ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକାଧିକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି। ଏହାପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆନ୍ତର୍ଜାତୀୟ ସୀମା (IB) ଏବଂ ନିୟନ୍ତ୍ରଣ ରେଖା (LoC) ସଂଲଗ୍ନ ସାମ୍ବା, ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ପ୍ରାୟ ୫ଟି ଡ୍ରୋନ ଗତିବିଧି ନଜରକୁ ଆସିବା ପରେ ସେନା ଓ ପୋଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।
ସନ୍ଧ୍ୟା ପ୍ରାୟ ୬:୩୫ ସମୟରେ ନୌସେରା ସେକ୍ଟରର ଗନିଆ-କାଲସିଆନ ଗ୍ରାମ ଉପରେ ଏକ ଡ୍ରୋନ ଉଡ଼ୁଥିବା ଦେଖି ଭାରତୀୟ ସେନା ମେସିନ ଗନରୁ ଗୁଳି ଚାଳନା କରିଥିଲେ। ସେହିପରି ତେରିୟାଥ ଅଞ୍ଚଳରେ ମଧ୍ୟ ଏକ ଆଲୋକ ଜଳୁଥିବା ସନ୍ଦିଗ୍ଧ ବସ୍ତୁ ଦେଖାଯାଇଥିଲା।
ସେହିପରି ମାଙ୍କୋଟ ସେକ୍ଟରର ତାଇନରୁ ଟୋପା ଅଭିମୁଖେ ସନ୍ଧ୍ୟା ୬:୨୫ରେ ଏକ ଡ୍ରୋନ ଗତି କରୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ। ରାମଗଡ଼ ସେକ୍ଟରର ଚକ ବାବ୍ରାଲ ଗ୍ରାମ ଉପରେ ସନ୍ଧ୍ୟା ୭:୧୫ ସମୟରେ ଏକ ଡ୍ରୋନ କିଛି ସମୟ ଧରି ଉଡ଼ୁଥିବା ଦେଖାଯାଇଥିଲା।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଡ୍ରୋନଗୁଡ଼ିକ ପାକିସ୍ତାନ ପଟୁ ଭାରତୀୟ ଆକାଶ ସୀମାକୁ ପ୍ରବେଶ କରି କିଛି ସମୟ ବୁଲିବା ପରେ ପୁଣି ଫେରିଯାଇଥିଲେ। ସୀମାରେ ମାରଣାସ୍ତ୍ର କିମ୍ବା ନିଶାଦ୍ରବ୍ୟ ପକାଯାଇଥିବା ଆଶଙ୍କା କରି ସେନା, ପୋଲିସ ଏବଂ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ମିଳିତ ଭାବେ ତଲାସି ଅଭିଯାନ ଚଲାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ରାତିରେ ସାମ୍ବା ଜିଲ୍ଲାରୁ ଡ୍ରୋନ ଯୋଗେ ପଠାଯାଇଥିବା ଦୁଇଟି ପିସ୍ତଲ, ଗ୍ରେନେଡ ଏବଂ ଗୁଳିଗୋଳା ଜବତ କରାଯାଇଥିଲା। ଏହି ଘଟଣାର ମାତ୍ର କିଛି ଦିନ ପରେ ପୁଣିଥରେ ଏଭଳି ଡ୍ରୋନ ଅନୁପ୍ରବେଶ ସୁରକ୍ଷା ବାହିନୀ ପାଇଁ ଚିନ୍ତାର ବିଷୟ ପାଲଟିଛି।


