ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ ଥୁଆମୂଳ ରାମପୁର ବ୍ଲକ୍ର ଡ୍ରାଇଭରମାନେ ବିଧିବଦ୍ଧ ଭାବେ ଏହି ରାଜ୍ୟ ମହାସଂଘରେ ସାମିଲ ହୋଇଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷର ‘ରାଷ୍ଟ୍ରୀୟ ଡ୍ରାଇଭର ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଥୁଆମୂଳ ରାମପୁର ତହସିଲ କାର୍ଯ୍ୟାଳୟ ଛକରୁ ଏକ ବିଶାଳ ବାଇକ ରାଲି ବାହାରି ମା’ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପୂଜାର୍ଚ୍ଚନା ଓ ବିଧି ସମ୍ପାଦନ ପରେ କୋଷାବରା ସ୍ଥିତ ‘ହେଲୋ ପ୍ୟାଣ୍ଟ’ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ବ୍ଲକ ସଭାପତି ତ୍ରିନାଥ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଘର ଉପ-ସଭାପତି ଚନ୍ଦ୍ରଧ୍ୱଜ ସିଂ, ସମ୍ପାଦକ ରାମଚନ୍ଦ୍ର ଭାଟି, ସହ-ସମ୍ପାଦକ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ଆଲୋକ ପୂଝାରୀ, ଉପଦେଷ୍ଟା ଲୋକନାଥ ଗଉଡ, ବ୍ଲକ ଏଡମିନ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଜିଲା ଅଡିଟର ମଧୁସୂଦନ ମାଝୀଙ୍କ ସମେତ ବ୍ଲକ୍ର ୨୪ଟି ଗ୍ରାମପଞ୍ଚାୟତରୁ ପ୍ରାୟ ୧୦୦ ରୁ ୧୫୦ରୁ ଊର୍ଦ୍ଧ୍ୱ ଡ୍ରାଇଭର ଭାଇମାନେ ଯୋଗ ଦେଇଥିଲେ।
ଏହି ଅବସରରେ ସମସ୍ତ ଡ୍ରାଇଭର ଭାଇମାନେ ମିଶି କେକ କାଟିବା ସହ ଆନନ୍ଦ ଉଲ୍ଲାସର ସହ ଦିବସ ପାଳନ କରିଥିଲେ। ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ ଯେ, ମହାସଂଘ ଗଠନ ହେବା ପରଠାରୁ ଡ୍ରାଇଭରମାନଙ୍କ ମଧ୍ୟରେ ନିଜସ୍ବ ପରିଚୟ, ଏକତା, ଭାଇଚାରା ଏବଂ ପରସ୍ପରକୁ ସାହାଯ୍ୟ କରିବାର ମନୋଭାବ ସୃଷ୍ଟି ହୋଇପାରିଛି। ଶ୍ରମିକ ଦିବସ ଓ ଶିଶୁ ଦିବସ ଭଳି ସେପ୍ଟେମ୍ବର ୧କୁ ସରକାରୀ ଭାବେ ‘ଡ୍ରାଇଭର ଦିବସ’ ରୂପେ ଘୋଷଣା କରିବା ସହ ଡ୍ରାଇଭରମାନଙ୍କୁ ଉଚିତ୍ ସମ୍ମାନ, ଦୁର୍ଘଟଣା ବା ମୃତ୍ୟୁ ପରବର୍ତ୍ତୀ ବିମା ସୁବିଧା ଏବଂ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଥୁଆମୂଳ ରାମପୁର ଭଳି ଦୁର୍ଗମ ଆଦିବାସୀ ବହୁଳ ଅଞ୍ଚଳରେ ନେଟୱାର୍କ ଓ ଯୋଗାଯୋଗର ସମସ୍ୟା ଯୋଗୁ ଅନେକ ଡ୍ରାଇଭର ସଂଘ ସହ ଯୋଡ଼ି ହୋଇପାରୁନଥିବାରୁ ସେମାନଙ୍କୁ ସଂଗଠିତ କରିବା ଏବଂ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ସୁଧାର ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଡ୍ରାଇଭର ଭାଇଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Dharitri – Odisha’s No.1 Odia Daily

