ମାନସିକତାରେ ପରିବର୍ତ୍ତନ ଲୋଡ଼ା

ମନୁଷ୍ୟର ସାମାଜିକ ତତ୍ତ୍ୱ ସମ୍ପ୍ରତି ବିତର୍କତା ମଧ୍ୟକୁ ଠେଲି ହୋଇଯାଇଛି। ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ସେ ଯେଉଁ ଆତ୍ମଗରିମା ଟିକକ ଲାଭ କରିଥିଲା, ତାହା କେବଳ ମାତ୍ର ଏକ ବାଚନିକ ସୌଷ୍ଠବ ଓ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ। ମନୁଷ୍ୟକୁ ବାହ୍ୟ ଚକ୍ଷୁରେ ଦେଖି ତା’ର ସ୍ବଭାବ ଆକଳନ କରିବାର ସମୟ ଅତିକ୍ରାନ୍ତ ପ୍ରାୟ। ବାହ୍ୟ ଦୃଷ୍ଟିରେ ଗୁରୁଗମ୍ଭୀର ଓ ବୟସର ଛାପ ଅଙ୍ଗରାଜିରେ ପରିଦୃଷ୍ଟ ହେଉଥିଲେ ମଧ୍ୟ ସ୍ବଭାବ କିନ୍ତୁ କୁତ୍ସିତ ଆଦିମତାରେ ଭରପୂର। ବିଶ୍ୱାସ ଆଜି ସଂକଟାପନ୍ନ। ଯଦି ବିଶ୍ୱାସର ବିଲୁପ୍ତି ଘଟେ, ତେବେ ମାନବିକତା କେବଳ ଏକ ଅର୍ଥହୀନ ଶବ୍ଦ ମାତ୍ର। ମାନବିକତାର ଅବସାନ ଘଟିଲେ ମନୁଷ୍ୟ ଓ ପଶୁଙ୍କ ଭିତରେ କିଛି ପାର୍ଥକ୍ୟ ରହିବ ନାହିଁ। ସମାଜ ବିଶୃଙ୍ଖଳିତ, ବ୍ୟକ୍ତିର ବ୍ୟକ୍ତିତ୍ୱରେ କାଳିମା, ନାରୀର ଇଜ୍ଜତ ସଙ୍କଟାପନ୍ନ, ଶାସନ ନୀତିହୀନ, ପ୍ରଶାସନ ଦୁର୍ନୀତି କବଳିତ ଓ ନ୍ୟାୟ ବ୍ୟବସ୍ଥାର କଚ୍ଛପ ଗତି- ଏସବୁର ସମ୍ମିଶ୍ରଣ ସାମାଜିକ ସ୍ଥିତିକୁ କୀଟଦ୍ରଂଷ୍ଟ କରିଦେଇଛି। ଚିକିତ୍ସକ ରୋଗୀ ସେବା ଭଳି ପବିତ୍ର କର୍ତ୍ତବ୍ୟରୁ ଦୂରେଇ ଯାଇ ଅର୍ଥର ଦାସତ୍ୱ ଗ୍ରହଣ କରୁଛି। ବୃଦ୍ଧ ମାତାପିତା ଆତ୍ମଜଙ୍କ ଦ୍ୱାରା ଲାଞ୍ଛିତ ଓ ଉପେକ୍ଷିତ ହୋଇ ଶେଷଦିନର ଅବଗଣନା କରୁଛନ୍ତି। ମଣିଷ ନିଜେ ସୁଖରେ ରହିପାରୁଛି ନା ଅନ୍ୟର ସୁଖଜୀବନରେ ସହାୟକ ହେଉଛି। ସର୍ବତ୍ର ଏକ ଦୁଃସହ ବେଦନାର ଆଚ୍ଛାଦନ।
ଦୁର୍ନୀତି ଏକ ସଂକ୍ରାମକ ରୋଗର ରୂପ ନେଇସାରିଥିବା ବେଳେ ଯୌନ ଉଚ୍ଛୃଙ୍ଖଳତା ଆଉ ଏକ ଦୁରାରୋଗ୍ୟ ବ୍ୟାଧିର ରୂପ ନେଲାଣି। ବିକୃତ ଯୌନାଚାର ସମାଜର ସବୁ ସ୍ତରକୁ ବ୍ୟାପିଲାଣି। ଏଥିରୁ ଶିକ୍ଷକ, ପ୍ରଶାସକ, ନେତା, ଅଭିନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ କେହି ବି ମୁକ୍ତ ନୁହନ୍ତି। ଫିଲ୍ମ ଜଗତରେ କାଷ୍ଟିଂ କାଉଚ (ଅଭିନେତ୍ରୀ ସଜାଇବା ପାଇଁ ଯୌନ ଶୋଷଣ)ର ସ୍ବର କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ପ୍ରାଦେଶିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାଷ୍ଟିଂକାଉଚର ଅରୁଚିକର ଖବର ପ୍ରସାରିତ ହେଉଛି। ଦୁଇବର୍ଷ ତଳେ ପ୍ରଖ୍ୟାତ ହଲିଉଡ୍‌ ପ୍ରଯୋଜକ ଓ୍ବିନଷ୍ଟିନଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ପ୍ରାୟ ୮୦ ଜଣ ଅଭିନେତ୍ରୀ। ଏଥିପାଇଁ ପ୍ରଯୋଜକ ନିଜ କମ୍ପାନୀରୁ ବହିଷ୍କୃତ ହୋଇଛନ୍ତି। ସେହିପରି ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍‌ସ ଟବାକଙ୍କ ବିରୋଧରେ ଯୌନ ଉପତ୍ୀଡ଼ନର ଅଭିଯୋଗ ଆଣିଥିଲେ ୨୩୮ ମହିଳା। ୨୦୧୪ରେ ଆମେରିକାର ହାସ୍ୟାଭିନେତା ବିଲ୍‌ କସ୍‌ବି ମହିଳାମାନଙ୍କୁ ନିଶା ସେବନ କରାଇ ଅସଦାଚରଣ କରିଥିବାର ଅନେକ ଅଭିନେତ୍ରୀ ଅଭିଯୋଗ କରିଥିଲେ। ବଲିଉଡରେ ମଧ୍ୟ ଯୌନ ଶୋଷଣ ଏକ ସାଧାରଣ ଘଟଣା। ମହିଳାମାନେ ଅଧିକାଂଶ କ୍ଷେତ୍ରରେ ସମ୍ମାନହାନି ଭୟରେ ନିର୍ଯାତନାକୁ ସହିନିଅନ୍ତି। ତେଣୁ ସେମାନେ ପ୍ରାୟତଃ ନୀରବ ରହିବାକୁ ଶ୍ରେୟ ମଣନ୍ତି ବୋଲି ପ୍ରକାଶ କରିଛନ୍ତି ବିଶିଷ୍ଟ ସ୍ତମ୍ଭକାର ଆକାର ପଟେଲ। ଓଲିଉଡ୍‌ରେ ମଧ୍ୟ ଏପରି ଗୁଜରଣ ସୃଷ୍ଟି ହୋଇ ପୁଣି ଥମିଯାଏ।
ଶିକ୍ଷାଜଗତ ଯାହା ନୈତିକତାର ଶ୍ରେଷ୍ଠ ସୋପାନ ରୂପେ ଅଭିିହିତ ହୁଏ, ତାହା ମଧ୍ୟ ଯୌନ ବିଭୀଷିକାରୁ ମୁକ୍ତନୁହେଁ। ବିଦ୍ୟାଳୟ ସ୍ତରରେ ଶିକ୍ଷକ ଅପ୍ରାପ୍ତବୟସ୍କ ବାଳିକାଙ୍କୁ ଯୌନ ଶୋଷଣ କରିବା ବହୁଳ ମାତ୍ରାରେ ଶ୍ରୁତିଗୋଚର ହେଉଛି। ଗୁରୁ ହରାଇ ବସିଛି ଗାରିମାମୟ ଗୁରୁତ୍ୱ। ବିଭିନ୍ନ ନୃତ୍ୟଶାଳା (ଡ୍ୟାନ୍ସବାର)ରେ ଅପ୍ରାପ୍ତ ବୟସ୍କା ବାଳିକାମାନଙ୍କୁ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ପ୍ରଲୁବ୍ଧ କରାଯାଉଥିବାର ଖବର ପ୍ରସାରଣ ପରେ ଅବକାରୀ ଓ ପୋଲିସ ସଜାଗ ହୋଇ ଉଠିଛନ୍ତି। ସମ୍ପ୍ରତି ସଂସଦର ମୌସୁମୀ ଅଧିବେଶନର ଅନ୍ତିମ ଦିବସରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ଚିଠା ପ୍ରସ୍ତାବ ଆଗତ କରିଛନ୍ତି। ବିଲ୍‌ଟି ଆଇନରେ ପରିଣତ ହେଲେ ସେଥିରେ ନାବାଳିକା ବଳାତ୍କାରୀକୁ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରାବଧାନ ରହିବ। ଅପରାଧୀକୁ ମୃତ୍ୟୁଦଣ୍ଡ ପ୍ରଦାନରେ କେହି ଦ୍ୱିମତ ପ୍ରକାଶ କରି ନ ପାରନ୍ତି। କିନ୍ତୁ ବଡ଼କଥା ହେଲା ଅପରାଧୀ ବିଚାରାଳୟରେ ପ୍ରମାଣିତ ହେବା ଦରକାର। ଏଠାରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁକନ୍ୟାମାନେ ପୃଥିବୀରୂପକ ଉଦ୍ୟାନରେ ଗୋଟିଏ ଗୋଟିଏ ସୁଗନ୍ଧିତ ପୁଷ୍ପକଳିକା, ଯାହାଙ୍କୁ ସ୍ନେହ ଆଦରପୂର୍ବକ ସ୍ବଚ୍ଛନ୍ଦରେ ପ୍ରସ୍ଫୁଟିତ ହେବାକୁ ଦିଆଯିବା ଉଚିତ। କାମନ୍ଧତା ପରିହାର ପୂର୍ବକ ଏକ ସୁସ୍ଥ ମନରେ ବିଚାର କରିବାର ଆବଶ୍ୟକତା ରହିଛି ଯେ ସେମାନେ ଆମ ଅଲିଅଳି କନ୍ୟାରନତ୍ ସଦୃଶ। ପିତୃତ୍ୱର ମାପକାଠିରେ ସେମାନଙ୍କୁ ତଉଲ କରିବା ଆବଶ୍ୟକ। ଦିବ୍ୟ ଜନନୀ ଶ୍ରମା କହଛନ୍ତି, ‘ଯେଉଁ ମଣିଷ ବିବେକ ଦ୍ୱାରା ପରିଚାଳିତ ନ ହୋଇ ଆଉ କିଛି ଦ୍ୱାରା ଚାଳିତ ହୁଏ, ସେ ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଏକ ନିକୃଷ୍ଟତର ଜନ୍ତୁରେ ପରିଣତ ହୁଏ। ଏପରି ଆଚରଣ କରୁଥିବା ବ୍ୟକ୍ତି କେବେ ବି ମଣିଷ ପଦବାଚ୍ୟ ନୁହେଁ। କୁହାଯାଏ ନିଶାସେବନ ଦ୍ୱାରା ବିବେକ ରହିତ ହୋଇ ଅନୁଚିତ କର୍ମଗୁଡ଼ିକୁ ଆଦରିନିଏ। ତେଣୁ ନିଶାସେବନଠାରୁ ଦୂରେଇ ରହିବା ସର୍ବାଦୌ ସମୀଚୀନ।
ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଆଗତ ‘ଭାରତୀୟ ନ୍ୟାୟ ସଂହିତା’ ନାମରେ ନାମିତ ବିଧେୟକଟି ଆଇନରେ ପରିଣତ ହେଲେ ନାବାଳିକା ନିର୍ଯାତନା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନର ଆଶା କରାଯାଉଛି। କିନ୍ତୁ ସମସ୍ୟା ହେଲା ନାବାଳିକା ଯୌନ ବିଭୀଷିକାର ଏକ ସିଂହଭାଗ ଆଇନ ସମ୍ମୁଖକୁ ଆସେ ନାହିଁ। ଲୋକଲଜ୍ଜା ଓ ଭବିଷ୍ୟତର ଏକ ଅରୁଚିକର ପରିସ୍ଥିତିରୁ ସୁରକ୍ଷା ଦେବାକୁ ଯାଇ ନାବାଳିକାର ପରିବାର ଉକ୍ତ ଘଟଣାକୁ ଚାପିଦିଅନ୍ତି। ଅନ୍ତଃସତ୍ତ୍ୱା ଭଳି ଉଦ୍‌ବେଗଜନକ ପରିସ୍ଥିତି ଉପୁଜିଲେ ସେମାନେ ପୋଲିସର ନଜରକୁ ଆଣିବାକୁ ବାଧ୍ୟ ହୁଅନ୍ତି। ଯଦି ବଳାତ୍କାରୀ ଅର୍ଥ, କ୍ଷମତା ଓ ପ୍ରତିପତ୍ତିଶାଳୀ ହୋଇଥାଏ, ତେବେ ତା’ ବିରୋଧରେ ସ୍ବର ଉତ୍ତୋଳନ କରିବା କଷ୍ଟସାଧ୍ୟ। ସରକାର, ସମାଜ, ପୋଲିସ ଓ ଆଇନ ରକ୍ଷକମାନେ ଉଦାସୀନତା ପରିହାର କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ଅପରାଧ ପ୍ରତି ଏକ ଭୟ ସଞ୍ଚାର ହେବ ଓ ଅପରାଧ ଯଥେଷ୍ଟ ହ୍ରାସ ପାଇବ। ମହାତ୍ମା ଗାନ୍ଧୀଙ୍କ ଉକ୍ତିରେ ସ୍ବାଧୀନତାର ଠିକ୍‌ ରୂପାୟନ ସେହିଦିନ ହେବ ଯେଉଁଦିନ ନାରୀଟିଏ ନିର୍ବିଘ୍ନରେ ନିଶାର୍ଦ୍ଧରେ ସ୍ବଚ୍ଛନ୍ଦରେ ରାଜରାସ୍ତାରେ ଗତି କରିପାରିବ। ଅନ୍ୟଥା ସ୍ବାଧୀନତାର ମୂଲ୍ୟ କିଛି ନାହିଁ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ-୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri