Posted inUncategorized

ପୁଣି ପଦ୍ମିନୀ

ଓଡ଼ିଶାର ଚେସ୍‌ ସମ୍ରାଜ୍ଞୀ ପଦ୍ମିନୀ ରାଉତ ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ଅହମଦାବାଦରେ ନିକଟରେ ଶେଷ ହୋଇଥିବା ଜାତୀୟ ମହିଳା ଚେସ୍‌ରେ ସେ ଟାଇଟଲ ବିଜୟିନୀ ହୋଇଛନ୍ତି। ଫଳରେ କିଛି ବର୍ଷର ନୀରବତା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ଚେସ୍‌ କୁଇନ।

ଓଡ଼ିଶାର ଚେସ୍‌ ସମ୍ରାଜ୍ଞୀ ପଦ୍ମିନୀ ରାଉତ ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ଅହମଦାବାଦରେ ନିକଟରେ ଶେଷ ହୋଇଥିବା ଜାତୀୟ ମହିଳା ଚେସ୍‌ରେ ସେ ଟାଇଟଲ ବିଜୟିନୀ ହୋଇଛନ୍ତି। ଫଳରେ କିଛି ବର୍ଷର ନୀରବତା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ଭାରତୀୟ ଚେସ୍‌ କୁଇନ। ପଦ୍ମିନୀଙ୍କ ପାଇଁ ଜାତୀୟ ଟାଇଟଲ ଯଦିଓ ନୂଆ କଥା ନୁହେଁ, ତେବେ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେବା ପାଇଁ ଏହା ମନୋବଳ ବଢ଼ାଇଛି। ସମ୍ମାନଜନକ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) ଓ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ଜିତି ସାରିଥିବା ପଦ୍ମିନୀ ଓଡ଼ିଶାର ପ୍ରଥମ ମହିଳା ଖେଳାଳିଭାବେ ଗ୍ରାଣ୍ଡମାଷ୍ଟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଲକ୍ଷ୍ୟ ଦିଗରେ ଗୋଟିଏ ପାଦ ଅଗ୍ରସର ହୋଇସାରିଛନ୍ତି ଏହି ଦକ୍ଷ ଚେସ୍‌ ତାରକା। ଅର୍ଥାତ୍‌ ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ ସେ ହାସଲକରି ସାରିଛନ୍ତି। ଆଉ ୨ଟି ନର୍ମ ଏବଂ ମ୍ୟାଜିକ ସଂଖ୍ୟା ୨୫୦୦ ଏଲୋ ରେଟିଂ ପୂରଣ ହୋଇଗଲେ ସେ ହୋଇପାରିବେ ଓଡ଼ିଶାର ତୃତୀୟ ଗ୍ରାଣ୍ଡମାଷ୍ଟର। ପୂର୍ବରୁ ଦେବାଶିଷ ଦାସ ଓ ସ୍ବୟମ୍ସ ମିଶ୍ର ଏହି ଟାଇଟଲ ଜିତିବାର ଗୌରବ ବହନ କରୁଛନ୍ତି। ଏବେ ପଦ୍ମିନୀଙ୍କର ରେଟିଂ ପଏଣ୍ଟ ୨୩୫୩ ରହିଛି। ଲକ୍ଷ୍ୟ କଷ୍ଟସାଧ୍ୟ ଥିଲେ ମଧ୍ୟ ପୂର୍ବରୁ ଅନେକ ଅସମ୍ଭବକୁ ସମ୍ଭବ କରି ସାରିଥିବା ପଦ୍ମିନୀ ଏଥିରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ଓଡ଼ିଶାର ଚେସ୍‌ ପଣ୍ଡିତମାନେ ଆଶା ରଖିଛନ୍ତି।
ଅହମଦାବାଦରେ ବିଜୟ ସହ ପଦ୍ମିନୀ କ୍ୟାରିୟରରେ ୫ମ ଥର ପାଇଁ ଜାତୀୟ ମହିଳା ଚେସ୍‌ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ସେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କ୍ରମାଗତ ୪ ବର୍ଷ ପ୍ରିମିୟର ଜାତୀୟ ମହିଳା ଚେସ୍‌ ଚାମ୍ପିୟନ ହୋଇଥିଲେ। କରୋନା ମହାମାରୀ ପାଇଁ ଲକ୍ଷ୍ୟ ପଥରେ ତାଙ୍କର ଅଗ୍ରଗତି ଯଦିଓ ମନ୍ଥର ହୋଇଛି ତେବେ ୨୦୨୩ ଜାତୀୟ ମହିଳା ଚେସ୍‌ ଟାଇଟଲ ଜିତି ସେ ପୁଣି ଟ୍ରାକ୍‌କୁ ଫେରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଗତବର୍ଷ ଜୁଲାଇ-ଅଗଷ୍ଟରେ ତାମିଲନାଡ଼ୁର ମହାବଳୀପୁରମ୍‌ରେ ଅନୁଷ୍ଠିତ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ୨୦୨୧ରେ ରୁଷିଆର ସୋଚିରେ ଅନୁଷ୍ଠିତ ପ୍ରଥମ ମହିଳା ଫିଡେ ବିଶ୍ୱକପ୍‌ରେ ଅଂଶଗ୍ରହଣ, ୨୦୨୦ ଅକ୍ଟୋବରରେ ଆୟୋଜିତ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ, ଫେବୃୟାରୀରେ ଅହମଦାବାଦରେ ଅନୁଷ୍ଠିତ ଜାତୀୟ ମହିଳା ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଦଳଗତ ସ୍ବର୍ଣ୍ଣ ଏବଂ ବ୍ୟକ୍ତିଗତ ରୌପ୍ୟ (ବୋର୍ଡ-୨), ୨୦୧୯ ଏପ୍ରିଲରେ ସିଡ୍‌ନୀରେ ଆୟୋଜିତ ଅନ୍ତର୍ଜାତୀୟ ଓପନ ଚେସ୍‌ ଟୁର୍ନାମେଣ୍ଟରେ ରନରଅପ୍‌, ୨୦୧୮ ଡିସେମ୍ବରରେ ଅନୁଷ୍ଠିତ ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ର ମହିଳା ବିଭାଗରେ ସ୍ବର୍ଣ୍ଣପଦକ, ଜୁଲାଇ-ଅଗଷ୍ଟରେ ଇରାନରେ ଆୟୋଜିତ ଏସିଆନ ନେସନ୍ସ କପ୍‌ ଚେସ୍‌ର ଦଳଗତ ବିଭାଗରେ ୩ ପଦକ (ବ୍ଲିଜ୍‌ରେ ସ୍ବର୍ଣ୍ଣ, ର଼୍ୟାପିଡ୍‌ରେ ରୌପ୍ୟ, କ୍ଲାସିକାଲ୍‌ରେ ବ୍ରୋଞ୍ଜ୍‌) ଏବଂ ୨ଟି ବ୍ୟକ୍ତିଗତ ପଦକ (ରୌପ୍ୟ ଓ ବ୍ରୋଞ୍ଜ୍‌) ଆଦି ଗତ ୫ ବର୍ଷ ମଧ୍ୟରେ ତାଙ୍କ ସଫଳତାର ଆଉ ଏକ ଏକ ଇସ୍ତାହାର। ୨୦୧୦ରେ ମହିଳା ଗ୍ରାଣ୍ଡମାଷ୍ଟର ଏବଂ ୨୦୧୫ରେ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ ହାସଲକରି ସାରିଥିବା ପଦ୍ମିନୀ କେବେ ନିଜର ଲକ୍ଷ୍ୟ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରୁଛନ୍ତି ତା’ ଉପରେ ଚେସ୍‌ପ୍ରେମୀଙ୍କ ନଜର ରହିଛି।

ବିଜୟରୁ ଆରମ୍ଭ ଓ ଶେଷ
ଅହମଦାବାଦରେ ଅନୁଷ୍ଠିତ ଜାତୀୟ ମହିଳା ଚେସ୍‌ରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ(ପିଏସ୍‌ପିବି) ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ପଦ୍ମିନୀ। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ବିଜୟରୁ ସେ ଅଭିଯାନ ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ତେଲଙ୍ଗାନାର ବି. କୀର୍ତ୍ତିକା। ଏହାପରେ ଜମ୍ମୁ-କଶ୍ମୀରର ମହିଳା କ୍ୟାଣ୍ଡିଡେଟ୍‌ ମାଷ୍ଟର ଆରୁଷୀ କୋଟ୍‌ଓ୍ବାଲ ଓ ତେଲଙ୍ଗାନାର ପୋଟଲୁରି ସାୟେ ଶ୍ରୀଜାଙ୍କୁ ହରାଇ ବିଜୟରେ ହ୍ୟାଟ୍ରିକ୍‌ କରିଥିବା ପଦ୍ମିନୀ ୪ର୍ଥ ରାଉଣ୍ଡରେ ଆନ୍ଧ୍ର ପ୍ରଦେଶର ମହିଳା ଅନ୍ତର୍ଜାତୀୟ ମାଷ୍ଟର ବୋମ୍ମିନି ମୋନିକା ଅକ୍ଷୟାଙ୍କଠାରୁ ହାରିଯାଇଥିଲେ। ଏହା ହିଁ ଥିଲା ପ୍ରତିଯୋଗିତାରେ ତାଙ୍କର ଏକମାତ୍ର ପରାଜୟ। ୫ମ ରାଉଣ୍ଡରେ ଉତ୍ତରାଖଣ୍ଡର ଶେରାଲି ପଟ୍ଟନାୟକଙ୍କୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଏହି ଚେସ୍‌ ତାରକା ୬ଷ୍ଠ ରାଉଣ୍ଡରେ ପଶ୍ଚିମବଙ୍ଗର ମୃତ୍ତିକା ମଲିକଙ୍କ ସହ ମ୍ୟାଚ ଡ୍ର ରଖିଥିଲେ। ଏହାପରେ ୭ମ ରାଉଣ୍ଡରେ ଆନ୍ଧ୍ର ପ୍ରଦେଶର ମହିଳା ଫିଡେ ମାଷ୍ଟର କୋଟେପାଲ୍ଲି ସାଇ ନିରୁପମା ଓ ୮ମ ରାଉଣ୍ଡରେ ତାମିଲନାଡ଼ୁର ମହିଳା ଗ୍ରାଣ୍ଡମାଷ୍ଟର ଭି. ବର୍ଷିନୀଙ୍କୁ ହରାଇବା ପରେ ୯ମ ରାଉଣ୍ଡରେ ଗୋଆର ଅନ୍ତର୍ଜାତୀୟ ମାଷ୍ଟର ଭକ୍ତି କୁଲକର୍ନୀଙ୍କ ସହ ପଏଣ୍ଟ ଭାଗ କରିଥିଲେ। ୧୦ମ ରାଉଣ୍ଡରେ ମହାରାଷ୍ଟ୍ରର ମହିଳା ଅନ୍ତର୍ଜାତୀୟ ମାଷ୍ଟର ମୃଦୁଲ ଦେହଙ୍କରଙ୍କୁ ହରାଇବାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ୧୧ ତଥା ଅନ୍ତିମ ରାଉଣ୍ଡରେ ଉଚ୍ଚ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ମହାରାଷ୍ଟ୍ରର ମହିଳା ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖଙ୍କୁ ହରାଇ ସେ ଚାମ୍ପିୟନ ହୋଇଥିଲେ। ପଦ୍ମିନୀ ୯ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ତାଙ୍କ ପିଏସ୍‌ପିବି ସାଥୀ ମହିଳା ଗ୍ରାଣ୍ଡମାଷ୍ଟର ମାରୀ ଆନ୍‌ ଗୋମ୍ସ ଓ ପଶ୍ଚିମବଙ୍ଗର ମହିଳା ଅନ୍ତର୍ଜାତୀୟ ମାଷ୍ଟର ଅର୍ପିତା ମୁଖାର୍ଜୀ ୮.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ଭାଗ ନେଇଥିବା ଓଡ଼ିଶାର ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ୭.୫, ୟଶିତା ରାଉତ ୭, ମହିଳା ଅନ୍ତର୍ଜାତୀୟ ମାଷ୍ଟର ସାଇନା ସାଲୋନିକା ୪.୫ ଓ କ୍ୟାଣ୍ଡିଡେଟ ମାଷ୍ଟର ଅପରାଜିତ ଗୋଚ୍ଛିକାର ୪.୫ ପଏଣ୍ଟ ସହ ପ୍ରତିଯୋଗିତା ଶେଷ କରିଥିଲେ।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?