ତେଲ: ଦର ବଢ଼ିଲେ ଭଲ

ଡ. କୁଳାଙ୍ଗାର

ଇନ୍ଧନ ବା ତେଲ ଦର ବୃଦ୍ଧି ପାଇବା ମାତ୍ରେ ଆମ ମନରେ ନାନା ନକାରାତ୍ମକ ଚନ୍ତାଧାରା ଧସେଇ ପଶିଥାଏ। ଧେତେରିକା ଏ ସରକାର ବି କୋଉ କାମକୁ ନୁହଁ ବୋଲି କିଏ ପାଟିଫିଟେଇ ଆଉ କିଏ ମନକୁ ମନ ଚିତ୍କାର କରିଥାଆନ୍ତି। ଆଉ ପାହୁଣ୍ଡେ ଆଗେଇ ଯାଇ କେହି କେହି ଭୋଟରେ ତମକୁ ଦେଖିନେବୁ ବୋଲି ସମ୍ବୋଧନ କରି ସରକାର ସହ ମଧୁର ସମ୍ପର୍କ ଯୋଡ଼ିଥାଆନ୍ତି। ଏପରି ହେବା ମଧ୍ୟ ସ୍ବାଭାବିକ କାରଣ ଆଜି ତାରିଖରେ ଆମେମାନେ ଗାଡ଼ିବିନା ଅଗାଡ଼ି। ଆଉ ସେଇ ଗାଡ଼ି ଗଡ଼ିବା ପାଇଁ ଦର୍କାର ତେଲ। ତେଲ ପାଇଁ ଦର୍କାର ଟଙ୍କା। ଟଙ୍କା ଦେବାକୁ କିଏ ବା ସୁଖ ପାଏ?
ତେଣୁ ତେଲ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ଶୁଣିବା ମାତ୍ରେ ମଣିଷମାନେ ଚିହିଁକି ଉଠନ୍ତି। ବିଭିନ୍ନ ଦେଶରେ ତେଲ ଅର୍ଥାତ୍‌ ପେଟ୍ରୋଲ, ଡିଜେଲର ଦର କେତେ ଅଛି ତାହାର ତାଲିକା କରି ଦେଖ ଆମକୁ କେମିତି ସରକାର ଲୁଟୁଛନ୍ତିି ବୋଲି ବିଭିନ୍ନ ମାଧ୍ୟମରେ ଏହାର ପ୍ରଚାର କରନ୍ତି। ତେଲ ଦର ବୃଦ୍ଧିକୁ ରୋକି ନ ପାରିଲେ ସରକାର ଏକରକମ ବେଜିତ ହୋଇଥାଏ।
ମାସିକ ବା କିଛିମାସ ଅନ୍ତରରେ ଏକାବେଳକେ ଅଧିକ ତେଲଦର ବଢ଼ିଲେ ଗ୍ରାହକମାନେ ଆନ୍ଦୋଳନ କରିବେ। ଏଥକୁ ବିକଳ୍ପ ଉପାୟ ସ୍ବରୂପ ତେଲକମ୍ପାନୀମାନେ ଦୈନିକ ତେଲଦରକୁ ଅଳ୍ପଅଳ୍ପ ଉଠାପକା କଲେ। ଉପରକୁ ଉଦ୍ଦେଶ୍ୟ- ବିଶ୍ୱ ବଜାର ସହିତ ତାଳଦେଇ ହିସାବ ହେବ। ଭିତିରି ଉଦ୍ଦେଶ୍ୟ- ପ୍ରତିଦିନ କିଛି ପଇସା କମ୍‌ବେଶି ହେଲେ କାହା ଦୃଷ୍ଟିରେ ପଡିବନି। ସେଥିରେ ମଧ୍ୟ ତେଲ କମ୍ପାନୀମାନଙ୍କର ବୁଦ୍ଧି ଫେଲ୍‌ ମାରିଲା। ଦର ବଢ଼ିବଢ଼ି ଏମତି ନାକୁଆଣୀ ହେଲା ଯେ, ଲୋକେ ଅଣନିଃଶ୍ୱାସୀ ହେଲେ।
ତାକୁ ତ ଆପଣ ଜାଣନ୍ତିି, ସିଏ ସେଇ ହାତଗଣତି ଲୋକଙ୍କ ଭିତରୁ ଜଣେ, ଯିଏ ତେଲଦର ବୃଦ୍ଧିପାଇଲେ ଖୁସି ହୁଏ। ଗାଡ଼ି ତେଲର ଦରର ଖାଇବା ତେଲଦର ସହ ସମାସ୍କନ୍ଦ ହୋଇଯାଇଛି ଶୁଣି ଆହୁରି ଖୁସି ହେଲା। କାରଣ ସିଏ ସରକାରୀ କମ୍ପାନୀ ବସ୍‌ରେ ଆଜିକାଲି ଚଲାଉଛି। ପେଟ୍ରୋଲ, ଡିଜେଲ ଆଦି ତେଲର ଦରବୃଦ୍ଧି ଖବର ପାଇ ସିଏ ଖୁସିମନରେ ଘରକୁ ଫେରିଲା ଏବଂ ତା’ର କଲେଜପଢୁଆ ଝିଅକୁ ଡାକି କହିଲା- ବୁଝିଲୁ ଝିଅ, ତୋ’ ବାପା ତେଲ ଖାଉଛି ବୋଲି ଏଥର ଯଦି କିଏ କହିଲା ତେବେ ତୁ ଆଦୌ ଚିଡ଼ିବୁନି। କାରଣ ଏବେ ଖାଇବା ତେଲଦର ଯେତିକି, ପୋଡ଼ିବା ତେଲଦର ବି ସେତିକି! ତେଣୁ ମୁଁ ତେଲ ଖାଉଛି ତ ସଂସାର ଯାକ ଖାଉଛନ୍ତିି ନା!
ତା’ କଥା ଶୁଣି ବାତେରା ପୁଅ କହିଲା- ତା’ହେଲେ ତମେ ବି ମୋତେ ଆଉ ମଦୁଆ ବୋଲି ଗାଳି କରିବନି କାରଣ ଏବେ ତେଲ ବୋତଲ ଯେତିକି ଟଙ୍କା ବିୟର ଟିଣଟା ବି ସେତିକି ଟଙ୍କା।
ପୁଅ କହିଲା- ବାପା ତମେ ତେଲଦର ବଢ଼େଇ ଏତେ ଲୋକଙ୍କର କ୍ଷତି କରୁଥିବା ସରକାର ଉପରେ ଖୁସି ହେଉଛ ଆଉ ମୁଁ କେତେବେଳେ କେମିତି ବିୟରଟେ ପିଇଦେଲି ବୋଲି ମୋ ଉପରେ ଗରଗର! ସିଏ କହିଲା- ରାଗିବିନି! ହୈରେ ଟୋକା ତୁ କୁଆଡ଼ୁ ଜାଣିବୁ ଯେ ତେଲଦର ବଢ଼େଇବା ଦ୍ୱାରା ସରକାରୀ ତେଲ କମ୍ପାନୀଏ ଆମ ଦେଶର କେତେ ମଙ୍ଗଳ କରୁଛନ୍ତି? ପୁଅ ପଚାରିଲା- ଟିକେ କହୁନ ମୁଁ ଶୁଣେ! ସିଏ କହିଲା- ଦେଖ୍‌ ତୋ’ଠୁ ଆରମ୍ଭ କରୁଛି। ତେଲଦର ବଢ଼ିବା ପ୍ରଭାବରେ ମଦ ସମେତ ଅନ୍ୟସବୁ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ତେଲଦର ବଢ଼ିବାର ଦୁଃଖରେ ଆଉ ଘରଖର୍ଚ୍ଚ ସମ୍ଭାଳିବା ଚାପରେ ଖର୍ଚ୍ଚକାଟ କରିବା ପାଇଁ କେତେ ମଦୁଆ ମଦ ପିଇବା କମେଇ ଦେଉଛନ୍ତିି।
ଝିଅ ପଚାରିଲା- ବାପା, ତମେ କ’ଣ ଖାଲି ଗୋଟେ ମଦୁଆ ପୁଅର ବାପା? ସିଏ କହିଲା- ନାଇଁ ଲୋ ନାଇଁ। ମୁଁ ତ ତେଲଦର ବୃଦ୍ଧି ପାଇବା ଦ୍ୱାରା ତୁ ବେଶି ସୁରକ୍ଷିତ ରହିବୁ ବୋଲି ମନେମନେ ଭାରି ଖୁସି ହୁଏ। ଝିଅ ପଚାରିଲା- ବାପା, ତେଲଦର ବଢ଼ିଲେ ମୁଁ କେମିତି ସୁରକ୍ଷିତ ରହିବି? ସିଏ ଭାବପ୍ରବଣ ହୋଇ କହିଲା- ଝିଅଲୋ ଖାଲି ତୁ ନୁହେଁ ତୋ ପରି କେତେ ଝିଅ ଯୌତୁକ ଯୁଇରେ ପୋଡ଼ା ହୋଇ ମରିବାରୁ ରକ୍ଷା ପାଇଯିବେ। ଏତେ ଗୁଡ଼ାଏ ଟଙ୍କା ଦେଇ ପେଟ୍ରୋଲ କିଣି ପୋଡ଼ାମୁହଁଟାକୁ କାହିଁକି ପୋଡ଼ିିବାକୁ ଯିବି ବୋଲି ଭାବି ଅନେକେ ବଧୂହତ୍ୟାରୁ ଦୂରେଇ ରହିବେ।
ଝିଅ କହିଲା- ବାପା, ତମର ସବୁବେଳେ ଖାଲି ମୋର ବାହା ଚିନ୍ତା। ମୁଁ କ’ଣ ଏବେ ବୁଢ଼ୀ ହୋଇଗଲିଣି କି? ସିଏ ଉତ୍ତର ଦେଲା- ବୁଢ଼ୀ ନ ହେଲା ଯାଏ ତ ମୋର ଚିନ୍ତା, ଯାହା କି ତେଲଦର ବଢ଼ିବା ଦ୍ୱାରା ସାମାନ୍ୟ ଲାଘବ ହୋଇଥାଏ। ଦେଖ୍‌ ତେଲଦର କମ୍‌ ଥିଲେ ବାପାମାନେ ପୁଅମାନଙ୍କୁ ଟାଙ୍କିରେ ତେଲ ପକେଇ ପୁତ୍ରମଣିଙ୍କୁ ବାଇକ୍‌ ଚାବି ଧରେଇ ଦିଅନ୍ତି। ତା’ ପରେ ପୁଅମାନେ ବାଇକ୍‌ ଧରି ତମମାନଙ୍କ ପଛରେ ପଡ଼ନ୍ତି। ତମେମାନେ ଯାହାର ତପସ୍ୟା ବା ସାଧନାରେ ସନ୍ତୁଷ୍ଟ ହୁଅ ତା’ ବାଇକ୍‌ ପଛରେ ବସିଯାଅ। କେତେ ଜାଗା ଯାଅ, କେତେ ସମୟ କଟାଅ। କେବେକେବେ ଭାଇରାଲ୍‌ ଭିଡିଓ ଶୁଟିଂ କର। ଆଉ ତା’ ପରେ ମୋ ପରି ମାଆବାପାଙ୍କର ନାମ ଉଜ୍ଜ୍ୱଳ କର। ତେବେ ତେଲଦର ବଢ଼ିଲେ ଏ ଧନ୍ଦା ସାମାନ୍ୟ କମେ।
ଝିଅ କହିଲା- ହୁଁ…ସମସ୍ତେ କ’ଣ ସମାନ? ତେଲଦର ବଢ଼ିଲେ ବି ତ ଅନେକ ପୁଅ ବାଇକ୍‌ ଆଣୁଛନ୍ତି। ସିଏ କହିଲା- ସେଥିରୁ ଦଳେ ଗାଡ଼ିଚଢ଼ା ଅଭ୍ୟାସକୁ ବଜାୟ ରଖିବା ପାଇଁ ଚୋରି କରୁଛନ୍ତି। ପୋଲିସ ହାତରେ ଧରାପଡ଼ି ଛେଚା ଖାଉଛନ୍ତି। ଆଉ କେତେ ମାସମାସ ଧରି ଜେଲ୍‌ରେ ରହୁଛନ୍ତିି। ଝିଅ କହିଲା- ବାପା ଏଇଟା ଅନ୍ୟାୟ, ଖାଲି ଆମ ପୁଅଝିଅଙ୍କର କଥା ତମକୁ ଦିଶୁଛି। ସିଏ କହିଲା- ନାଇଁ, ତେଲଦର ବଢ଼ିବା ଦ୍ୱାରା ଲୋଭୀ ଲୋକେ ହିସାବ କରି ପୂର୍ବାପେକ୍ଷା କମ୍‌ ଗାଡ଼ି ଚଳାଉଛନ୍ତି। ଫଳରେ ସାମଗ୍ରିକ ଭାବରେ ପ୍ରଦୂଷଣ କମୁଛି। ଦୁର୍ଘଟଣା କମୁଛି। ଗାଡ଼ିରେ ଯିବା ବଦଳରେ ଲୋକେ ଚାଲିଚାଲି ଯିବା ଫଳରେ ବ୍ୟାୟାମ ହେବା ସହ ଶରୀର ସୁସ୍ଥ ରହୁଛି। ଗାଡ଼ି ଧରିଥିଲେ ଚୁଙ୍ଗୁଚୁଙ୍ଗୁ ହେଉଥିବା ମଣିଷ ଏହାଦ୍ୱାରା ସ୍ଥିତପ୍ରଜ୍ଞ ପାଲଟୁଛି।
ଝିଅ ପଚାରିଲା- ସେତିକି ନା ଆଉକିଛି ଲାଭ ହେଉଛି? ସିଏ କହିଲା- ସବୁଠୁ ବେଶି ଲାଭ ହେଉଛି ତେଲ କମ୍ପାନୀମାନଙ୍କର। ସେମାନେ ଏଥିରୁ ଲାଭ କମେଇ ବଡ଼ବଡ଼ ହୋର୍ଡିଂ ଲଗାଇ ପାରୁଛନ୍ତି। ଟିଭି, ଖବରକାଗଜରେ ରଙ୍ଗିନ ବିଜ୍ଞାପନ ଛାପୁଛନ୍ତି। ବହୁ ରଙ୍ଗାରଙ୍ଗ୍‌ କାର୍ଯ୍ୟକ୍ରମର ପ୍ରାୟୋଜକ ସାଜୁଛନ୍ତି। କେତେ ସଭାସମିତି ଆୟୋଜନ କରି ନେତାମନ୍ତ୍ରୀଙ୍କୁ ଲୋକଙ୍କ ସହିତ ଯୋଡ଼ିବାରେ ସହାୟକ ହେଉଛନ୍ତିି। ଝିଅ କହିଲା- ତା’ ମାନେ ତେଲଦର ଯେବେ ସୁନା ଦରକୁ ଟକ୍କର ଦେବ, ଆମ ଦେଶଟା ସୁନା ହୋଇଯିବ ଜାଣ। ସିଏ ମୁଣ୍ଡ ଟୁଙ୍ଗାରି କହିଲା- ହଁ ହଁ… ଠିକ୍‌ ଠିକ୍‌!!
ମୋ- ୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri