ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି। ଇତିମଧ୍ୟରେ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚି ଥିବାବେଳେ ଶରଧାବାଲି ଅଭିମୁଖେ ଆଗେଇ ଆସୁଛନ୍ତି ମା’ ସୁଭଦ୍ରା ଏବଂ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ। ଘଣ୍ଟଘଣ୍ଟା, ନୃତ୍ୟ ସଙ୍ଗୀତ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ଶ୍ରୀକ୍ଷେତ୍ର।
ସୂଚନା ଯୋଗ୍ୟ, ଗୁରୁବାର ଶ୍ରୀକ୍ଷେତ୍ରରେ ରଥଟଣା ଆରମ୍ଭ ହୋଇଥିଲା। ହେଲେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ମାର୍କେଟ ଛକରେ ଅଟକି ରହିଥିବା ବେଳେ ପଛକୁ ମରିଚିକୋଟ ଛକରେ ଅଟକି ରହିଥିା ସୁଭଦ୍ରାଙ୍କ ଦର୍ପଦଳନ ରଥ। ଏପରିକି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକି ରହିଥିଲା। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ସାଢେ ୯ଟାରୁ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୁଣି ରଥରଣା ଆରମ୍ଭ ହୋଇଥିଲା।

