ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡ଼ିଶା

ସରକାର ଘୋଷଣା କରିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଏକ ‘ବିକଶିତ’ ରାଜ୍ୟ ହୋଇଯିବ। ଓଡ଼ିଶା ଯଦି ଆଉ ମାତ୍ର ୧୨ ବର୍ଷରେ ‘ବିକଶିତ’ ରାଜ୍ୟ ହୋଇଯିବ ତେବେ ତାହା ଏକ ସର୍ବକାଳୀନ ବିଶ୍ୱସ୍ତରୀୟ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ।
ଲୋକଙ୍କର ଆୟ କେତେ ହେଲେ, କେଉଁ ମାନର ଶିକ୍ଷା, ସ୍ବାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ହେଲେ, କେତେ ଓ କେଉଁମାନର ଗମନାଗମନ ଓ ଯୋଗାଯୋଗର ସାଧନ ହେଲେ, ଆର୍ଥିକ ଓ ସାମାଜିକ ସୁରକ୍ଷାର ସ୍ତର କ’ଣ ହେଲେ ତଥା ଭିତ୍ତିଭୂମି ଓ ଢାଞ୍ଚାଗତ ବିକାଶର କେଉଁ ସ୍ତରକୁ ପହଞ୍ଚିଲେ ଗୋଟିଏ ରାଜ୍ୟ ବା ଦେଶକୁ ‘ବିକଶିତ’ ରାଜ୍ୟ ବା ଦେଶ କୁହାଯିବ ତାହାରି କିଛି ନିର୍ଦ୍ଦିଷ୍ଟ ଗାଣିତିକ ସୂତ୍ର ବା ସୂଚକ ନାହିଁ। ମୁଣ୍ଡ ପିଛା ଆୟକୁ ଏକ ସହଜ ପନ୍ଥା ବିଚାରି ଅନେକ ଅର୍ଥନୀତି ବିଶାରଦ ତାହାକୁ ବିକାଶର ଏକ ମାପକ ବୋଲି ଗ୍ରହଣ କରନ୍ତି। କିନ୍ତୁ ମୁଣ୍ଡ ପିଛା ଆୟକୁ ଅର୍ଥନୈତିକ ସ୍ଥିତିର ବିଚାରକରିବା ପାଇଁ ଉପଯୁକ୍ତ ମାନଦଣ୍ଡ ନୁହେଁ ବୋଲି ଅନେକ ବିଶେଷଜ୍ଞ କହନ୍ତି। ଉଭୟ ଯୁକ୍ତିର ତର୍କ ଅଛି। ଏବେ ବିକଶିତ କୁହାଯାଉଥିବା ପ୍ରାୟ ସମସ୍ତ ଦେଶର ମୁଣ୍ଡ ପିଛା ଆୟ ଆମ ଦେଶ ବା ରାଜ୍ୟର ମୁଣ୍ଡ ପିଛା ଅନ୍ୟଠାରୁ ଅନେକ ଗୁଣ ଅଧିକ। ତେବେ ଏମିତି ଅନେକ ଦେଶ ଅଛନ୍ତି ଯାହାର ମୁଣ୍ଡ ପିଛା ଆୟ ଆମ ଦେଶ ବା ଆମ ରାଜ୍ୟଠାରୁ ଅନେକ ଅଧିକ ହେଲେ ବି ତାଙ୍କୁ କୌଣସି ହିସାବରେ ବିକଶିତ ଦେଶ କୁହାଯାଇପାରିବ ନାହିଁ। ଆଫ୍ରିକାର ଗେବୋନ ଦେଶ ପ୍ରଚୁର ପ୍ରାକୃତିକ ତୈଳ ରପ୍ତାନି କରୁଥିବାରୁ ସେହି ଦେଶର ମୁଣ୍ଡ ପିଛା ଆୟ ଭାରତର ମୁଣ୍ଡ ପିଛା ଆୟର ୩ଗୁଣରୁ ଅଧିକ। କିନ୍ତୁ ସେହି ଦେଶର ପ୍ରାୟ ପ୍ରତି ୩ ବ୍ୟକ୍ତିରେ ଜଣେ ବ୍ୟକ୍ତି ଦାରିଦ୍ର୍ୟରେ ରହୁଛନ୍ତି ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ କହୁଛି। କାହିଁକି ଅନେକ ବିଶେଷଜ୍ଞ ମୁଣ୍ଡ ପିଛା ଆୟକୁ ପ୍ରଗତି ବା ଦାରିଦ୍ର୍ୟର ପ୍ରକୃତ ମାପକାଠି ବିଚାର କରନ୍ତି ନାହିଁ ଏହା ତାହାର ଏକ ଉଦାହରଣ। ତେବେ ମୁଣ୍ଡ ପିଛା ଆୟର ମାପକରେ ବି ଭାରତ ସାରା ବିଶ୍ୱର ଦେଶଗୁଡ଼ିକ ମଧ୍ୟରେ ଅତି ଦୟନୀୟ ୧୪୭ ତମ ସ୍ଥାନରେ ଅଛି ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟ କୁହେ। ଆମ ପଡ଼ୋଶୀ ଦେଶ ଚାଇନାର ମୁଣ୍ଡ ପିଛା ଆୟ ଭାରତର ୫ ଗୁଣରୁ ଅଧିକ।
ମାନବ ବିକାଶ ସୂଚକାଙ୍କକୁ ବିକାଶର ସ୍ଥିତିକୁ ମାପିବାର ଏକ ଉଚିତ ମାଧ୍ୟମ ବୋଲି ଅଧିକାଂଶ ବିଶେଷଜ୍ଞ ବିଚାରକରନ୍ତି। ସେଥିରେ ଉନ୍ନତ ଓ ସୁଖୀ ଜୀବନ ପାଇଁ ଆବଶ୍ୟକ ଉପାଦାନକୁ ବିଚାର କରାଯାଇଥାଏ। ମାନବ ବିକାଶ ସୂଚକାଙ୍କରେ ୧ ସ୍କୋର ରହିଲେ ସବୁ ମାନଦଣ୍ଡରେ ସେହି ଦେଶ ବିକଶିତ ବୋଲି ବିଚାର କରାଯିବ। ନରୱେ ୦.୯୮୧ ସ୍କୋର ରଖି ପୃଥିବୀରେ ପ୍ରଥମ ସ୍ଥାନରେ ରହିଛି। ଅର୍ଥାତ୍‌ ଏହି ଦେଶ ହେଉଛି ସବୁଠାରୁ ବିକଶିତ ଦେଶ। ମାତ୍ର ୦.୬୪୪ ସ୍କୋର ରଖି ଆମ ଦେଶ ୧୯୧ଟି ଦେଶର ସୂଚୀରେ ଦୟନୀୟ ୧୩୪ତମ ସ୍ଥାନରେ ଅଛି। ବିକାଶର ସ୍ତରକୁ ଆଉ ଏକ ସୂଚକାଙ୍କରେ ମପାଯାଏ। ତାହା ହେଲା, ‘ହ୍ୟାପିନେସ୍‌ ଇଣ୍ଡେକ୍ସ’ ବା ଖୁସି ସୂଚକାଙ୍କ। ଯେଉଁ ଦେଶର ଲୋକ ଯେତେ ଖୁସି ସେହି ଦେଶ ସେତେ ବିକଶିତ। ମାନବ ସୂଚକାଙ୍କର ସର୍ବାଗ୍ରେ ଥିବା ନରୱେର ଲୋକମାନେ ଖୁସି ସୂଚକାଙ୍କରେ ବି ସବୁଠୁ ଉପରେ। ଅର୍ଥାତ୍‌, ସେହି ଦେଶର ଲୋକେ ସବୁଠାରୁ ଅଧିକ ଖୁସି ଓ ତୃପ୍ତ। ଆମ ଦେଶ ଖୁସି ସୂଚକାଙ୍କରେ ନିହାତି ତଳେ ଗଡୁଛି। ବିଶ୍ୱର ୧୪୬ଟି ଦେଶର ସୂଚୀରେ ଭାରତ ୧୧୬ତମ ସ୍ଥାନରେ ଅଛି।
୨୦୨୧ରେ ଓଡ଼ିଶାର ମାନବ ଉନ୍ନୟନ ସ୍କୋର ଥିଲା ମାତ୍ର ୦.୫୯୭। ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ମଧ୍ୟରେ ଓଡ଼ିଶା ୩୦ତମ ସ୍ଥାନରେ ଥିଲା। ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଥିବା କେରଳର ସ୍କୋର ଥିଲା ୦.୭୫୨। ଆଜି ଓଡ଼ିଶାର ମାନବ ସୂଚକାଙ୍କ ସ୍କୋର ଯାହା ଅଛି ୨୦୦୦ରେ ଚାଇନାର ସ୍କୋର ପ୍ରାୟ ସେତିକି ଥିଲା। ଏହି ସମୟ ମଧ୍ୟରେ ଚାଇନା ଖାଲି ଆଖିଦୃଶିଆ ନୁହେଁ, ଭେଳିକି ହୋଇଯିବା ଭଳି ହାରରେ ପ୍ରଗତି କରିଛି। କିନ୍ତୁ ସେତିକି କରି ଆଜି ତାହାକୁ ବିକଶିତ ଦେଶ ବୋଲି ଗଣାଯାଉ ନାହିଁ।
ଓଡ଼ିଶା ୨୦୩୬ରେ ବିକାଶର କେଉଁ ସ୍ତର ହାସଲ କରିବ ତାହା ସରକାର ଜଣାଇବା ଉଚିତ। ୨୦୧୫ ରେ ବିଶ୍ୱ ‘ପୋଷଣୀୟ ଉନ୍ନୟନ ଲକ୍ଷ୍ୟ’ ଯାହାକୁ ଇଂରାଜୀରେ ‘ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ’ ସ୍ଥିର କରିବା ପରେ ବିଶ୍ୱ କ’ଣ ହାସଲ କରିବାକୁ ଚାହୁଁଛି ତାହାର ତାଲିକା ପ୍ରସ୍ତୁତ କରାଗଲା ଏବଂ ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ବିଶ୍ୱ ଓ ବିଭିନ୍ନ ଦେଶ କେତେଦୂର ଅଗ୍ରଗତି କରୁଛି ତାହାର ନିୟମିତ ତର୍ଜମା ଚାଲିଛି। ସେମିତି, ଓଡ଼ିଶା ୨୦୩୬ ସୁଦ୍ଧା କେଉଁ ସ୍ତରର ବିକାଶ ହାସଲ କରିବ ତାହା ସ୍ଥିର କରିବା ସହ ସେହି ଲକ୍ଷ୍ୟ ହାସଲ କରିବାରେ କେତେ ଦୂର ଅଗ୍ରଗତି କରୁଛି ତାହାର ନିରନ୍ତର ସମୀକ୍ଷା କରିବା ଦରକାର।
ବିକଶିତ ରାଷ୍ଟ୍ରର ସର୍ବାଗ୍ରେ ଥିବା ଦେଶଗୁଡ଼ିକରେ ବିଦ୍ୟାଳୟର ମାନ ଅତି ଉନ୍ନତ। ପ୍ରାୟ ସମସ୍ତେ ସରକାରୀ ବିଦ୍ୟାଳୟରେ ପଢ଼ନ୍ତି ଓ ପଢ଼ିବା ସେଇଠି ମାଗଣା। ସେହି ଦେଶଗୁଡ଼ିକରେ ସରକାରୀ ଚିକିତ୍ସା ସେବା ଅତି ଉନ୍ନତ ଓ ମାଗଣା ଏବଂ ପ୍ରାୟ ସମସ୍ତେ ସରକାରୀ ଡାକ୍ତରଖାନାରେ ସେବା ପସନ୍ଦ କରନ୍ତି। ଆଞ୍ଜେଲା ମର୍କେଲ ୧୬ ବର୍ଷ ଧରି ବିତ୍ତଶାଳୀ ଜର୍ମାନୀ ଦେଶର ଶାସିକା ଥିଲେ। ସେ ଧନୀ ଥିଲେ। କିନ୍ତୁ ତାଙ୍କ ସନ୍ତାନମାନେ ସରକାରୀ ବିଦ୍ୟାଳୟରେ ହିଁ ପଢ଼ିଥିଲେ। ନରୱେର ପ୍ରଧାନମନ୍ତ୍ରୀ ହେଉଛନ୍ତି ଜୋନାସ୍‌ ଷ୍ଟୋର। ତାଙ୍କ ଝିଅ କୌଣସି ସମ୍ଭ୍ରାନ୍ତ ବେସରକାରୀ ବିଦ୍ୟାଳୟ ନୁହେଁ, ସରକାରୀ ବିଦ୍ୟାଳୟରେ ପଢ଼ନ୍ତି। ସେମାନେ ଅସୁସ୍ଥ ହେଲେ କୌଣସି ବେସରକାରୀ ଡାକ୍ତରଖାନା ନୁହେଁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଗ୍ରହଣ କରନ୍ତି। ମାଗଣା କିନ୍ତୁ ଅତି ଉନ୍ନତ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ ବୋଲି ସେହି ଦେଶ ସବୁ ଗ୍ରହଣ କରିନେଇଛନ୍ତି। ସେଠି ସାମାଜିକ ସୁରକ୍ଷାର ବଳୟ ଅତ୍ୟନ୍ତ ସୁଦୃଢ଼। କେହି ଅସହାୟ ଓ ନିଃସହାୟ ପ୍ରାୟ ମନେକରନ୍ତି ନାହିଁ। ବିକଶିତ ରାଷ୍ଟ୍ରର ସୂଚୀରେ ଥିବା ଦେଶଗୁଡ଼ିକ ମଧ୍ୟରୁ ଅନେକ ଦେଶରେ ସାର୍ବଜନିକ ଗମନାଗମନ ମାଗଣା। ତାହାକୁ ବିକଶିତ ରାଜ୍ୟ କୁହାଯାଏ ଯେଉଁଠି (୧) ମୁଣ୍ଡ ପିଛା ଆୟ ଅଧିକ ଥିବ, (୨) ଲୋକଙ୍କର ଜୀବନ ଧାରଣର ମାନ ଉଚ୍ଚ ଥିବ, (୩) ପ୍ରାୟ ସମସ୍ତ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ରୋଜଗାର ମିଳୁଥିବ, (୪) ଆଇନର ଶାସନ ଥିବ ତଥା ଶାସନତନ୍ତ୍ର ବ୍ୟବସ୍ଥା ସୁଦୃଢ଼, ସମ୍ବେଦନଶୀଳ, ପାରଦର୍ଶୀ ଓ ଉତ୍ତରଦାୟୀ ଥିବ, (୫) ଉନ୍ନତ ମାନର ଓ ସୁରକ୍ଷିତ ଗମନାଗମନ ଓ ଯୋଗାଯୋଗର ସୁବିଧା ସମସ୍ତଙ୍କୁ ଉପଲବ୍ଧ ହେଉଥିବ, (୬) ଶିଳ୍ପ ଓ ପ୍ରଯୁକ୍ତି ବ୍ୟବହାରର ଉଚ୍ଚ ସୋପାନରେ ଥିବେ, (୭) ଉନ୍ନତ ଓ ସ୍ଥିର ସଂସ୍ଥାନିକ ବ୍ୟବସ୍ଥା ଥିବ, (୮) ଦାରିଦ୍ର୍ୟ ଓ ଭେଦଭାବ ନ ଥିବ, (୯) ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ହେଉଥିବ, (୧୦) ସମସ୍ତଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଥିବ, (୧୧) ବିସ୍ତୀର୍ଣ୍ଣ ସାମାଜିକ ଓ ଆର୍ଥିକ ସୁରକ୍ଷାର ସୁଦୃଢ଼ ଢାଲ ଥିବ ଏବଂ (୧୨) ଲୋକେ ଖୁସିରେ ରହୁଥିବେ। ଆମେ ଆଶା କରିବା ଯେ ସରକାର ଆଉ ୧୨ ବର୍ଷରେ ଓଡ଼ିଶାକୁ ସେହି ସ୍ତରରେ ପହଞ୍ଚାଇବାର ସ୍ବପ୍ନ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?