Posted inଫୁରସତ

୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ମାନସ କୁମାର ଷଡ଼ଙ୍ଗୀ

ପୁରୀ ଜିଲା ବିଶ୍ୱନାଥପୁର ଗାଁରେ ମୋ ଜନ୍ମ। ପିଲାଦିନେ ଯେବେ ମ୍ୟୁଜିକ୍‌ କ’ଣ ଜାଣି ନଥିଲି କି ତବଲା ବଜାଇବା କ’ଣ ବୁଝି ନଥିଲି ସେବେଠୁ ମୁଁ ତା’ ମାୟାରେ ପଡ଼ିଯାଇଥିଲି। ଏପରିକି ଘରେ ଥିବା କିଛି ପୁରୁଣା ଅବଢ଼ା କୁଡୁଆକୁ ଆଣି ତାକୁ ବାଜା କରି ବଜାଉଥିଲି। ବେଳେବେଳେ ସେଥିରୁ କିଛି ଭାଙ୍ଗି ଯାଉଥିଲା। ପୁଣି ଯେବେ ଘରକୁ ଅବଢ଼ା ଆସୁଥିଲା ସେ କୁଡୁଆ ନେଇ ଯାଉଥିଲି। ଏମିତି କରିବାର ନନା କେତେଥର ଦେଖିଲେ ଆଉ ମୋ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଚିହ୍ନି ସେ ମୋ ନାଁ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ ତବଲା ବିଭାଗରେ ଲେଖାଇଦେଲେ। ସେଠାରେ ରାମଚନ୍ଦ୍ର ପ୍ରଧାନଙ୍କଠାରୁ ମୁଁ ତବଲା ଶିଖିବା ଆରମ୍ଭ କଲି। କ୍ରମେ ଉକ୍ତ ମହାବିଦ୍ୟାଳୟର ସହଯୋଗରେ ସାକ୍ଷୀଗୋପାଳ ଓ ଆଖପାଖ ଅଞ୍ଚଳରେ ହେଉଥିବା ଭଜନ ସମାରୋହରେ ତବଲା ପରିବେଷଣ କରିବାକୁ ଲାଗିଲି। ଥରେ ସାକ୍ଷୀଗୋପାଳରେ ଥିବା ଆମ ନନାଙ୍କର ନଡ଼ିଆ ଗୋଦାମକୁ ରାଜସ୍ଥାନର ଜଣେ ଲୋକ ବୁଲି ଆସିଥାନ୍ତି। ନନାଙ୍କଠାରୁ ମୋ ବିଷୟରେ ଶୁଣି ମୋତେ ତାଙ୍କ ସାମ୍ନାରେ ତବଲା ବଜାଇବାକୁ ଡାକିଲେ। ସେଦିନ ମୁଁ ତବଲା ବଜାଇଥିଲି ଆଉ ମୋ ନାନୀ ଗୀତ ଗାଇଥିଲେ; ଯେଉଁଥିରେ ଖୁସି ହୋଇ ସେ ୫୦ ଟଙ୍କା ଉପହାର ଦେଇଥିଲେ, ଯାହାକୁ ନେଇ ମୁଁ ମୋ ନନାଙ୍କ ହାତରେ ଦେଇଥିଲି। ସେ ସମୟରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟକୁ ଗୁରୁ ଡ. ବନମାଳୀ ମହାରଣା, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଭଳି ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ବେଶ୍‌ ନାଁ କମାଇଥିବା ବିଶିଷ୍ଟ ଗୁରୁମାନେ ବେଳେବେଳେ ପରିଦର୍ଶନରେ ଆସୁଥାନ୍ତି। ସେମାନେ ମୋ ତବଲା ବାଦନର ସୁନ୍ଦର ଶୈଳୀକୁ ଦେଖି ମୋ ନନାଙ୍କୁ ପରାମର୍ଶ ଦେଲେ ମୋତେ ମର୍ଦ୍ଦଳ ଶିଖାଇବାକୁ। କାରଣ ମର୍ଦ୍ଦଳକୁ ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ସମୟରେ ବଜା ଯାଇଥାଏ। ତେଣୁ ମର୍ଦ୍ଦଳରେ କ୍ୟାରିୟର୍‌ କରିବା ପାଇଁ ମାଟ୍ରିକ୍‌ ପରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମୁଁ ଆଡ୍‌ମିଶନ୍‌ ନେଲି। ସେତେବେଳେ ଗୁରୁ ଡ. ବନମାଳୀ ମହାରଣା ଥାଆନ୍ତି ମର୍ଦ୍ଦଳ ବିଭାଗର ମୁଖ୍ୟ। ସେ ଯେହେତୁ ପୂର୍ବରୁ ମୋତେ ଜାଣିଥିଲେ ଆଉ ମୋର ବାଦ୍ୟ ଶୈଳୀକୁ ଦେଖିଥିଲେ ତେଣୁ ମୋତେ କଲେଜ ହଷ୍ଟେଲ୍‌ରେ ନ ଛାଡ଼ି ତାଙ୍କ ଘରେ ଛାଡ଼ିବାକୁ ମୋ ନନାଙ୍କୁ ପରାମର୍ଶ ଦେଲେ। ଫଳରେ ୧୯୯୯ ମସିହାରୁ ମୁଁ ତାଙ୍କ ଘରେ ରହି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ସହ ବ୍ୟକ୍ତିଗତ ଭାବେ ତାଙ୍କଠାରୁ ମର୍ଦ୍ଦଳ ଶିକ୍ଷା ନେଲି। ଏହିପରି ଭାବେ ୨୦୦୬ରେ ମୋର ମର୍ଦ୍ଦଳରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେଲା। ଅବଶ୍ୟ ତାରି ଭିତରେ ମୁଁ ଗୁରୁ ଡ. ବନମାଳୀ ମହାରଣାଙ୍କ ମର୍ଦ୍ଦଳ ଏକାଡେମୀ ତରଫରୁ ଅନେକ ଷ୍ଟେଜ୍‌ ଶୋ’ରେ ମର୍ଦ୍ଦଳ ପରିବେଷଣ କରି କିଛି କିଛି ରୋଜଗାର କରିବା ଆରମ୍ଭ କରିଦେଇଥିଲି। ତା’ସହିତ ପି.ଜି ପଢ଼ିଲାବେଳେ ମୋତେ ସିନିୟର୍‌ ସ୍କଲାର୍‌ଶିପ୍‌ ବି ମିଳିଲା। ଯେଉଁ ଟଙ୍କାରେ ନିଜ ପାଇଁ ଏକ ମର୍ଦ୍ଦଳ କିଣିବା ସହ ଘରକୁ କିଛି ଟଙ୍କା ଦେଇଥିଲି। ତେବେ ୨୦୦୫ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବରେ ପ୍ରଥମ ଥର ପାଇଁ ମୁଁ ମର୍ଦ୍ଦଳରେ ଏକକ ବାଦନ କରିବାର ସୁଯୋଗ ପାଇଥିଲି, ଯାହା ମୋତେ ଏକ ଭିନ୍ନ ପରିଚିତି ଦେଇଥିଲା। ତା’ପରେ ସ୍ନାତକୋତ୍ତର ପାସ୍‌ କରି ଚାକିରି କରିବାକୁ ଦିଲ୍ଲୀ ଚାଲିଗଲି। ସେଠାରେ ଏକ ବୋର୍ଡିଂ ସ୍କୁଲ୍‌ରେ ମର୍ଦ୍ଦଳ ବିଭାଗର ଶିକ୍ଷକ ଭାବେ ବର୍ଷେ ରହିବା ପରେ ସେ ଚାକିରି ଛାଡିଦେଲି। କାରଣ ସେଥିରେ ମୋର କିଛି କ୍ୟାରିୟର୍‌ ହୋଇ ନଥାନ୍ତା, ମୁଁ କେବଳ ଜଣେ ଶିକ୍ଷକ ହୋଇ ରହିଯାଇଥାନ୍ତି। ତେଣୁ ସେ ଚାକିରି ଛାଡି ମୁଁ ଓଡ଼ିଶୀ ନୃତ୍ୟରେ ମର୍ଦ୍ଦଳ ପରିବେଷଣ କରିବାକୁ ଲାଗିଲି ଏବଂ ତା’ସହିତ ମର୍ଦ୍ଦଳ ଏକାଡେମୀ ସହ ମଧ୍ୟ ଜଡ଼ିତ ରହିଲି। ଧୀରେ ଧୀରେ ମୋର ପରିଚିତି ବଢ଼ିଲା ଆଉ ମୋତେ ବହୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କ ସାଥିରେ ମର୍ଦ୍ଦଳ ବାଦନର ସୁଯୋଗ ମିଳିଲା; ଯେଉଁ ଧାରା ଏବେ ବି ଜାରି ରହିଛି। ୟା’ଭିତରେ ମୁଁ ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଭାରତର ପ୍ରାୟ ସବୁ ରାଜ୍ୟରେ ମର୍ଦ୍ଦଳ ପରିବେଷଣ କରି ଦର୍ଶକଙ୍କର ବହୁ ପ୍ରଶଂସା ସାଉଁଟି ସାରିଲିଣି। ସେହିପରି ଆକାଶବାଣୀର ଜଣେ ବି-ହାଇଗ୍ରେଡ୍‌ କଳାକାର ଭାବେ ଅନେକ ନାଁ ମଧ୍ୟ କମାଇ ସାରିଲିଣି। ତା’ସହିତ ଭାରତ ସରକାରଙ୍କ ତରଫରୁ ମର୍ଦ୍ଦଳ କ୍ଷେତ୍ରରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଜୁନିୟର୍‌ ଫେଲୋଶିପ୍‌ ମଧ୍ୟ ପାଇସାରିଲିଣି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?