ମାତୃଭାଷାର ବଶିଷ୍ଠମାନେ

ଭୁବନେଶ୍ୱରରେ ଯେତେବେଳେ ଓଡ଼ିଆ ଭାଷା ସାହିତ୍ୟର ବିଶ୍ୱ ସମ୍ମିଳନୀ ଧୁମ୍‌ଧାମ୍‌ରେ ଚାଲିଥିଲା, ସେତିକିବେଳେ ଏ ଲେଖକ ଅର୍ଥାତ୍‌ ଫେବୃଆରୀ ୪ ରେ ଜଗତ୍‌ସିଂହପୁରର ଗୋଟିଏ ଗାଁରେ ଏକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ପାଇଥିଲା। ଉତ୍ସବର ଦ୍ୱିତୀୟ ଅଧିବେଶନ ଦିନ ଦୁଇଟାରେ ଆରମ୍ଭ ହେବାର ଥିଲେ ବି ପ୍ରଥମ ଅଧିବେଶନର କବିତା ପାଠୋତ୍ସବରେ ପାଖଆଖ ଗାଁର କବି, କବୟିତ୍ରୀମାନଙ୍କ କବିତା ଆବୃତ୍ତି, ପଠନ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗଡ଼ିଚାଲିବାରୁ ଦ୍ୱିତୀୟ ଅଧିବେଶନ ବେଳକୁ ଶୀତଦିନିଆ ଛୋଟ ଦିନଟି ନଇଁ ଆସିଥିଲା। ଦ୍ୱିତୀୟ ଅଧିବେଶନର ମୁଖ୍ୟ ଅତିଥି ଅଠାନବେ ବର୍ଷର ସେହି ମଣିଷ ଜଣକ ବସିରହିଥାନ୍ତି ନିଶ୍ଚଳ ଗୋଟିଏ ବଟବୃକ୍ଷ ମୂଳରେ କାହିଁ କେଉଁକାଳୁ ଥାପନା କରାଯାଇଥିବା ସିନ୍ଦୂରମଖା ଶିଳାଖଣ୍ଡ ପରି-ବରାଭୟ ମୁଦ୍ରାରେ। କବିତା ପାଠୋତ୍ସବର ଶେଷ କବି ଜଣକ ଯେତେବେଳେ ଭକ୍ତ କବିଙ୍କ ଅନୁକରଣରେ ଲେଖିଥିବା ତାଙ୍କ କବିତା ସୁଲଳିତ କଣ୍ଠରେ ଗାନ କରିବା ଆରମ୍ଭ କରିଦେଲେ, ଅଠାନବେ ବର୍ଷୀୟ ଏଇ ପୂର୍ଣ୍ଣପକ୍ୱ ମଣିଷ ଜଣକ ତାଙ୍କର ଶିରାଳ ହାତ ଦୁଇଟି ଉପରକୁ ଟେକି ଶୂନ୍ୟରେ ତୋଳିଚାଲିଲେ ଛନ୍ଦୋବଦ୍ଧ ତାଳ-ବୟସ ଭାରାରେ ଅବନତ ହୋଇସାରିଥିବା ତାଙ୍କ କ୍ଷୀଣ ଶରୀର ବି କମ୍ପି ଉଠୁଥାଏ ସମତାଳରେ। ଉପସ୍ଥିତ ଅତିଥି ଓ ଶ୍ରୋତାମାନେ ସେଇ ଜରାଜୀର୍ଣ୍ଣ ବୃଦ୍ଧଙ୍କ ପ୍ରତି ଶ୍ରଦ୍ଧାନ୍ବିତ ନୀରବ ପ୍ରଣତି ଢାଳିଚାଲିଥିଲେ।
ଓଡ଼ିଆ ଭାଷା ସାହିତ୍ୟର ବିକାଶ, ସମୃଦ୍ଧି ତଥା ପ୍ରଚାର, ପ୍ରସାର ପାଇଁ ଆଜି ଯେତେବେଳେ ବହୁସ୍ତରରେ ମାନସ ମନ୍ଥନ ଚାଲିଛି; ଯେତେବେଳେ ଆମ ମାତୃଭାଷା ଆଜି ମରଣୋନ୍ମୁଖୀ ହେବାକୁ ବସିଛି ବୋଲି ଏକପ୍ରକାର ଆତଙ୍କରେ ଆମେ ଘାରିହୋଇ ଚାଲିଛେ, ସେତିକିବେଳେ ମଧ୍ୟ ଆମ ସମସ୍ତଙ୍କ ଅଲକ୍ଷ୍ୟରେ ମାତୃଭାଷାର ଜାହ୍ନବୀଧାରା ଅପ୍ରତିହତ ଭାବରେ ବହିଚାଲିଛି ଆମ ଛାଇ ଆଲୁଅସ୍ନାତ ପୁରପଲ୍ଲୀରେ। ଲକ୍ଷ ଲକ୍ଷ ନାମହୀନ ଗ୍ରାମ୍ୟ ଜନସାଧାରଣଙ୍କ ତୁଣ୍ଡରେ ବଞ୍ଚତ୍ରହିଛି ଆମ ମାତୃଭାଷା ତା’ର ସ୍ନିଗ୍ଧ ଲାଳିତ୍ୟ ନେଇ। ସେଦିନ ଶୁଣୁଥିଲା ଏ ଲେଖକ କବିତା ପାଠୋତ୍ସବରେ ନିଜ ନିଜ କବିତା ଗାନ କରୁଥିବା, ଆବୃତ୍ତି କରୁଥିବା ତରୁଣ, ତରୁଣୀ, ପୌଢ଼ ଓ ବୃଦ୍ଧମାନଙ୍କୁ। କାହାର କବିତାର କାବି୍ୟକ ମାନ କିପରି ସେଥିନେଇ କିଛି ମତମନ୍ତବ୍ୟ ଦେବାର ଅଧିକାର ନ ଥିଲା ଏ ଲେଖକର। କିଏ କହେ ଆମ ମାତୃଭାଷା ଆଜି ମରଣୋନ୍ମୁଖୀ ବୋଲି, କିଏ କହେ ଆଜିର ଏଇ ଅତ୍ୟାଧୁନିକ ଯାନ୍ତ୍ରିକ ସଭ୍ୟତା, ବୈଷୟିକ ବିଦ୍ୟା, ପ୍ରାବିଧିକ ଦକ୍ଷତାର ଝାଞ୍ଜପିଟା କୋଳାହଳ ଭିତରେ ଆମ ମାତୃଭାଷା ଓଡ଼ିଆ ହଜିଯାଇଛି ବୋଲି?
ଦ୍ୱିତୀୟ ଅଧିବେଶନରେ ମଞ୍ଚ ଉପରକୁ ସସମ୍ମାନେ ପାଛୋଟି ନିଆଗଲା ତଥାପି ବି ନିଜ ଭାବଜଗତରେ ତଲ୍ଲୀନ ଥିବା ଅଠାନବେ ବର୍ଷୀୟ ମୁଖ୍ୟ ଅତିଥିଙ୍କୁ- ଆଦିକବି ସାରଳା ଦାସଙ୍କ ଭୂମି ବାଣୀକ୍ଷେତ୍ର ଜଗତ୍‌ସିଂହପୁରର ଏଇ ଯୋଗ୍ୟତମ, ଶ୍ରେଷ୍ଠତମ ପାଲାକାର ଜଗନ୍ନାଥ ବେହେରାଙ୍କୁ। ଏ ଲେଖକ ତା’ର ଶୈଶବ କାଳରୁ ହିଁ ଶୁଣିଥିଲା ପାଲାକାର ଜଗନ୍ନାଥ ବେହେରାଙ୍କ ନାମ, ଶୁଣିଥିଲା ଗାୟକ ଶେଖର ଜଗନ୍ନାଥଙ୍କ ପାଲା ପରିବେଷଣର ଶୈଳୀ, ବିଷୟବସ୍ତୁ ଉପସ୍ଥାପନା, ବ୍ୟାଖ୍ୟାନ ଓ ବିଶ୍ଳେଷଣରେ ତାଙ୍କର ବୌଦ୍ଧିକ ଚାତୁରି, ଓଡ଼ିଆ ରୀତିଯୁଗୀୟ କାବ୍ୟକବିତା ଗାନ, ଆବୃତ୍ତିରେ ତାଙ୍କର ବିଲକ୍ଷଣୀୟ ପ୍ରଗଳ୍‌ଭତା। ମାତ୍ର ଆଦୌ ଭାବି ପାରି ନ ଥିଲା ଯେ ଏକଶହ ବର୍ଷର ଏରୁଣ୍ଡି ବନ୍ଧକୁ ଛୁଇଁବାକୁ ଯାଉଥିବା ଏଇ ଗାୟକଙ୍କ ଦିବ୍ୟାଶୀର୍ବାଦ ପ୍ରାପ୍ତ ସ୍ମୃତିଶକ୍ତି ଏବେବି ପୂର୍ବଭଳି ସତେଜ ବୋଲି; ଭାବିପାରି ନ ଥିଲା ଏବେ ବି ତାଙ୍କର କଣ୍ଠ, ତାଙ୍କ ସ୍ବର ଏତେ ଦୀପ୍ତ, ଏତେ ସ୍ପଷ୍ଟ, ପ୍ରାଞ୍ଜଳ ବୋଲି। ଦ୍ୱିତୀୟ ଅଧିବେଶନରେ ମଞ୍ଚାସୀନ ଅନ୍ୟ ଅତିଥିମାନେ କେହି କିଛି କହିବାକୁ ଅବସର ଦେଇ ନ ଥିଲେ ମୁଖ୍ୟ ଅତିଥି ବେହେରା ମହୋଦୟ। ଓଡ଼ିଆ ଭାଷା ସାହିତ୍ୟର ଇତିହାସ ତଥା ସାଂସ୍କୃତିକ ଐତିହ୍ୟ, ଅର୍ଦ୍ଧ ମାଗଧିରୁ ପ୍ରାକୃତ ଓ ଅପଭ୍ରଂଶ ବାଟ ଦେଇ ଓଡ଼ିଆ ଲିପି ଓ ଭାଷାର ସୃଷ୍ଟି ତଥା ବିବର୍ତ୍ତନ ସମ୍ପର୍କିତ ଅନେକ ଜଣା ଅଜଣା ତଥ୍ୟ, ଅଶୋକ ଓ ଖାରବେଳଙ୍କ ଶିଳାଲିପି ସହିତ ଅନ୍ୟାନ୍ୟ ଶିଳାଲିପିମାନଙ୍କରେ ପ୍ରଯତ୍ନ ଓଡ଼ିଆର ଆଦି ଆଭାସର ପ୍ରାମାଣିକ ବିବରଣୀଠାରୁ ଆରମ୍ଭକରି ରୀତିଯୁଗୀୟ କାବ୍ୟକବିତା ସହ ଆଧୁନିକ ଓଡ଼ିଆ ସାହିତ୍ୟର କାଳଜୟୀ କୃତିଗୁଡ଼ିକରୁ ସୁନିର୍ବାଚିତ ଉଦ୍ଧୃତି-ସବୁକିଛି ଅନର୍ଗଳ କହିଚାଲିଥାନ୍ତି, ବୋଲି ଚାଲିଥାନ୍ତି ସେ।
ଆମର ସୌଭାଗ୍ୟ, ଆଜି ଆମ ରାଜ୍ୟରେ ଜଗନ୍ନାଥ ବେହେରାଙ୍କ ଦାୟାଦ ଭାବରେ ଅଛନ୍ତି ବହୁ କୃତବିଦ୍ୟ ପାଲାକାର, ଯେଉଁମାନଙ୍କ ମଧ୍ୟରେ ମଧ୍ୟ ମଣିତୁଲ୍ୟ ଅଛନ୍ତି ବହୁ ବିଦୁଷୀ ତରୁଣୀ ଓ ମହିଳା। ସାମାଜିକ ଗଣମାଧ୍ୟମର ସୌଜନ୍ୟରୁ ଆଜି ଏଇ ଯଶସ୍ବୀ ଗାୟକ, ଗାୟିକାମାନେ ପହଞ୍ଚତ୍ ଯାଉଛନ୍ତି ଆମ ପାଖରେ ଅତି ସହଜରେ। ଏଇମାନେ ହିଁ ଆମ ମାତୃଭାଷାର ସଶସ୍ତ୍ର ପ୍ରହରି, କର୍ଣ୍ଣଧାର। ଓଡ଼ିଆ ଭାଷା ସାହିତ୍ୟକୁ ଚିରକାଳ ପାଇଁ ବଞ୍ଚାଇ ରଖିବେ ଏମାନେ। ନବଲାବଣ୍ୟ ଏମାନେ ଭରିଦେଇ ଚାଲିବେ ଆମ ମାତୃଭାଷାରେ। ଏଇମାନେ ହିଁ ପ୍ରେରିତ କରିଚାଲିଥିବେ ପୁରପଲ୍ଲୀର ଅଗଣିତ ଜନସାଧାରଣଙ୍କୁ ଆମ ମାତୃଭାଷାର ଧ୍ୱଜାକୁ ସଗର୍ବେ, ସଗୌରବେ ଉତ୍ତୋଳିତ କରି ରଖିବା ପାଇଁ। ଆଉ ଏମାନଙ୍କ ସହିତ ଯୋଗଦେଉଥିବେ ଗ୍ରାମାଞ୍ଚଳର ସାହିତ୍ୟ ଅନୁଷ୍ଠାନଗୁଡ଼ିକୁ ଚଳଚଞ୍ଚଳ କରି ରଖୁଥିବା ଶତସହସ୍ର ମାତୃଭାଷାପ୍ରେମୀ। ସହରାଞ୍ଚଳ, ନଗରାଞ୍ଚଳର ବୁଦ୍ଧିଜୀବୀ ଭାଷାବିତ୍‌ମାନେ ଭାଷାତାତ୍ତ୍ୱିକ ଆଲୋଚନା, ଗବେଷଣା ଓ ବ୍ୟାକରଣସର୍ବସ୍ବ ଜଟିଳ ବିଶ୍ଳେଷଣକୁ ଯେତେ ପ୍ରାଧାନ୍ୟ, ଅଗ୍ରାଧିକାର ଦେଲେ ମଧ୍ୟ ସ୍ବୀକାର କରିବେ ଯେ ଓଡ଼ିଆ ଭାଷା ସାହିତ୍ୟର ବିକାଶ, ସମୃଦ୍ଧି ତଥା ପ୍ରଚାର, ପ୍ରସାରର ଅସଲ ଚାବିକାଠିଗୁଡ଼ିକ ରହିଛି ଆମ ଗ୍ରାମାଞ୍ଚଳ ଲୋକ ସିନ୍ଦୁକରେ; ରହିଛି ଆମ ଲୋକ କଳାକାର, ଆମ ପାଲାକାରମାନଙ୍କ ଗାୟନ, ବାୟନ ଓ ଚାମର ଚାଳନାରେ, ତ୍ରିନାଥ ମେଳାରେ ରୁଣ୍ଡ ହେଉଥିବା ଭକ୍ତମାନଙ୍କ ଖଞ୍ଜଣିରେ, ଓଷା, ବ୍ରତ, ପର୍ବପର୍ବାଣିରେ ଗାନ କରାଯାଉଥିବା ଭଜନ, ଜଣାଣ ଓ ଲୋକଗୀତରେ- ସର୍ବୋପରି ଗ୍ରାମ୍ୟସ୍ତରରେ ଆୟୋଜିତ ହେଉଥିବା ସାହିତ୍ୟ ସଭାରେ ଓ କବିତା ପାଠୋତ୍ସବରେ। ଏଇମାନେ ଆମମାନଙ୍କୁ ଶୁଣାଇ ଚାଲିଥିବେ ଓଡ଼ିଆ ଭାଷା ସାହିତ୍ୟର ପ୍ରାଚୀନ କାକଳି ଓ ନବକାକଳି। ଆମ ମାତୃଭାଷାର ଏଇ ବଶିଷ୍ଠ ଓ ଅରୁନ୍ଧତୀମାନେ ଆମର ଚିରପ୍ରଣମ୍ୟ।

  • ଦୁର୍ଗାପ୍ରସାଦ ଆଚାର୍ଯ୍ୟ
    ମୋ-୯୮୫୩୩୫୫୧୦୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri