ହେ ଈଶ୍ୱର! ତୁମେ କେଉଁ ଧର୍ମର

ସଂସାରରେ ଯଦି କେବେ ବି ଈଶ୍ୱରଙ୍କର ଆବିର୍ଭାବ ଘଟନ୍ତା, ତେବେ ବହୁଳ ଭାବେ ତାଙ୍କୁ ଯେଉଁ ପ୍ରମୁଖ ପ୍ରଶ୍ନଟି ପଚରାଯାଆନ୍ତା, ତାହା ବୋଧହୁଏ ହୁଅନ୍ତା ଏଇ ନିବନ୍ଧର ଶୀର୍ଷକ ଭଳି। ଅବଶ୍ୟ ଏବେ ଯେମିତି ରୁଷିଆଠୁ ୟୁକ୍ରେନ୍‌ ଯାଏ, ପୁଣି ଇରାନଠାରୁ ଇସ୍ରାଏଲ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ତାଙ୍କ ନଁା ନେଇ ଅଗଣିତ ମଣିଷଙ୍କ ମୁଣ୍ଡ ଗଡ଼ୁଛି, ସେଠି ଈଶ୍ୱର ଧରାପୃଷ୍ଠରେ ଆବିର୍ଭୂତ ହେବା ପାଇଁ ନିରାପଦ ମଣିବେ ନାହିଁ। ବିଶେଷତଃ ଏବେ ସମଗ୍ର ବିଶ୍ୱକୁ ଚିନ୍ତାଗ୍ରସ୍ତ କରିଦେଇଥିବା ଇରାନ-ଇସ୍ରାଏଲ ଯୁଦ୍ଧ ପ୍ରେକ୍ଷାପଟରେ ଈଶ୍ୱରଙ୍କୁ କେନ୍ଦ୍ରିତ କରି ଦୁଇ ଭିନ୍ନ ବିଚାରପନ୍ଥୀଙ୍କ ମଧ୍ୟରେ ରକ୍ତମୁଖା ସଂଘର୍ଷ ସମଗ୍ର ମାନବ ଜାତିକୁ ସଂକଟ ମୁହଁକୁ ଟାଣିଆଣିଛି।
କିଏ ସେଇ ଈଶ୍ୱର, ଯାହାଙ୍କୁ ନେଇ ଏଇ ଭୀଷଣ ସମର। ଏତେ ଅବାରିତ ନରସଂହାର! ସେ ଅଛନ୍ତି ତ? ଯଦି ଅଛନ୍ତି, ତେବେ ତାଙ୍କ ନାମରେ ଚାଲିଥିବା ଧର୍ମାନ୍ଧତାର ଭୟଙ୍କର ପରିଣାମ ସେ କ’ଣ ପ୍ରତ୍ୟକ୍ଷ କରିପାରୁ ନାହାନ୍ତି? କେମିତି ସେ ଈଶ୍ୱର? ସେ ଦେଖିବାକୁ କିପରି?
ପ୍ରକୃତରେ ଜ୍ଞାନୀ ବିଜ୍ଞାନୀମାନଙ୍କ ବୌଦ୍ଧିକ ଚେତନାରେ ଚମକ ସୃଷ୍ଟି କରିଆସୁଥିବା ବଡ଼ ରହସ୍ୟମୟ ୟେ ପ୍ରଶ୍ନ- ‘ଈଶ୍ୱର ଦେଖିବାକୁ କିପରି?’ଏମିତି ଏକ ରହସ୍ୟ, ଯାହାକୁ ଭେଦ କରିବାକୁ ଯାଇ ଶହ ଶହ ତ୍ୟାଗୀ ତପସ୍ବୀମାନଙ୍କ ସାଧନା ନିଷ୍ଫଳ ପ୍ରମାଣିତ ହୋଇଛି। ଈଶ୍ୱର କ’ଣ ଜାଣିବା ପାଇଁ ଚିରସନ୍ଧାନୀ ବିଜ୍ଞାନୀମାନେ ଗବେଷଣାର ସିଦ୍ଧାନ୍ତରେ ପହଞ୍ଚତ୍ ପାରିନାହାନ୍ତି। ଭିନ୍ନ ଭିନ୍ନ ଧର୍ମଗ୍ରନ୍ଥକୁ ନେଇ ଭିନ୍ନ ଭିନ୍ନ ବିଚାର। କେଉଁଠି ଈଶ୍ୱର ତ ଅନ୍ୟ କେଉଁଠି ଆଲ୍ଲା ଓ ଗଡ୍‌!
ହିନ୍ଦୁମାନଙ୍କ ଈଶ୍ୱରଙ୍କ ନାମ ‘ଭଗବାନ୍‌’ ହୋଇଥିଲାବେଳେ ମୁସଲ୍‌ମାନଙ୍କ ପାଇଁ ସେ ଆଲ୍ଲା ଓ ଖ୍ରୀଷ୍ଟମାନଙ୍କ ପାଇଁ ଗଡ୍‌ ବା ଅବଶିଷ୍ଟ ଧର୍ମ ସମୁଦାୟରେ ସେ ଭିନ୍ନ ଭିନ୍ନ ନାମରେ ନାମିତ। ଏସବୁ ଦେଖି ମନରେ ପ୍ରଶ୍ନ ଉଠେ ବହୁବିଧ ଧାର୍ମିକ ମତବାଦ ଓ ଧର୍ମାବଲମ୍ବୀ ନିିର୍ବିଶେଷରେ କେବଳ ‘ମଣିଷ’ କୁହାଯାଉଥିବା ସେଇ ଚେତନଶୀଳ ପ୍ରାଣୀଟିର ଈଶ୍ୱରଙ୍କ ନାମ କ’ଣ! ଶ୍ରେଷ୍ଠ ମଣିଷର ଶବ୍ଦକୋଷରେ ଏଯାଏଁ ବି ଧର୍ମବିଯୁକ୍ତ ଈଶ୍ୱରଙ୍କ ଠିକ୍‌ ନାମଟିଏ ଉପଲବ୍ଧ ହୋଇ ନାହିଁ। ତେବେ କ’ଣ ଧର୍ମବିଯୁକ୍ତ ଈଶ୍ୱର ଓ ଈଶ୍ୱରବିହୀନ ଧର୍ମ ଏକ ଅସମ୍ଭବ ପରିକଳ୍ପନା? କୌଣସି ଧର୍ମରେ ବିଶ୍ୱାସ ନ ଥିବା ନିରୋଳା ମଣିଷଟି ପାଇଁ ଈଶ୍ୱର କ’ଣ ବାସହୀନ? ସେଥିପାଇଁ ବୋଧହୁଏ ସ୍ବାମୀ ବିବେକାନନ୍ଦ ଧର୍ମକୁ ମଣିଷଠୁଁ ବଡ଼ ବିଚାରୁଥିବା ଧର୍ମ ବଡ଼ପଣ୍ଡାମାନଙ୍କୁ ସଫା ସଫା ଶୁଣାଇ ଦେଇଥିଲେ- ”ଯେଉଁ ଧର୍ମ ଈଶ୍ୱରକୈନ୍ଦ୍ରିକ, ସେଇ ଧର୍ମ ଉପରେ ମୋର ଆସ୍ଥା ନାହିଁ। ଯେଉଁ ଧର୍ମ ଅନାଥ ଶିଶୁ ତୁଣ୍ଡରେ ରୁଟି ଖଣ୍ଡିଏ ଦେଇପାରେନା, ଯେଉଁ ଧର୍ମ ଅସହାୟ ବିଧବା ଆଖିରୁ ଲୁହ ପୋଛିପାରେନା, ସେ ଧର୍ମରେ ମୋର ବିଶ୍ୱାସ ନାହିଁ।“ ସ୍ବାମିଜୀଙ୍କ ଭାଷାରେ ଈଶ୍ୱରଙ୍କୁ ନେଇ ମଣିଷର ଧର୍ମ ନୁହେଁ। ‘ମଣିଷ ଧର୍ମ’ ହିଁ ମଣିଷ ସମାଜର ସର୍ବଶ୍ରେଷ୍ଠ ଓ ସର୍ବଶେଷ ଧର୍ମ!
