ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ ଦାସ ପାଠାଗାର’ ଉଦ୍ଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଡା. ପ୍ରଦୀପ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାରଟିକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ପ୍ରତିକ୍ରିୟା ରଖି ବାବୁଶାନ୍ କହିଥିଲେ ଯେ, ପାଠାଗାର ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ପାଠ୍ୟ ପୁସ୍ତକ ପଢ଼ିବା ସହ ଜ୍ଞାନ ଆହରଣ କରିବାର ଏକ ସୁନ୍ଦର ସୁଯୋଗ ପାଇପାରିବେ। ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥି ବାବୁଶାନ୍ଙ୍କ ସହ ଏକ ଆକର୍ଷଣୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇ ବେଶ୍ ଉତ୍ସାହିତ ହୋଇଥିଲେ।
ଗ୍ରାମାଞ୍ଚଳରେ ଏପରି ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ କରି ଅଭାବୀ ଓ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସୁଯୋଗ ଯୋଗାଇ ଦେଇଥିବାରୁ ଉପସ୍ଥିତ ଅତିଥିମାନେ ଡା. ପ୍ରଦୀପ ସେଠୀଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଡା. ପ୍ରଶାନ୍ତ ନାୟକ, ପଙ୍କଜ ଅରୋରା, ସନ୍ତୋଷ ରାଉତ, ପ୍ରଧାନଶିକ୍ଷକ ମିଲନ ବ୍ୟାନାର୍ଜୀ, ପ୍ରଶାସକ ସୁମନ ଗୁପ୍ତା ଏବଂ ମୁଖ୍ୟ ଇଞ୍ଜିନିୟର ରାଧାକାନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସ୍କୁଲର ଛାତ୍ରୀ ଅନୁଷ୍କା ମହାନ୍ତି ଓ ସାଇ ସ୍ୱପ୍ନିଲ ନନ୍ଦ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

