ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ କରି ନିଜର ପ୍ରଭାବ ଜାହିର କରି ରଖିଛି। ପାକିସ୍ତାନ ମଧ୍ୟସ୍ଥତାରେ ଶାନ୍ତି ଆଲୋଚନାରେ ଅଗ୍ରଗତି ନ ହେବାରୁ ଯୁଦ୍ଧ ସ୍ଥିତିରେ ବିରାମ ଆସିବାର ଲକ୍ଷଣ ଦେଖାଯାଉ ନାହିଁ। ଏଭଳି ପରିପ୍ରେକ୍ଷୀରେ ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମଧ୍ୟରେ ୭ ଅଗଷ୍ଟ ୨୦୨୬ରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। ତାହାର ନାମ ରଖାଯାଇଛି ‘ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି’। ମକ୍କାର ଅଲ୍-ସାଫା ପ୍ୟାଲେସରେ ଏକ ବୈଠକ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍, ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏବଂ ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ ଏର୍ଡୋଗାନ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏହା ତୈଳ ସମୃଦ୍ଧ ସାଉଦି ଆରବ, ଇସ୍ଲାମୀୟ ବିଶ୍ୱର ୫୭ ଦେଶ ମଧ୍ୟରୁ ଏକମାତ୍ର ଆଣବିକ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ପାକିସ୍ତାନ ଏବଂ ନାଟୋର ଦ୍ୱିତୀୟ ବୃହତ୍ତମ ସେନା ତଥା ପ୍ରତିରକ୍ଷା ଶିଳ୍ପରେ ଆଗୁସାର ଥିବା ତୁର୍କୀକୁ ଗୋଟେ ରଜ୍ଜୁରେ ବାନ୍ଧିପାରିଛି। ତେବେ ‘ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି’କୁ ଦେଖିଲେ ୩ ଦେଶ ମଧ୍ୟରୁ ଜଣଙ୍କ ଉପରେ ଆକ୍ରମଣ ମାନେ ସମସ୍ତଙ୍କ ଉପରେ ଆକ୍ରମଣ ଧରାଯିବ ବୋଲି କୁହାଯାଉଛି। ଏଥିରୁ ବୁଝିବାକୁ ହେବ ଯେ, ଆର୍ଥିକ ଓ ତୈଳଶକ୍ତି କ୍ଷେତ୍ର ଦୃଷ୍ଟିରୁ ବଳଶାଳୀ ସାଉଦି ଆରବ, ସାମରିକ ଅସ୍ତ୍ରଶସ୍ତ୍ରରେ ବଳୀୟାନ ତୁର୍କୀ ଓ ଯୁଦ୍ଧକୌଶଳରେ ନିପୁଣ ତଥା ପଦାତିକ ବାହିନୀକୁ ପରିଚାଳନା କରି ଲଢ଼େଇରେ ଦକ୍ଷ ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନ ଏକାଠି ହେବା ବିଶ୍ୱର ଅନ୍ୟ ରାଷ୍ଟ୍ରଙ୍କ ଦୃଷ୍ଟିକୁ ଆସିବା ସ୍ବାଭାବିକ। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୧୭ ସେପ୍ଟେମ୍ବର ୨୦୨୫ରେ ସାଉଦି ଆରବ ରାଜଧାନୀ ରିଆଦର ଅଲ୍-ୟାମାହା ପ୍ୟାଲେସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଓ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ମଧ୍ୟରେ ଷ୍ଟ୍ରାଟେଜିକ ମ୍ୟୁଚୁଆଲ ଡିଫେନ୍ସ ଏଗ୍ରିମେଣ୍ଟ ବା ରଣନୀତିକ ପାରସ୍ପରିକ ସୁରକ୍ଷା ବୁଝାମଣା ସ୍ବାକ୍ଷରିତ ହୋଇଥିଲା। ସେଥିରେ ମଧ୍ୟ ଦର୍ଶାଯାଇଥିଲା ଯେ, ଜଣଙ୍କ ଉପରେ ଆକ୍ରମଣ ହେଲେ ତାହାକୁ ଦୁଇ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ। ଯେଉଁ ଢଙ୍ଗରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ସେତେବେଳେ ଚୁକ୍ତି ହୋଇଥିଲା, ଏବେ ତୁର୍କୀ ସେହି ଶୈଳୀରେ ସେମାନଙ୍କ ସହ ମିଶିବା ଅର୍ଥ ଆଗକୁ ବଡ଼ ସାମରିକ ପରିମଣ୍ଡଳ ସୃଷ୍ଟି ଦିଗରେ ୩ ଦେଶ ପ୍ରତିଶ୍ରୁତିବଦ୍ଧ ଭଳି ଲାଗୁଛି। ଯଥେଷ୍ଟ ସମ୍ଭାବନା ରହିଛି ଯେ, ଅନ୍ୟ ସୁନ୍ନି ମୁସଲମାନ ଦେଶ ଏହି ମେଣ୍ଟରେ କ୍ରମଶଃ ଯୋଡ଼ି ହୋଇପାରନ୍ତି।
‘ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି’ ହେବା ପରେ ଭାରତ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଛି ଯେ, ତାହା ଉପରେ ନୂଆଦିଲ୍ଲୀ ତୀକ୍ଷ୍ଣ ନଜର ରଖିଛି। ଅବଶ୍ୟ ଏହା ଭାରତର ଏକ ଘଷରା କଥା। ଯେଉଁ ସ୍ଥିତି ଉପୁଜିଲେ ମଧ୍ୟ ଏତକ କହି ଭାରତ ସାମ୍ପ୍ରତିକ ରଣକୌଶଳଠାରୁ ଦୂରେଇ ଗଲା ଭଳି ମନେହେଉଛି। ସମ୍ଭବତଃ ସେଥିପାଇଁ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ନିଜର ଭୂମିକାକୁ ଗୌଣ କରିଦେଉଛି। ବିଶେଷକରି ଭୂମଧ୍ୟସାଗରରୁ ନେଇ ପାରସ୍ୟ ଉପସାଗର ଦେଇ ଆରବ ସାଗର ପର୍ଯ୍ୟନ୍ତ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପାଇଁ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି। ଭାରତ ଯେଉଁଭଳି ଭାବରେ ଇସ୍ରାଏଲ ଓ ଆମେରିକା ଚାପରେ ପଡ଼ି ଇରାନର ଦକ୍ଷିଣରେ ଥିବା ଚାବାହାର ବନ୍ଦର ନିର୍ମାଣ ଦାୟିତ୍ୱରୁ ରାତାରାତି ଓହରିଗଲା, ସେଥିପାଇଁ ଭାରତ ଏକ ନିର୍ଭରଅଯୋଗ୍ୟ ଦେଶ ଭାବେ ପରିଣତ ହୋଇଛି।
ଅନେକଙ୍କ ମନେଥିବ ଅପରେଶନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ପର୍ଯ୍ୟାପ୍ତ ଡ୍ରୋନ୍ ଯୋଗାଇ ଦେଇଥିଲା। ଆଗକୁ ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି ଭାରତ ପ୍ରତି ଅପ୍ରୀତିକର ସ୍ଥିତି ସୃଷ୍ଟି କରିପାରେ। ଭାରତର ଗୋଟେ ଖୋଇ ରହିଛି ଯେ, ପ୍ରତିକଥାରେ ପାକିସ୍ତାନକୁ ଦୋଷ ଦେବା। ଏବର ଶାସନ ବ୍ୟବସ୍ଥାରେ ଦେଶ ଭିତରେ ଧର୍ମ, ଜାତି, ଭୋଟ ବିଭାଜନକୁ ଗୁରୁତ୍ୱ ଦିଆଯାଉଥିବାରୁ ନୂଆଦିଲ୍ଲୀ ଦକ୍ଷିଣ ଏସିଆଠାରୁ ଆରମ୍ଭ କରି ଉତ୍ତର ଆମେରିକା ମହାଦେଶ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଦୃଶ୍ୟପଟରେ ନିଜର ଏକ ସ୍ଥାନ ସୃଷ୍ଟି କରିପାରୁ ନାହିଁ। ପାକିସ୍ତାନକୁ ଦରିଦ୍ର ଦେଶ, ଅନ୍ୟ ଆଗରେ ହାତ ପତାଉଛି ଆଦି ଆଖ୍ୟା ଦେଇ ଭାରତୀୟଙ୍କ ଭୋଟ ହାତେଇବା ଏଠାକାର ନେତାଙ୍କ ପାଇଁ ସହଜ ହୋଇଯାଇପାରେ। କିନ୍ତୁ ପୃଥିବୀର ବିଭିନ୍ନ ପ୍ରାନ୍ତରେ ହେଉଥିବା ଯୁଦ୍ଧ, ହର୍ମୁଜ ଜଳପଥ ଅବରୋଧଜନିତ ଉତ୍ପନ୍ନ ଶକ୍ତି ସଙ୍କଟ ଏବଂ ବୈଶ୍ୱିକ ଆର୍ଥିକ ମନ୍ଥରତା ଆଦି ଯେତେ ପ୍ରସଙ୍ଗ ରହିଛି; ତାହାର ସମାଧାନ ଆଣିବା ଦିଗରେ ଭାରତକୁ ଲୋଡ଼ାଯାଉ ନ ଥିବାରୁ ଗୁରୁତ୍ୱ ହ୍ରାସ ପାଉଛି। ଏଭଳି ସ୍ଥଳେ ପାକିସ୍ତାନ ନିଜର ସାମରିକ ଶକ୍ତି ଦେଖାଇବାକୁ ଯାଇ ସାଉଦି ଆରବ ଓ ତୁର୍କୀ ସହ ମିଶିଛି। ଏହାଦ୍ୱାରା ଇସ୍ଲାମାବାଦ ରଣନୀତି କରି ସାଉଦି ଆରବକୁ ସୁରକ୍ଷା ପ୍ରତିଶ୍ରୁତି ଦିଗରେ ପ୍ରତିବଦ୍ଧତା ଦେଖାଇ ତା’ ବଦଳରେ ପର୍ଯ୍ୟାପ୍ତ ଅର୍ଥ ହାସଲ କରିବା ସହିତ ସଫଳ କୂଟନୈତିକ ପଦକ୍ଷେପ ନେଉଛି। ସାଧାରଣ ସାଉଦି ନାଗରିକ ଧନୀ ହୋଇଥିବାରୁ ସେହି ଦେଶରେ ସେନାରେ ଯୋଗଦେବା ସକାଶେ କ୍ୱଚିତ ବାହାରିଥାଆନ୍ତି।
ତେଣୁ ପାକିସ୍ତାନ ତା’ର ପ୍ରତିରକ୍ଷା ରଣନୀତି ବାଣ୍ଟି ନିଜକୁ ଆର୍ଥିକ ଦିଗରୁ ସୁଦୃଢ଼ କରିବାକୁ ଚାହୁଁଛି। ଉପରୋକ୍ତ ଚୁକ୍ତି ଦ୍ୱାରା ପାକିସ୍ତାନର ଦୁଇ ପ୍ରକାର ଲାଭ ହେବ, ଯେଉଁଥିରେ ଏହା ଆର୍ଥିକ ଦୃଷ୍ଟିରୁ ପୁଷ୍ଟ ହେଉଥିବା ବେଳେ ମିଳିତ ପ୍ରତିରକ୍ଷା ସମୀକରଣରେ ଭାରତକୁ ଡରାଇବାରେ ସକ୍ଷମ ହେବ ବୋଲି ଧରି ନେଇଛି। ଏତେସବୁ ଭିତିରି ବିଷୟକୁ ହୃଦୟଙ୍ଗମ କରିପାରୁ ନ ଥିବାରୁ ନୂଆଦିଲ୍ଲୀ କେବଳ ଅନ୍ୟ ଉପରେ ନଜର ରଖିବାରେ ସମୟ ଓ ଅର୍ଥ ଶ୍ରାଦ୍ଧ କରିବାରେ ବ୍ୟସ୍ତ। ମନେହେଉଛି ଭାରତର ଭବିଷ୍ୟତ କୂଟନୈତିକ ଯୋଜନା କରିବା ପାଇଁ କୌଣସି ବ୍ୟବସ୍ଥା କିମ୍ବା ବ୍ୟକ୍ତିବିଶେଷ ନାହାନ୍ତି।