Posted inଫୁରସତ

ମା’

ମା’ ଶବ୍ଦର କଳନା ନାହିଁ କି ତା’ ମମତାର ତୁଳନା ନାହିଁ। ତା’କୋଳରେ ଟିକେ ଶୋଇପଡିଲେ ମନକୁ ମିଳିଯାଏ ଶାନ୍ତି। ତା’ପଣତ ତଳେ ନ ଥାଏ କିଛି କଥାକୁ ଭୟ। ଭଗବାନଙ୍କ ଏକ ସୁନ୍ଦର ଉପହାର ହେଉଛି ମା’। ଯିଏକି ପିଲା ଉପରକୁ ଆସୁଥିବା ବିପଦ ସାମ୍ନାରେ ସବୁବେଳେ ଢାଲ ହୋଇ ଠିଆ ହୁଏ। ନିଜ ଜୀବନଠାରୁ ଅଧିକ ଗୁରୁତ୍ୱ ଦିଏ ତା’ ପିଲାର ଜୀବନକୁ। ସେଥିପାଇଁ ମା’କୁ କୁହାଯାଏ ଜନ୍ମଦାତ୍ରୀ, ଜୀବନଦାତ୍ରୀ। ଏଠାରେ ସେମିତି କେତେଜଣ ମା’ଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଉଛି; ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ବିପଦରେ ପଡିଥିବା ନିଜ ପିଲାଙ୍କୁ ବଞ୍ଚାଇଛନ୍ତି…
୩ ଘଣ୍ଟାର ସଂଘର୍ଷ ପରେ ନଈରୁ ପୁଅକୁ ରକ୍ଷା କଲା ମା’
ରାୟଗଡ଼ା ସଦର ବ୍ଲକ କୁମ୍ଭୀକଟା ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜାପାଇ ଗ୍ରାମର ବାସିନ୍ଦା ହେଲେ ନନ୍ଦୀ ମାଣ୍ଡାଙ୍ଗୀ। ତାଙ୍କୁ ଏବେ ୨୭ ବର୍ଷ ବୟସ। ସ୍ବାମୀ ପରିତ୍ୟକ୍ତା ନନ୍ଦୀଙ୍କର ସାହାରା କହିଲେ ତାଙ୍କର ବୃଦ୍ଧ ବାପାମା’ ଓ ୭ ବର୍ଷର ପୁଅ ରୋହିତ କୁଲେସିକା। ନନ୍ଦୀଙ୍କର ବାପାମା’ ଏବେ ଶଯ୍ୟାଶାୟୀ। ତେଣୁ ଘରର ସବୁ ଦାୟିତ୍ୱ ନନ୍ଦୀଙ୍କ କାନ୍ଧରେ। ପରିବାରର ଗୁଜରାଣ ମେଣ୍ଟାଇବାକୁ ଏବଂ ପୁଅକୁ ପାଠ ପଢାଇ ମଣିଷ କରିବାକୁ ନନ୍ଦୀଙ୍କୁ ଚାଷ କରିବା, କୁଲି ମଜୁରି କରିବାକୁ ପଡିଥାଏ। ନନ୍ଦୀଙ୍କ ଘରଠାରୁ କିଛି ଦୂରରେ ପ୍ରବାହିତ ହୋଇଥାଏ ରାଣୀଗଙ୍ଗା ନଈ। ପ୍ରତିଦିନ ଏହି ନଈ ଭିତରେ ପଶି ନନ୍ଦୀ ନିଜ ବିଲକୁ ଯାଆନ୍ତି କାମ କରିବାକୁ। ବେଳେବେଳେ ପୁଅକୁ ବି ସାଙ୍ଗରେ ନେଇଯାନ୍ତି। ଗତବର୍ଷ ବର୍ଷାଦିନେ ନନ୍ଦୀଙ୍କ ବାପାମା’ଙ୍କର ଦେହ ସେତେ ଭଲ ନ ଥାଏ। ବର୍ଷାଟିକେ ଛାଡି ଯାଇଥିବାରୁ ପୁଅକୁ ସାଙ୍ଗରେ ନେଇ ସେ ନଈ ପାର ହୋଇ ବିଲକୁ ଯାଇଥାନ୍ତି କାମ କରିବାକୁ। ହଠାତ୍‌ ବର୍ଷା ଆରମ୍ଭ ହୋଇଗଲା। ପୁଅ କାନ୍ଦିବାରୁ ତାକୁ ଘରେ ଛାଡ଼ିବାକୁ ତରତର ହୋଇ ନନ୍ଦୀ ପୁଅକୁ କାଖେଇ ସେହି ନଈ ଭିତରେ ପଶିଗଲେ। ଅଳ୍ପ କିଛିବାଟ ଆସିଛନ୍ତି, ହଠାତ୍‌ ନଈରେ ପାଣି ବଢିଗଲା। ସୁଅ ବଢିବାରୁ ନନ୍ଦୀ ଆଉ ନଈ ଭିତରେ ଠିକ୍‌ରେ ଚାଲିପାରିଲେ ନାହିଁ। ପହଁରା ଜାଣି ନ ଥିବା ନନ୍ଦୀ ପାଣି ଭିତରେ ଅସହାୟ ହୋଇପଡିଲେ। ଅନ୍ୟ କିଛି ଉପାୟ ନ ପାଇ ନନ୍ଦୀ ବେକରେ ପକାଇଥିବା ଗାମୁଛାରେ ନିଜ ସହ ପୁଅକୁ ଜୋର୍‌ରେ ବାନ୍ଧିଦେଲେ। ମଝି ନଈରେ ସୁଅ ମୁହଁରେ ପଡିଗଲେ ମା’ପୁଅ। ସୁଅ ତାଙ୍କୁ ଭସାଇ ନେଉଥିଲେ ବି ପୁଅକୁ ଜୋର୍‌ରେ ଜାବୁଡ଼ି ଧରିଥିଲେ ନନ୍ଦୀ। ଭାସୁଥିବାବେଳେ ପାଣି ଭିତରେ ଏକ ବଡ଼ ପଥର ଥିବାର ନନ୍ଦୀ ଦେଖିଲେ। କଷ୍ଟେମଷ୍ଟେ ସେହି ପଥରକୁ ଜୋର୍‌ରେ ଜାବୁଡ଼ି ଧରି ବଞ୍ଚାଅ ବଞ୍ଚାଅ ଚିତ୍କାର କଲେ ନନ୍ଦୀ। ସେତେବେଳକୁ ପୁଅ ତାଙ୍କର ପାଣି ପିଇ ନିସ୍ତେଜ ଅବସ୍ଥାକୁ ଆସିଗଲାଣି। ପୁଅର ଅବସ୍ଥା ଦେଖି ବିକଳ ହୋଇ ଭଗବାନଙ୍କୁ ଯେତିକି ଗୁହାରି କରୁଥାନ୍ତି ସେତିକି ଜୋର୍‌ରେ ବିକଳ ହୋଇ ନନ୍ଦୀ ଚିତ୍କାର କରୁଥାନ୍ତି କିଏ ଅଛ ବଞ୍ଚାଅ, ବଞ୍ଚାଅ! ମୋ ପୁଅକୁ କିଏ ବଞ୍ଚାଅ! ଏମିତି କେତେ ସମୟ ଗଲାପରେ କିଛି ଯୁବକ ସେହି ରାସ୍ତା ଦେଇ ଯାଉଥିଲେ। ନନ୍ଦୀଙ୍କର ପାଟିଶୁଣି ସେମାନେ ଦୌଡି ଆସିଲେ ରକ୍ଷା କରିବାକୁ। କିନ୍ତୁ ନଈରେ ସୁଅ ବଢି ଯାଇଥିବାରୁ ସେମାନେ ନଈ ଭିତରକୁ ପଶିପାରୁ ନଥିଲେ। ସଙ୍ଗେସଙ୍ଗେ ଦୌଡିଯାଇ ସେମାନେ ରଶି ଆଉ ଗାମୁଛା ଆଣିଲେ। ରଶିରେ ଗାମୁଛା ଆଉ ଗାମୁଛା ଭିତରେ ପଥର ବାନ୍ଧି ସେମାନେ ନନ୍ଦୀଙ୍କ ପାଖକୁ ପକାଇଲେ। କିନ୍ତୁ ରଶିକୁ ଧରିବା ପୂର୍ବରୁ ତାହା ସୁଅରେ ନନ୍ଦୀଙ୍କଠାରୁ ଦୂରେଇ ଯାଉଥିଲା। ଏମିତି ୪/୫ଥର ହେବା ପରେ ଶେଷରେ ଭଗବାନଙ୍କ ଦୟାରୁ ରଶିକୁ ଧରିବାରେ ନନ୍ଦୀ ସକ୍ଷମ ହେଲେ ଆଉ ସେହି ଯୁବକମାନେ ନନ୍ଦୀ ଆଉ ତାଙ୍କ ପୁଅକୁ ଟାଣିକି ନଈରୁ ସେଦିନ ଉଦ୍ଧାର କଲେ। ଦୀର୍ଘ ୩ ଘଣ୍ଟା ଲାଗିଯାଇଥିଲା ମା’ପୁଅଙ୍କୁ ସେଦିନ ନଈରୁ ବାହାରିବାରେ। ତେବେ ସେଦିନର ଘଟଣା ସମ୍ପର୍କରେ ପଚାରିବାରୁ ନନ୍ଦୀ କାନ୍ଦ କାନ୍ଦ ହୋଇ କୁହନ୍ତି, ‘ସ୍ବାମୀ ଛାଡ଼ି ଚାଲିଯିବା ପରେ ମୋ ପୁଅ ହିଁ କେବଳ ମୋର ସାହାରା। ତାକୁ ଚାହିଁ ଚାହିଁ ଦିନ କାଟୁଛି। କିନ୍ତୁ ସେଦିନ ନଈରେ ଭାସିଗଲାବେଳେ ମୁଁ କେବଳ ଭଗବାନଙ୍କୁ ଏତିକି ଗୁହାରି କରୁଥିଲି, ମୋ ଜୀବନ ପଛେ ନେଇଯାଅ ହେଲେ ଏ ବିପତ୍ତିରୁ ମୋ ପୁଅକୁ ବଞ୍ଚାଇଦିଅ। ମୋ ପୁଅ ମୋ ଜୀବନ। ତାକୁ ମଣିଷ କରିବାକୁ ମୋତେ ଯେତେ କଷ୍ଟ ସହିବାକୁ ପଡୁ ପଛେ ସହିବି ହେଲେ ତାକୁ ମଣିଷ ପରି ମଣିଷ କରିବି।’
ଝିଅକୁ ବଞ୍ଚାଇ ନ ପାରିବାର ଦୁଃଖ ଭୁଲିପାରୁ ନାହିଁ ମା’
ଯାଜପୁର ଜିଲା ଧର୍ମଶାଳା ବ୍ଲ୍ଳକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗାଁର ବାସିନ୍ଦା ହେଲେ ବାବାଜୀ ମହାରଣା ଓ ତାଙ୍କ ଧର୍ମପତ୍ନୀ ଆରତି ମହାରଣା। ୨୦୧୬ ମସିହାରେ ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା; ଯାହାକୁ ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ମନରୁ ପାସୋରି ପାରିବେ ନାହିଁ। ୨୦୧୬ ମେ’ ୫ ତାରିଖ ଦିନ ସକାଳୁ ଆରତି ପୁଅ ମୃତ୍ୟୁଞ୍ଜୟ (୮ ବର୍ଷ) ଓ ଝିଅ ହରପ୍ରିୟା (୭ ବର୍ଷ)ଙ୍କୁ ଧରି ବାପଘର ବୁଲିବାକୁ ବାହାରିଥିଲେ। ସାଙ୍ଗରେ ତାଙ୍କର ବିବାହିତା ଝିଆରୀ ଝୁନୁ ବେହେରା ଓ ଝୁନୁଙ୍କର ପାଞ୍ଚମାସର ଝିଅ ବି ଯାଉଥିଲେ। ବାପଘରକୁ ଯିବାକୁ ହେଲେ ତାଙ୍କୁ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ଯିବାକୁ ପଡିବ। ସେଥିପାଇଁ ତାଙ୍କ ସ୍ବାମୀ ବାବାଜୀ ସମସ୍ତଙ୍କୁ ଆଣି ଡଙ୍ଗାରେ ବସାଇ ଦେଇ ଯାଇଥିଲେ। ବାପଘର ଭଲରେ ଭଲରେ ବୁଲି ଦୁଇଦିନ ପରେ ଫେରିଲା ବେଳକୁ ରେଙ୍ଗାଳି ଡ୍ୟାମ୍‌ ହଠାତ୍‌ ବନ୍ୟାପାଣି ଛାଡ଼ିଦେବାରୁ ବ୍ରାହ୍ମଣୀ ନଦୀରେ ପାଣି ବଢି ଯାଇଥିଲା। ନଦୀରେ ସ୍ରୋତ ବି ହେଉଥିଲା। ତଥାପି ଏକ ଦେଶୀ ଡଙ୍ଗାରେ ବସି ଆରତି ଓ ତାଙ୍କର ପୁଅଝିଅ, ତାଙ୍କ ଝିଆରୀ ଓ ତାଙ୍କ ଝିଅ ଏବଂ ଆଉ କେତେଜଣ ଲୋକ ନଦୀ ପାର୍‌ ହେଉଥିଲେ। ଦୁର୍ଭାଗ୍ୟକୁ ଡଙ୍ଗାଟି ପ୍ରଖର ସ୍ରୋତରେ ପଡିଯିବାରୁ ତାହା ହଠାତ୍‌ ଓଲଟିଗଲା। ଡଙ୍ଗା ତଳେ ରହିଗଲେ ସମସ୍ତେ। ବଞ୍ଚାଅ ବଞ୍ଚାଅ ଚିତ୍କାରରେ ଚାରିଆଡ଼ ପ୍ରକମ୍ପିତ ହୋଇଉଠିଲା। ବହୁ କଷ୍ଟରେ ଆରତି ଡଙ୍ଗା ତଳୁ ବାହାରି ହାତ ବଢାଇଲାବେଳକୁ ତାଙ୍କ ଝିଆରୀଙ୍କୁ ପ୍ରଥମେ ଧରିଲେ। ଆରତିଙ୍କୁ ପହଁରା ଜଣାଥିବାରୁ ଝିଆରୀ ଓ ଝିଆରୀର ଝିଅକୁ ନେଇ ନିକଟରେ ଥିବା ଏକ କୁଦ ଉପରେ ଛାଡିଦେଲେ। ତା’ପରେ ପୁଅକୁ ବି ସେମିତି ଉଦ୍ଧାର କରିଦେଲେ। ହେଲେ ନିଜ ଝିଅକୁ ଯେତେ ଖୋଜିଲେ ବି ପାଇଲେ ନାହିଁ। ସେ ଡଙ୍ଗା ତଳେ କେଉଁଠି ଚାପିହୋଇ ରହିଯାଇଥିବାରୁ ଝିଅକୁ ଆଉ ବଞ୍ଚାଇପାରିଲେ ନାହିଁ ଆରତି। ପାଗଳପ୍ରାୟ ହୋଇଗଲେ ସେ। ଝିଅକୁ ବଞ୍ଚାଇ ନ ପାରିବାରୁ ବହୁଦିନ ପର୍ଯ୍ୟନ୍ତ ନିଜକୁ ଦୋଷୀ ଦୋଷୀ ଭାବୁଥିଲେ ଆରତି। ବହୁ କଷ୍ଟରେ ତାଙ୍କୁ ସମ୍ଭାଳିଥିଲେ ଘରଲୋକେ। ସେଦିନର ସେହି ଘଟଣା ସମ୍ପର୍କରେ ପଚାରିଲେ ଆଜି ବି ଆରତିଙ୍କ ଆଖିରେ ଲୁହ ଆସିଯାଏ। ନିଜ ଲୁହକୁ କାନିରେ ପୋଛି ସେ କୁହନ୍ତି, ‘ଭଗବାନ ଏମିତିକା ଦୁଃଖ ଆଉ କାହାକୁ ନ ଦିଅନ୍ତୁ। ଏବେ କେବଳ ପୁଅ ମୁହଁକୁ ଚାହିଁ ଦିନ କାଟିବା କଥା।’
ବୁଡ଼ି ଯାଉଥିବା ପୁଅ ଓ ପୁତୁରାର ଜୀବନ ବଞ୍ଚାଇଲେ ମା’
କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ଥିବା ଡାଙ୍ଗମାଳ ଗାଁର ବାସିନ୍ଦା ହେଲେ ଅବଳି ବେହେରା। ତାଙ୍କୁ ଏବେ ବୟସ ୮୫ ପାଖାପାଖି ହେବ। ଆଜକୁ ପ୍ରାୟ ୪୫/୪୬ ବର୍ଷ ତଳେ ତାଙ୍କ ପୁଅ ସହିତ ଏକ ଅଘଟଣ ଘଟିଥିଲା; ଯେଉଁଥିରୁ ଅବଳି ତାଙ୍କୁ ବହୁ କଷ୍ଟ କରି ରକ୍ଷା କରିଥିଲେ। ଘଟଣାଟି ଥିଲା ଏମିତି: ଅବଳିଙ୍କ ପୁଅ ହେଲେ ପ୍ରଭାସ ଓ ପୁତୁରା ହେଲେ ଜଳଧର। ଦୁଇଜଣ ପ୍ରାୟ ପାଖାପାଖି ବୟସର। ସେମାନଙ୍କୁ ଯେତେବେଳେ ମାତ୍ର ୭/୮ ବର୍ଷ ହୋଇଥିଲା ସ୍କୁଲ୍‌କୁ ଯିବା ପାଇଁ ଘର ପାଖ ପୋଖରୀକୁ ସାଙ୍ଗହୋଇ ଗାଧୋଇବାକୁ ଯାଇଥିଲେ। ପିଲା ଖାଇକି ସ୍କୁଲ ଯିବେ ବୋଲି ଚୁଲିରେ କଡେଇ ବସାଇ ଭଜା ଭାଜୁଥିଲେ ଅବଳି। ହଠାତ୍‌ ପିଲାମାନଙ୍କର ପାଟି ଶୁଭିବାରୁ ଘରୁ ଦୌଡିଆସି ଦେଖନ୍ତି ତ ପିଲାଦୁହେଁ ପୋଖରୀରେ ବୁଡ଼ି ଯାଉଛନ୍ତି। ଅନ୍ୟ କିଛି ଉପାୟ ନ ପାଇ ରକ୍ଷାକର ରକ୍ଷାକର ପାଟିକରି ଅବଳି ନିଜେ ପୋଖରୀ ଭିତରକୁ ଡେଇଁପଡିଲେ। ପ୍ରଭାସକୁ ଧରୁଧରୁ ଜଳଧର ବି ଅବଳିଙ୍କ ହାତକୁ ଜୋରରେ ଧରି ପକାଇବାରୁ ଅବଳି ନିଜର ଭାରସାମ୍ୟ ହରାଇ ପୋଖରୀକୁ ଗଳିପଡିଲେ। କ’ଣ କରିବେ, ପିଲା ଦୁଇଟି ପହଁରା ଜାଣିନାହାନ୍ତି। ପାଣିରେ ବୁଡ଼ି ଦୁହେଁ ନିସ୍ତେଜ ପ୍ରାୟ ହୋଇଗଲେଣି। ଯେମିତି ହେଲେ ତାଙ୍କୁ ବଞ୍ଚାଇବାକୁ ହେବ, ଏହା ଚିନ୍ତାକରି ବହୁ କଷ୍ଟରେ ଅବଳି ପାଣି ଭିତରୁ ଉଠି ନିଜ ପଣତ କାନିକୁ ଦୁଇ ପିଲାଙ୍କ ହାତରେ ଧରାଇ ଧୀରେ ଧୀରେ ସେମାନଙ୍କୁ କୂଳକୁ ଆଣିବାକୁ ଚେଷ୍ଟା କଲେ। ସେତେବେଳକୁ ପୋଖରୀ ପାଖରେ ଲୋକଙ୍କର ବେଶ୍‌ ଭିଡ଼ ଜମି ସାରିଥିଲା। ସେମାନେ ବି ଏହି ତିନିଜଣଙ୍କୁ କୂଳକୁ ଆଣିବାରେ ସାହାଯ୍ୟ କଲେ। ଯାହା ହେଉ ଭଗବାନଙ୍କ ଆଶୀର୍ବାଦ ଓ ଅବଳିଙ୍କ ପ୍ରାଣପଣ ଚେଷ୍ଟା ପାଇଁ ଦୁଇ ନିଷ୍ପାପ ପିଲାଙ୍କର ଜୀବନ ବଞ୍ଚତ୍ୟାଇଥିଲା। ଏ ଘଟଣା ସମ୍ପର୍କରେ ଅବଳିଙ୍କୁ ପଚାରିବାରୁ ତାଙ୍କ ଆଖିରେ ଧାର ଧାର ହୋଇ ଦୁଇଧାର ଲୁହ ବୋହିଗଲା। ଲୁହକୁ ପୋଛି ସେ କହିଲେ, ‘ସେଦିନ ମୋ ସଂସାର ଉଚ୍ଛନ୍ନ ହୋଇଯାଇଥାନ୍ତା। ଭଗବାନଙ୍କ କୃପାରୁ ମୋ ପିଲା ଦୁହେଁ ରକ୍ଷା ପାଇଗଲେ। ଏବେ ମୋ ପୁଅ ଓ ପୁତୁରାଙ୍କୁ ୫୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ଭଗବାନ କରନ୍ତୁ ତାଙ୍କ ଦେହ ସବୁବେଳେ ସୁସ୍ଥରେ ଥାଉ ଆଉ ସେମାନେ ଦୀର୍ଘାୟୁ ହୁଅନ୍ତୁ।
ପାଣି ବାଲ୍ଟିରେ ଗଳି ପଡ଼ିଥିବା ଝିଅର ଜୀବନ ରକ୍ଷାକଲା ମା’
କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ତରା ଗ୍ରାମର ବାସିନ୍ଦା ହେଲେ ନିତ୍ୟାନନ୍ଦ ରାଉତ ଓ ସୁନିତା ଜେନା। ତାଙ୍କର ଶୁଭଜ୍ୟୋତି ଓ ସ୍ମୃତିରେଖା ନାମରେ ଦୁଇ ଝିଅ ଅଛନ୍ତି ା ଶୁଭଜ୍ୟୋତି ୫ମ ଓ ସ୍ମୃତିରେଖା ୪ର୍ଥ ଶ୍ରେଣୀରେ ପଢ଼ନ୍ତି। ସ୍ମୃତିରେଖାଙ୍କୁ ଯେତେବେଳେ ମାତ୍ର ଦେଢବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ସହିତ ଏକ ଅଘଟଣ ଘଟିଥିଲା। ଘଟଣାଟି ଥିଲା ଏମିତି: ଖରାଦିନ ମଧ୍ୟାହ୍ନ ପ୍ରାୟ ୧୨.୩୦ ହେବ। ଘରେ ସମସ୍ତେ ଖାଇପିଇ ବିଶ୍ରାମ ନେଉଥାନ୍ତି। ସ୍ମୃତିରେଖାଙ୍କର ହଠାତ୍‌ ନିଦ ଭାଙ୍ଗିଗଲା। ନୂଆ ନୂଆ ଠୁକୁ ଠୁକୁ କରି ଚାଲୁଥିବା ସ୍ମୃତିରେଖା ନିଦରୁ ଉଠି ନ କାନ୍ଦି ଅଗଣା ଆଡକୁ ଚାଲିଯାଇ ସେଠି ଥୁଆ ହୋଇଥିବା ଏକ ପାଣି ବାଲ୍ଟି ପାଖରେ ଖେଳୁଥାନ୍ତି। ବାଲ୍ଟିରେ ପାଣି ଥିବାର ଦେଖି ସ୍ମୃତିରେଖା ବାଲ୍ଟି ଭିତରକୁ ହାତ ପୂରାଇ ପାଣି ସାଙ୍ଗେ ଖେଳୁଥିବା ବେଳେ ହଠାତ୍‌ ସିଏ ବାଲ୍ଟି ଭିତରେ ପଡ଼ିଗଲେ। ମୁଣ୍ଡ ତଳକୁ ଓ ଗୋଡ ଉପରକୁ ଥିବା ଅବସ୍ଥାରେ ପଡିଥିବାରୁ ସେ ଆଉ ଉଠିପାରୁ ନଥିଲେ। ଠିକ୍‌ ଏହି ସମୟରେ ତାଙ୍କ ମା’ ସୁନିତାଙ୍କର ନିଦ ଭାଙ୍ଗିଗଲା। ପାଖରେ ଝିଅକୁ ନ ପାଇ ବିକଳରେ ସେ ଏଣେତେଣେ ଖୋଜିବାକୁ ଲାଗିଲେ। ହଠାତ୍‌ ତାଙ୍କର ନଜର ପଡିଲା ପାଣି ବାଲ୍ଟି ଉପରେ। ବାଲ୍ଟିଟି ହଲୁଥିବାର ଦେଖି ତାଙ୍କର ଟିକେ ସନ୍ଦେହ ହେଲା। ଦୌଡି ଯାଇ ଦେଖନ୍ତି ତ ସ୍ମୃତିରେଖା ସେହି ବାଲ୍ଟି ଭିତରେ ପଡି ପାଣି ପିଇ ନିସ୍ତେଜପ୍ରାୟ ହୋଇଗଲେଣି। ବିକଳରେ ଝିଅକୁ ସେଥିରୁ କାଢି କାନ୍ଦି କାନ୍ଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଡ଼େ ଦୌଡିଲେ। ସେଠାରେ ୬ଦିନ ସ୍ମୃତିରେଖାଙ୍କୁ ରହିବାକୁ ପଡିଲା। ତା’ରି ଭିତରେ ନାନା ଉପାସ, ବ୍ରତ, ମାନସିକ କରି ସାରିଥିଲେ ସୁନିତା। ରାତି ରାତି ଉଜାଗର ରହି ଝିଅର ସେବାଯତ୍ନ କରୁଥିଲେ। ୬ଦିନ ପରେ ଝିଅ ଯେତେବେଳେ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତର କହିଲେ, ତା’ପରେ ଯାଇ ସୁନିତାଙ୍କ ଦେହରେ ଜୀବନ ପଶିଥିଲା। ଝିଅକୁ ଧରି ସେଦିନ ଖୁବ୍‌ କାନ୍ଦିଥିଲେ ସୁନିତା। ଏହି ଘଟଣାର କିଛିଦିନ ପରେ ଯେତେବେଳେ ସ୍ମୃତିରେଖାଙ୍କୁ ୩ ବର୍ଷ ବୟସ ହୋଇଥାଏ, ବର୍ଷା ଯୋଗୁ ତାଙ୍କ ଘର ଆଗରେ ଥିବା ଡ୍ରେନ୍‌ରେ ଖୁବ୍‌ ଜୋର୍‌ରେ ପାଣି ପ୍ରବାହିତ ହେଉଥାଏ। ଡ୍ରେନ୍‌ଟିର ଗଭୀର ପାଖାପାଖି ୬ଫୁଟ ହେବ। ଖୁସିରେ ବର୍ଷା ପାଣି ଦେଖୁଥିବାବେଳେ ସେହି ଡ୍ରେନ୍‌ରେ ପଡି ଭାସିଯାଉଥିଲେ ସ୍ମୃତିରେଖା। ତାଙ୍କ ବାପା ନିତ୍ୟାନନ୍ଦ ହଠାତ୍‌ ଝିଅ ଭାସି ଯାଉଥିବାର ଦେଖି ଡ୍ରେନ୍‌ ଉପରେ ପଡିଥିବା ଏକ ବଡ଼ ସ୍ଲାବ୍‌ର ଆରପାଖକୁ ଦୌଡ଼ିଯାଇ ଝିଅକୁ ଟାଣି ଆଣିଲେ। ସେତେବେଳକୁ ସ୍ମୃତିରେଖା ଅଣନିଃଶ୍ୱାସୀ ପ୍ରାୟ ହୋଇଗଲେଣି। ଝିଅର ଏଭଳି ଅବସ୍ଥା ଦେଖି ମା’ ସୁନିତା ବି ଅଧୈର୍ଯ୍ୟ ପ୍ରାୟ ହୋଇଯାଇଥିଲେ। ଝିଅକୁ ସୁସ୍ଥ କରିବାକୁ ରାତିରାତି ଉଜାଗର ରହି ତା’ର ଖୁବ୍‌ ଯତ୍ନ ନେଇଥିଲେ ସୁନୀତା। ଏହି ସବୁ ଘଟଣା ସମ୍ପର୍କରେ ପଚାରିବାରୁ ସୁନୀତା କୋହଭରା କଣ୍ଠରେ କୁହନ୍ତି, ‘ଦୁଇ ଦୁଇ ଥର ମୋ ଝିଅ ସାଙ୍ଗରେ ଏମିତି ଘଟଣା ଘଟିଥିବାରୁ ମୋ ମନରେ ଗୋଟେ ଭୟ ରହିଯାଇଛି। ସେଥିପାଇଁ ତାକୁ ମୁଁ ଗୋଡ଼େ ଗୋଡ଼େ ଜଗିଥାଏ। ବିଶେଷକରି ନଈ, ପୋଖରୀ, ନାଳ ଆଦି ଜାଗାରେ ତାକୁ ସାବଧାନରେ ଯିବା ପାଇଁ କୁହେ।’
ମା’ ଯେମିତି ପ୍ରାଣଦାତ୍ରୀ ସେମିତି ରକ୍ଷାକତ୍ତର୍‌ରୀ ମଧ୍ୟ। ମା’ କୋଳ ପ୍ରତ୍ୟେକ ଶିଶୁ ପାଇଁ ସୁରକ୍ଷିତ ଆଶ୍ରୟ ସ୍ଥଳ। ନିଜ ଜୀବନକୁ ବାଜି ଲଗାଇ ସେ ତା’ ପିଲାର ମଙ୍ଗଳ କାମନା ସବୁବେଳେ କରିଥାଏ। ସେଥିପାଇଁ ମା’ ସର୍ବଦା ନମସ୍ୟା।
– ଭାଗ୍ୟଶ୍ରୀ ମିଶ୍ର, ଅଶୋକ କୁମାର ଦାସ,
ଭାସ୍କର ରାଉତରାୟ,
ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?