
ଭୁବନେଶ୍ୱର,୨୮ା୬: ରଥଟଣା ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ବିଳମ୍ବ ପାଇଁ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ, ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ସମୟରେ ଏପରି ଘଟଣାକୁ ନେଇ ଚିନ୍ତିତ ଅଛୁ।
ଗତ ବର୍ଷର ଘଟଣା ମଧ୍ୟ ମନେ ପକାଇଛନ୍ତି ନବୀନ। କହିଛନ୍ତି, ଗତବର୍ଷ ଆଡ଼ପ ବିଜେ ପହଣ୍ଡି ସମୟର ଅଘଟଣ ଭୁଲିଯିବା ଆମ ପାଇଁ ବି କଷ୍ଟକର। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ଠିଆ ହୋଇଥିବାର ଦେଖିବାକୁ ପାଇଥିଲୁ। ଦିନ ଶେଷ ହେବା ପୂର୍ବରୁ କେବଳ କିଛି ମିଟର ଆଗକୁ ଗଡ଼ିଥିଲା ରଥ। ବିଶ୍ୱରୁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ହତାଶ ତଥା ଭ୍ରମିତ କରିଛି ବୋଲି ନବୀନ କହିଛନ୍ତି। ସେ କହିଛନ୍ତି, ଭିଡ଼ ପରିଚାଳନାରେ ଅବହେଳା ଯୋଗୁ ଶହଶହ ଭକ୍ତ ଆହତ ମଧ୍ୟ ହୋଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଗୁରୁବାର ମେଡିକାଲ ବେଡରୁ ସେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଶୁକ୍ରବାର ସେ ରଥଯାତ୍ରା ଦେଖୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ପାଣ୍ଡିଆନ ଶେୟାର କରିଛନ୍ତି।
ଭିଡିଓ ଜାରି କରି କହିଥିଲେ, ଜୟ ଜଗନ୍ନାଥ, ଏବଂ ସମସ୍ତଙ୍କୁ ଏହି ପବିତ୍ର ଉତ୍ସବରେ ଆନନ୍ଦ ଓ ସମୃଦ୍ଧି କାମନା କରିଛନ୍ତି। ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ତାଙ୍କ ସୁସ୍ଥତାର ସୂଚନା ଦେବା ସହ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି।
ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ନିକଟରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସର ଅସ୍ତ୍ରୋପଚାର କରିଥିଲେ। ଜୁନ ୨୨ରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଥିଲା ଏବଂ ସେ ବର୍ତ୍ତମାନ ଆଇସିୟୁରୁ ଏକ ବ୍ୟକ୍ତିଗତ କକ୍ଷକୁ ସ୍ଥାନାନ୍ତରିତ ହୋଇଛନ୍ତି, ଯାହା ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତିର ସଙ୍କେତ ଦେଉଛି।