ଅଥଚ ଏଠି ଧର୍ମ ନାମରେ ଓ ସେଇ ଦୃଷ୍ଟିଠୁ ଈଶ୍ୱରଙ୍କ ନାମରେ ମଣିଷ ଅତି ନିର୍ମମ ଭାବରେ ବୋମା ପକାଇ ଶହ ଶହ ଲୋକଙ୍କୁ ହତ୍ୟା କରୁଛି। ନରସଂହାରର ଏଇ ଚିତ୍ରପଟ ଏତେ ଭୟଙ୍କର ଯେ ନିର୍ବିକାରରେ ଏହାକୁ ସଂଘଟିତ କରୁଥିବା ଶକ୍ତିକୁ ମଣିଷ ବୋଲି ଚିହ୍ନିବାକୁ କଷ୍ଟ ହେଉଛି। ଗାଜାଠୁ ଜେରୁଜେଲମ୍‌ଯାଏ, ପୁଣି ଇରାନରୁ ଲେବାନନଯାଏ ନିତିଦିନ ଧ୍ୱଂସର ତାଣ୍ଡବଲୀଳା ମୂଳରେ ରାଜନୈତିକ ଦର୍ଶନର ବୈଷମ୍ୟ ନୁହେଁ କି ଭୌଗୋଳିକ ସୀମାରେଖାର ବିଭ୍ରାନ୍ତି ନୁହେଁ, ଯେଉଁଟା ପରସ୍ପର ମଧ୍ୟରେ ବିଦ୍ୱେଷକୁ ଅଧିକ ତୀବ୍ରତର ଓ ଉତ୍କଟ କରୁଛି, ତାହା ହେଉଛି ଧର୍ମ। ଚରମ ଧର୍ମାନ୍ଧତାରେ ଆକ୍ରାନ୍ତ ରାଷ୍ଟ୍ରପାଳକ ବା ସେମାନଙ୍କ ପ୍ରତିପୋଷକମାନେ ଯେଉଁ ଧର୍ମ ଦର୍ଶନରେ ଅଭିମନ୍ତ୍ରିତ, ତାହାର ନିର୍ଦ୍ଦେଶ ହେଉଛି- ‘ତୁମ ଈଶ୍ୱର ଓ ଧର୍ମରେ ବିଶ୍ୱାସ ରଖୁ ନ ଥିବା ଶତ୍ରୁଙ୍କୁ ନିପାତ କରିବା ହିଁ ତୁମର ପରମ ଧର୍ମ!’
ଈଶ୍ୱର ଏକ ଓ ଅଭିନ୍ନ ବୋଲି ବିଶ୍ୱାସ କରୁ ନ ଥିବା ଲୋକମାନେ ହିଁ କେବଳ ଏହିଭଳି ଏକ ମାନବତାବିରୋଧୀ ବିନାଶକ ଦର୍ଶନର ପ୍ରବକ୍ତା ହୋଇପାରନ୍ତି। ଈଶ୍ୱର ଏକ ନ ହୁଅନ୍ତୁ। ଭିନ୍ନ ଭିନ୍ନ ଧର୍ମ ପାଇଁ ସେ ଭିନ୍ନ ଭିନ୍ନ ହୁଅନ୍ତୁ। ମନା ନାହିଁ। ମାତ୍ର ଅନେକ ଈଶ୍ୱର କ’ଣ ଗୋଟିଏ ଭୂଖଣ୍ଡରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିପାରିବେ ନାହିଁ! କୌଣସି ଭୂଖଣ୍ଡର ଭୌଗୋଳିକ ସୀମାରେଖା ମଧ୍ୟରେ ସୀମିତ ନ ଥିବା ଈଶ୍ୱର ଓ ତାଙ୍କୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଧର୍ମକୁ ନେଇ ଏ ସଂସାରଟା ଶ୍ମଶାନ ହୋଇପାରେ କେମିତି? ଏ ପ୍ରଶ୍ନର ଉତ୍ତର ମଧ୍ୟରେ ବନ୍ଧାପଡ଼ିଛି ହମାସ୍‌, ହେଜ୍‌ବୋଲ୍ଲା ଭଳି ସଂଗଠନର ଦୃଷ୍ଟି ଓ ଦର୍ଶନ ତଥା ଇସ୍ରାଏଲ, ଇରାନ ବା ଲେବାନନ ଭଳି ରାଷ୍ଟ୍ରର ରାଷ୍ଟ୍ରନୀତି। ପୁଣି ଏହା ମଧ୍ୟରେ ଶୋଇ ରହିଛି ଗତ କେଇ ଦଶନ୍ଧି ଧରି ଆଦୌ ଥମୁ ନ ଥିବା କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନର ପାରସ୍ପରିକ ସମ୍ପର୍କ।
ଗଭୀର ନିଶାର୍ଦ୍ଧରେ ଭୂପୃଷ୍ଠରେ ଅବତୀର୍ଣ୍ଣ ହୋଇ ତାଙ୍କ ସୃଷ୍ଟି ସର୍ଜନାର ତଦାରଖ କରୁଥିବା ଈଶ୍ୱର ଦିନେ ଭେଟିଲେ ପଥରରେ ମୂର୍ତ୍ତି ଗଢ଼ୁଥିବା ଜଣେ କାରିଗରକୁ। ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତିର ଅପରୂପ ସୌନ୍ଦର୍ଯ୍ୟ ଅବଲୋକନ କରି ତାଙ୍କ ପାଦ ଦିଓଟି ଆଉ ଆଗକୁ ବଢ଼ିପାରିଲା ନାହିଁ। କାରିଗରକୁ ସାବାସି ଦେଇ ସେ କହିଲେ, ”ମୋ ପିତୁଳାମାନଙ୍କଠୁ ତୁମ ପିତୁଳାଗୁଡ଼ିକ ଆହୁରି ସୁନ୍ଦର।“ ଚିତ୍ରକର ହସିଲା ଓ କହିଲା, ”ମୋ ନିର୍ଜୀବ ପିତୁଳାସବୁ ତୁମ ଜୀବନ୍ତ ପିତୁଳାଙ୍କ ସହ କି ସରିହେବେ ହେ ମହାପ୍ରଭୁ। ଦେଖୁନାହାନ୍ତି, ମୋ ପିତୁଳାମାନେ କେମିତି ନୀରବରେ ବସିଚନ୍ତି। କାହା ସହିତ କାହାରି ସମ୍ପର୍କ ନାହିଁ।“ ଈଶ୍ୱର ବି ହସିଲେ ଓ ଦୀର୍ଘଶ୍ୱାସ ଛାଡ଼ି କହିଲେ, ”କି ସମ୍ପର୍କ! ସ୍ନେହ ସୌହାର୍ଦ୍ଦ୍ୟର ସମ୍ପର୍କ ନା ଘୃଣା ସଙ୍ଘର୍ଷର ସମ୍ପର୍କ! ଦେଖୁନ, ମୋ ପିତୁଳାଗୁଡ଼ିକ କେମିତି ମୋତେ ନେଇ ଅହରହ ଲଢ଼େଇରେ ମାତିଛନ୍ତି। କେତେ ଅସୁନ୍ଦର ଦିଶୁଛି ସେମାନଙ୍କ ମୁହଁ। ତୁମ ମୂର୍ତ୍ତିଗୁଡ଼ିକ କେମିତି ମିଳିମିଶି ରହିଛନ୍ତି। ସେଥିପାଇଁ ତ ସେମାନେ ଏତେ ସୁନ୍ଦର।“ ଈଶ୍ୱର ଫେରିଗଲେ ତାଙ୍କ ବାଟରେ। ସେ ଭାରି ଚିନ୍ତିତ ଓ ଅସହାୟ ଦିଶୁଥିଲେ।
ଅସହାୟ ଈଶ୍ୱରଙ୍କ ଅସନ୍ତୋଷକୁ ନେଇ ଏ କଥାଟି କଥକର କାହାଣୀ ହୋଇପାରେ। ମାତ୍ର ଆଦୌ କାହାଣୀ ନୁହେଁ ଇତିହାସର ଏଇ ରୋଚକ କଥାଟି। ହିଟ୍‌ଲରଙ୍କ ନାଜି ବାହିନୀ ଯେତେବେଳେ ନିର୍ବିକାରରେ ଇହୁଦୀମାନଙ୍କୁ ହତ୍ୟା କରି ଚାଲିଥିଲେ ସେଇ ସମୟର ଘଟଣା। ଜଣେ ଅସହାୟ ଗୃହସ୍ବାମୀ ତାଙ୍କ ପତ୍ନୀ ଓ କୁନି କୁନି ପିଲା ଦିଓଟିକୁ ବହୁଦିନ ଧରି ଲୁଚାଇ ରଖିଲେ ନିଜ ଘରେ ନିଜକୁ ବନ୍ଦୀ କରି। ମାତ୍ର ଯେତେବେଳେ ଗଚ୍ଛିତ ଖାଦ୍ୟସବୁ ଶେଷ ହୋଇଗଲା ନିଜ କ୍ଷୁଧାତୁର ପିଲାଙ୍କୁ ଦେଖି ସେ ଆଉ ସହିପାରିଲେ ନାହିଁ। ଖାଦ୍ୟ ସନ୍ଧାନରେ ବାହାରିଗଲେ ଯେ ବାଟରେ ନାଜିସୈନ୍ୟଙ୍କ ହାତରେ ଧରାପଡ଼ି ବଧ ହେଲେ। ପରେ ପରେ ନାଜି ବାହିନୀ ତାଙ୍କ ଘର ଉପରେ ଚଢ଼ାଉ କରି ମାଆ ଓ ଦୁଇ ପିଲାଙ୍କୁ ହତ୍ୟା କଲେ। ହିଟ୍‌ଲରଙ୍କ ପତନ ପରେ ଯେତେବେଳେ ଋଷୀୟ ସୈନ୍ୟମାନେ ଜର୍ମାନର ଘରକୁ ଘର ବୁଲି ଖାନତଲାସ କରୁଥିଲେ, ସେତେବେଳେ ସେଇ ଘରର କାନ୍ଥରେ ଲେଖାଥିବା ପ୍ରାର୍ଥନାଟିଏ ଦେଖିଲେ। ଆଠବର୍ଷର ପିଲାଟି ତା’ ଭାଷାରେ ଯାହା ଲେଖିଥିଲା, ଆମ ଭାଷାରେ ତାହାର ଭାବାର୍ଥ ହେବ ଏହିପରି- ”ହେ ଈଶ୍ୱର! ତୁମେ କେଉଁ ଧର୍ମର? ତୁମ ସନ୍ତାନ ଭାବେ ମୁଁ ତ ସେଇ ଧର୍ମର। ତେବେ କାହିଁକି, ଆମେ ଏଠାରେ ଭୋକଶୋଷରେ ବନ୍ଦୀ ଜୀବନ ବିତାଉଛୁ? ଆମକୁ ଉଦ୍ଧାର କରିବା ପାଇଁ ମୁଁ ତୁମକୁ ପ୍ରାର୍ଥନା କରୁନାହିଁ। ମଣିଷସୃଷ୍ଟ ଈଶ୍ୱରଙ୍କୁ ନେଇ ହିଂସାରେ ମାତିବା ପରିବର୍ତ୍ତେ ଈଶ୍ୱରସୃଷ୍ଟ ମଣିଷର ମଙ୍ଗଳ ପାଇଁ ଶକ୍ତି ଦେବାକୁ ମୁଁ ତମକୁ ପ୍ରାର୍ଥନା କରୁଛି।“
ଟିକି ପିଲାଟିର ପ୍ରାର୍ଥନା ଈଶ୍ୱର ଶୁଣିଲେ। ହିଟ୍‌ଲରଙ୍କ ପତନ ହେଲା। ମାତ୍ର ତାହା ଦେଖିବାକୁ ପିଲାଟି ବଞ୍ଚତ୍ ନ ଥିଲା। ଆଶା କରିବା, ସାମ୍ପ୍ରତିକ ଧର୍ମାନ୍ଧତାର ବି ପତନ ଘଟିବ। ଦିନା ନା ଦିନେ, ତେଣିକି ତାହା ଦେଖିବାକୁ ଆମେ ଥାଇ ନ ପାରୁ!
ପ୍ରଜ୍ଞାନିଳୟ
ବିଦ୍ୟାପତି ନଗର, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri