ସାର୍‌ ମାଡାମ୍‌ ନୁହେଁ, ଟିଚର

ଭାରତର ଅନ୍ୟତମ ଆଗୁଆ ରାଜ୍ୟ କେରଳ। ଏଣିକି ସେଠାରେ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନେ ସେମାନଙ୍କର ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମାଡାମ୍‌ କିମ୍ବା ସାର୍‌ ବଦଳରେ କେବଳ ଟିଚର ସମ୍ବୋଧନ କରିବେ। କେରଳ ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ଏପରି ଏକ ମହତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଲିଙ୍ଗଗତ ନିରପେକ୍ଷତା ଦୃଷ୍ଟିରୁ ସ୍କୁଲରେ ଟିଚର ସମ୍ବୋଧନ ସପକ୍ଷରେ ଆୟୋଗ ପକ୍ଷରୁ ମତ ରଖାଯାଇଛି। ଏହା ଦ୍ୱାରା ପିଲାମାନଙ୍କ ମନରେ ଲିଙ୍ଗଗତ ଭେଦଭାବ ରହିବ ନାହିଁ। ଶିକ୍ଷକମାନଙ୍କୁ ମାଡାମ୍‌ ବା ସାର୍‌ ସମ୍ବୋଧନ କରିବା ଦ୍ୱାରା ପିଲାମାନଙ୍କ ମନରେ ପ୍ରଥମରୁ ସୃଷ୍ଟି ହେଉଥିବା ଲିଙ୍ଗଗତ ଭେଦଭାବକୁ ଦୂରକରିବା ପାଇଁ ଜଣେ ଆବେଦନକାରୀଙ୍କ ଦରଖାସ୍ତକୁ ବିଚାର କରି ଆୟୋଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପ୍ରଥମରୁ ପିଲାମାନେ ଯେତେବେଳେ ବିଦ୍ୟାଳୟରେ ଲିଙ୍ଗଗତ ସମାନତାକୁ ବୁଝିବେ, ବଡ଼ ହେଲାପରେ ସେମାନଙ୍କ ବ୍ୟବହାରରେ ତାହା ବି ପ୍ରତିଫଳିତ ହେବ।
ପ୍ରକାଶ ଯୋଗ୍ୟ ଯେ ଦୁଇବର୍ଷ ପୂର୍ବେ ଏହିଭଳି ଏକ ପଦକ୍ଷେପ ସେହି କେରଳର ଗୋଟିଏ ଗ୍ରାମପଞ୍ଚାୟତ ପକ୍ଷରୁ ନିଆଯାଇଥିଲା। ଉପରୋକ୍ତ ବିଦ୍ୟାଳୟଠାରୁ ୧୪ କିଲୋମିଟର ଦୂରରେ ଥିବା ମଥୁର ପଞ୍ଚାୟତ ପକ୍ଷରୁ ସମସ୍ତ ପଞ୍ଚାୟତବାସୀଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ସେମାନେ ପଞ୍ଚାୟତରେ କାର୍ଯ୍ୟରତ କର୍ମଚାରୀଙ୍କୁ ସାର୍‌ କିମ୍ବା ମାଡାମ୍‌ ଡାକିବା ବଦଳରେ ସେମାନଙ୍କ ପଦବୀ ଅନୁସାରେ ସମ୍ବୋଧନ କରନ୍ତୁ। ସେହିପରି ଗତବର୍ଷ କେରଳର ପାଲାକାଡ଼ ଜିଲା ଅନ୍ତର୍ଗତ ଓଲାସେରି ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ସାର୍‌ କିମ୍ବା ମାଡାମଡାକିବା ବଦଳରେ ଟିଚର ସମ୍ବୋଧନ କରିବାକୁ କୁହାଯାଇଥିଲା। ପ୍ରଥମେ ପ୍ରଥମେ ପିଲାମାନଙ୍କୁ ଏହା ଅସୁବିଧା ହୋଇଥିଲେ ହେଁ ପରେ ଏହା ସହଜ ହୋଇଯାଇଥିଲା। ସେହି ସ୍କୁଲରେ ୯ ଜଣ ମହିଳା ଶିକ୍ଷକ ଥିବା ବେଳେ ଜଣେମାତ୍ର ପୁରୁଷ ଶିକ୍ଷକ ଥିଲେ। ସେହି ପୁରୁଷ ଶିକ୍ଷକଙ୍କ ପ୍ରୟାସ କ୍ରମେ ପ୍ରଧାନ ଶିକ୍ଷକ ଏପରି ପଦକ୍ଷେପ ନେଇଥିଲେ। ସେହି ପୁରୁଷ ଶିକ୍ଷକ ନିକଟସ୍ଥ ଏକ ସ୍ବେଚ୍ଛାସେବୀ ସଂଗଠନ ବୋବାନ ମାଟୁମନ୍ଥାର ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସେହି ଅନୁଷ୍ଠାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସାର୍‌ ଓ ମାଡାମ୍‌ ସମ୍ବୋଧନକୁ ହଟାଇ ସେମାନଙ୍କ ପଦବୀ ଅନୁସାରେ ସମ୍ବୋଧନ କରିବାକୁ ଅଭିଯାନ ଚଳାଉଛିି। ଏହା ପକ୍ଷରୁ କେରଳ ସରକାରଙ୍କୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲିଙ୍ଗଗତ ପ୍ରଭେଦକୁ ଦୂରକରିବା ନିମନ୍ତେ ସାର୍‌ ବା ମାଡାମ୍‌ ପରିବର୍ତ୍ତେ ସେମାନଙ୍କ ପଦବୀରେ ସମ୍ବୋଧନ କରିବାକୁ ନିବେଦନ କରାଯାଇଛି।
କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଲୈଙ୍ଗିକ ଭେଦଭାବ ଦୂର ପାଇଁ ପ୍ରୟାସ ଜାରି ରହିଛି। ଫ୍ରାନ୍‌ସରେ କିଛି ସହରର ନାମକୁ ଚଳିତ ବର୍ଷ ସ୍ତ୍ରୀଲିଙ୍ଗକୁ ବଦଳା ଯାଇଛି। ଅର୍ଥାତ୍‌ ସହର ନାମ ଶେଷରେ ଆଉ ଏକ ଇଂଲିଶ ‘ଇ’ ଯୋଡ଼ା ଯାଇ ଏହାକୁ ସ୍ତ୍ରୀଲିଙ୍ଗ କରାଯାଇଛି। ଯେପରିକି ପାଣ୍ଟିନ ସହର ନାମରେ ଆଉ ଏକ ଇଂଲିଶ ‘ଇ’ ଯୋଡ଼ି ଏହାକୁ ପାଣ୍ଟିନି କରାଯାଇଛି ଓ ଦେଶବାସୀଙ୍କୁ ଲିଙ୍ଗଗତ ସମାନତା କ୍ଷେତ୍ରରେ ଏହା ସଚେତନ କରିବ ବୋଲି କୁହାଯାଉଛି।
ସାର୍‌ ଓ ମାଡାମ୍‌ ଏହି ଦୁଇଟି ଔପନିବେଶିକ ଶବ୍ଦ ଓ ଭାରତରେ ଏହା ଇଂରେଜ ଶାସନରୁ ପ୍ରଚଳିତ ହୋଇଆସୁଛି। ଲିଙ୍ଗଗତ ଆଧାରରେ ଏହା ସମ୍ମାନର ସହ ଉଚ୍ଚାରଣ ଓ ସମ୍ବୋଧନ କରାଯାଏ। କେରଳରେ ବିଦ୍ୟାଳୟଗୁଡିକରେ ଏହାକୁ ଉଠାଇଦେବା ପରେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ବି ଲାଗୁକରାଯିବା ପାଇଁ ପ୍ରୟାସ ଜାରି ରହିବ ବୋଲି ବୋବାନ ମାଟୁମନ୍ଥା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି।
ଲିଙ୍ଗଗତ ପ୍ରଭେଦ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବରେ ଏହା ଅଳ୍ପ ବହୁତ ବିଦ୍ୟମାନ। ବର୍ଷ ବର୍ଷ ଧରି ପୁରୁଷମାନଙ୍କୁ ମହିଳାମାନଙ୍କଠାରୁ ଆଗରେ ରଖାଯାଇଛି। ସେଥିପାଇଁ ସମାଜକୁ ପୁରୁଷ ପ୍ରଧାନ ବୋଲି ଅନେକ ସମୟରେ ସମାଲୋଚନା କରାଯାଇଥାଏ। ଏପରିକି ଅନେକ ରାଷ୍ଟ୍ରରେ ମହିଳାମାନଙ୍କୁ ବହୁ ବିଳମ୍ବରେ ଭୋଟଦାନର ଅଧିକାର ମିଳିଥିଲା। ଶିକ୍ଷା, ନିଯୁକ୍ତିରେ ସେମାନଙ୍କୁ ପାତରଅନ୍ତର କରାଯାଉଥିଲା। ସଭ୍ୟତାର ବିକାଶ ସହ ସମାଜରେ ଅନେକ ପରିବର୍ତ୍ତନ ଆସୁଛି। ସେମାନଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସେମାନଙ୍କୁ ପୁରୁଷ ସହ ସମାନ ଦୃଷ୍ଟିରେ ଦେଖାଯାଉଛି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବ କ୍ରମଶଃ ହ୍ରାସ ପାଉଛି। ନାରୀ ସ୍ବାଧୀନତା ଓ ସେମାନଙ୍କ ବିକାଶ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଏକ ଉଦାହରଣ। ସ୍ବାଧୀନତା ହାସଲ ପରେ ଦୁଇଜଣ ମହିଳା ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ନିଶ୍ଚିତ ଗୌରବର ବିଷୟ। ଶିକ୍ଷା, ରୋଜଗାର, ନିଯୁକ୍ତି, ସୁରକ୍ଷା, ଗବେଷଣା, ରାଜନୀତି ଓ କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ଭାରତୀୟ ନାରୀଙ୍କୁ ମିଳୁଛି ଅଭୂତପୂର୍ବ ସୁଯୋଗ ଓ ସଫଳତା। ପ୍ରତ୍ୟେକ କ୍ଷେତ୍ରରେ ନାରୀ ଓ ପୁରୁଷଙ୍କୁ ମିଳୁଛି ସମାନାଧିକାର। ଭାରତୀୟ ନାରୀଙ୍କୁ ମିଳୁଛି ପୁନର୍ବିବାହ ଅଧିକାର, ଛାଡ଼ପତ୍ର ଅଧିକାର, ପୈତୃକ ସମ୍ପତ୍ତିର ଅଧିକାର, ପୋଷ୍ୟପୁତ୍ର ଗ୍ରହଣର ଅଧିକାର। ଯୌତୁକ ପ୍ରଥା ଭଳି ସାମାଜିକ ବ୍ୟାଧି ଉଚ୍ଛେଦ ନାରୀଙ୍କୁ ପ୍ରଦାନ କରିଛି ସମ୍ମାନ ଓ ସ୍ବାଭିମାନ। ଭାରତୀୟ ମହିଳା ସଶକ୍ତୀକରଣ ନୀତିକୁ ସମଗ୍ର ବିଶ୍ବ କରୁଛି ଅନୁକରଣ।
ଅନ୍ତର୍ଜାତୀୟ ସଂସ୍ଥା ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ୩୪ଟି ଦେଶରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ୯୪ ଭାଗ ଲୋକ ଚାହାନ୍ତି ପୁରୁଷ ଭଳି ମହିଳାଙ୍କୁ ମଧ୍ୟ ସମସ୍ତ ଅଧିକାର ସମାନ ଭାବେ ମିଳୁ। କିନ୍ତୁ ବାସ୍ତବତା କିଛି ଭିନ୍ନ। ମୋଟା ଅଙ୍କଯୁକ୍ତ ଚାକିରି ପାଇବା କ୍ଷେତ୍ରରେ ଅଧିକାଂଶ ୟୁରୋପୀୟ ଦେଶ, ଜାପାନ, ଦକ୍ଷିଣ କୋରିଆ, ଇସ୍ରାଏଲ, କାନାଡା, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ମିଳୁଛି ଅଧିକ ସୁଯୋଗ। ସେହିଭଳି ରାଜନୀତି କ୍ଷେତ୍ରରେ ମଧ୍ୟ ଅନେକ ଦେଶରେ ଯେପରିକି ନାଇଜେରିଆ, ଦକ୍ଷିଣ କୋରିଆ, ଜାପାନ, ତୁର୍କୀ, ଇସ୍ରାଏଲ, ଲେବାନନ, ଇଟାଲୀ, ଟ୍ୟୁନିସିଆ, ଫ୍ରାନ୍ସ ଭଳି ଦେଶରେ ମହିଳାଙ୍କଠାରୁ ପୁରୁଷଙ୍କୁ ମିଳୁଛି ବେଶି ସୁଯୋଗ। ସର୍ବେକ୍ଷଣ କରାଯାଇଥିବା ଦେଶଗୁଡିକରୁ କିନ୍ତୁ ଗୋଟିଏ ଭଲ ଖବର ଜାଣିବାକୁ ମିଳିଥିଲା। ପରିବାରରେ ଉଭୟ ପତ୍ନୀ ଓ ପତି ଅର୍ଥ ଉପାର୍ଜନ କରିବା ଓ ମିଳିତ ଭାବେ ଘରର ଯତ୍ନ ନେବାକୁ ଅଧିକାଂଶ ସମର୍ଥନ କରିଥିଲେ। ମହିଳାମାନେ ଘରେ ରହି ପିଲାମାନଙ୍କର ଓ ଘରର ଯତ୍ନ ନେବା ସପକ୍ଷରେ ବହୁତ କମ୍‌ ମତ ମିଳିଥିଲା। ତେବେ ବର୍ଷ ବର୍ଷ ଧରି ରହିଆସିଥିବା ନାରୀ-ପୁରୁଷ ପ୍ରଭେଦର ଭାବନା ରାତାରାତି ଦୂର ହେବା ସହଜ ନୁହେଁ। ଲିଙ୍ଗଗତ ଭେଦଭାବ ସମ୍ପୂର୍ଣ୍ଣ ଦୂର ହେବାପାଇଁ ନିଶ୍ଚିତ ସମୟ ଲାଗିବ। ଏଥିପାଇଁ ବ୍ୟାପକ ଜନ ସଚେତନତା ସହ ସରକାରୀ କ୍ଷେତ୍ରରେ ଏହାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଜରୁରୀ।

  • ପ୍ରକାଶ ତ୍ରିପାଠୀ
    ମୋ-୯୪୩୭୨୩୨୪୬୩

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri