ମସ୍କ: ମାନିବାକୁ ପଡ଼ିବ

ଟେସ୍‌ଲା ମାଲିକ, ସ୍ପେସ୍‌ଏକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶ୍ୱର ସର୍ବବୃହତ୍‌ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଆମେରିକାଭିତ୍ତିକ ମାଇକ୍ରୋବ୍ଲଗିଂ ଓ ସୋସିଆଲ ନେଟ୍‌ଓ୍ବର୍କିଂ ସର୍ଭିସ ‘ଟୁଇଟର’କୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ କମ୍ପାନୀ ମଧ୍ୟରେ ଏହି ଅଧିଗ୍ରହଣ ସର୍ବାଧିକ ମୂଲ୍ୟର ବୋଲି କୁହାଯାଉଛି। ୨୦୨୨ ଜାନୁୟାରୀରେ ସେ ଟୁଇଟର ଶେୟାର କିଣିବା ଆରମ୍ଭ କଲେ। ମାର୍ଚ୍ଚ ୧୪ ସୁଦ୍ଧା ତାଙ୍କ ପାଖରେ ଟୁଇଟରର ୫ ପ୍ରତିଶତ ଅଂଶଧନ ଥିଲା। ଏପ୍ରିଲ ୪ରେ ସେ ଉକ୍ତ ସଂସ୍ଥାର ୯.୨ ପ୍ରତିଶତ ଶେୟାର ରଖିଥିବା ବିଷୟ ଜଣାଇବା ସହ କମ୍ପାନୀର ଦ୍ୱିତୀୟ ବୃହତ୍‌ ଶେୟାରହୋଲ୍‌ଡର ହୋଇଥିଲେ। ଏବେ ତା’ର ସେ ସମ୍ପୂର୍ଣ୍ଣ ମାଲିକ ହୋଇଯାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଅନୁକରଣ କରି ଆଉ କେହି ଯେମିତି ଟୁଇଟରର ଅଂଶଧନ କିଣିବାରେ ସଫଳ ହେବେ ନାହିଁ ସେଥିପାଇଁ ମସ୍କ ବହୁତ ଚତୁରତାର ସହିତ କମ୍ପାନୀକୁ ଶେୟାର ବଜାରରୁ କାଢ଼ିନେବେ ବୋଲି ଘୋଷଣା କରିଛନ୍ତି। ଭୂପୃଷ୍ଠରେ ପରିବହନ, ମହାକାଶରେ ପର୍ଯ୍ୟଟନ ଏବଂ ଏବେ ସୂଚନା ଓ ମତ ବିନିମୟ ମଞ୍ଚରେ ମାଲିକାନା ପାଇଯାଇଥିବା ମସ୍କଙ୍କୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା। ଉଲ୍ଲେଖଯୋଗ୍ୟ, ୨୦୦୬ରେ ବିଜ୍‌ ଷ୍ଟୋନ୍‌, ଜାକ୍‌ ଡୋର୍ସି, ନୋହ ଗ୍ଲାସଙ୍କ ଦ୍ୱାରା ମିଳିତ ଉଦ୍ୟମରେ ଟୁଇଟର ଆରମ୍ଭ ହୋଇଥିଲା। ଏହାର ମୁଖ୍ୟାଳୟ କାଲିଫର୍ନିଆର ସାନ୍‌ଫ୍ରାନ୍ସସିସ୍କୋରେ ଥିବାବେଳେ ସମୁଦାୟ ୩୯୬.୫ ମିଲିୟନ ବ୍ୟବହାରକାରୀ ଅଛନ୍ତି।
ମସ୍କ ଟୁଇଟରକୁ କିଣିବା ପରେ ତାହାକୁ କି ରୂପ ଦେବେ ତା’ ଉପରେ ଏବେ ବ୍ୟବହାରକାରୀଙ୍କ ନଜର। ସର୍ବଦା ଔଦ୍ୟୋଗିକ ଚିନ୍ତାଧାରାରେ ଅଭିନବତ୍ୱ ଆଣିବାରେ ପ୍ରୟାସ କରୁଥିବା ମସ୍କ ଅଧିକ ବ୍ୟକ୍ତିଙ୍କୁ ଆକୃଷ୍ଟ କରିବା ଲାଗି ଟୁଇଟରରେ ଅନେକ ନୂଆ ଫିଚର ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ସୂଚନା ଦ୍ୱାରା ଶକ୍ତିଶାଳୀ ହେବାକୁ ଚାହୁଁଥିବା ବ୍ୟବହାରକାରୀଙ୍କ ପାଇଁ ଏଡିଟ୍‌ ବଟନ୍‌ ରହିଲେ ସେମାନେ ପୋଷ୍ଟିଂ କରିଥିବା ଟୁଇଟ୍‌କୁ ବଦଳାଇପାରିବେ। ଅର୍ଥାତ୍‌ ଟୁଇଟରରେ ଏଡିଟ୍‌ ବଟନ୍‌ ସୁବିଧା ଆସିପାରେ, ଯାହାକି ଏବେ ନାହିଁ। ଏଥିସହିତ ମସ୍କ ଅଭିବ୍ୟକ୍ତି ସ୍ବାଧୀନତା ଓ ବିଚାରଧାରାକୁ ଅଧିକ ଗୁରୁତ୍ୱ ଦେବେ ବୋଲି କହୁଛନ୍ତି। ବାସ୍ତବରେ ଜଣେ ବ୍ୟକ୍ତିଙ୍କ ଅଧୀନକୁ ସଂସ୍ଥା ଚାଲିଗଲେ ସେ ତାହାକୁ କିଭଳି ପରିଚାଳନା କରିବେ ତାହା ତାଙ୍କ ଉପରେ ନିର୍ଭର କରୁଛି। ମସ୍କଙ୍କ ଟୁଇଟର ଅଧିଗ୍ରହଣକୁ ବିରୋଧ କରି ବ୍ରିଟିଶ ଅଭିନେତ୍ରୀ ଜମିଲା ଜମିଲ୍‌ ଏହି ପ୍ଲାଟଫର୍ମରୁ ବାହାରି ଯାଇଛନ୍ତି। ସେ କହିଛନ୍ତି, ଯେହେତୁ ଟୁଇଟର ଏକ ଘରୋଇ ମାଲିକାନାକୁ ଚାଲିଯାଇଛି ସେହି ଦୃଷ୍ଟିରୁ ଦେଖିଲେ ସେଥିରୁ ଭଲ ଆଶା କରାଯାଇପାରୁ ନାହିଁ। ସେହିପରି କେତେକ ମାନବ ଅଧିକାର ସଙ୍ଗଠନ ଟୁଇଟରର ମାଲିକାନା ପରିବର୍ତ୍ତନକୁ ପ୍ରତିବାଦ କରିଛନ୍ତି। ମସ୍କ ଯେଉଁ ଅଭିବ୍ୟକ୍ତି ସ୍ବାଧୀନତା କଥା କହୁଛନ୍ତି, ତାହା ସମ୍ପୂର୍ଣ୍ଣ ଅଧିକାରକୁ ସୂଚାଉ ନାହିଁ। ବ୍ୟବହାରକାରୀଙ୍କ ସୁରକ୍ଷା ହେଉଛି ବଡ଼ କଥା ବୋଲି ମାନବ ଅଧିକାର କର୍ମୀ ଡେବରା ବ୍ରାଉନ୍‌ କହିଛନ୍ତି। ଏଥିସହିତ ଗତ ଦଶନ୍ଧି ମଧ୍ୟରେ ଟୁଇଟରକୁ ଅନେକ ସମୁଦ୍ର ପାର କରିବାକୁ ପଡ଼ିଛି। ବାକ୍‌ ସ୍ବାଧୀନତାର ବହୁତ ଅର୍ଥ ରହିଛି, ଯାହାକୁ ଅପବ୍ୟବହାର କରିବା ପାଇଁ ପୃଥିବୀର ଅନେକ ନାଗରିକ ଓ ସରକାର ପ୍ରସ୍ତୁତ ହୋଇ ବସିଛନ୍ତି। ସେଥିପାଇଁ ଟୁଇଟରର ଆଭ୍ୟନ୍ତରୀଣ ନୀତି ଅନୁଯାୟୀ ପିଲାଙ୍କୁ ଯୌନ ନିର୍ଯାତନା ଦେବା ସମ୍ପର୍କରେ ଟୁଇଟ୍‌, ଘୃଣା ଏବଂ ବିଧିବଦ୍ଧ ସରକାରୀ ମିଥ୍ୟା ପ୍ରଚାର ଭଳି ବିଷୟ ଏହି ପ୍ଲାଟ୍‌ଫର୍ମରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନୀତି ବଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୬ ଜାନୁୟାରୀ ୨୦୨୧ କ୍ୟାପିଟୋଲ ଆକ୍ରମଣ ପରେ ଟୁଇଟରରୁ ବାଦ୍‌ ଦିଆଯାଇଥିଲା। ହାସ୍ୟାସ୍ପଦ କଥା ହେଉଛି ଯେ, କୋଟିପତି ଟ୍ରମ୍ପ୍‌ ନିଜର ଏକ ଭିନ୍ନ ପ୍ଲାଟ୍‌ଫର୍ମ ସୃଷ୍ଟି କରିଥିବା ସତ୍ତ୍ୱେ ତାହା ଟୁଇଟର ଭଳି ସଫଳତା ଓ ପ୍ରଭାବଶାଳୀ ହୋଇପାରି ନାହିଁ। ବିଗତ କିଛି ବର୍ଷ ହେବ ଦେଖାଯାଉଛି ଯେ, ଅନ୍ୟକୁ ଗାଳି ଦେବା, ଘୃଣାସୂଚକ ଉକ୍ତି ବ୍ୟବହାର କରିବା କାର୍ଯ୍ୟରେ ଅନେକେ ଟୁଇଟରକୁ ବ୍ୟବହାର କରୁଛନ୍ତି। ଏଥିସହିତ ଜନମତକୁ ପ୍ରଭାବିତ କଲାଭଳି ଟୁଇଟ୍‌ କରାଯାଇ ସରକାର ପରିବର୍ତ୍ତନ କରିଦିଆଯାଉଛି। ଏଭଳି ସ୍ଥଳେ ଜେଫ୍‌ ବେଜୋସ୍‌ ଏକ ଟୁଇଟ୍‌ରେ ପଚାରିଛନ୍ତି, ମସ୍କଙ୍କ ଟୁଇଟର ଚୁକ୍ତି ଚାଇନାର କଣ୍ଟେଣ୍ଟ୍‌ ପଲିସି ବା ବିଷୟବସ୍ତୁ ସଂକ୍ରାନ୍ତ ନୀତିରେ ପରିବର୍ତ୍ତନ ଆଣିବାର ସଙ୍କେତ ଦେଉଛି କି। ଟୁଇଟର ମାଲିକାନା ବଦଳିବା ପରେ ଏହିଭଳି ଅନେକ ପ୍ରଶ୍ନ ଉଙ୍କିମାରିବା ସ୍ବାଭାବିକ। ଭାରତ ପରିପ୍ରେକ୍ଷୀରେ ଦେଖିଲେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ରାଷ୍ଟ୍ର ଉପରେ ଟୁଇଟର ପ୍ରଭାବ ଯଥେଷ୍ଟ ରହିବ। ଆଜିର ଟୁଇଟର ମାଲିକାନା ପରିବର୍ତ୍ତନ ଘୋଷଣା ପରେ ଭାରତର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ତତ୍‌କ୍ଷଣାତ୍‌ ଘୋଷଣା କରିସାରିଲେଣି ଯେ, ଟୁଇଟର ମାଲିକଙ୍କ ଇଲେକ୍‌ଟ୍ରିକ୍‌ ଚାରିଚକିଆ ଗାଡ଼ି ଟେସ୍‌ଲାକୁ ଭାରତ ବଜାରକୁ ପ୍ରବେଶ କରିବାକୁ ଅତି ଶୀଘ୍ର ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ, ଟେସ୍‌ଲାକୁ ଭାରତରେ ବିକ୍ରି କରିବାକୁ ଅନୁମତି ମିଳୁ ନ ଥିଲା। ତାହା ପରିବର୍ତ୍ତେ ଟାଟା କମ୍ପାନୀକୁ ଦେଶବ୍ୟାପୀ ପେଟ୍ରୋଲ ପମ୍ପ୍‌ ଭଳି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବାକୁ ସରକାରୀ ଅନୁମୋଦନ ମିଳିଥିଲା। ଏହାଦ୍ୱାରା କେବଳ ଟାଟା କମ୍ପାନୀ ଏକମାତ୍ର ସୁବିଧା ପାଇପାରି ଥାଆନ୍ତା। ଏବେ ସେଥିରେ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଛାଡ଼ିଦିଆଗଲା, କାରଣ ଟୁଇଟରକୁ ଅସନ୍ତୁଷ୍ଟ କଲା ଭଳି କୌଣସି କାର୍ଯ୍ୟ ମୋଦି ସରକାର କରିବାକୁ ଚାହୁଁ ନ ଥିବା ଭଳି ଜଣାପଡ଼େ।
ଆଜିର ପ୍ରଯୁକ୍ତିଚାଳିତ ଆଧୁନିକ ପୃଥିବୀରେ ଖଣିଖାଦାନ ଏବଂ କଳକାରଖାନାଠାରୁ ସୂଚନା ଓ ତଥ୍ୟ ଶିଳ୍ପର ଚାହିଦା ଯଥେଷ୍ଟ ରହିଛି। ଏଲନ୍‌ ମସ୍କଙ୍କ ଦୂରଦୃଷ୍ଟିକୁ ମାନିବାକୁ ପଡ଼ିବ। ଭାରତ ସରକାର କିଭଳି ଭାବେ ପଟ ପରିବର୍ତ୍ତନ କରି ମସ୍କଙ୍କ ଟେସ୍‌ଲା କମ୍ପାନୀ ସମ୍ମୁଖରେ ସାଷ୍ଟାଙ୍ଗ ଆତ୍ମସମର୍ପଣ କଲା ତାହା ଅନେକଙ୍କୁ କୌତୂହଳପୂର୍ଣ୍ଣ ଲାଗିପାରେ, କିନ୍ତୁ ଏହା ଦର୍ଶାଉଛି ଆଧୁନିକ ସାମାଜିକ ଗଣମାଧ୍ୟମର ଲଗାମହୀନ କ୍ଷମତା।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri