ବିନାଶ ପଥେ କଂଗ୍ରେସ

ମାସାଧିକ କାଳର କସରତ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ମନା କରିଦେଇଛନ୍ତି। ଟୁଇଟରରେ ସେ ଏହାର କାରଣ ମଧ୍ୟ କହିଛନ୍ତି। କିଶୋର କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଗଠିତ ଏମ୍ପାଓ୍ବାର୍ଡ ଆକ୍ସନ ଗ୍ରୁପ୍‌ (ଇଏଜି)-୨୦୨୪ର ଏକ ଅଂଶବିଶେଷ ଭାବେ ସେ ଦଳରେ ସାମିଲ ହେବା ଏବଂ ନିର୍ବାଚନଗୁଡ଼ିକର ଦାୟିତ୍ୱ ନେବା ସମ୍ପର୍କିତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସକୁ ତାଙ୍କ ଅପେକ୍ଷା ଅଧିକ ନେତୃତ୍ୱ ଓ ସାମଗ୍ରିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଏହାଦ୍ୱାରା ପରିବର୍ତ୍ତନକାରୀ ସଂସ୍କାର ଜରିଆରେ ଢାଞ୍ଚାଗତ ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। କିଶୋରଙ୍କ ଏହି ଟୁଇଟ୍‌ ପରେ ଏଆଇସିସି ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା କାଳବିଳମ୍ବ ନ କରି କଂଗ୍ରେସ ତାଙ୍କ ପ୍ରସ୍ତାବକୁ ପ୍ରଶଂସା କରୁଛି ବୋଲି କହିଛନ୍ତି।
ଭାରତର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ୧୩୭ ବର୍ଷରେ ପଦାର୍ପଣ କରିଥିବାବେଳେ ଏହାର ଶାସନ କେବଳ ରାଜସ୍ଥାନ ଓ ଛତିଶଗଡ଼ରେ ସୀମିତ ହୋଇଯାଇଛି। ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଲଗାତର ପରାଜୟ କଂଗ୍ରେସକୁ ମୂଳରୁ ଦୁର୍ବଳ କରିଦେଲାଣି। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଓ ଅନ୍ୟ ରାଜ୍ୟଗୁଡ଼ିକର ବିଧାନସଭା ଭୋଟରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସକୁ ଏକ ବଳିଷ୍ଠ ନେତୃତ୍ୱର ଆବଶ୍ୟକତା ରହିଛି, ଯାହାକି ସୋନିଆ କିମ୍ବା ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପୁଅ ରାହୁଲ ଗାନ୍ଧୀଙ୍କଠାରେ କେବଳ ଦଳୀୟ ନେତା-କର୍ମୀ ନୁହନ୍ତି, ଦେଶବାସୀ ମଧ୍ୟ ଦେଖିବାକୁ ପାଉନାହାନ୍ତି। କଂଗ୍ରେସରେ ଆମୂଳଚୂଳ ନେତୃତ୍ୱ ପରିବର୍ତ୍ତନ ପାଇଁ ଅସନ୍ତୁଷ୍ଠ ଗୋଷ୍ଠୀ ଜି-୨୩ ଦାବି କରିଆସୁଛି। ତେଣୁ କିଶୋର ଏହାର ସୁଯୋଗ ନେଇ କଂଗ୍ରେସରେ ଏକ ବଡ଼ ଭୂମିକା ଖୋଜୁଥିଲେ।
ଗାନ୍ଧୀ ପରିବାରରୁ ଜଣେ କଂଗ୍ରେସ ମଙ୍ଗ ଧରନ୍ତୁ, କିନ୍ତୁ ଜଣେ ଅଣଗାନ୍ଧୀଙ୍କୁ ଦଳର ଉପାଧ୍ୟକ୍ଷ କରାଯାଉ ବୋଲି ସେ ନିଜ ପାଇଁ ମୂଲଚାଲ କରୁଥିଲେ ବୋଲି ଦିଲ୍ଲୀ କଂଗ୍ରେସ ମହଲରେ ଆଲୋଚନା ହେଉଛି। ହେଲେ କଂଗ୍ରେସରେ ତାଙ୍କୁ ସେଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେବାକୁ ଏକ ବଡ଼ ଗୋଷ୍ଠୀ ବିରୋଧ କରିଥିବା ଜଣାପଡ଼ିଛି।
ଦେଖିବାକୁ ଗଲେ ପ୍ରଶାନ୍ତ କିଶୋର ଜଣେ ରାଜନେତା ନୁହନ୍ତି, ସେ ଜଣେ ରଣନୀତିକାର। ୨୦୧୪ ସାଧାରଣ ନିର୍ବାଚନରେ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚାଏ ପେ ଚର୍ଚ୍ଚା ଏବଂ ଥ୍ରୀ ଡି ରାଲି ଭଳି ଅଭିନବ ମାର୍କେଟିଂ ତଥା ବିଜ୍ଞାପନ ଅଭିଯାନ ଚଳାଇ ଚର୍ଚ୍ଚାକୁ ଆସିଥିବା ବିହାରର ଏହି ବ୍ୟକ୍ତି ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାଇଁ କାମ କରିଥିଲେ। ଜେଡିୟୁ ତାଙ୍କୁ ଉପାଧ୍ୟକ୍ଷ କରିଥିଲା। ହେଲେ ନୀତୀଶଙ୍କ ସହ ମତଭେଦ ପରେ ସେ ସକ୍ରିୟ ରାଜନୀତିରୁ ଓହରି ପୁଣି ରାଜନୈତିକ ବେପାରକୁ ଫେରିଥିଲେ। କିଶୋର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପାଇଁ ଗତ ବିଧାନସଭା ନିର୍ବାଚନରେ ସଫଳ ରଣନୀତି ପ୍ରସ୍ତୁତ କରି ଶାସକ ଦଳର ହ୍ୟାଟ୍ରିକ୍‌ ବିଜୟ ସୁନିଶ୍ଚିତ କରିଥିବାବେଳେ ତାଙ୍କ ଇଣ୍ଡିଆନ୍‌ ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି) ଅନ୍ୟ ରାଜ୍ୟଗୁଡ଼ିକରେ କେତେକ ଆଞ୍ଚଳିକ ଦଳକୁ ଜିତାଇବା ଲାଗି ଆଲୋଚନା ଚଳାଇଥିଲା। ଏପ୍ରିଲ ୨୪ରେ ଆଇ-ପିଏସି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସହ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଚୁକ୍ତିବଦ୍ଧ ହୋଇଛି। କଂଗ୍ରେସ ଏହାକୁ ‘କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ’ ବା ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ବୋଲି ବିଚାର କରି ପ୍ରଶାନ୍ତ କିଶୋରଙ୍କ ମୁଣ୍ଡରେ ଏକତରଫା ନିଜ ନିର୍ବାଚନୀ ରଣନୀତିର ବୋଝ ଲଦିଦେବାକୁ ଚାହୁଁଥିଲା। ହିସାବ ନ ଛିଣ୍ଡିବା ପରେ ସେ ମୁହଁ ମୋଡ଼ିଛନ୍ତି। କିଛିଦିନ ପୂର୍ବରୁ ପ୍ରଶାନ୍ତ କିଶୋର ନିର୍ବାଚନୀ ରଣନୀତିକାର ଭାବେ ଆଉ କାର୍ଯ୍ୟ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ସମ୍ଭବତଃ ତାଙ୍କ ମହତ୍ତ୍ୱାକାଂକ୍ଷା ଆଉ ‘କିଙ୍ଗ୍‌ ମେକର’ ଭୂମିକା ନେବାକୁ ଅନୁମତି ଦେଇ ନ ଥିଲା। ତେବେ କଂଗ୍ରେସର କୁଣ୍ଠାବୋଧ ପରେ ପ୍ରଶାନ୍ତ କିଶୋର ବ୍ୟବସାୟିକ ଦୃଷ୍ଟିରୁ ଅଧିକରୁ ଅଧିକ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ପାଇଁ କାମ କରିବାକୁ ପସନ୍ଦ କରିଥାଇପାରନ୍ତି।
କଂଗ୍ରେସରେ ଚାଲିଆସିଥିବା ଧାରାକୁ ଦେଖିଲେ ବରିଷ୍ଠ ନେତାମାନଙ୍କୁ ଲଗାତର ହତାଦର କରାଯାଉଥିବାର ଅନେକ ନଜିର ରହିଛି। ଆସାମରେ ତରୁଣ ଗୋଗୋଇ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ହିମନ୍ତ ବିଶ୍ୱଶର୍ମା କଂଗ୍ରେସରେ କୋଣଠେସା ହୋଇ ଶେଷରେ ଭାଜପାରେ ଯୋଗଦେଇଥିଲେ। ସର୍ବାନନ୍ଦ ସୋନୋଓ୍ବାଲଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଏବେ ଭାଜପା ଶାସିତ ଆସାମରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି କ୍ୟାପ୍‌ଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଥିବାବେଳେ କଂଗ୍ରେସ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ପଦ ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ଅମରିନ୍ଦର ପଞ୍ଜାବ ଲୋକ କଂଗ୍ରେସ ନାମରେ ନୂଆ ଦଳ ଗଢ଼ି ଭାଜପା ସହ ମେଣ୍ଟ କରିଥିଲେ। ସେହିପରି ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଭଳି ଯୁବ ପ୍ରତିଭାଙ୍କୁ ଦଳ ନିଜ ସହ ରଖିପାରୁ ନାହିଁ। ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଦିଲ୍ଲୀ ଯାଇଥିବା କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୁରୁଖା ନେତାମାନେ ସୋନିଆ-ରାହୁଲଙ୍କୁ ଭେଟିବାର ସୁଯୋଗ ନ ପାଇ ନିରାଶ ହୋଇ ଫେରିଥାଆନ୍ତି। କଂଗ୍ରେସ କ୍ଷମତାରେ ନ ଥିଲେ ବି ପୂର୍ବ ମାନସିକତା ଛାଡ଼ିପାରୁ ନାହିଁ। ଏଥିଯୋଗୁ କଂଗ୍ରେସ ଛାଡ଼ୁଥିବା ନେତାମାନେ ଦଳ ପ୍ରତି ନକାରାମତ୍କ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥାଏ। ଏଥିରୁ ବୁଝାପଡ଼ୁଛି ଯେ, କଂଗ୍ରେସ ନିଜକୁ ଭାଜପାର ରାଜନୈତିକ ବିକଳ୍ପ ଭାବେ ଆଉ ଦେଖିପାରୁ ନାହିଁ। ଦୁଃଖର ବିଷୟ ମୁଖ୍ୟ ବିରୋଧୀ ଦଳ ଭାବେ ଜାଗା ମାଡ଼ି ଅନ୍ୟ କୌଣସି ଦଳକୁ ମଧ୍ୟ ବାଟ ଛାଡ଼ୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri