ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମାନବକୃତ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ‘ଏଲ୍ ନିନୋ’ର ମିଳିତ ପ୍ରଭାବ ଯୋଗୁ ସମୁଦ୍ରର ଜଳ ଏବେ ଉତ୍ତପ୍ତ ହେବାରେ ଲାଗିଛି। ଫଳରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୧.୧ ଡିଗ୍ରୀ ସେଲ୍ସିୟସ (୭୦ ଡିଗ୍ରୀ ଫାରେନହାଇଟ) ଛୁଇଁଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ତେବେ ଏହି ସଙ୍କଟ କେବଳ ସାମୁଦ୍ରିକ ଜୀବ ନୁହନ୍ତି, ବରଂ ମାନବ ସମାଜ ପାଇଁ ମଧ୍ୟ ଏକ ବଡ଼ ବିପଦର ସଙ୍କେତ।
ସାଧାରଣତଃ ଦକ୍ଷିଣ ଗୋଲାର୍ଦ୍ଧରେ ସମୁଦ୍ର ଅଧିକ ଥିବାରୁ ମାର୍ଚ୍ଚ କିମ୍ବା ଏପ୍ରିଲରେ ସମୁଦ୍ର ଜଳ ସବୁଠାରୁ ଅଧିକ ଗରମ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ବୈଜ୍ଞାନିକମାନଙ୍କୁ ଚିନ୍ତିତ କରିଛି। ‘ଏଲ୍ ନିନୋ’ର ପ୍ରଭାବ ଆସନ୍ତା ନଭେମ୍ବରରୁ ଜାନୁଆରୀ ମଧ୍ୟରେ ସର୍ବାଧିକ ହେବାକୁ ଥିବାରୁ ସମୁଦ୍ର ଆଗକୁ ଆହୁରି ଉତ୍ତପ୍ତ ହେବ ବୋଲି ଆଶଙ୍କା କରାଯାଉଛି। କୋଇଲା, ତେଲ ଏବଂ ଗ୍ୟାସ୍ର ଅତ୍ୟଧିକ ବ୍ୟବହାର ଯୋଗୁ ବିଶ୍ୱର ଜଳଭାଗ ଆଗ ଅପେକ୍ଷା ୦.୮ ଡିଗ୍ରୀ ସେଲ୍ସିୟସ ଅଧିକ ଗରମ ରହୁଛି। ସମୁଦ୍ର ଜଳ ଉତ୍ତପ୍ତ ହେଲେ ସେଥିରେ ଅମ୍ଳଜାନର ମାତ୍ରା କମିଯାଏ ଏବଂ ଏହା ଅଧିକ ଅମ୍ଳୀୟ ହୋଇଯାଏ। ଏହାଦ୍ୱାରା ପୃଥିବୀର ସବୁଠାରୁ ବଡ଼ ମାଛଧରା କ୍ଷେତ୍ର ଭାବେ ଜଣାଶୁଣା ପେରୁଭିଆନ ଆଞ୍ଚୋଭି ଭଳି ମାଛବଂଶ ସମ୍ପୂର୍ଣ୍ଣ ଧ୍ୱଂସ ଅଭିମୁଖେ ଗତି କରୁଛି। ଛୋଟ ମାଛ ନଷ୍ଟହେବା ଦ୍ୱାରା ସେମାନଙ୍କୁ ଖାଉଥିବା ବଡ଼ ମାଛ, ସାମୁଦ୍ରିକ ପକ୍ଷୀ ଏବଂ ମଣିଷ ସମସ୍ତେ ପ୍ରଭାବିତ ହେଉଛନ୍ତି। ସମୁଦ୍ରର ଅଳଙ୍କାର କୁହାଯାଉଥିବା ରଙ୍ଗବେରଙ୍ଗର ‘କୋରାଲ ରିଫ୍’ ବା ପ୍ରବାଳ ସାମୁଦ୍ରିକ ଜୀବଙ୍କ ବାସସ୍ଥାନ । ୧୯୯୦ ମସିହା ତୁଳନାରେ ଏବେ ମାତ୍ର ୫ ଭାଗରୁ ଭାଗେ କୋରାଲ ଜୀବିତ ଅଛନ୍ତି, ଯାହା ସାମୁଦ୍ରିକ ଜୈବ ବିବିଧତାକୁ ଉଜାଡ଼ିଦେଉଛି। ଅପରପକ୍ଷେ ଉତ୍ତପ୍ତ ପାଣି ଅନୁକୂଳ ହେଉଥିବାରୁ ସମୁଦ୍ରରେ ବିଷାକ୍ତ ଜେଲିଫିସ୍ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହା ପରିବେଶର ସନ୍ତୁଳନ ବିଗାଡୁଛି।
ସମୁଦ୍ର ହେଉଛି ଆମ ପୃଥିବୀର ତାପମାତ୍ରା ନିୟନ୍ତ୍ରକ। ଏହା ଉତ୍ତପ୍ତ ହେଲେ ସମୁଦ୍ରରୁ ଅଧିକ ବାଷ୍ପୀକରଣ ହୁଏ। ଫଳରେ ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସହ ବିନାଶକାରୀ ରୂପ ନେଉଛନ୍ତି। ସମୁଦ୍ର ଉତ୍ତପ୍ତ ରହିଲେ ସାମୁଦ୍ରିକ ପବନ ଶୀତଳତା ଆଣିପାରେ ନାହିଁ। ଫଳରେ ଗ୍ରୀଷ୍ମ ପ୍ରବାହ ସମୟରେ ରାତିରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୁଏ। ତେବେ ମାଛ ଉତ୍ପାଦନ କମିବା ଦ୍ୱାରା ସମୁଦ୍ର ଉପରେ ନିର୍ଭର କରୁଥିବା ବହୁ କୋଟି ମତ୍ସ୍ୟଜୀବୀ ଜୀବିକା ହରାଇବେ ଏବଂ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଦେବ
ଜଳବାୟୁ ବିଜ୍ଞାନୀ ଜେନ୍ ଲୁବଚେଙ୍କୋଙ୍କ ଭାଷାରେ, ‘ଉତ୍ତପ୍ତ ସମୁଦ୍ର ଆମର ବନ୍ଧୁ ନୁହେଁ।’ ସମୁଦ୍ରର ଏହି ଚେତାବନୀ ସ୍ପଷ୍ଟ କରୁଛି ଯେ ପ୍ରକୃତିର ନିୟମରେ ଏବେ କୌଣସି ‘ସାଧାରଣ ସ୍ଥିତି’ ବାକି ନାହିଁ। ଯଦି ଆମେ ଏବେଠାରୁ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ଏବଂ ଗଛଲତା ବଢ଼ାଇବା ପାଇଁ ବିଶ୍ୱ ସ୍ତରରେ ଦୃଢ଼ ପଦକ୍ଷେପ ନ ନେବା, ତେବେ ସମୁଦ୍ରର ଏହି ଅବସ୍ଥା ଦିନେ ସମଗ୍ର ମାନବ ସଭ୍ୟତାକୁ ଗ୍ରାସ କରିବ।

