ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିର ସ୍ଥିତି

ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ପରେ ଆମେ ଏକ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) ଏବଂ ଏକ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଆଶା କରିପାରିବା କି? ସରକାର କେଉଁ ଗୋଟିକୁ ବିଶ୍ୱାସକୁ ନେବେ ତା’ଉପରେ ଏହାର ଉତ୍ତର ନିର୍ଭରକରେ। ଆସନ୍ତୁ, ପ୍ରକୃତ ଘଟଣାକ୍ରମ ଉପରେ ନଜର ପକାଇବା। ଶାହିନ ବାଗ ପ୍ରତିବାଦ ଆରମ୍ଭ ହେବା ପରେ ୨୨ ଡିସେମ୍ବର ୨୦୧୯ରେ ଦିଲ୍ଲୀରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ, ”ମୁଁ ଭାରତର ୧୩୦ କୋଟି ଲୋକଙ୍କୁ କହିବାକୁ ଚାହେଁ ଯେ ୨୦୧୪ରେ ମୋ ସରକାର କ୍ଷମତାକୁ ଆସିବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଏନ୍‌ଆର୍‌ସି ଉପରେ କୌଣସି ଆଲୋଚନା ହୋଇନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଆମକୁ କେବଳ ଆସାମରେ ଏହା ଲାଗୁକରିବାକୁ ପଡ଼ିଲା।“ ତାଙ୍କର ଏଭଳି ଦାବି କିଛିଦିନ ପୂର୍ବେ ସ୍ବରାଷ୍ଟ୍ରମନ୍ତ୍ରୀ ଦେଇଥିବା ବିବୃତି ବିରୋଧରେ ଯାଇଥିଲା। ଡିସେମ୍ବର ୧୦ରେ ଶାହା ସଂସଦରେ କହିଥିଲେ, ଏହି ଦେଶରେ ନିଶ୍ଚିତ ଭାବରେ ଏକ ଏନ୍‌ଆର୍‌ସି ଲାଗୁହେବ। ୩ ଡିସେମ୍ବରରେ ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ସମାବେଶରେ ସେ ୨୦୨୪ରେ ଏନ୍‌ଆର୍‌ସିର କାର୍ଯ୍ୟ ଶେଷ କରିବାର ଏକ ସମୟସୀମା ସ୍ଥିର କରି କହିଥିଲେ, ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ବହିଷ୍କାର କରାଯିବ। ଏହାସହ ୨୦୧୯ ନିର୍ବାଚନୀ ଇସ୍ତାହାରରେ ମୋଦି ଏନ୍‌ଆର୍‌ସି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇସ୍ତାହାରରେ ଲେଖାଥିଲା, ବେଆଇନ ଅନୁପ୍ରବେଶ ହେତୁ କେତେକ ଅଞ୍ଚଳର ସାଂସ୍କୃତିକ ତଥା ଭାଷା ପରିଚୟରେ ଏକ ବଡ଼ ପରିବର୍ତ୍ତନ ଆସିଛି, ଯାହା ସ୍ଥାନୀୟ ଲୋକଙ୍କ ଜୀବିକା ଓ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ପ୍ରାଥମିକତା ଭିତ୍ତିରେ ଆମେ ଏହି କ୍ଷେତ୍ରରେ ନାଗରିକ ରେଜିଷ୍ଟର ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବୁ ଓ ଭବିଷ୍ୟତରେ ଦେଶର ଅନ୍ୟ ଭାଗରେ ପର୍ଯ୍ୟାୟକ୍ରମେ ଏନ୍‌ଆର୍‌ସି କାର୍ଯ୍ୟକାରୀ କରିବୁ। ତେବେ ବାଂଲାଦେଶ କିମ୍ବା ପାକିସ୍ତାନ ସହ ଭାରତର କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିରେ ପ୍ରମାଣପତ୍ର ନ ଥିବା ପ୍ରବାସୀଙ୍କୁ ଚିହ୍ନଟ କଲେ ସେମାନଙ୍କୁ ଅଟକ ରଖିବା ବ୍ୟତୀତ ଅନ୍ୟ ଦେଶକୁ ପଠାଇବାର କିଛି ବାଟ ନାହିଁ। ଆସାମରେ ଏମିତି ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ମୋଦିଙ୍କ ଭାଷଣର ୨ ଦିନ ପରେ କେନ୍ଦ୍ର ସରକାର ଏନ୍‌ଆର୍‌ସି ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ। ୨୦୨୧ ଜନଗଣନା ପାଇଁ ୮,୭୫୪ କୋଟି ଟଙ୍କା ଏବଂ ଏନ୍‌ପିଆର୍‌ ନବୀକରଣ ପାଇଁ ୩,୯୪୧ କୋଟି ଟଙ୍କା କ୍ୟାବିନେଟ ଅନୁମୋଦନ କରିଥିଲା।
ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‌ପିଆର୍‌ ଉପରେ ସରକାର କହିଥିଲେ, ”ଅଣ-ନାଗରିକଙ୍କ ସମେତ ‘ଯେକେହି’ ଏନ୍‌ପିଆର୍‌ରେ ଗଣାଯିବେ। ଏଥିପାଇଁ କୌଣସି ପ୍ରମାଣ, କୌଣସି ଦଲିଲ, ବାୟୋମେଟ୍ରିକର ଆବଶ୍ୟକ ନାହିଁ, କାରଣ ଆମେ (ସରକାର) ଜନସାଧାରଣଙ୍କୁ ବିଶ୍ୱାସ କରୁଛୁ। ଏନ୍‌ପିଆର୍‌ କାର୍ଯ୍ୟ ଏପ୍ରିଲ ୨୦୨୦ରେ ଆରମ୍ଭ ହେବ ଏବଂ ସେପ୍ଟେମ୍ବରରେ ଶେଷ ହେବ (କୋଭିଡ୍‌ ଯୋଗୁ ବନ୍ଦ ହେଲା)।“ ସରକାର ଜୋର୍‌ ଦେଇ କହିଥିଲେ, ଏନ୍‌ଆର୍‌ସି ପାଇଁ ଏନ୍‌ପିଆର୍‌ ବ୍ୟବହାର ହେବ ନାହିଁ। ଶାହା କହିଥିଲେ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସି ପ୍ରକ୍ରିୟା ମଧ୍ୟରେ କୌଣସି ସମ୍ପର୍କ ନାହିଁ କିମ୍ବା ସେମାନେ ପରସ୍ପରର ସର୍ଭେକୁ ବ୍ୟବହାର କରିପାରିବେ ନାହଁି। ଏପରିକି ସମସ୍ତଙ୍କୁ ବିଶେଷ ଭାବରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଥିଲେ ଯେ, ଏନ୍‌ଆର୍‌ସି ପାଇଁ ଏନ୍‌ପିଆର୍‌ ୍‌ବ୍ୟବହୃତ ହେବ ନାହିଁ ଓ ଏହା ଏକ ଗୁଜବ। କିନ୍ତୁ ଏହା ଗୁଜବ ନ ଥିଲା। ଖୁବ୍‌ ଶୀଘ୍ର ତଥ୍ୟ ପଦାକୁ ଆସିଲା। ଏନ୍‌ପିଆର୍‌ରେ ୨୨ଟି ବିଷୟରେ ତଥ୍ୟ ସଂଗ୍ରହ ହୋଇଥାଏ। ମୋଦି ସରକାର ସେଥିରେ ଆଉ ୮ଟି ପଏଣ୍ଟ ନୂଆକରି ଯୋଗ କରିଥିଲେ, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଆଧାର, ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ ନମ୍ବର, ଭୋଟର ପରିଚୟ ପତ୍ର, ମାତୃଭାଷା ଏବଂ ସେମାନଙ୍କ ପିତାମାତାଙ୍କ ଜନ୍ମ ତାରିଖ ଓ ସ୍ଥାନ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ଏହି ୮ଟି ପଏଣ୍ଟ ୨୦୦୩ ନାଗରିକତ୍ୱ ଆଇନରେ ନ ଥିଲା। ଆଇନ ଏବଂ ଉପନିୟମ ଉପରେ ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିଥିଲା ଯେ, ଏନ୍‌ପିଆର୍‌ର କେବଳ ଏନ୍‌ଆର୍‌ସି ସହ ସମ୍ପର୍କିତ ନୁହେଁ, ବରଂ ଏହା ଏନ୍‌ଆର୍‌ସିର ମୂଳଦୁଆ। ସ୍ଥାନୀୟ ଅଧିକାରୀମାନେ ‘ସନ୍ଦିଗ୍ଧ ନାଗରିକ’ ଚିହ୍ନଟ କରିବାକୁ ଏନ୍‌ପିଆର୍‌ ତାଲିକା ଯାଞ୍ଚକରି ନିଷ୍ପତ୍ତି ନେବେ। ଏହି ବ୍ୟକ୍ତିମାନଙ୍କୁ ତା’ପରେ ଏକାଠି ସେମାନଙ୍କର ନାଗରିକତା ପ୍ରମାଣ କରିବାକୁ ପଡ଼ିବ। ଥରେ ତାଲିକା ପ୍ରସ୍ତୁତ ହୋଇ ପ୍ରକାଶ ପାଇଲେ ଯେକେହି ଜଣେ ବ୍ୟକ୍ତିଙ୍କୁ କିମ୍ବା ଗୋଟିଏ ପରିବାରକୁ ‘ସନ୍ଦିଗ୍ଧ’ ବୋଲି କହିପାରନ୍ତି କିମ୍ବା ତାଙ୍କ ବିରୋଧରେ ଅଭିଯୋଗ ଆଣିପାରନ୍ତି। ୨୪ ଡିସେମ୍ବର ୨୦୧୯ରେ ପ୍ରକାଶ ପାଇଥିଲା ଯେ, ଏନ୍‌ପିଆର୍‌ ହେଉଛି ଏନ୍‌ଆର୍‌ସିର ଆଧାର। ନାଗରିକତ୍ୱ ଆଇନର ଧାରା ୧୪-ଏ ଭାରତର ପ୍ରତ୍ୟେକ ନାଗରିକଙ୍କୁ ବାଧ୍ୟତାମୂଳକ ଭାବେ ପଞ୍ଜୀକରଣ କରିବା, ପରିଚୟପତ୍ର ଦେବା ଏବଂ ନାଗରିକଙ୍କର ଜାତୀୟ ପଞ୍ଜୀକରଣ ବଜାୟ ରଖିବାକୁ ସରକାରଙ୍କୁ କ୍ଷମତା ଦେଇଛି। ତେବେ ନାଗରିକ ପଞ୍ଜୀକରଣ ଏନ୍‌ଆର୍‌ପି ତଥ୍ୟରୁ ସୃଷ୍ଟି ହେବ। ଯେକେହି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୨୦୧୮-୧୯ ବାର୍ଷିକ ରିପୋର୍ଟ ଖୋଜିଲେ ଏହା ଜାଣିପାରିବେ। ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ, ଭାରତୀୟ ନାଗରିକଙ୍କ ଜାତୀୟ ପଞ୍ଜୀକରଣ ପ୍ରସ୍ତୁତି ଦିଗରେ ଏନ୍‌ପିଆର୍‌ ହେଉଛି ପ୍ରଥମ ପଦକ୍ଷେପ।
୮ ଜୁଲାଇ ୨୦୧୪ରେ ସେତେବେଳର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ଏନ୍‌ପିଆର୍‌ ସମ୍ପୂର୍ଣ୍ଣ କରାଯିବା ଉଚିତ ଓ ଏହାକୁ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଯାଏ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି, ଯାହାକି ଏନ୍‌ପିଆର୍‌ରେ ପ୍ରତ୍ୟେକ ସାଧାରଣର ନାଗରିକତ୍ୱର ସ୍ଥିତି ଯାଞ୍ଚ କରାଯାଇ ଭାରତୀୟ ନାଗରିକଙ୍କ ଏକ ଜାତୀୟ ପଞ୍ଜୀକରଣ ପ୍ରସ୍ତୁତ କରାଯିବ। ୨୬ ନଭେମ୍ବର ୨୦୧୪ରେ, ରିଜିଜୁ ରାଜ୍ୟ ସଭାରେ କହିଥିଲେ, ପ୍ରତ୍ୟେକ ସାଧାରଣ ବାସିନ୍ଦାଙ୍କ ନାଗରିକତ୍ୱ ସ୍ଥିତି ଯାଞ୍ଚ କରିବା ସହ ଭାରତୀୟ ନାଗରିକଙ୍କ ଜାତୀୟ ପଞ୍ଜୀକରଣ ସୃଷ୍ଟି ଦିଗରେ ଏନ୍‌ପିଆର୍‌ ହେଉଛି ପ୍ରଥମ ପଦକ୍ଷେପ। ସେ ମଧ୍ୟ ସଂସଦରେ ଏନ୍‌ପିଆର୍‌ ଓ ଏନ୍‌ଆର୍‌ସି ସମ୍ପର୍କକୁ ନେଇ ୧୫ ଜୁଲାଇ, ୨୨ ଜୁଲାଇ ଓ ୨୩ ଜୁଲାଇ ୨୦୧୪ ଏବଂ ୧୩ ମେ ୨୦୧୫ ଓ ୧୬ ନଭେମ୍ବର ୨୦୧୬ ରେ ସମାନ ପ୍ରକାର ବକ୍ତବ୍ୟ ରଖିଥିଲେ। ତେବେ ସିଏଏ ଆସିବା ପରେ ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିର ବାସ୍ତବ ସ୍ଥିତି କ’ଣ ରହିଛି ଆମେ ଜାଣିନାହୁଁ। କିନ୍ତୁ ସ୍ଥିତି ଚିନ୍ତାଜନକ, କାରଣ ଏହା ଏକ ଗମ୍ଭୀର ପ୍ରସଙ୍ଗ ଯାହା ଏବେ ବି ଅସ୍ପଷ୍ଟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri