Posted inଫୁରସତ

ନୀଳକଣ୍ଠ ମହାଦେବ ମନ୍ଦିର

ଦେବ ଦେବ ମହାଦେବଙ୍କୁ ସମର୍ପିତ ନୀଳକଣ୍ଠ ମହାଦେବ ମନ୍ଦିର ହେଉଛି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର ତୀର୍ଥଭୂମି। ଏଠାରେ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ କରୁଣା ଲାଭ କରିବା ସହ ଭକ୍ତଗଣ ସ୍ଥାନୀୟ ଅଞ୍ଚଳର ଅପୂର୍ବ ପ୍ରାକୃିତକ ଶୋଭାକୁ ମଧ୍ୟ ମନଭରି ଉପଭୋଗ କରିପାରିବେ।

ଉତ୍ତରାଖଣ୍ଡର ପୌଡି ଗଢଓ୍ବାଲ୍‌ ଜିଲାରେ ଥିବା ନୀଳକଣ୍ଠ ମହାଦେବ ମନ୍ଦିର ହେଉଛି ସ୍ଥାନୀୟ ଏକ ପବିତ୍ର ତୀର୍ଥସ୍ଥଳୀ। ଦେବ ଦେବ ମହାଦେବଙ୍କୁ ସମର୍ପିତ ଏହି ମନ୍ଦିରଟି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର କ୍ଷେତ୍ର ଋଷିକେଶଠାରୁ ମାତ୍ର ୩୨ କି.ମି. ଦୂରରେ ଅବସ୍ଥିତ। ଏଠାରେ ପୂଜା ପାଉଥିବା ପ୍ରଭୁ ନୀଳକଣ୍ଠ ଯେହେତୁ ଜଣେ ପ୍ରତ୍ୟକ୍ଷ ଈଶ୍ୱର ତେଣୁ ତାଙ୍କରି କରୁଣା ଲଭିବା ପାଇଁ ଏଠାକୁ ବର୍ଷସାରା ଭକ୍ତଙ୍କର ସୁଅ ଛୁଟିଥାଏ।

କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ, ସମୁଦ୍ରମନ୍ଥନରୁ ବାହାରିଥିବା ବିଷକୁ ଦେବ ଦେବ ମହାଦେବ କୁଆଡ଼େ ଏହି ସ୍ଥାନରେ ପାନ କରି ଜଗତକୁ ମହାବିପତ୍ତିରୁ ଉଦ୍ଧାର କରିଥିଲେ। ଆଉ ପ୍ରଭୁ ଉକ୍ତ ବିଷକୁ ପାନ କରୁଥିବା ସମୟରେ ମାତା ସତୀ ପ୍ରଭୁଙ୍କର ବେକ ପାଖରେ ହାତ ରଖିଦେବାରୁ ବିଷତକ ତାଙ୍କ ପେଟକୁ ନ ଯାଇ ବେକ ପାଖରେ ଅଟକି ରହିଥିଲା। ଫଳରେ ବେକ ପାଖ ନୀଳ ଦେଖାଗଲା; ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ପ୍ରଭୁ ଶିବଙ୍କୁ ନୀଳକଣ୍ଠ ବୋଲି ସମ୍ବୋଧନ କରାଯିବା ସହ ଉକ୍ତ ସ୍ଥାନରେ ପ୍ରଭୁଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ତା’ର ନାମ ନୀଳକଣ୍ଠ ମହାଦେବ ମନ୍ଦିର ରଖାଗଲା ବୋଲି ସୂଚନା ରହିଛି।

ମନ୍ଦିରର ଗଠନଶୈଳୀ
ଦ୍ରାବିଡ଼ମାନଙ୍କ କାରୁକାର୍ଯ୍ୟ ଶୈଳୀରେ ନିର୍ମିତ ଉକ୍ତ ମନ୍ଦିରର ଆକର୍ଷଣୀୟ ପରିପାଟୀ ଦେଖିବାକୁ ବେଶ୍‌ ମନୋମୁଗ୍ଧକର। ମନ୍ଦିରର ଶିଖରରେ ସମୁଦ୍ରମନ୍ଥନର ଦୃଶ୍ୟକୁ ଚିତ୍ରିତ କରାଯାଇଥିବାର ଆକର୍ଷଣୀୟ ଦୃଶ୍ୟ ବେଶ୍‌ ମନଛୁଆଁ ଲାଗିଥାଏ। ସେହିପରି ଗର୍ଭଗୃହର ପ୍ରବେଶ ଦ୍ୱାରରେ ଏକ ବିଶାଳ ପେଣ୍ଟିଂ ଲାଗିଥିବାର ମଧ୍ୟ ଦେଖାଯାଏ, ଯେଉଁଥିରେ ଭଗବାନ ଶଙ୍କର ବିଷପାନ କରୁଥିବାର ଅପୂର୍ବ ଦୃଶ୍ୟ ଦେଖିବାର ସୁଯୋଗ ମିଳିଥାଏ। କେବଳ ସେତିକି ନୁହେଁ, ଗର୍ଭଗୃହ ମଧ୍ୟରେ ପ୍ରଭୁଙ୍କର ଲିଙ୍ଗ ସ୍ବରୂପ ରୂପକୁ ଦେଖିଲେ ମନରେ ଭକ୍ତିଭାବ ଜାଗ୍ରତ ହୋଇଯାଏ। ଏହି ମନ୍ଦିରର ଖୁବ୍‌ ନିକଟରେ ଏକ ଝରଣା ବୋହିଯାଉଥିବାର ଦେଖିବାକୁ ମିଳିଥାଏ; ଯେଉଁଠାରେ ଭକ୍ତଗଣ ସ୍ନାନ ସାରି ପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାଇଥାନ୍ତି ବୋଲି ସୂଚନା ରହିଛି।

ପର୍ବପର୍ବାଣି
ପ୍ରତି ସୋମବାର ଦିନ ବହୁ ସଂଖ୍ୟାରେ ଭକ୍ତ ଏଠାରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ମହାଶିବରାତ୍ରି ପର୍ବ ହେଉଛି ଏଠାକାର ଏକ ମୁଖ୍ୟ ପର୍ବ। ଏହି ସମୟରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସି ପ୍ରଭୁଙ୍କର ଦର୍ଶନ କରିଥାନ୍ତି। ସେହିପରି ଶ୍ରାବଣ ମାସରେ ବି ଏଠି କାଉଡିଆଙ୍କର ବେଶ୍‌ ଗହଳି ଦେଖିବାକୁ ମିଳେ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ମହାଶିବରାତ୍ରି ସମୟରେ ଗଲେ ପ୍ରଭୁଙ୍କର ଅପୂର୍ବ ସାଜ ଶୃଙ୍ଗାର ସାଙ୍ଗକୁ ମେଳା ମହୋତ୍ସବର ଆନନ୍ଦ ଲଭିବାର ସୁଯୋଗ ମିଳିଥାଏ। ତା’ଛଡ଼ା ଏଠାକୁ ଯିବାପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ଋଷିକେଶଠାରୁ ଯେହେତୁ ଏହା ମାତ୍ର ୩୨ କି.ମି. ଦୂରରେ ଅବସ୍ଥିତ, ତେଣୁ ଋଷିକେଶ ବୁଲି ଆସୁଥିବା ପର୍ଯ୍ୟଟକ ସେଠାରୁ ଟ୍ୟାକ୍ସିରେ ଆରାମରେ ଯାଇପାରିବେ। ଋଷିକେଶ ରେଲଓ୍ବେ ଷ୍ଟେଶନ ହେଉଛି ଉକ୍ତ ମନ୍ଦିରର ନିକଟତମ ରେଳଷ୍ଟେଶନ। ସେହିପରି ଡେରାଡୁନ୍‌ସ୍ଥିତ ଜୋଲିଗ୍ରାଣ୍ଟ ଏୟାରପୋର୍ଟ ହେଉଛି ଉକ୍ତ ମନ୍ଦିରର ନିକଟବର୍ତ୍ତୀ ଏୟାରପୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?