ହତ୍ୟା ଓ ହାସ୍ୟକଥା

ଡ. କୁଳାଙ୍ଗାର

ମର୍ଡର ବା ହତ୍ୟା କରିବା ଏମିତି ନିତି ଦିନିଆ କଥାରେ ପରିଣତ ହେଲାଣି ଯେ ଆମ ପରି ବ୍ୟଙ୍ଗ ଲେଖକ ମଧ୍ୟ ମର୍ଡର ପରି ସାଂଘାତିକ ପ୍ରସଙ୍ଗରେ ଦିବ୍ୟଜ୍ଞାନ ଦେବାକୁ ବାହାରିଲେଣି। ମହତ୍‌ ଜନେ କହିଛନ୍ତି, ଯେତେବେଳେ ଯୋଉକଥା। ଅତଏବ ଆମ ଚାରିପାଖରେ ଯେତେବେଳେ ହତ୍ୟାକାଣ୍ଡମାନ ବାରମ୍ବାର ଘଟୁଛି ସେତେବେଳେ ଆମେ ସେ କଥା ଲେଖିବାକୁ ବାଧ୍ୟ ହେଉଛୁ। ଏ କଥା ଲେଖିବା ପୂର୍ବରୁ ଆମେ ପ୍ରଥମେ ନିଜକୁ ତାଗିଦ୍‌ କଲୁ କି ଏପରି କଥା ଲେଖିବା ଦ୍ୱାରା ଏହାର ପ୍ରୋତ୍ସାହନ ହୋଇଯିବନି ତ?
ନିଜେ ଏହାର ଉତ୍ତର ମଧ୍ୟ ଦେଇଦେଲୁ କି – ଆମେ ଆଗରୁ ତୈଳଦର ହ୍ରାସର ଲାଭ ସମ୍ପର୍କରେ ଲେଖିଛୁ, ତାହା କ’ଣ ହୋଇଛି କି? ଆମେ ପୂର୍ବରୁ ମଦ୍ୟପାନ ଓ ବିକ୍ରୟର ନିଷିଦ୍ଧ ସମ୍ପର୍କରେ ଲେଖିଛୁ, ତାହା କ’ଣ ହୋଇଛି କି?? ଅତଏବ ମର୍ଡର କରିବାର ସହଜ ଉପାୟ ସମ୍ପର୍କରେ ଲେଖିଲେ ଯେ ମର୍ଡର ବଢ଼ିଯିବ ତାହା ଯେଉଁମାନେ ଭାବୁଛନ୍ତି, ସେମାନେ ନିର୍ଭୟରେ ଏ ରଚନା ପଢ଼ନ୍ତୁ।
ମହାଜନୋ ଯେନ ଗତଃ ସ ପନ୍ଥାଃ ନ୍ୟାୟରେ ଆଜିକାଲି ବଡ଼ଲୋକମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ହେବାର ଘନଘନ ଶୁଣିବାକୁ, ପଢ଼ିବାକୁ ମିଳୁଛି। ତେବେ ବଡ଼ଲୋକମାନେ ହିଁ ମର୍ଡର କରି ଚଳେଇ ଦେଇ ପାରନ୍ତି ନା ମର୍ଡରରମାନେ ଏ ଦୁନିଆରେ ବଡ଼ ଲୋକ ହୋଇପାରନ୍ତି? ଏଥି ସମ୍ପର୍କରେ ଆମର ଗବେଷଣା ଜାରି ରହିଛି।
କଳକାରଖାନା ପ୍ରତିଷ୍ଠା, ବିସ୍ଥାପନ, ପ୍ରତିଯୋଗିତା, ବ୍ୟବସାୟ ଆଦିର ଆରମ୍ଭ ହତ୍ୟାକାଣ୍ଡରୁ ଆରମ୍ଭ ହେବା ସାଧାରଣ ଘଟଣାରେ ପରିଣତ ହେଲାଣି। ହତ୍ୟାକାଣ୍ଡରେ ତ ଆମର ଇତିହାସ ସମୃଦ୍ଧ। ଦେବତାମାନେ ହତ୍ୟାକାଣ୍ଡ ଜରିଆରେ ହିଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଏବଂ ନାନା କଟକଣା ପରେ ମଧ୍ୟ ଅନେକ ଦେବଦେବୀ ଆଜି ପର୍ଯ୍ୟନ୍ତ ଭକ୍ତଙ୍କୁ ହତ୍ୟା ପାଇଁ ପ୍ରେରିତ କରି ଆସିଛନ୍ତି।
ହତ୍ୟାକାଣ୍ଡର ଫଟୋଚିତ୍ର ଓ ଖବର ଖବରକାଗଜର ମୁଖ୍ୟପୃଷ୍ଠାରେ ସସମ୍ମାନେ ସ୍ଥାନ ପାଇଥାଏ। ଏମିତି ଖବର ପଢ଼ିବାକୁ ଓ ହତ୍ୟା ସମ୍ପର୍କରେ ଟିକିନିଖି ଜାଣିବାକୁ କାଳେ ଲୋକେ ଅଧିକ ବ୍ୟାକୁଳ! ସତେ ଯେମିତି ସେମାନେ ମଧ୍ୟ ହତ୍ୟା କରିବାର ଉପାୟ ଜାଣିବାକୁ ଚାହୁଁଛନ୍ତି, ଅଥବା ମର୍ଡର କରିବାକୁ ପ୍ରସ୍ତୁତ ହେଉଛନ୍ତି! ଯଦି ଆପଣ ସେଇମାନଙ୍କ ଭିତରୁ ଜଣେ, ଅର୍ଥାତ୍‌ ମର୍ଡର କରିବାକୁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ପ୍ରଥମେ ବଡ଼ଲୋକଙ୍କୁ ହାତ କରନ୍ତୁ। ବଡ଼ମାନେ ବଡ଼ କ୍ଷମତା, ଧନ, ସମ୍ପତ୍ତି ଯାହାଙ୍କର ଥିବ। ଏତେ ଥିବ ଯେ ସେଠାରେ ମଣିଷ ଜୀବନ ମଧ୍ୟ ଛୋଟ ପରିଗଣିତ ହେଉଥିବ। ସେମିତି ବଡ଼ ଲୋକମାନଙ୍କ ଉପରେ ନାନା ବଡ଼ ଅଭିଯୋଗ ଉଠେ କିନ୍ତୁ ତାହା ଦିନ କେତେରେ ପୁଣି ଛୋଟ ହୋଇଯାଏ। ବଡ଼ଲୋକ କିନ୍ତୁ ସେମିତି ବଡ଼ ହୋଇ ଥାଆନ୍ତି। ଏପରି ହତ୍ୟା ଅଭିଯୋଗ ସବୁ ଓଲଟି ତାଙ୍କର ଗରିମା ବଢ଼ାଏ। ଲୋକ ମୁଖରେ ସିଏ ଦୁର୍ଦ୍ଧର୍ଷ, ଦୁଃସାହସୀ ବୋଲାନ୍ତି। ଏତେଟା ହତ୍ୟାରେ ସମ୍ପୃକ୍ତି ଅଭିଯୋଗ ଥାଇ ବି ସ୍ବଚ୍ଛନ୍ଦରେ ଚଳପ୍ରଚଳ ପାଇଁ ସାବାସୀ ପାଆନ୍ତି।
ଯଦି ଆପଣ ନିଜେ ବଡ଼ ଲୋକ ନୁହନ୍ତି କିନ୍ତୁ ମର୍ଡର କରିବାକୁ ହମହମ ହେଉଛନ୍ତି ତେବେ ସେମିତି କେହି ବଡ଼ଲୋକଙ୍କର ଆପଣାର ଲୋକ, ଚେଲା କିମ୍ବା ସମର୍ଥକ ହୋଇଯାଆନ୍ତୁ ଏବଂ ତାହା ପରେ ମର୍ଡର ପରି ସାଂଘାତିିକ ମାମଲା କଥା ଚିନ୍ତା କରିବେ। କାରଣ ସ୍ବର୍ଗ, ମର୍ତ୍ତ୍ୟ ଅବା ପାତାଳ, ସବୁଠି ବଡ଼ ଲୋକମାନଙ୍କର କାଟ୍‌ତି ହିଁ ଚାଲେ। ସେମାନଙ୍କ କଥାକୁ ମାଟିଆ ମାମୁମାନେ ସସମ୍ମାନେ ଗ୍ରହଣ କରନ୍ତି।
ମର୍ଡର କାରବାର ଆରମ୍ଭ କରିବା ପୂର୍ବରୁ ମାମୁଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। କାରଣ ମର୍ଡର କଲା ପରେ ତାଙ୍କରି ସହିତ ହିଁ ଆପଣଙ୍କୁ ଚଳିବାକୁ ହେବ। ମାମୁ ଘରକୁ ବାରମ୍ବାର ଧାଇଁବାକୁ ପଡ଼ିପାରେ, ତାଙ୍କ ଘରେ ଅଧିକ ଦିନ ରହିବାକୁ ପଡ଼ିପାରେ। ମାମୁ ଯଦି ଆପଣଙ୍କ ପ୍ରତି ପ୍ରୀତ ଥିବେ ତେବେ ଆପଣଙ୍କୁ ନ ଢୁକେଇ, ପିଟାପିଟି ନ କରି ଅଟକ ରଖି ପାରନ୍ତି। ଖସେଇ ଦେବାରେ ସହଯୋଗ କରି ପାରନ୍ତି। ଏମିତି ନାନା ଉପାୟ ବତାଇ ଦେଇ ପାରନ୍ତି। ମାମୁମାନେ ଚୋରଧରାଠୁ ଭଦ୍ରତା ସୁରକ୍ଷା ଯାଏ ନାନା କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଅନେକ ହତ୍ୟା ମାମଲା ଅସମାହିତ ରହିଯାଏ। ସେଥିରେ ଆପଣଙ୍କ ମାମଲାଟି ଯୋଡ଼ି ହୋଇଗଲେ ତ କାମ୍‌ ଫତେ!
ହତ୍ୟା କରିବା ପାଇଁ ଉପଯୁକ୍ତ ଯୋଜନା କରିବାକୁ ହୋଇଥାଏ। ସାକ୍ଷୀ ପ୍ରମାଣ ଛାଡ଼ିବାକୁ ହୋଇଥାଏ। ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ ହୋଇଥାଏ। ହତ୍ୟା ପରେ ପରିଣାମ କ’ଣ ହେବ ସେ ସମ୍ପର୍କରେ ଅବଗତ ହେବାକୁ ପଡ଼ିଥାଏ। ଏସବୁ ଢିଲା ଥିଲେ, ବହୁ ସମୟରେ ଅପରାଧୀ ମାମଲାରୁ ଛାଡ଼ ପାଇଯିବାର ସମ୍ଭାବନା ଥାଏ।
ଆପଣ ତ ତାକୁ ଜାଣିଥିବେ। ବାହାଘର ପରଠୁ ସିଏ ଘରଜ୍ୱାଇଁ ହୋଇ ଶ୍ୱଶୁର ଘରେ ରହିଛି। ସିଏ ମନେମନେ ଭାବିଲା ମୋର ବନ୍ଧୁବାନ୍ଧବ, ଚିହ୍ନାଜଣାରେ ବହୁତ ଲୋକ ହତ୍ୟାକରି ସୁଖରେ ଅଛନ୍ତି, ଉନ୍ନତି କରିଛନ୍ତି। ମୁଁ କେମିତି ହତ୍ୟାକାଣ୍ଡରେ ସାମିଲ୍‌ ହୋଇ ଆଗକୁ ବଢ଼ନ୍ତି!
ସିଏ ମନକଥା ନିଜର ଘରଣୀକୁ ଖୋଲି କହିଲା। ଘରଣୀ ତା’ କଥା ଶୁଣି ବଡ଼ବଡ଼ ଆଖି କରି ପଚାରିଲା – ହୈଏ! ତମେ ଜାଣିଛ କି ନାଇଁ ହତ୍ୟା ଗୋଟେ ସାଂଘାତିକ ଅପରାଧ?
ସିଏ କହିଲା – ହଁ ଯେ… ତମେ ପରା ନିଜେ କହୁଥିଲ କି ରିସ୍କ୍‌ ନ ନେଲେ ଆଗକୁ ବଢ଼ି ହବନି! ପୁଣି ଖବରକାଗଜ କି ଟିଭିରେ ଫଟୋ ନ ବାହାରିବାରୁ ତୁମର ମନ ଦୁଃଖ। ବାସ୍‌ ଏସବୁର ସମାଧାନ ଏହା ଜରିଆରେ ହୋଇଯିବ କି ନାଇଁ?
ଘରଣୀ ପଚାରିଲେ – ହେଲା ଯେ…। ତମେ ଯଦି ଧରା ପଡ଼ିଯାଅ, ତା’ ହେଲେ ଭାବିଲ ଦେଖି, ଜେଲରେ ରହିପାରିବ? ଘରଣୀର ପ୍ରଶ୍ନର ଉତ୍ତର ନ ଦେଇ ସିଏ ମନେମନେ କହିହେଲା- ତମ ଘରେ ଏତେବର୍ଷ ରହିଲିଣି ମାନେ, ଜେଲରେ ରହିବାରେ କିଛି ଅସୁବିଧା ହେବନି।
ତା’ କଥା ତ ଜାଣିଲେ, ଏବେ ମୋ କଥା ଜାଣନ୍ତୁ! କେହି ପଚାରି ପାରନ୍ତି କି ଯଦି ମର୍ଡର କରିବା ଏତେ ସହଜ, ତେବେ ମୁଁ କେତେଟା ମର୍ଡର କରିଛି? ସେମାନଙ୍କ ପାଇଁ ଉତ୍ତର – ଏମିତିରେ ମୁଁ ଅଗଣିତ ହତ୍ୟା କରିଛି। ଅସଂଖ୍ୟ ଅସରପା, ମୂଷା, ମଶା, ପିମ୍ପୁଡି, କାଇ, ମାଛ, କୁକୁଡ଼ା ଆଦି ମର୍ଡର କରିବାର ରେକର୍ଡ ମୋର ରହିଛି।
ଉପରୋକ୍ତ ବ୍ୟାଖ୍ୟାନଟି ଯଦି ମଣିଷ ମର୍ଡରକଥା ବୋଲି ଆପଣ ଉତ୍ସାହିତ ହୋଇ ଭାବୁଥିଲେ ଏବଂ ଏବେ ନିରାଶ ହେଉଛନ୍ତି, ତେବେ ଜଣାଇ ଦେଉଛି କି ମୁଁ ଏପର୍ଯ୍ୟନ୍ତ ମଣିଷ ମର୍ଡର କରିନାହିଁ। କରିଥିଲେ କ’ଣ ଆଉ ଏମିତି ବ୍ୟଙ୍ଗକାରଟିଏ ହୋଇ ଥାଆନ୍ତି ନା ଆପଣ ମୋର ରଚନାକୁ ଏତେ ଶ୍ରଦ୍ଧାରେ ପଢ଼ିବାକୁ ଆଗ୍ରହ କରୁଥାଆନ୍ତେ??
ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri