ଓଡ଼ିଶାରେ ସର୍ବାଧିକ ୨୩ ସଂକ୍ରମିତ ସ୍ଥାନ

ଯାଜପୁର ଅଫିସ,୨୮ା୩: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ ଦେଶରେ ମୋଟ ୧୧୨ ସଂକ୍ରମିତ ଅଞ୍ଚଳ ରହିଛି। ସେଥିରୁ ଓଡ଼ିଶାରେ ଟକ୍ସିକ ଓ ହାଜାର୍ଡସ୍‌ ସବ୍‌ଷ୍ଟାନ୍ସସ୍‌ (ବିଷାକ୍ତ ଓ ବିପଦପୂର୍ଣ୍ଣ ପଦାର୍ଥ) ଦ୍ୱାରା ସର୍ବାଧିକ ୨୩ଟି ସଂକ୍ରମିତ ସ୍ଥାନ ରହିଛି। ଓଡ଼ିଶା ତଳକୁ ଉତ୍ତରପ୍ରଦେଶରେ ୨୧ ଓ ଦିଲ୍ଲୀରେ ୧୧ଟି ଏଭଳି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ ହୋଇଛି। ତେବେ ସମ୍ପୂର୍ଣ୍ଣ ପରିଯୋଜନା ମାଧ୍ୟମରେ କେବଳ ୪ ସ୍ଥାନ ସଂକ୍ରମିତ ହୋଇଥିବା ପ୍ରମାଣିତ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ ଜିଲା ଜୟଶ୍ରୀ କେମିକାଲରେ ୩ ଓ ଅନୁଗୋଳ ଓରିକେମର ଗୋଟିଏ ସ୍ଥାନ ବୋଲି ଜଣାପଡ଼ଛି। ଅନ୍ୟ ସ୍ଥାନଗୁଡିକ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସଂକ୍ରମିତ ବୋଲି ପ୍ରମାଣିତ ହୋଇନାହିଁ। ଏହାର ଅନୁସନ୍ଧାନ ଜାରି ରହିଛି। କାରଖାନା ମାଲିକମାନଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ସଂକ୍ରମିତ ଅଞ୍ଚଳ ସୃଷ୍ଟି ହେଉଛି ବୋଲି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପରୋକ୍ତ ତଥ୍ୟ ଦେଇଛନ୍ତି।

ପ୍ରାୟତଃ ଶିଳ୍ପ ଓ ଖଣି ଖନନ ଯୋଗୁ ରାଜ୍ୟରେ ଅନେକ ସ୍ଥାନରେ ସଂକ୍ରମିତ ଅଞ୍ଚଳ ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ଉପଯୁକ୍ତ ସମୟରେ ପରିବେଶ ଅନୁକୂଳ ରହିତ ପଦ୍ଧତି ଅବଲମ୍ବନ, ପୂର୍ବ ଆଇନଗୁଡିକରେ ଯଥେଷ୍ଟ ବ୍ୟବସ୍ଥାର ଅଭାବ, ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ପଦ୍ଧତିର ଅଭାବ, ଦ୍ରୁତ ଶିଳ୍ପାୟନ ଆଦି କାରଣରୁ ସଂକ୍ରମିତ ଅଞ୍ଚଳ ଦେଖାଦେଇଛି। ଇତିମଧ୍ୟରେ ୩ ସ୍ଥାନ ସଂକ୍ରମିତ କରିଥିବା କାରଖାନା ତା’ର ପ୍ରଚଳିତ ପଦ୍ଧତିକୁ ପରିବର୍ତ୍ତନ କରିଛିି। ଫଳରେ ସେହି କାରଖାନାରୁ ସଂକ୍ରମିତ ବର୍ଜ୍ୟବସ୍ତୁ ନିର୍ଗତ ହେବା ବନ୍ଦ ହୋଇଯାଇଛି। ଏହାସହ ସିପିସିବି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପରାମର୍ଶ ଅନୁଯାୟୀ ସମ୍ପୃକ୍ତ କାରଖାନାଗୁଡିକ ଉକ୍ତ ୩ ସଂକ୍ରମିତ ସ୍ଥାନର ପ୍ରତିକାର ବ୍ୟବସ୍ଥା ଆରମ୍ଭ କରି ଦେଇଛନ୍ତି।

ଲକ୍‌ଡାଉନ୍‌ ଓ ପରବର୍ତ୍ତୀ ସମୟରେ କୌଣସି ନୂତନ ସ୍ଥାନ ସଂକ୍ରମିତ ହୋଇନାହିଁ। ଲକ୍‌ଡାଉନ୍‌ ସମୟରେ ୨୦୨୦ ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଲକ୍‌ଡାଉନ୍‌ ପରେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଏସ୍‌ପିସିବି ତରଫରୁ ବାୟୁ ପ୍ରଦୂଷଣ ମାତ୍ରା ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ବାୟୁର ଗୁଣାମତ୍କ ମାନ ସମସ୍ତ ସ୍ଥାନରେ ପ୍ରାୟତଃ ଭଲରୁ ସନ୍ତୋଷଜନକ ମଧ୍ୟରେ ରହିଥିଲା। ଲକ୍‌ଡାଉନ୍‌ ପରେ ବାୟୁର ଗୁଣାତ୍ମକମାନ ସନ୍ତୋଷଜନକରୁ ମଧ୍ୟମ ଧରଣର(ମୋଡେରେଟ୍‌) ରହିଥିଲା। ଡିସେମ୍ବରରେ ଅନୁଗୋଳ, ତାଳଚେର, ଭୁବନେଶ୍ୱର, କଟକ, ଝାରସୁଗୁଡ଼ା, କଳିଙ୍ଗନଗର, କେନ୍ଦୁଝର, ପାରାଦୀପ, ରାଜଗାଙ୍ଗପୁର, ରାଉରକେଲା ଓ ସମ୍ବଲପୁର ସହରରେ ବାୟୁର ଗୁଣାମତ୍କ କେବଳ ପରିମିତ କାଟେଗୋରିରେ ରହିଥିଲା। ଏହାବାଦ୍‌ ଲକ୍‌ଡାଉନ ସମୟରେ ୨୦୨୦ ଏପ୍ରିଲ ୧୫ରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବାହିତ ୧୧ ନଦୀ ତଥା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, କୋଲାବ, ବଂଶଧାରା, ଇନ୍ଦ୍ରାବତୀ ଏବଂ ବାହୁଦାର ୧୨୯ ସ୍ଥାନରୁ ଜଳନମୁନା ସଂଗ୍ରହ କରାଯାଇ ଗୁଣବତ୍ତା ପରୀକ୍ଷା କରାଯାଇଥିଲା। ଏହି ନଦୀଜଳରେ ବାୟୋ କେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ଓ ଟୋଲ କୋଲିଫର୍ମ(ଟିସି) ସହିତ ତୁଳନା କରାଯାଇଥିଲା। ଉକ୍ତ ୧୨୯ ଜଳ ନମୁନା ମଧ୍ୟରୁ ୧୨୧ ସ୍ଥାନରେ ଉଦ୍ଦିଷ୍ଟ ମାନ ମଧ୍ୟରେ ରହିଛି। ମୁଖ୍ୟତଃ ଭୁବନେଶ୍ୱର ତଳମୁଣ୍ଡଠାରେ ଦୟାନଦୀ, କଟକ ତଳମୁଣ୍ଡ କାଠଯୋଡି, ବ୍ରାହ୍ମଣୀ ନଦୀର ପାନପୋଷଠାରେ ବିଓଡି ଓ ଟିସି ମାତ୍ରା ଅଧିକ ରହିଥିବା ପରିଲକ୍ଷିତ ହୋଇଛି।

ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଶୁକ୍ରବାର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଦୂଷଣର ନିରାକରଣ ପାଇଁ ଏକ ବୈଠକର ଆୟୋଜନ କରିଥିଲେ। ଏଥିରେ ପ୍ରଦୂଷଣ ରୋକିବାକୁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଏଥିପାଇଁ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ୨୦୨୪ ସୁଦ୍ଧା ବାୟୁର ପ୍ରଦୂଷଣ ମାତ୍ରାକୁ ୨୦ରୁ ୩୦ପ୍ରତିଶତକୁ ହ୍ରାସ କରାଯିବ।