କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି। ଏହି ଅବସରରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଅଙ୍ଗନଓ୍ୱାଡ଼ି କର୍ମୀ ସଂଗୀତା ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୨ ନମ୍ବର ୱାର୍ଡର ସହାୟିକା ଜ୍ୟୋତିର୍ମୟୀ ରାଉତ, ଆଶାକର୍ମୀ ସଇଳେନ୍ଦ୍ରି ବାଗଙ୍କ ସମେତ ଗର୍ଭବତୀ ମହିଳା ଓ ଛୋଟ ଶିଶୁଙ୍କ ମା’ମାନେ ଯୋଗଦେଇଥିଲେ। ଏହି ଅବସରରେ ସେମାନେ ୱାର୍ଡର ବିଭିନ୍ନ ଗଳିକନ୍ଦି ବୁଲି ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେବା ସହ ଲୋକଙ୍କୁ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ମା’ କ୍ଷୀରର ଗୁରୁତ୍ୱ, ଶିଶୁ ଜନ୍ମ ପରେ ଯଥାଶୀଘ୍ର ସ୍ତନ୍ୟପାନ ଆରମ୍ଭ କରିବା, ଶିଶୁର ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦେବା ଏବଂ ଶିଶୁର ଉତ୍ତମ ଶାରୀରିକ ଓ ମାନସିକ ବିକାଶରେ ସ୍ତନ୍ୟପାନର ଭୂମିକା ସମ୍ପର୍କରେ ମା’ମାନଙ୍କୁ ସଚେତନ କରାଯାଇଥିଲା।
ଏହି ଅବସରରେ ମା’ କ୍ଷୀର ଶିଶୁ ପାଇଁ ପ୍ରକୃତିର ଏକ ଅମୂଲ୍ୟ ଉପହାର ବୋଲି ମତ ପ୍ରକାଶ ପାଇଥିଲା। ସ୍ତନ୍ୟପାନ ଦ୍ୱାରା ଶିଶୁକୁ ଆବଶ୍ୟକ ପୋଷଣ ମିଳିବା ସହ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ମିଳିଥାଏ। ଏଥିସହ ମା’ ଓ ଶିଶୁ ମଧ୍ୟରେ ଭାବନାତ୍ମକ ସମ୍ପର୍କ ମଧ୍ୟ ଅଧିକ ଦୃଢ଼ ହୋଇଥାଏ ବୋଲି ଉପସ୍ଥିତ ମହିଳାମାନଙ୍କୁ ବୁଝାଇ ଦିଆଯାଇଥିଲା। “ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ପାଇଁ ସ୍ତନ୍ୟପାନ ସମ୍ପର୍କରେ ପ୍ରତ୍ୟେକ ମା’ଙ୍କ ମଧ୍ୟରେ ସଠିକ୍ ସଚେତନତା ରହିବା ଆବଶ୍ୟକ” ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ ଉପସ୍ଥିତ ମା’ମାନେ ଶିଶୁମାନଙ୍କ ସୁସ୍ଥ ବିକାଶ ପାଇଁ ନିୟମିତ ସ୍ତନ୍ୟପାନ ଓ ଉପଯୁକ୍ତ ପୋଷଣ ସମ୍ପର୍କରେ ସଚେତନ ରହିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ କରିଥିଲେ।

