ଭୁବନେଶ୍ୱର,୫ା୧୨(ବ୍ୟୁରୋ): ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଲେ’ ଆଉଟ ପ୍ଲାନ ଅନୁମୋଦନ ହୋଇ ନ ଥିବା ପ୍ଲଟ୍ର ସବ୍ପ୍ଲଟ୍(ଛୋଟ ଜମି)ଗୁଡ଼ିକରେ ଘର ନିର୍ମାଣକୁ ବେଆଇନ ଘୋଷଣା କରାଯାଇଛି। ତଦନୁଯାୟୀ ୨୦୧୭ ମେ’ ପରଠାରୁ ସବ୍ପ୍ଲଟ୍କୁ ପ୍ଲାନ ଅନୁମୋଦନ ଦିଆଯାଉନାହିଁ। ପର୍ଯ୍ୟାପ୍ତ ରାସ୍ତା ଅଭାବରୁ ସମସ୍ତ ଘରକୁ ପାନୀୟ ଜଳ, ସ୍ବେରେଜ, ଡ୍ରେନ୍, ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ସମସ୍ୟା ଦେଖାଦେଉଥିବାରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି କଟକଣା ଲଗାଯାଇଛି। ଏହି କଟକଣା ସହରାଞ୍ଚଳରେ ସବ୍ପ୍ଲଟ୍ରେ ଘର କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଣ୍ଟା ହୋଇଛି। ଭୁବନେଶ୍ୱର, କଟକ ଭଳି ସହରରେ ଛୋଟ ପ୍ଲଟ୍ ଖଣ୍ଡେ କିଣିଥିବା ଲୋକେ ପ୍ଲାନ ନ ପାଇ ହତାଶ ହେଉଛନ୍ତି। ଫଳରେ ଅନେକ ସବ୍ପ୍ଲଟ୍ରେ ବେଆଇନ ଘର ନିର୍ମାଣ ବଢ଼ିଚାଲିଛି। ସହରରେ ଯୋଜନାବଦ୍ଧ ଘର ନିର୍ମାଣ ହେବା ପରିବର୍ତ୍ତେ ଅବ୍ୟବସ୍ଥିତ ବେଆଇନ ଗୃହରେ ଭରିଯାଉଛି। ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ବଡ଼ ସମସ୍ୟାର କାରଣ ହେବ ବୋଲି ଆର୍କିଟେକ୍ଟମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ଚିନ୍ତାର ବିଷୟ ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ଜମି ମାଲିକମାନେ ବିନା ଦ୍ୱିଧାରେ ଲେ’ ଆଉଟ ପ୍ଲାନ ଅନୁମୋଦନ ନ କରି ଜମି ବିକ୍ରିି କରି ଚାଲିଛନ୍ତି। ନିର୍ଦ୍ଦେଶନାମା ସମ୍ପର୍କରେ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରା ନ ଯିବାରୁ ଲୋକମାନେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ଛୋଟ ପ୍ଲଟ କିଣି ଚାଲିଛନ୍ତି। ଏଭଳି ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗ ସହ କୌଣସି ଆଲୋଚନା କରାଯାଇ ନାହିଁ। କାରଣ ରାଜସ୍ବ ପାଇବା ଆଶାରେ ରାଜସ୍ବ ବିଭାଗ ଜମି କିଣାବିକା ଜାରି ରଖିଥିବା ବେଳେ ଖରିଦ କରୁଥିବା ଲୋକମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଜମି ପଞ୍ଜୀକରଣ ବେଳେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ସବ୍ରେଜିଷ୍ଟ୍ରାରମାନେ ଗୁରୁତ୍ୱ ନ ଦେଇ ରାଜସ୍ବ ପାଇବା ଲାଗି ଜମି କିଣାବିକାକୁ ଅନୁମତି ଦେଉଛନ୍ତି। ରାଜସ୍ବ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଭୁବନେଶ୍ୱରରେ ନଭେମ୍ବରରେ ୧୪୦୨ ଜମି କିଣାବିକା ହୋଇଛି। ସେଥିରୁ ପ୍ରାୟ ୬୦ ପ୍ରତିଶତ ସବ୍ପ୍ଲଟ୍୍ ପଞ୍ଜୀକରଣ ହୋଇଛି। ଭୁବନେଶ୍ୱର ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ମୃତ୍ୟୁଞ୍ଜୟ ତ୍ରିପାଠୀ କହିଛନ୍ତି, ଦିନକୁ ପ୍ରାୟ ୧୦/୧୨ ପ୍ଲଟ୍ ରେଜିଷ୍ଟ୍ରି ହେଉଛି। ସେଥିରୁ ପ୍ରାୟ ଅଧାଭାଗ ସବ୍ପ୍ଲଟ୍୍ ରହୁଛି। ନିୟମ ଅନୁଯାୟୀ ଜମି ରେଜିଷ୍ଟ୍ରି କରାଯାଉଛି।
ଗୋଟିଏ ପଟେ ସବ୍ପ୍ଲଟ୍୍ କିଣାବିକାରେ କୌଣସି ପ୍ରତିବନ୍ଧକ ନ ଥିବାବେଳେ ଅନ୍ୟ ପଟେ ନଗର ଉନ୍ନୟନ କର୍ତ୍ତୃପକ୍ଷମାନେ ସରକାରୀ ନିର୍ଦ୍ଦେଶନାମାକୁ ଆଳ କରି ପ୍ଲାନ ଅନୁମୋଦନ ଦେଉ ନ ଥିବାରୁ ବେଳକୁ ବେଳ ସମସ୍ୟା ଜଟିଳ ହେବାରେ ଲାଗିଛି। ଭୁବନେଶ୍ୱରରେ ଘର ନିର୍ମାଣ କରିବାକୁ ବିଡିଏରେ ଅନୁମୋଦନ ପାଇଁ ଆସିଥିବା ସର୍ବେଶ୍ୱର ସାହୁଙ୍କ କହିବା ଅନୁଯାୟୀ, ସବ୍ପ୍ଲଟ୍ ପ୍ଲାନ ଅନୁମୋଦନ ଉପରେ ସରକାର କଟକଣା ଲଗାଇଥିବା ସେ ପୂର୍ବରୁ ଜାଣି ନ ଥିଲେ। ଏବେ ତାଙ୍କ ସବ୍ପ୍ଲଟ୍୍ରେ ଘର ତିଆରି ପାଇଁ ପ୍ଲାନ ମିଳିପାରୁ ନ ଥିବାରୁ ବ୍ୟାଙ୍କ ଋଣ ମଧ୍ୟ ମିଳୁ ନାହିଁ। ସବ୍ପ୍ଲଟ୍ କଟକଣାକୁ ହଟାଇଲେ ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପ୍ରାୟ ୨ ଲକ୍ଷ ଘର ବେଆଇନ ଭାବେ ଗଢିଉଠିଛି। ଏ ସମ୍ପର୍କରେ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି, କମ୍ ଚଉଡା ରାସ୍ତା କିମ୍ବା ରାସ୍ତା ନ ଥାଇ ମନଇଚ୍ଛା ଘର ନିର୍ମାଣକୁ ରୋକିବା ସକାଶେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜମି କିଣିବା ପୂର୍ବରୁ ଲୋକମାନେ ପ୍ଲଟ୍ ସମ୍ପର୍କରେ ଭଲ ଭାବେ ଜାଣିବା ଦରକାର। ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ସମସ୍ତ ବିଷୟ ବୁଝି ଜମି କିଣିବା କଥା। ସରକାରୀ ସ୍ତରରେ ଏହା ଉପରେ ଯାହା ନିଷ୍ପତ୍ତି ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଜମି ଖରିଦ ବିକ୍ରି କରିବା ରାଜସ୍ବ ବିଭାଗର କାମ। ଯଦି କୌଣସି ବିଭାଗ କଟକଣା ଜାରି କରୁଛନ୍ତି ସେ ବିଷୟରେ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ଜନସାଧାରଣ ଅସୁବିଧାରେ ପଡ଼ନ୍ତେ ନାହିଁ। କଟକଣା ବିଷୟରେ ରାଜସ୍ବ ବିଭାଗକୁ ଅବଗତ କରା ନ ଯିବା ସମ୍ପର୍କରେ ଜାଣିବା ପାଇଁ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍ଙ୍କୁ ତାଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ଗ୍ରହଣ କରି ନ ଥିଲେ।
ଅନ୍ୟପକ୍ଷରେ ଘର କରିବା ପାଇଁ ପ୍ଲାନ ନେବା ମଧ୍ୟ ମହଙ୍ଗା ହୋଇଛି। ଫଳରେ ବେଆଇନ ନିର୍ମାଣ ବୃଦ୍ଧି ପାଇଚାଲିଛି। ଭୁବନେଶ୍ୱର ସହର ପରିସୀମା ଭିତରେ ଯଦି କୌଣସି ବ୍ୟକ୍ତି ଘର କରିବାକୁ ଚାହିଁବେ ତେବେ ତାଙ୍କୁ ୧ ହଜାର ବର୍ଗଫୁଟ ପ୍ଲାନ ଅନୁମୋଦନ ପାଇଁ ଅତିକମ୍ରେ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ଲାନ ଅନୁମୋଦନ ପୂର୍ବରୁ ପ୍ରତି ବର୍ଗଫୁଟକୁ ଶ୍ରମିକ ସେସ୍ ବାବଦରେ ୧୭ ଟଙ୍କା ୫୦ ପଇସା, ସାଙ୍କଶନ ଫି ବାବଦରେ ପ୍ରତି ବର୍ଗଫୁଟକୁ ୧ ଟଙ୍କା ୫୦, ସ୍କ୍ରୁଟିନ୍ ଫି ବାବଦକୁ ପ୍ରତି ବର୍ଗଫୁଟକୁ ୨ଟଙ୍କା ୬୦ ପଇସା ଏବଂ ୨୦୧୭ ପୂର୍ବରୁ ଯଦି ସବ୍ପ୍ଲଟ୍ ହୋଇଥିବ ତେବେ ଉକ୍ତ ପ୍ଲଟର ପ୍ରତି ବର୍ଗଫୁଟକୁ ବେଞ୍ଚମାର୍କ ମୂଲ୍ୟର ୧ ପ୍ରତିଶତ ହିସାବରେ ଜମା ଦେବାକୁ ହେବ। ଫଳରେ ଲୋକମାନେ ପ୍ଲାନ ନ ନେଇ ଘର ନିର୍ମାଣ କରୁଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ପୁରୀ, ରାଉରକେଲା ଭଳି ବଡ଼ ବଡ଼ ସହରରେ ବେଆଇନ ନିର୍ମାଣ ବହୁମାତ୍ରାରେ ବଢ଼ିଚାଲିଛି।
ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍ରେ ଗଣଧାରଣା
କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍ଏଚ୍-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…
ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି
ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…
ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ
କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…
ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ
ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…
ନୂଆଁଖାଇ ଲଗ୍ନ ଧାର୍ଯ୍ୟ
ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…
୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି
ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…
ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି
ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…
୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ
କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…
Archives

