ଦେବଭୂମିରେ ଦୁର୍ବିପାକ

ଡ. ବିଜୟ କେତନ ପଟ୍ଟନାୟକ

ଦେବଭୂମି କେରଳ ରାଜ୍ୟର ଉତ୍ତର ପୂର୍ବରେ ରହିଛି ରହସ୍ୟମୟ ବିସ୍ମୟୋତ୍ପାଦକ ସହର ଓ୍ବାୟନାଡ୍‌। ଏହି ସବୁଜିମାମୟ ସହରରେ ନିକଟରେ ପ୍ରକୃତିର କୋପ ରଚିଛି ମୃତ୍ୟୁର ତାଣ୍ଡବ। ବାଦଲଫଟା ବର୍ଷା ଓ ଭୂସ୍ଖଳନ ହେତୁ ଚାହୁଁ ଚାହୁଁ ଲିଭିଯାଇଛି ୩୦୦ରୁ ଊର୍ଦ୍ଧ୍ୱ ଜୀବନପ୍ରଦୀପ। ଏହି ଦୁର୍ବିପାକ ଦୈବୀଦୁର୍ବିପାକ ନୁହେଁ, ମନୁଷ୍ୟକୃତ ଦୁର୍ବିପାକ। ପ୍ରତ୍ୟେକ ପ୍ରାକୃତିକ ପରିବେଶ ଓ ପରିସଂସ୍ଥାର ଏକ ଧାରଣ କ୍ଷମତା ରହିଛି। ଜନସଂଖ୍ୟା, ବାସଗୃହ ଆଦି ପୋଷଣୀୟ ଭାବେ ଧାରଣ କରିବାର କ୍ଷମତା ସୀମିତ। ଭଙ୍ଗୁର ପରିସଂସ୍ଥା ପାଇଁ ଏହା ବିଶେଷ ଭାବେ ପ୍ରଯୁଜ୍ୟ। ଏହି କ୍ଷମତାର ସୀମାତିକ୍ରମଣ ହେଲେ, ପରିବେଶ ଓ ପରିସଂସ୍ଥା ନିଜର ଗୁଣବତ୍ତା ହରେଇ ବସେ। ଭୂତାତ୍ତ୍ୱିକ ଓ ପାରିବେଶିକ ଅବକ୍ଷୟ ଘଟେ। ସ୍ଥିତି ଦୁର୍ବଳ ଓ ବିପଜ୍ଜନକ ହୋଇଯାଏ। ଅନୁରୂପ ଘଟଣା ଘଟିଛି ଓ୍ବାୟନାଡ୍‌ରେ। ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ୨୦୨୧ ସର୍ଭେ ରିପୋର୍ଟ ମୁତାବକ କେରଳ ରାଜ୍ୟର ୪୩ ପ୍ରତିଶତ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଓ୍ବାୟନାଡ୍‌ର ୫୧ ପ୍ରତିଶତ ପାହାଡ଼ିଆ ଅଞ୍ଚଳ। ବର୍ଷାଋତୁରେ ଏଠାରେ ମାତ୍ରାଧିକ ବର୍ଷା ହୋଇଥାଏ। ଫଳରେ ଏଠିକାର କାଦିନୀ ନଦୀରେ ବନ୍ୟା ଆସିବା ସହିତ ଭୂସ୍ଖଳନର ଆଶଙ୍କା ମଧ୍ୟ ଅଧିକ। ଏମିତି ଏକ ଅସ୍ବାଭାବିକ ସ୍ଥିତି ପୂର୍ବରୁ ୨୦୧୯ରେ ସୃଷ୍ଟି ହୋଇଥିଲା। ପ୍ରବଳ ବର୍ଷା ପରେ ପରେ ଏଠିକାର କେତୋଟି ଗ୍ରାମରେ ଭୂସ୍ଖଳନ ହୋଇ ପ୍ରାୟ ୧୭ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏକଥା ନିଶ୍ଚିତ ଭାବରେ କୁହାଯାଇପାରେ ଓ୍ବାୟନାଡ୍‌ ପାର୍ବତ୍ୟାଞ୍ଚଳ ଭଙ୍ଗୁର ତଥା ଦୁର୍ବଳ ପରିସଂସ୍ଥା। ପ୍ରକୃତି ପର୍ଯ୍ୟଟନସ୍ଥଳୀ ରୂପେ ପ୍ରସିଦ୍ଧି ଲାଭ କରିଥିବା ଏହି ସବୁଜିମାଭରା ମାଳଭୂମି ଅଞ୍ଚଳକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ବ୍ୟାପକ ଭାବେ ଜଙ୍ଗଲ କଟାଯାଇ ଅନେକ ହୋଟେଲ, ରିସର୍ଟ ଗଢ଼ି ଉଠୁଛି। ବସତି ପରେ ବସତି ମୁଣ୍ଡ ଟେକୁଛି। ଧୀରେ ଧୀରେ ଏଠିକାର ପରିସଂସ୍ଥା ସଂବେଦନଶୀଳ ହୋଇପଡୁଛି। କେରଳର ଜନୈକ ଫରେଷ୍ଟ ଅଫିସର ଶଶୀଧରନ କୁହନ୍ତି, ୧୯୯୨ରେ ସେ ଦକ୍ଷିଣ ଓ୍ବାୟନାଡ୍‌ ବନଖଣ୍ଡ ଅଧିକାରୀ ଥିଲାବେଳେ, ଏବେ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିବା ମୁଣ୍ଡାକାଇ ଗ୍ରାମରେ ଅନଧିକୃତ ଭାବରେ ବସବାସ କରୁଥିବା ଅଧିବାସୀମାନଙ୍କର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଏହି ପ୍ରଚେଷ୍ଟାରେ ପ୍ରାୟ ୩୭ ଏକର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଆରମ୍ଭ ହୋଇଗଲା ରାଜନୈତିକ ବିରୋଧ ଓ ପ୍ରତିବାଦ। ସ୍ଥାନୀୟ ନେତାମାନେ ଉଚ୍ଛେଦ ହେଉଥିବା ଅଧିବାସୀମାନଙ୍କୁ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉସୁକାଇଲେ। ଗ୍ରାମବାସୀମାନେ ୬ଟି ବିଭାଗୀୟ ଜିପ୍‌ ଓ ଗୋଟିଏ ମୋଟର ସାଇକେଲ ପୋଡ଼ିଦେଲେ। ଟେକା ପଥର ମାଡ଼ରେ ଅନେକ ଷ୍ଟାଫ୍‌ ମଧ୍ୟ ଆହତ ହେଲେ। ଉଚ୍ଛେଦ ପ୍ରକ୍ରିୟା ସେହିଠାରେ ବନ୍ଦ ରହିଲା। ଏହାପରେ ସମୟକ୍ରମେ ମୁଣ୍ଡାକାଇ ଅଞ୍ଚଳରେ ବ୍ୟାପକ ଭାବେ ଅନଧିକୃତ ଜବରଦଖଲ ହେଲା। ପର୍ଯ୍ୟଟକମାନଙ୍କ ପାଇଁ ୪୫ ଡିଗ୍ରୀରୁ ଅଧିକ ଗଡ଼ାଣିଆ ସ୍ଥାନରେ ମଧ୍ୟ ହୋଟେଲ ଓ ପର୍ଯ୍ୟଟନ କୁଟୀର ଗଢ଼ାଗଲା। ତିରିଶବର୍ଷ ପରେ ଘଟିଗଲା ଆଜିର ଏହି ବିଷମୟ ସ୍ଥିତି।
ମାଲୟାଲମ ଲେଖିକା ସିଲା ଟୋନିଙ୍କର ପିଲାଦିନ ଓ୍ବାୟନାଡ୍‌ର ନୀରବ ପ୍ରକୃତି, ପ୍ରାକୃତିକ ପରିବେଶ ଓ ଜଙ୍ଗଲ କୋଳରେ କଟିଛି। ଘଞ୍ଚ ଜଙ୍ଗଲ ଓ ଅଧିକାଂଶ ଦେଶୀୟ ବୃକ୍ଷଲତା ଥିବା କାରଣରୁ ଏହି ଅଞ୍ଚଳ ଜୈବବିବିଧତାରେ ପରିପୂର୍ଣ୍ଣ। ସେଠାକାର ଆଦିମ ଅଧିବାସୀମାନେ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରି ଚଳନ୍ତି। ୨୦୧୯ରେ ସେଠାରେ ଘଟିଥିବା ଅନ୍ୟତମ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ଭୂସ୍ଖଳନ ଉପରେ ଲିଖିତ ତାଙ୍କର ଉପନ୍ୟାସ ‘ଭ୍ୟାଲି’ରେ ଉଲ୍ଲେଖ କରିଛନ୍ତି କିପରି ଅନ୍ୟ ସ୍ଥାନରୁ ଆସି ଏଠାରେ ବସବାସ କରୁଥିବା ଲୋକ ଓ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଓ୍ବାୟନାଡ୍‌ ପାଇଁ ପ୍ରକୃତ ବିପଦ ପାଲଟିଛନ୍ତି। ସେଠିକାର ଘୁମନ୍ତ ପରିବେଶରୁ କୁହୁଡ଼ି ଉଭେଇ ଯାଇଛି। ବରଂ ମରୁଡ଼ି ଓ ବନ୍ୟା ବିତ୍ପାତ ସହଚର ପାଲଟିଛି। ମନୁଷ୍ୟର ଲୋଭ ଓ ଅପରିଣାମଦର୍ଶିତା ହେତୁ ବିଗତ ପଚାଶ ବର୍ଷ ଭିତରେ ଅନେକଟା ବଦଳି ଯାଇଛି ଏକଦା ଶାନ୍ତ, ସ୍ନିଗ୍‌ଧ ଥିବା ଓ୍ବାୟନାଡ୍‌ର ରୂପରେଖ।
କେବଳ ଓ୍ବାୟନାଡ୍‌ କାହିଁକି, ସମଗ୍ର ପଶ୍ଚିମଘାଟ ପର୍ବତମାଳା ହିଁ ପରିବେଶ ସମ୍ବେଦନ ଅଞ୍ଚଳ। ଏଠାରେ ରହିଛି କ୍ରାନ୍ତୀୟ ଆର୍ଦ୍ର ଚିରହରିତ୍‌ ଅରଣ୍ୟ ଓ ଉଚ୍ଚ ଅଧିତ୍ୟକାର ‘ସୋଲା’ ଘାସ ପଡ଼ିଆ। ପଶ୍ଚିମଘାଟ ପୃଥିବୀର ଆଠଟି ମଧ୍ୟରୁ ଅନ୍ୟତମ ଜୈବବିବିଧତା ଉତ୍ତପ୍ତ ସ୍ଥଳ। ୨୦୧୧ରେ ପ୍ରମୁଖ ପରିବେଶବିତ୍‌ ମାଧବ ଗାଡ୍‌ଗିଲଙ୍କ ଅଧ୍ୟକ୍ଷତାରେ ଗଠିତ ପଶ୍ଚିମଘାଟ ପରିବେଶ ବିଶେଷଜ୍ଞ ମଣ୍ଡଳୀ ପ୍ରସ୍ତାବ ଦେଇଥିଲେ, ପଶ୍ଚିମଘାଟ ପାର୍ବତ୍ୟାଞ୍ଚଳର ୭୫ ପ୍ରତିଶତ ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳ ରୂପେ ଘୋଷଣା କରାଯାଉ। ତନ୍ମଧ୍ୟରୁ ଅତ୍ୟଧିକ ପରିବେଶ ସମ୍ବେଦନଶୀଳ ଅଞ୍ଚଳକୁ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ, ସେଠାରେ ମାନବକୃତ କାର୍ଯ୍ୟ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ। ପରବର୍ତ୍ତୀ ପର୍ଯ୍ୟାୟରେ ବୈଜ୍ଞାନିକ କସ୍ତୁରୀ ରଂଗନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଉଭୟ ଗାଡ୍‌ଗିଲ କମିଟି ରିପୋର୍ଟ ଏବଂ ସେଠିକାର ଆଞ୍ଚଳିକ ବିକାଶ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ। କସ୍ତୁରୀ ରଂଗନଙ୍କ ରିପୋର୍ଟରେ ମାତ୍ର ୩୭ ପ୍ରତିଶତ ଅର୍ଥାତ୍‌ ୬୦,୦୦୦ ବର୍ଗ କିଲୋମିଟର ପଶ୍ଚିମଘାଟ ପର୍ବତାଞ୍ଚଳକୁ ପରିବେଶ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଦର୍ଶାଯାଇଥିଲା ଏବଂ ଅନ୍ୟ ୬୦ ପ୍ରତିଶତ ସ୍ଥାନରେ ସାଂସ୍କୃତିକ ଲ୍ୟାଣ୍ଡସ୍କେପ୍‌ ଯଥା ଜନଜାତି ସ୍ଥାପନ, ହୋଟେଲ ନିର୍ମାଣ, ବୃକ୍ଷରୋପଣ ଓ କୃଷି କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଅତ୍ୟଧିକ ସମ୍ବେଦନଶୀଳ ଭଙ୍ଗୁରପ୍ରବଣ ଅଞ୍ଚଳରେ ଖଣିଖାଦାନ, ପଥର ଓ ବାଲି ଉତ୍ତୋଳନ, ତାପଜ କେନ୍ଦ୍ର ସ୍ଥାପନ, ସହର ବଜାର, ଅଟ୍ଟାଳିକା ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣରୂପେ ପ୍ରତିବନ୍ଧିତ କରାଯାଇଥିଲା।
କ୍ଷୋଭର ବିଷୟ ଗାଡ୍‌ଗିଲ କମିଟି ରିପୋର୍ଟ ଦେବାର ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏ ପର୍ଯ୍ୟନ୍ତ କସ୍ତୁରୀ ରଙ୍ଗନ ରିପୋର୍ଟ ଆଧାରରେ ପ୍ରସ୍ତାବିତ ୫୬,୮୨୫ ବର୍ଗ କିଲୋମିଟର ପର୍ବତାଞ୍ଚଳକୁ ପାରିବେଶିକ ସମ୍ବେଦନଶୀଳ ଅଞ୍ଚଳଭାବେ ଘୋଷଣା କରାଯାଇ ପାରିନାହିଁ। ତନ୍ମଧ୍ୟରୁ କେରଳ ରାଜ୍ୟରେ ପଡୁଛି ୯୯୯୩ ବର୍ଗ କିଲୋମିଟର। ସେଥିରେ ଓ୍ବାୟନାଡ୍‌ ଜିଲାର ୧୩ଟି ଗ୍ରାମ ଅନ୍ତର୍ଭୁକ୍ତ। ଓ୍ବାୟନାଡ୍‌ ବ୍ୟତୀତ ତାମିଲନାଡୁ ନୀଳଗିରି ପର୍ବତାଞ୍ଚଳର ‘ଉଟି’ ଓ ‘କୁନୁର’ରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ, ଭୂସ୍ଖଳନର ଆଶଙ୍କା କରାଯାଉଛି। ଦୁର୍ଘଟଣା ପରେ କେନ୍ଦ୍ର ସରକାର ପୁନର୍ବାର ଷଷ୍ଠଥର ପାଇଁ ଡ୍ରାଫ୍ଟନୋଟିଫିକେଶନ ଜାରି କରିଛନ୍ତି। ଆଶା କରାଯାଉଛି, ଏଥର ଏହି ବିଜ୍ଞପ୍ତି ବିଧିବଦ୍ଧ ସ୍ବୀକୃତି ଲାଭ କରିବ। ଏହା ବ୍ୟତୀତ ପାଣିପାଗ ବିଭାଗ ଅଧୀନରେ ଭୂସ୍ଖଳନ ପୂର୍ବାନୁମାନ ନିମନ୍ତେ ଏକ ଉପବିଭାଗ ମଧ୍ୟ ରହିବାର ଆବଶ୍ୟକତା ରହିଛି; ଯାହା ଭଙ୍ଗୁର ପରିବେଶରେ ଥିବା ମାଟିର ଗୁଣବତ୍ତା ସମୟ ସମୟରେ ଯାଞ୍ଚ କରି ଭୂସ୍ଖଳନର ସତର୍କ ସୂଚନା ଦେଇପାରିବ।
ପୂର୍ବତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଓଡ଼ିଶା, ଭୁବନେଶ୍ୱର
ମୋ: ୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri