍ବେରେ ଗାନ୍ଧିଜୀଙ୍କୁ ସାକ୍ଷାତ୍‌ କରି କଂଗ୍ରେସରେ ଯୋଗ ଦେଲେ ଏବଂ କଲିକତାରେ ରହି ସାଙ୍ଗଠନିକ କାର୍ଯ୍ୟରେ ଲାଗିପଡ଼ିଲେ ଚିତ୍ତରଞ୍ଜନ ଦାସଙ୍କ ପରାମର୍ଶକ୍ରମେ। ତାଙ୍କ ସାଙ୍ଗଠନିକ ଦକ୍ଷତା, ନିଷ୍ଠା, ଦୂରଦୃଷ୍ଟି ଓ ଦୃଢ଼ ମନୋବଳ ଗାନ୍ଧିଜୀଙ୍କୁ ମୁଗ୍ଧ କରିବା ସହିତ ତାଙ୍କ ଅପରିସୀମ ଦେଶଭକ୍ତି ଓ ଜ୍ବାଳାମୟୀ ଭାଷଣରେ ପ୍ରଭାବିତ ହେଲେ ଦେଶବାସୀ। ବିଶେଷକରି ଭାରତୀୟ ଯୁବସମାଜ ପାଇଁ ସେ ପାଲଟିଗଲେ ଆଦର୍ଶ। ତେଣୁ କଂଗ୍ରେସ ଭିତରେ ଦିନକୁଦିନ ତାଙ୍କର ସମ୍ମାନ ଓ ପ୍ରତିଷ୍ଠା ବଢ଼ିଲା ଏବଂ ଲବଣ ସତ୍ୟାଗ୍ରହ ବେଳକୁ ସେ ଜଣେ ଶୀର୍ଷ ସ୍ଥାନୀୟ ନେତାରେ ପରିଣତ ହୋଇ ସାରିଥିଲେ ନିଜର ନିଷ୍ଠା ବଳରେ। ମାତ୍ର ଜଣେ କଠୋର ବାସ୍ତବବାଦୀ ନେତା ଭାବରେ ସେ ଧୀରେ ଧୀରେ ତାଙ୍କ ଭିତରେ ପ୍ରକାଶ ପାଇଲା ଉଗ୍ର ଇଂରେଜ ବିରୋଧୀ ଆଭିମୁଖ୍ୟ। ତେଣୁ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନର ସଫଳତା ଉପରୁ ଆସ୍ଥା ହରାଇ ସେ କଂଗ୍ରେସ ଆଗରେ ଥୋଇଲେ ସଶସ୍ତ୍ର ଗଣବିପ୍ଳବ ପ୍ରସ୍ତାବ। ଏହାକୁ ତୀବ୍ର ବିରୋଧ କଲେ ଗାନ୍ଧିଜୀ। ଫଳରେ ଏକ ମର୍ମସ୍ପର୍ଶୀ ଆନ୍ତରିକତା ସତ୍ତ୍ବେ ଉଭୟ ନେତାଙ୍କ ମଧ୍ୟରେ ସୃଷ୍ଟି ହେଲା ମତଭେଦ। ନେତାଜୀ କହୁଥିଲେ- ସ୍ବାଧୀନତା ଭିକ୍ଷା ଆକାରରେ ନୁହେଁ, ତାହା ଇଂରେଜମାନଙ୍କଠାରୁ ଛଡ଼ାଇ ଆଣିବାକୁ ହେବ ବଳପୂର୍ବକ। କାରଣ ସେମାନେ ଅନ୍ୟ କିଛି ଭାଷା ନୁହେଁ, କେବଳ ବୁଝନ୍ତି ଶକ୍ତିର ଭାଷା। ଅନ୍ୟପକ୍ଷରେ ଗାନ୍ଧିଜୀଙ୍କ ପାଇଁ ଅହିଂସା କେବଳ ଏକ ବିଶ୍ବାସ ନଥିଲା, ବରଂ ଥିଲା ଜୀବନ ସଂହିତା। ତାଙ୍କ ସମଗ୍ର ଜୀବନକୁ ଧାରଣ କରିଥିବା ଏକ ମହାନ୍‌ ଆଦର୍ଶ। ବାସ୍ତବରେ ସତ୍ୟ ଓ ଅହିଂସାକୁ ସେ ଏମିତି ଘୋରି ବାଟି ପିଇ ଦେଇଥିଲେ ଯେ, ତା’ର ସାମାନ୍ୟତମ ବ୍ୟତିକ୍ରମକୁ ସେ ଗ୍ରହଣ କରି ପାରୁନଥିଲେ କୌଣସି ପରିସ୍ଥିତିରେ। ନେତାଜୀଙ୍କ ସହ ଆଦର୍ଶଗତ ଭିନ୍ନତା ବଢ଼ିଚାଲିଲା ଏବଂ ଶେଷରେ ତାହା ଉଗ୍ରରୂପ ଧାରଣ କଲା ତାଙ୍କ ବିରୋଧ ସତ୍ତ୍ବେ ନେତାଜୀ ଦ୍ବିତୀୟ ଥର ପାଇଁ କଂଗ୍ରେସର ସଭାପତି ନିର୍ବାଚିତ (୧୯୩୯) ହେବା ପରେ। ଗାନ୍ଧିଜୀ ଓ ତାଙ୍କ ଅନୁଗତଙ୍କ ଦ୍ବାରା ପ୍ରବଳ ବିରୋଧର ସମ୍ମୁଖୀନ ହୋଇ ନେତାଜୀ ସଭାପତି ପଦରୁ ଇସ୍ତଫା ଦେବା ସହିତ କଂଗ୍ରେସରୁ ଅଲଗା ହୋଇ ଗଠନ କଲେ ନୂଆ ରାଜନୈତିକ ଦଳ ଫରୱାର୍ଡ ବ୍ଲକ।
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଇଂରେଜ ବିରୋଧୀ ସଶସ୍ତ୍ର ଆନ୍ଦୋଳନ ପାଇଁ ବନ୍ଦୀହେଲେ ନେତାଜୀ ଓ ଫରୱାର୍ଡ ବ୍ଲକର ହଜାର ହଜାର କର୍ମୀ। ଏଗାର ଥର ବନ୍ଦୀ ଜୀବନ କାଟିଥିବା ନେତାଜୀଙ୍କୁ ଏଥର ନଜରବନ୍ଦୀ ଭାବରେ ରଖାଗଲା ତାଙ୍କ କଲିକତାସ୍ଥିତ ଏଲ୍‌ପିନ ରୋଡ଼ ବାସଭବନରେ। ସେଠାରୁ ସେ ଇଂରେଜ ସରକାରଙ୍କ ଆଖିରେ ଧୂଳି ଦେଇ ଜଣେ କାବୁଲିବାଲା ବେଶରେ ଖସି ବିଦେଶ ଚାଲିଗଲେ (୧୬ା୧ା୧୯୪୧) ଖୁବ୍‌ ଚତୁରତାର ସହିତ। ଜର୍ମାନୀ ରେଡିଓ ଯେଉଁଦିନ (ଏପ୍ରିଲ ୧୯୪୧) ଘୋଷଣା କଲା ଭାରତର ସର୍ବାଧିକ ଜନପ୍ରିୟ ନେତା ନିଜ ଦେଶକୁ ସ୍ବାଧୀନ କରିବା ଲକ୍ଷ୍ୟରେ ହିଟ୍‌ଲରଙ୍କ ସହ ଆଲୋଚନା ପାଇଁ ଏବେ ବର୍ଲିନ୍‌ରେ, ସେତେବେଳେ କେବଳ ଭାରତ ନୁହେଁ, ଚକିତ ହୋଇ ଉଠିଲା ସମଗ୍ର ବିଶ୍ବ। ଇଂରେଜ ସରକାରଙ୍କ ଆଖିରୁ ହଜିଗଲା ନିଦ।
ହିଟ୍‌ଲରଙ୍କ ସହ ନେତାଜୀଙ୍କ ଐତିହାସିକ ଆଲୋଚନା ପରେ ବର୍ଲିନ୍‌ରେ ପ୍ରତିଷ୍ଠା ହେଲା ଆଜାଦ୍‌ ହିନ୍ଦ୍‌ ରେଡିଓ। ଜାପାନର ଟୋକିଓରେ ମହାନ୍‌ ବିପ୍ଳବୀ ରାସ ବିହାରୀ ବୋଷ ପ୍ରତିଷ୍ଠା କରିଥିବା ଆଜାଦ୍‌ ହିନ୍ଦ୍‌ ଫୌଜର ନେତୃତ୍ୱ ନେଲେ ନେତାଜୀ। ଫୌଜକୁ ଶକ୍ତିଶାଳୀ କରିବା ପାଇଁ ସେ ମାଳୟ, ଥାଇଲାଣ୍ଡ, ବ୍ରହ୍ମଦେଶ ଓ ଇଣ୍ଡୋନେସିଆ ଆଦି ବିଭିନ୍ନ ଦେଶ ବୁଲିଲେ ଏବଂ ଏ ସମ୍ପର୍କରେ ନିଜ ଦେଶବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜାଦ୍‌ ହିନ୍ଦ୍‌ ରେଡିଓରେ ତାଙ୍କର ଘୋଷଣା (୭ା୧୨ା୧୯୪୧) ଥିଲା- ”ମୁଁ ସୁଭାଷ କହୁଛି। ବହୁଦିନ ପରେ ଦେଶବାସୀଙ୍କୁ କିଛି କହିବାର ସୁଯୋଗ ପାଇଛି। ଇଂରେଜ ସରକାର ଯଦି ନିଜର ସମ୍ମାନ ରକ୍ଷା ପାଇଁ ରୁଷ ଓ ଆମେରିକାର ଦ୍ବାରସ୍ଥ ହୋଇପାରୁଛି, ଭାରତ ସ୍ବାଧୀନତା ପାଇଁ ଅନ୍ୟ କୌଣସି ଜାତିର ସାହାଯ୍ୟ ନେବାରେ ଅସୁବିଧା କେଉଁଠି?“ ଆଜାଦ୍‌ ହିନ୍ଦ୍‌ ରେଡିଓରେ ସୁଭାଷଙ୍କ ଏହି ଘୋଷଣା ଶୁଣି ଆଶ୍ବସ୍ତ ହେଲେ ଦେଶବାସୀ। ଲୋକଙ୍କ ମନରେ ସଞ୍ଚାର ହେଲା ନୂଆ ଆଶା।
୧୯୪୨ ଅଗଷ୍ଟ ୮ ତାରିଖରେ ସ୍ବାଧୀନତାର ଅନ୍ତିମ ଲଢ଼େଇ ଲଢ଼ିବା ପାଇଁ ଡାକରା ଦେଲେ ଗାନ୍ଧିଜୀ। ସତ୍ୟାଗ୍ରହୀଙ୍କ ଉଦ୍ଦେଶ୍ୟରେ ଶୁଣାଇଲେ ‘କର ବା ମର’ ମନ୍ତ୍ର। ସେ ମନ୍ତ୍ର ପ୍ରତିଧ୍ବନିତ ହେଲା ଆକୁମାରୀ ହିମାଚଳ। ଚାରିଆଡ଼େ ଖେଳିଗଲା ଏକ ଅଦ୍ଭୁତ ଆଲୋଡ଼ନ। ଇଂରେଜ ସରକାରଙ୍କ ଗୁଳିଗୋଳାକୁ ଖାତିର ନ କରି ରାସ୍ତାକୁ ଓହ୍ଲାଇ ଆସିଲେ ଆବାଳବୃଦ୍ଧବନିତା। ସେପଟେ ୧୯୪୩ ଜୁଲାଇ ୫ ତାରିଖ ସିଙ୍ଗାପୁର ଟାଉନ ହଲ୍‌ ସମ୍ମୁଖରେ ଆଜାଦ୍‌ ହିନ୍ଦ୍‌ ଫୌଜକୁ ସମ୍ବୋଧିତ କରି ନେତାଜୀ ବଜାଇଲେ ‘ଦିଲ୍ଲୀ ଚଲୋ’ ବିଗୁଲ। ରେଙ୍ଗୁନ୍‌ ରେଡିଓରେ ମହାତ୍ମା ଗାନ୍ଧୀଙ୍କୁ ସମ୍ବୋଧନ କରି କହିଲେ- ”ଭାରତର ସ୍ବାଧୀନତା ପାଇଁ ଏବେ ଆରମ୍ଭ ହୋଇ ସାରିଛି ଯୁଦ୍ଧ। ହେ ରାଷ୍ଟ୍ରପିତା! ଭାରତର ଏହି ପବିତ୍ର ମୁକ୍ତି ସଂଗ୍ରାମରେ ଆମେ କାମନା କରୁଛୁ ଆପଣଙ୍କ ଆଶୀର୍ବାଦ।“
ଦେଶ ଭିତରେ ଗାନ୍ଧିଜୀଙ୍କ ‘କର ବା ମର’ ମନ୍ତ୍ର ଓ ଦେଶ ବାହାରେ ନେତାଜୀଙ୍କ ‘ଦିଲ୍ଲୀ ଚଲୋ’ ଡାକରା ଇଂରେଜ ସରକାରଙ୍କ ପାଇଁ ବଜାଇଲା ବିଦାୟ ଘଣ୍ଟି। ୧୯୪୩ ଅକ୍ଟୋବର ୨୧ ତାରିଖରେ ନେତାଜୀ ଗଠନ କଲେ ଆଜାଦ୍‌ ହିନ୍ଦ୍‌ ସରକାର। ଅବିଭକ୍ତ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ସୁଭାଷ ବୋଷ। ତାଙ୍କ ସରକାରକୁ ସ୍ବୀକୃତି ଦେଲା ଜର୍ମାନ୍‌, ଜାପାନ, କୋରିଆ, ଫିଲିପାଇନ୍ସ, ଚାଇନା, ଇଟାଲୀ ଓ ଆୟର୍ଲାଣ୍ଡ ଆଦି ନଅଟି ଶକ୍ତିଶାଳୀ ରାଷ୍ଟ୍ର। ଭାରତ ଅଭିମୁଖେ ଆଗକୁ ବଢ଼ିଲା ଆଜାଦ୍‌ ହିନ୍ଦ୍‌ ଫୌଜ। ସୈନିକମାନଙ୍କ ମନରେ ଆହୁରି ତେଜ ଭରିଦେବା ପାଇଁ ନେତାଜୀ କହିଲେ (୨୨ା୯ା୧୯୪୪) ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି। ଭାରତବାସୀଙ୍କୁ ସ୍ବତନ୍ତ୍ରତା ଦେବା ପାଇଁ ନେତାଜୀଙ୍କ ଏହି ଆହ୍ବାନ ଆଜି ବି ଦେଶବାସୀଙ୍କ ମନରେ ଭରିଦିଏ ଅଦ୍ଭୁତ ଉନ୍ମାଦନା।
ଉପରୋକ୍ତ ପ୍ରେକ୍ଷାପଟରେ ଏକଥା ସ୍ପଷ୍ଟ ହୁଏ ଯେ, ବାପୁଜୀ ଓ ନେତାଜୀଙ୍କ ଭିତରେ ଆଦର୍ଶଗତ ମତାନ୍ତର ଥିଲା ସତ, ହେଲେ ତାହା ପରସ୍ପର ଭିତରେ ସୃଷ୍ଟି କରି ପାରି ନଥିଲା ମନାନ୍ତରର ପାଚେରି। ବାପୁ ସୁଭାଷଙ୍କୁ ଖୁବ୍‌ ଶ୍ରଦ୍ଧା କରୁଥିଲେ ଏବଂ ବାପୁଙ୍କ ପ୍ରତି ସୁଭାଷଙ୍କ ଭିତରେ ଥିଲା ପ୍ରଚୁର ଭକ୍ତି ଓ ସମ୍ମାନ। ବିଶେଷକରି ସୁଭାଷଙ୍କ ଦେଶଭକ୍ତିର ବାପୁ ଥିଲେ ଜଣେ ମୁଗ୍ଧ ପ୍ରଶଂସକ। ତା’ର ଦୃଷ୍ଟାନ୍ତ ହେଉଛି ସିଙ୍ଗାପୁରରୁ ନେତାଜୀଙ୍କ ଦିଲ୍ଲୀ ଚଲୋ ଡାକରା ତାଙ୍କୁ ଏତେ ଶିହରିତ କରିଥିଲା ଯେ, ସେ ତାଙ୍କ ବୀରତ୍ୱର ପ୍ରଶଂସାରେ ଶତମୁଖ ହୋଇ କହିଲେ- ସୁଭାଷ ହେଉଛନ୍ତି ପ୍ୟାଟ୍ରିୟଟ ଅଫ ଦି ପ୍ୟାଟ୍ରିୟଟ୍ସ। ମାତ୍ର ବିଡ଼ମ୍ବନାର ବିଷୟ, ଏହି ଆବେଗସ୍ନାତ ସମ୍ପର୍କକୁ ଅଣଦେଖା କରି ଏବେ ଚାଲିଛି ଦୁଇ ଯୁଗ ପୁରୁଷଙ୍କ ମଧ୍ୟରେ ପାଚେରି ଛିଡ଼ା କରିବାର ସୁଚିନ୍ତିତ ପ୍ରୟାସ। କାରଣ ସ୍ବାର୍ଥପରତା ଓ ବିଭେଦତାର ଭିତ୍ତି ଉପରେ ଛିଡ଼ା ହୋଇଛି ସାଂପ୍ରତିକ ରାଜନୀତି।

  • ପ୍ରଫୁଲ୍ଲ କୁମାର ସାହୁ
  • ମୋ: ୬୩୭୧୬୪୨୪୬୪ଡ.

Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri