
ଭବାନୀପାଟଣା, ୨ି୫ା୬(ଉତ୍ତମ କୁମାର ଦାଶ):ପ୍ରାକୃତିକ ସମ୍ପଦରେ ଭରପୂର କଳାହାଣ୍ଡି। ଜିଲାରେ ପରିପୂର୍ଣ୍ଣ ରହିଛି ବିଭିନ୍ନ ରତ୍ନପଥର ଓ ଖଣିଜ ସମ୍ପଦ। ଜିଲାରେ ମୋଟ ୧୪୨ଟି ବୃହତ୍ ଖଣି ଉତ୍ସ ଓ ୧୨ଟି ରତ୍ନପଥର ଉତ୍ସ ଠାବ ହୋଇଥିବା ବେଳେ ସରକାରୀ ଭାବେ ଏହାର ନିଲାମ ହେଉ ନାହିଁ। ଫଳରେ ଚୋରାଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।
ଜିଲାର ୧୩ ବ୍ଲକରେ ୨୦ରୁ ଅଧିକ ରତ୍ନଖଣି ଓ୧୪୨ରୁ ଅଧିକ ବୃହତ୍ ଖଣି ଉତ୍ସ ରହିଛି। ଥୁଆମୂଳ ରାମପୁରରେ ୧୭ଟି ବକ୍ସାଇଟ ଓ ୨ଟି କାରୁଣ୍ଡମ ରୁବି ଉତ୍ସ ରହିଛି। ଜୁନାଗଡ଼ରେ ୩ଟି ଓ ଧର୍ମଗଡ଼ରେ ଗୋଟିଏ କାରୁଣ୍ଡମ ରୁବି ଉତ୍ସ ରହିଛି। ସେହିପରି ଥୁଆମୂଳ ରାମପୁରରେ ଗୋଟିଏ ସିଟ୍ରାଇଟ ଆମେଥିସ୍ତ ଓ ଗୋଟିଏ ବେରାଇଲ ଖଣି ଥିବା ସୂଚନା ମିଳିଛି। କେସିଙ୍ଗାରେ ୫ଟି, ନର୍ଲାରେ ୨ଟି ଓ ମଦନପୁର ରାମପୁରର ୬ଟି ସ୍ଥାନରେ ଗେଲେନା ଖଣି ଉତ୍ସ ଠାବ କରାଯାଇଛି। କେସିଙ୍ଗାରେ ୧୭, ନର୍ଲାରେ ୭ ଓ ମଦନପୁର ରାମପୁରର ୯ଟି ସ୍ଥାନରେ ଗ୍ରାଫାଇଟ ଖଣି ଉତ୍ସ ରହିଛି। ନର୍ଲାରେ ୨, ମଦନପୁର ରାମପୁରରେ ୨, ଭବାନୀପାଟଣାରେ ଗୋଟିଏ, କୋକସରାରେ ୨ ଓ ଧର୍ମଗଡ଼ର ଗୋଟିଏ ସ୍ଥାନରେ ଲାଇମ କାଙ୍କର ଖଣି ଚିହ୍ନଟ ହୋଇଛି। ସେହିପରି ନର୍ଲାରେ ୨, ମଦନପୁର ରାମପୁରରେ ୪, ଭବାନୀପାଟଣାରେ ୪, କୋକସରାରେ ୨, ଜୁନାଗଡ଼ରେ ୫ ଓ ଜୟପାଟଣାର ୧୦ଟି ସ୍ଥାନରେ କ୍ବାର୍ଜ ଓ କ୍ବାର୍ଜାଇଟ ଖଣି ଠାବ ହୋଇଛି। ମଦନପୁର ରାମପୁରର ୪ ସ୍ଥାନରେ ମାଙ୍ଗାନିଜ ଖଣି ରହିଥିବା ଜଣାଯାଇଛି। ଭବାନୀପାଟଣାରେ ୨, କୋକସରାରେ ଗୋଟିଏ, କେଗାଁରେ ୩, ଜୁନାଗଡ଼ରେ ୯ ଓ ଧର୍ମଗଡ଼ର ୪ ସ୍ଥାନରେ ଆୟୋଲାଇଟ ଖଣି ଉତ୍ସ ରହିଛି। ସେହିଭଳି କେଗାଁରେ ୨, ଜୁନାଗଡ଼ରେ ଗୋଟିଏ, ଧର୍ମଗଡ଼ରେ ୪ଟି ଗାର୍ନେଟ ଖଣି ଉତ୍ସ ରହିଛି। ଭବାନୀପାଟଣାରେ ଗୋଟିଏ ଆକ୍ବା ମେରାଇନ ଟୋପାଜ, ଆମେଥିଷ୍ଟ ଖଣି ଉତ୍ସ ରହିଛି। ଏହିସବୁ ଖଣି ନିଲାମ ହେଉ ନ ଥିବାରୁ ମାଫିଆମାନେ ବେଧଡ଼କ ଖଣି ଚୋରି କରି ମାଲେମାଲ ହେଉଥିବାବେଳେ ସରକାରଙ୍କ ରାଜସ୍ବ ହାନି ହେଉଛି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି।