ତେଲିଆ ମୁଣ୍ଡରେ ତେଲ

ଅକ୍ଷୟ କୁମାର ମିଶ୍ର

ଶିକ୍ଷା ଗ୍ରହଣ କାହା ପାଇଁ ସୁଯୋଗ ନ ହେଉ, ଶିକ୍ଷା ସମସ୍ତଙ୍କ ପାଇଁ ଅଧିକାର ହେଉ -ଏହି ନାରା ମୋ ଛାତ୍ର ଜୀବନକୁ ପ୍ରଭାବିତ କରିଥିଲା। ୧୯୮୦ରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବିଜ୍ଞାନ ପଢ଼ିବା ପାଇଁ ମୁଁ ନୂଆ ନୂଆ କଲେଜ ଯାଉଥାଏ। ବଡ଼ କଲେଜରେ ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ବାପାଙ୍କର ସାମର୍ଥ୍ୟ ନ ଥିବା ହେତୁ ପାଖ କଲେଜରେ ନାମ ଲେଖାଇବାକୁ ବାଧ୍ୟ ହେଲି। ଆଜି ଭଳି ଟ୍ୟୁଶନ, କୋଚିଂ ସେଣ୍ଟରର ସେମିତି ସୁବିଧା ନ ଥିଲା। ଥିଲେ ବି କ’ଣ ହୁଅନ୍ତା, ବାପାଙ୍କର ସୀମିତ ସମ୍ବଳ କଥା ଭାବିଲେ ସେ ଯେ ମୋ ପାଇଁ ସେତେବେଳେ ସେମିତି ସୁବିଧା ଯୋଗାଇ ପାରନ୍ତେ ଏ କଥା କହିବା ବାହୁଲ୍ୟ ହେବ। ଖୁବ୍‌ ମେଧାବୀ ନ ହେଲେ ମଧ୍ୟ ମୁଁ ଜଣେ ଉତ୍ତମ ଛାତ୍ର ଥିଲି ଏ କଥା କହିବାକୁ କୁଣ୍ଠାବୋଧ କରିବି ନାହିଁ। ଆତ୍ମପ୍ରଚାର କରିବା ମୋର ଆଦୌ ଉଦ୍ଦେଶ୍ୟ ନୁହେଁ। ଏକଥା ଏଠାରେ ଏଇଥିପାଇଁ ଉପସ୍ଥାପନ କରିବାକୁ ବାଧ୍ୟ ହେଲି କାରଣ ମୋ ବାପା ନିକଟରେ ସାମର୍ଥ୍ୟ ଥିଲେ ମୋତେ ହୁଏତ ଆଜି ଗୋଟିଏ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକତା କରିବାକୁ ପଡି ନ ଥାନ୍ତା। ଏହି ସମାନ କଥା ଅଥବା ଆହୁରି ଦୟନୀୟ ସ୍ଥିତି ଭିତରକୁ ମୋ ପରି ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଯେ ଟାଣି ହୋଇ ଯାଇଥିବେ ଏହା ନିଃସନ୍ଦେହରେ କୁହାଯାଇପାରେ। ଏହାର ଏକମାତ୍ର କାରଣ ଶିକ୍ଷା କ୍ଷେତ୍ରରେ ବୈଷମ୍ୟ। ସବୁଠି ସମାନ ସୁବିଧା ଉପଲବ୍ଧ ନାହିଁ। ଚାଳିଶବର୍ଷ ତଳେ ଯେଉଁ ବୈଷମ୍ୟ ମୋ ଛାତ୍ର ଜୀବନକୁ ଆନ୍ଦୋଳିତ କରୁଥିଲା ଆଜି ଶିକ୍ଷକତା ଜୀବନରେ ତାହା ହିଁ ବ୍ୟଥିତ କରୁଛି। ଆଜି ମଧ୍ୟ ଜୋରଦେଇ କହି ହେଉନାହିଁ ଶିକ୍ଷା ଲାଭ କରିବା ସମସ୍ତଙ୍କର ଅଧିକାର ବୋଲି। ବୈଷମ୍ୟର ଅଗ୍ନି କୁଣ୍ଡରେ କେତେ ଯେ ମେଧାବୀଙ୍କ ମେଧାଶକ୍ତି ଆହୁତି ହେଉଛି ତା’ର ହିସାବ କାହା ନିକଟରେ ନାହିଁ ।
ସ୍ବାଧୀନତା ପରେ ଆମ ରାଜ୍ୟରେ ଶିକ୍ଷାର ପ୍ରସାର ନିମନ୍ତେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାର ବୋଝକୁ ତତ୍କାଳୀନ ସରକାର ନିଜ କାନ୍ଧ ଉପରକୁ ନେବା ପରିବର୍ତ୍ତେ ଜନସାଧାରଣଙ୍କ ଉପରକୁ ଠେଲି ଦେଲେ; ଯାହାର ବହୁମୁଖୀ ପ୍ରଭାବ ପଡ଼ିଲା। ଗୋଟିଏ ଦିଗରେ ବିଚାର କଲେ ଜନ ସାଧାରଣଙ୍କ ଅର୍ଥରେ ବହୁ ସ୍କୁଲ କଲେଜ ଖୋଲିଲା ଏବଂ ଶିକ୍ଷାର ଦ୍ରୁତ ପ୍ରସାର ହେଲା। କିନ୍ତୁ ଅନ୍ୟ ଦିଗରେ ଯୋଜନା ବିହୀନ ଭାବରେ ଆବଶ୍ୟକତାଠାରୁ ଅଧିକ ବିଦ୍ୟାଳୟ କିଛି ସ୍ଥାନରେ ପ୍ରତିଷ୍ଠା ହେଲା। ପୁନଶ୍ଚ ବହୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଦୀର୍ଘଦିନ ଧରି ଅନୁନ୍ନତ, ଅସଜଡା, ଅବିକଶିତ ହୋଇ ପଡ଼ିରହିଲା। ଏହି ସମସ୍ତ ବିଦ୍ୟାଳୟ ଦଶ ପନ୍ଦର ବର୍ଷ ଚାଲିଲା ପରେ ସରକାର ଏମାନଙ୍କୁ ଅନୁଦାନ ଦେଲେ। ଏମାନେ ସରକାରଙ୍କ ଖାତାକୁ ଆସିଲେ। ଅର୍ଥାତ୍‌ ସରକାରୀ, ଆଂଶିକ ସରକାରୀ ଓ ବେସରକାରୀ ଏହିପରି ତିନିପ୍ରକାରର ବିଦ୍ୟାଳୟ ଦେଖିବାକୁ ମିଳିଲା। ବୈଷମ୍ୟର ମୂଳଦୁଆ ପଡିଲା । ଏ ସବୁଥିରେ ଥିବା ସୁବିଧା ଧନଶାଳୀ ଲୋକଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ସେମାନେ ସେମାନଙ୍କର ପିଲାମାନଙ୍କୁ ଯୋଗ୍ୟତମ କରି ଗଢିତୋଳିବା ପାଇଁ ଉନ୍ନତ କିସମର ବିଦ୍ୟାଳୟ ଗଢ଼ିଲେ। ସରକାର ମଧ୍ୟ ଏହାକୁ ପରୋକ୍ଷରେ ପ୍ରୋତ୍ସାହନ ଦେଲେ; ଯାହାକୁ କୁହାଗଲା ଘରୋଇ ବିଦ୍ୟାଳୟ। ପାଠ ବଜାର ଖୋଲିଲା। ବ୍ୟବସାୟ ଆରମ୍ଭ ହେଲା । ବୈଷମ୍ୟର ଗୁଣୋତ୍ତର ବୃଦ୍ଧି ହେଲା।
୧୯୮୫ରେ ନବୋଦୟ ବିଦ୍ୟାଳୟର ପ୍ରତିଷ୍ଠା ସରକାରୀ ଅର୍ଥ ବିନିମୟରେ ଗ୍ରାମାଞ୍ଚଳର କିଛି ପିଲାଙ୍କ ପାଇଁ ଅଧିକ ସୁଯୋଗ ଯୋଗାଇ ଦେବାର ବାଟ ଫିଟିଲା। ସହର ଓ ମଫସଲ ଭିତରେ ବୈଷମ୍ୟର ପ୍ରାଚୀର ଉଠିଲା। ତା’ପରେ ପୁଣି ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଲା। ଏହି ସମସ୍ତ ପରିକଲ୍ପନା ଭିତରେ ଏକ ଅଦ୍ଭୁତ ଚିନ୍ତନ ଥିବା ମନେହୁଏ। ତାହା ହେଲା ସମସ୍ତେ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇ କରିବେ କ’ଣ?
ଏବେ ଏବେ ଆମ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଦୁଇଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗୋଟିଏ ହେଲା ‘ମୋ ସ୍କୁଲ’, ଅନ୍ୟଟି ‘ପୋଷ୍ୟ ବିଦ୍ୟାଳୟ ଗ୍ରହଣ’। ପ୍ରଥମ ଯୋଜନାଟି ମୁଖ୍ୟତଃ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଏବଂ ବିଦ୍ୟାଳୟ ସହିତ ଜନ ସଂଯୋଗ ସ୍ଥାପନ ନିମନ୍ତେ। ଏହି ଯୋଜନାର ସାରାଂଶ ହେଲା ବିଦ୍ୟାଳୟ ତରଫରୁ ଯେତିକି ଅର୍ଥ ଜମା ହେବ ତାକୁ ମିଶାଇ ସରକାର ତା’ର ତିନି ଗୁଣ ଅର୍ଥ ପ୍ରଦାନ କରିବେ। ଏହାକୁ ଲକ୍ଷ୍ୟ କରି ଶିକ୍ଷକମାନେ ପୁରାତନ ଛାତ୍ର ଓ ଶୁଭେଚ୍ଛୁମାନଙ୍କର ଦ୍ବାରସ୍ଥ ହେଲେ। କିଛି ନ ହେଲେ ଉପର ଅଫିସରଙ୍କର ପ୍ରିୟ ଭାଜନ ହେବା ପାଇଁ ନିଜ ଦରମାରୁ କିଛି ଦେଇ ଜମା କଲେ। ଯାହା ହେଉନା କାହିଁକି ବିଦ୍ୟାଳୟର ଭିତ୍ତିଭୂମି ତ ବିକାଶ ହେବ। ଏମିତି ବି ହେଉଛି କିଛି ଲୋକ ସର୍ତ୍ତ ରଖି ଟଙ୍କା ଜମା କରୁଛନ୍ତି। ସରକାର ଘରୁ ଟଙ୍କା ଆସିବା ପରେ ଦୁଇଗୁଣ ଟଙ୍କାରେ କାମ ହେଉଛି, ଅବଶିଷ୍ଟ ଦାତାଙ୍କ ପକେଟକୁ ଫେରି ଯାଉଛି। ହେଲା ଯେ, କେବଳ ବିଦ୍ୟାଳୟକୁ ଚକାଚକ କରିଦେଲେ ଲାଭ କ’ଣ ହେବ? ଅନେକ ବିଦ୍ୟାଳୟ ଚାଲିଛି ଜଣେ ଦୁଇଜଣ ଶିକ୍ଷକରେ। ମୋ ଭାଷାରେ ଯେଉଁ ସବୁ ଆଂଶିକ ସରକାରୀ ବିଦ୍ୟାଳୟ ଅଛି ସେଠାରୁ ଶିକ୍ଷକ ଅବସର ନେବା ପରେ ନିଯୁକ୍ତି ନାହିଁ କି ନିଯୁକ୍ତି ଦେବାର ନିୟମ ନାହିଁ। କିଛି ବନ୍ଦ ହେଲାଣି, କିଛି ବନ୍ଦ ହେବା ଅବସ୍ଥାରେ, ଆଉ ସବୁର ଜୀବନ କାଳ ପାଞ୍ଚରୁ ସାତ ବର୍ଷ। ତା’ପରେ ସ୍କୁଲ ଘରଗୁଡିକ କ’ଣ ହେବ ପ୍ରତିଷ୍ଠାତାମାନଙ୍କୁ ଚିନ୍ତା ଘାରିଛି।
କିଛି ଦିନ ହେଲା ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ପ୍ରିଣ୍ଟ ମିଡିଆରେ କିଏ କେଉଁ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କଲେ ତା’ର ଖବର ଲଗାତର ପ୍ରକାଶ ପାଇବାରେ ଲାଗିଛି। ପରେ ପରେ ଏହି ସୌଭାଗ୍ୟ ଲାଭ କରିଥିବା ବିଦ୍ୟାଳୟଟି ଯେଉଁ ଅଞ୍ଚଳରେ ଅବସ୍ଥିତ ସେଠାକାର ଲୋକେ ଖୁସି ବ୍ୟକ୍ତ କରୁଛନ୍ତିି । ଏହାଦ୍ବାରା ପୋଷ୍ୟ ବିଦ୍ୟାଳୟଟିର ଚେହେରା ଯାହା ଅଛି ସେଥିରେ ଆଖିଦୃଶିଆ ପରିବର୍ତ୍ତନ ହେବ ଏଥିରେ ଆଦୌ ସନ୍ଦେହ ନାହିଁ।
ଅପରପକ୍ଷେ ଶିକ୍ଷାର ସାଧନ କ୍ଷେତ୍ର ରୂପେ ଛାତ୍ରୀଛାତ୍ରଙ୍କୁ ଏହା କେତେ ସହାୟତା ଦେବ ତା’ର ଉତ୍ତର ଭବିଷ୍ୟତରେ ମିଳିବ। କିନ୍ତୁ ଶିକ୍ଷାବିତ୍‌ମାନଙ୍କୁ ଏହା ଦ୍ବନ୍ଦ୍ବରେ ପକାଇଦେଇଛି । ପ୍ରଶ୍ନ ଉଠୁଛି ଅନ୍ୟ ସବୁ ବିଦ୍ୟାଳୟର ଅବସ୍ଥା କ’ଣ ହେବ? ଯେଉଁମାନେ ପୋଷ୍ୟ ବିଦ୍ୟାଳୟ ଗ୍ରହଣ କରୁଛନ୍ତି ସେମାନେ ଯଦି ଗୋଟିଏ ଦୁଇଟି ବିଦ୍ୟାଳୟକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ ତେବେ ଅନ୍ୟ ବିଦ୍ୟାଳୟଗୁଡ଼ିକ ପ୍ରତି ଅନ୍ୟାୟ ହେବନାହିଁ କି? ପୁନଶ୍ଚ ଯେଉଁ ବିଦ୍ୟାଳୟଗୁଡିକ ପୋଷ୍ୟ ସନ୍ତାନର ମର୍ଯ୍ୟାଦା ପାଉଥିବା ଦେଖିବାକୁ ମିଳୁଛି ସେଗୁଡ଼ିକ ପ୍ରାୟ ସବୁ ବ୍ଲକ କିମ୍ବା ଜିଲାର ସଦର ମହକୁମାରେ ଅବସ୍ଥିତ ପୁରାତନ ସରକାରୀ ବିଦ୍ୟାଳୟ। ଏହିସବୁ ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ଉନ୍ନତ। ଅର୍ଥାତ୍‌ ତେଲିଆ ମୁଣ୍ଡରେ ତେଲ ଦେବା ପ୍ରକ୍ରିୟା। ସାଧାରଣତଃ ଦେଖାଯାଏ ଦୁର୍ବଳ ବେରୋଜଗାରିଆ ପିଲାଟି ପ୍ରତି ବାପାମାଆର ଟିକିଏ ଅଧିକ ଅନୁକମ୍ପା ଥାଏ। ଆମ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ମଧ୍ୟ ସମାନ କଥା ଅଛି। ସାମାଜିକ ତଥା ଅର୍ଥନୈତିକ ଭାବେ ଅନଗ୍ରସର ଶ୍ରେଣୀ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ବୈଷମ୍ୟର ଦୂରୀକରଣ ନିମନ୍ତେ ହୋଇଛି। ଏହାକୁ ଲକ୍ଷ୍ୟ କଲେ ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଯୋଜନାଟି ଉଭୟ ନ୍ୟାୟିକ ଓ ସମ୍ବେଦନଶୀଳତାର ପରିପନ୍ଥୀ ନୁହେଁ କି?
ପୁନଶ୍ଚ ପ୍ରଶାସନିକ ଅଧିକାରୀମାନଙ୍କର ବଦଳି ବ୍ୟବସ୍ଥା ଅଛି। ସେମାନେ ଯେଉଁ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରି ନବକଳେବର ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ଅନ୍ୟତ୍ର ବଦଳି ହୋଇଗଲା ପରେ ତାହା ଅଧାଗଢା ହୋଇ ରହିଯିବ ନାହିଁ ତ? ଅତୀତରେ ପୋଷ୍ୟ ପଞ୍ଚାୟତର ଅବସ୍ଥା ଆମେ ଦେଖିଛନ୍ତି। ଏହା ସେମିତି କେବଳ ବ୍ରେକିଂ ନିଉଜରେ ପରିଣତ ନ ହେଉ।
ଲୋକ ପ୍ରତିନିଧି ହୁଅନ୍ତୁ ଅଥବା ପ୍ରଶାସନିକ ଅଧିକାରୀ ହୁଅନ୍ତୁ ଏମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନର ବିକାଶ ପାଇଁ ଧନ, ମନ, ଜନ ବିନିଯୋଗ କରିବା କେତେ ଯୁକ୍ତିସଙ୍ଗତ ତାହା ବିଚାର୍ଯ୍ୟ। ସବୁଠାରୁ ବଡ଼ କଥା ହେଲା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ତଥା ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତ ଶିଶୁଙ୍କୁ ସମାନ ଦୃଷ୍ଟିରେ ବିଚାର ନ କରିବା ଏବଂ ସେମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ନିମନ୍ତେ ସମାନ ସୁବିଧା ସୁଯୋଗ ଯୋଗାଇବାରେ ରାଷ୍ଟ୍ର ବା ରାଜ୍ୟର ବ୍ୟତିକ୍ରମ କେବଳ ଅବିଚାର ନୁହେଁ ଅନ୍ୟାୟ ମଧ୍ୟ। ସରକାର ଏମିତି ଯୋଜନା ନ କରନ୍ତୁ ଯାହା ବୈଷମ୍ୟର ଆଉ ଏକ ଘୃଣ୍ୟ ପରିବେଶକୁ ଜନ୍ମ ଦେବ। କିଛି ପିଲାଙ୍କ ପାଇଁ ପଲାଉର ବ୍ୟବସ୍ଥା କରି ଆଉ କିଛି ପିଲାଙ୍କୁ ଭୋକିଲା ପେଟରେ ରଖିବା ଉଚିତ ହେବ ନାହିଁ । ଯଦି ସରକାର ଏମିତି କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଇଚ୍ଛୁକ ତେବେ ତାହା ତଳ ଆଡୁ ଆରମ୍ଭ କରିବା ଉଚିତ, କିନ୍ତୁ କାହାକୁ ଅଣଦେଖା କିମ୍ବା ଅବହେଳା କରି ନୁହେଁ। ନ ହେଲେ ଲୋକେ କହିବେ ତେଲିଆ ମୁଣ୍ଡରେ ତେଲ ଦିଏ, ନୁଖୁରା ବାଳକୁ ପଚାରେ କିଏ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ:୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri