ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା ଖୋଜୁଥିଲେ। ଘର ମୁଖ୍ୟଦ୍ୱାର ଏବଂ ଝରକାରେ ମଧ୍ୟ ଝୁଲୁଥିଲା ବେଣାଚେରର ପରଦା। ହେଲେ ତାହା ଆଉ ଦେଖିବାକୁ ମିଳୁ ନାହିଁ। କାଁ ଭାଁ କେଉଁଠି କ୍ୱଚିତ୍‌ ଦେଖିବାକୁ ମିଳୁଛି। ମହଙ୍ଗା ଯୁଗରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମିତ ଏସି, କୁଲର୍‌ ଆଗରେ ଏବେ ଫିକା ପଡ଼ି ଯାଇଛି ବେଣାଚେର। ତା’ର ଚାହିଦା ମଧ୍ୟ ଧୀରେ ଧୀରେ କମି ବସିଛି। ତଥାପି ବରଗଡ଼ ସହର ଉପକଣ୍ଠରେ ରହିଥିବା ନିଲେଶ୍ୱର ଭଳି କେତେକ ଗ୍ରାମରେ ଲୋକେ ଏହାକୁ ନିଜର କୌଳିକ ବୃତ୍ତିଭାବେ ଏବେ ମଧ୍ୟ ଆଦରି ରଖିଛନ୍ତି।
ନଦୀ, ପୋଖରୀ ଆଦି ହୁଡ଼ାରେ ମାଟି ଖୋଳି ବେଣାଚେର ସଂଗ୍ରହ କରନ୍ତି। ପାଣିରେ ତାକୁ ଭଲଭାବେ ସଫା କରିବା ପରେ ଖରାରେ ଶୁଖାଇଥାନ୍ତି। ଶୁଖିବା ପରେ ତାକୁ ନେଇ ବିଞ୍ଚଣା, ଝରକା ପରଦା, ଘର ମୁଖ୍ୟଦ୍ୱାର ପରଦା, କୁଲର ମାପଚୁପ ଅନୁଯାୟୀ ଫ୍ରେମ ତିଆରି ଆଦି କରିଥାନ୍ତି। ତେବେ ଏଥିପାଇଁ ସେମାନଙ୍କୁ ମାସେ କିମ୍ବା ୨ମାସ ନୁହେଁ, ପ୍ରାୟ ୪ମାସ ଧରି ସମୟ ଦେଖି ପରିଶ୍ରମ କରିବାକୁ ପଡ଼ିଥାଏ ଏବଂ ସେଥିରେ ପରିବାରର ଛୋଟରୁ ବଡ଼ ସମସ୍ତ ସଦସ୍ୟ ଲାଗି ପଡ଼ିଥାନ୍ତି। ହେଲେ ବେଣାଚେର କାରିଗରଙ୍କୁ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସେଭଳି କିଛି ପ୍ରୋତ୍ସାହନ ମିଳୁ ନାହିଁ। ଫଳରେ ବେଣାଚେର ନିର୍ମିତ ବିଞ୍ଚଣା, ଚାଦର ଆଦି ଏବେ ଲୁପ୍ତପ୍ରାୟ ହୋଇପଡ଼ି ଥିବାବେଳେ ବେଣାଚେର କାରିଗରଙ୍କ ଜୀବନ, ଜୀବିକା ମଧ୍ୟ ସଙ୍କଟରେ ରହିଛି।
ବେଣାଚେର ହିଁ ଜୀବନ, ଜୀବିକା
ଦଶହରା ମାସରୁ ବେଣାଚେର ସଂଗ୍ରହରେ ଲାଗି ପଡ଼ିଥାଉ। ତାକୁ କାଢ଼ି ଆଣିଲା ପରେ ସଫା, ସୁତୁରା କରି ଖରାରେ ଶୁଖାଇ ଥାଉ। ଏହାପରେ ବାଉଁଶ ପାତିରେ ବାନ୍ଧି ପଟି, ପରଦା ଆଦି ତିଆରି କରୁ। ଚାଷବାସ କରୁଥିଲେ ହେଁ ବେଣାଚେର ସଂଗ୍ରହ ଓ ଏଥିରୁ ନିର୍ମିତ ପରଦା, ପଟି ବିକିବା ଆମର ମୁଖ୍ୟ ଜୀବିକା। ୪ ମାସ ପରିଶ୍ରମ କରୁ ଏବଂ ପାଖାପାଖି ୫୦ହଜାର ଟଙ୍କା ରୋଜଗାର କରିଥାଉ। ସେଥିରୁ ପରିବାର ଗୁଜୁରାଣ ମେଣ୍ଟାଉଛୁ।
ଗଙ୍ଗାଧର ଭେସ୍ରା, କାରିଗର, ନିଲେଶ୍ୱର
ବେଣାଚେର ଦେଇଛି ରୋଜଗାର
ମୁଁ ଦିବ୍ୟାଙ୍ଗ। ହେଲେ ବେଣାଚେର ମୋତେ ରୋଜଗାର ଦେଉଛି। ଭୋର୍‌ରୁ ଟ୍ରାଇସାଇକେଲ ଯୋଗେ ବେଣାଚେରରୁ ନିର୍ମିତ ପରଦା, ପଟି ଧରି ବରଗଡ଼ ସହରକୁ ଆସୁଛି। ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖ ଗଛ ଛାଇତଳେ ରଖି ତାହା ବିକ୍ରିବଟା କରି ଆସୁଛି। ଖରାଦିନେ ତ ବେଣାଚେର ବିକୁଛି। ଅନ୍ୟ ସମୟରେ ଉଖୁଡ଼ା, ଛତି ମଧ୍ୟ ବିକ୍ରିବଟା କରିଥାଏ। ଏଥିରୁ ପରିବାର ଚଳେ। ଝିଅ, ପୁଅ ବାହାଘର ମଧ୍ୟ ସାରିଲିଣି। ଆମଭଳି କାରିଗରଙ୍କୁ କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ଭଲ ହୁଅନ୍ତା।
କୃଷ୍ଣ ସାହୁ, କାରିଗର, ନିଲେଶ୍ୱର
ପରିଶ୍ରମ ତୁଳନାରେ ପାରିଶ୍ରମିକ ନାହିଁ
ବେଣାଚେର ବହୁଲୋକଙ୍କ ଜୀବନ, ଜୀବିକା ବଞ୍ଚାଉଥିଲା। ନୂଆଁ ଟେକ୍ନୋଲୋଜି ଆସିବା ପରେ ବେଣାଚେର କାରିଗରମାନେ ସଂକଟରେ ଅଛନ୍ତି। ପ୍ରାକୃତିକ ଜିନିଷ ପ୍ରତି ଲୋକଙ୍କ ସ୍ପୃହା ମଧ୍ୟ ହ୍ରାସ ପାଇ ବସିଛି। ଅନ୍ୟପଟେ ବେଣାଚେର କାରିଗରମାନେ ଯେଭଳି ପରିଶ୍ରମ କରୁଛନ୍ତି, ତାକୁ ସେହି ଅନୁପାତରେ ପାରିଶ୍ରମିକ ମିଳୁ ନାହିଁ। ସରକାର ବେଣାଚେରରୁ ତିଆରି ସାମଗ୍ରୀର ଉଚିତ ବଜାର ବ୍ୟବସ୍ଥା ସହିତ କାରିଗରଙ୍କୁ ଉତ୍ସାହିତ କଲେ ପ୍ରକୃତି ପ୍ରତି ଲୋକଙ୍କ ଅନ୍ତରଙ୍ଗତା ମଧ୍ୟ ବୃଦ୍ଧି ପାଇବ।
କିରଣ କୁମାର ମିଶ୍ର, ବୁଦ୍ଧିଜୀବୀ

Dharitri – Odisha’s No.1 Odia Daily

Share