୩ୟ ଶ୍ରେଣୀରୁ ଡ୍ରପ୍‌ଆଉଟ୍‌ ସଂଖ୍ୟା ବଢୁଛି

ଯାଜପୁର,୧୦ା୧୦(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାରେ ଛାତ୍ରୀଛାତ୍ରଙ୍କୁ ସ୍କୁଲରେ ରଖିବାରେ ସେତେଟା ସଫଳ ହୋଇ ନ ଥିବା ପ୍ରତୀୟମାନ ହୋଇଛି। ପ୍ରତିବର୍ଷ ୩ୟରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଡ୍ରପ୍‌ଆଉଟ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେଶନ ସିଷ୍ଟମ୍‌ ଫର୍‌ ଏଜୁକେଶନ (ୟୁଡିଆଇଏସ୍‌ଇ) ପ୍ଲସ ରିପୋର୍ଟ ଅନୁଯାୟୀ ୨୦୨୧-୨୨ରେ ୨ୟ ଶ୍ରେଣୀରେ ନାମ ଲେଖାଇଥିବା ୩୧,୮୩୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦୨୨-୨୩ରେ ୦.୬୩% ଅର୍ଥାତ ୨୦୨ ଜଣ ୩ୟ ଶ୍ରେଣୀରେ ଡ୍ରପ୍‌ଆଉଟ୍‌ ରହିଛନ୍ତି। ଏହିକ୍ରମରେ ୧୦ମ ଶ୍ରେଣୀ ପରେ ସର୍ବାଧିକ ୨୩.୩୨ ପ୍ରତିଶତ ଅର୍ଥାତ ୬୫୭୯ ଛାତ୍ରୀଛାତ୍ର ଡ୍ରପ୍‌ଆଉଟ୍‌ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୧୦ମ ଶ୍ରେଣୀରେ ୨୮,୨୦୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦୨୨-୨୩ରେ ଯୁକ୍ତ୨ ପ୍ରଥମ ବର୍ଷ ଅର୍ଥାତ୍‌ ଏକାଦଶ ଶ୍ରେଣୀରେ ୨୧,୬୨୫ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ୩ୟ ଶ୍ରେଣୀରୁ ଡ୍ରପ୍‌ଆଉଟ୍‌ ଆରମ୍ଭ ହେବାପରେ ପିଲାମାନେ ପରିବାରର ରୋଜଗାର ପନ୍ଥାରେ ନିୟୋଜିତ ହୋଇଯାଉଛନ୍ତି। ଅନେକେ ଦେଶୀ ମଦଦୋକାନ, ଚାଷକାର୍ଯ୍ୟ, ହୋଟେଲ, ଗ୍ୟାରେଜ ଇତ୍ୟାଦି ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କେଉଁ କାରଣରୁ ଏହି ଛାତ୍ରୀଛାତ୍ରମାନେ ଡ୍ରପ୍‌ଆଉଟ୍‌ ରହିଛନ୍ତି ତାହାର କାରଣଗୁଡ଼ିକ ଖୋଜି ବାହାର କରି ପ୍ରତିକାର ବ୍ୟବସ୍ଥା କରା ନ ଗଲେ ପିଲାମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପରିସରକୁ ଆଣିବା ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ମତପ୍ରକାଶ ପାଇଛି।
ୟୁଡିଆଇଏସ୍‌ଇ ପ୍ଲସ ରିପୋର୍ଟ ଅନୁଯାୟୀ, ୧୦ମ ଶ୍ରେଣୀ ପରେ ଜିଲାର ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକରେ ସର୍ବାଧିକ ୧୫୬୩ ପିଲା ଡ୍ରପ୍‌ଆଉଟ୍‌ ହୋଇଛନ୍ତି। ଏହାପରେ ଧର୍ମଶାଳାରେ ୧୧୯୭, ଖଣି ଅଞ୍ଚଳ ସୁକିନ୍ଦାରେ ୮୬୫ ପିଲା ପରବର୍ତ୍ତୀ ଶିକ୍ଷା ପ୍ରତି ଆଗ୍ରହ ଦେଖାଇ ନାହାନ୍ତି। ଅନ୍ୟପକ୍ଷେ ଜିଲାର ୧୦ ବ୍ଲକରେ ୩ୟ ଶ୍ରେଣୀ ପରେ ୫୬୭, ୪ର୍ଥ ଶ୍ରେଣୀ ପରେ ୪୪୩, ୫ମ ଶ୍ରେଣୀ ପରେ ୭୭୨, ୬ଷ୍ଠ ଶ୍ରେଣୀ ପରେ ୭୧୫, ୭ମ ଶ୍ରେଣୀ ପରେ ୯୯୧, ୮ମ ଶ୍ରେଣୀ ପରେ ୧୩୭୧, ୯ମ ଶ୍ରେଣୀ ପରେ ୨୨୦୭ ଛାତ୍ରୀଛାତ୍ର ଡ୍ରପ୍‌ଆଉଟ୍‌ ହୋଇଛନ୍ତି। ଏହି ପରିସଂଖ୍ୟାନ ରିପୋର୍ଟରେ ଦର୍ଶାଯାଇଥିବାବେଳେ ବାସ୍ତବରେ ଏହାର ବହୁଗୁଣ ଅଧିକ ପିଲା ନାମ ଲେଖାଇଥିଲେ ସୁଦ୍ଧା ସ୍କୁଲକୁ ନ ଯାଇ ବିଭିନ୍ନ ସ୍ଥାନରେ ଶିଶୁଶ୍ରମିକ ଭାବେ ନିୟୋଜିତ ଥିବା ଦେଖିବାକୁ ମିଳୁଛି। ଦାରିଦ୍ର୍ୟ ଏବଂ ପିଲାଙ୍କ ପାଠପଢା ପ୍ରତି ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଆଗ୍ରହ ଜନ୍ମାଇବା ଦିଗରେ ସମଗ୍ର ଶିକ୍ଷାର ବିଫଳତା ଡ୍ରପ୍‌ଆଉଟ୍‌ର ପ୍ରମୁଖ କାରଣ ବୋଲି କୁହାଯାଉଛି। ସେହିପରି ଗ୍ରାମାଞ୍ଚଳ ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ, ବିଭିନ୍ନ ସରକାରୀ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜନ, ଜଣେ ମାତ୍ର ଶିକ୍ଷକ ଥିବା ସ୍କୁଲ ବାରମ୍ବାର ବନ୍ଦ ରହିବା, ସ୍କୁଲକୁ ଉପଯୁକ୍ତ ଗମନାଗମନ ଅଭାବ ମଧ୍ୟ ଡ୍ରପ୍‌ଆଉଟ୍‌ର ଅନ୍ୟ କାରଣ ହୋଇପାରେ।
ଜିଲାର ୨୪୯ ହାଇସ୍କୁଲର ରୂପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍‌ ଦ୍ୱିତୀୟ ପର୍ଯ୍ୟାୟରେ ୯୭ଟି ହାଇସ୍କୁଲରେ ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି। ତଥାପି ହାଇସ୍କୁଲଗୁଡ଼ିକରେ ଡ୍ରପ୍‌ଆଉଟ୍‌ ହେବା ଶିକ୍ଷା ବିଭାଗର ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ମତପ୍ରକାଶ ପାଇଛି। ଏହାବାଦ ଫେକ୍‌ ଏନରୋଲମେଣ୍ଟ ବା ଛାତ୍ରୀଛାତ୍ର ନ ଥାଇ କେବଳ କାଗଜପତ୍ରରେ ସେମାନଙ୍କ ନାମ ଲେଖାଇ ମଧ୍ୟାହ୍ନ ଭୋଜନ ସାମଗ୍ରୀ ହଡ଼ପ ପାଇଁ ଏଭଳି କରାଯାଉଥିବା କେତେଜଣ ସନ୍ଦେହ କରୁଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି ବ୍ଲକ ଶିକ୍ଷାଧିକାରୀମାନଙ୍କୁ ୟୁଡିଆଇଏସ୍‌ଇ ପ୍ଲସ ରିପୋର୍ଟକୁ ଗୁରୁତ୍ୱ ଦେବାକୁ କହିବା ସହ ପୋର୍ଟାଲରେ ଯେପରି ନକଲି ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦାଖଲ ନ ଥିବ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଡ୍ରପ୍‌ଆଉଟ୍‌ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି।