ମ୍ୟୁନିକ୍‌ରୁ ମସ୍କୋ

ପିଟର ସିଙ୍ଗର

 

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣ ପଛରେ କୌଣସି ବାସ୍ତବତା ନ ଥିଲା। ତେବେ ଡୋନବାସ୍‌ ଅଞ୍ଚଳରେ ରୁଷୀୟ ଭାଷାଭାଷୀ ଲୋକଙ୍କ ବିରୋଧରେ ସଂଗଠିତ ଗଣହତ୍ୟାକୁ ନେଇ ଏହି ଯୁଦ୍ଧର ଆବଶ୍ୟକତା ରହିଥିବା ପୁଟିନ୍‌ ଯୁକ୍ତି ବାଢ଼ନ୍ତି ବୋଲି ଅନେକ କହନ୍ତି । ତାଙ୍କର ଏହି ଯୁକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ହିଟ୍‌ଲର ଚେକୋସ୍ଲୋଭାକିଆକୁ ଧ୍ୱଂସ କରିବା ଲାଗି ଆପଣାଇଥିବା ରଣନୀତିକୁ ମନେପକେଇଦିଏ। ଜର୍ମାନୀ ସାମ୍ରାଜ୍ୟର ସୀମାନ୍ତବର୍ତ୍ତୀ ଜର୍ମାନ ଭାଷାଭାଷୀ ଜିଲାଗୁଡ଼ିକରେ ଚେକୋସ୍ଲୋଭାକିଆକୁ ମିଶାଇବା ପାଇଁ ହିଟଲର ତାକୁ ଆକ୍ରମଣ କରିବାର ଧମକ ଦେଇଥିଲେ। ଏଭଳି ଏକ ଭୟଙ୍କର ଯୁଦ୍ଧର ନରସଂହାରକୁ ଏଡ଼ାଇବା ଲାଗି ଇଂଲଣ୍ଡ, ଫ୍ରାନ୍ସ ଏବଂ ଇଟାଲୀ ହିଟଲରଙ୍କ ଦାବିକୁ ୧୯୩୮ ମ୍ୟୁନକ୍‌ ସମ୍ମିଳନୀରେ ସ୍ବୀକାର କରିଥିଲେ। ସେହି କାରଣରୁ ହିଟଲର ଆକ୍ରମଣ କରିବାର କୌଣସି କାରଣ ନ ଥିଲା। କିନ୍ତୁ ୬ ମାସ ମଧ୍ୟରେ ନାଜିମାନେ ମ୍ୟୁନିକ୍‌ ଚୁକ୍ତି ଉଲ୍ଲଂଘନ କରି ଚେକୋସ୍ଲୋଭାକିଆରେ ବୋହେମିଆ ଏବଂ ମୋରାଭିଆ ଦୁଇଟି ସଂରକ୍ଷିତ ରାଜ୍ୟ ପ୍ରତିଷ୍ଠା କଲେ। ନିଜ ନିୟନ୍ତ୍ରଣାଧୀନ ତଥା ନାମକୁ ମାତ୍ର ରାଜ୍ୟ ରୂପେ ସ୍ଲୋଭାକ ସୃଷ୍ଟି କଲେ। ତା’ପରେ ହିଟ୍‌ଲର ପୋଲାଣ୍ଡର ଏକ ଭାଗ ନେବା ଲାଗି ଦାବି କଲେ। ଠିକ୍‌ ସମାନ ଢଙ୍ଗରେ ପୁଟିନ ୟୁକ୍ରେନ୍‌ ଆକ୍ରମଣ ଆରମ୍ଭ କଲେ। କ୍ରିମିଆ ଦଖଲ କରି ୨୦୧୪ରେ ରୁଷୀୟ ଭାଷାଭାଷୀ ପୂର୍ବ ଡୋନବାସ ଅଞ୍ଚଳରେ ରୁଷିଆ ଦୁଇଟି ଛୋଟ ରାଜ୍ୟ ଗଠନ କଲା। ଏହା ଥିଲା ବୁଦାପେଷ୍ଟ ମେମୋରାଣ୍ଡମ୍‌ ଅନ୍‌ ସିକ୍ୟୁରିଟି ଆସ୍ୟୁରାନ୍ସର ଖୋଲା ଉଲ୍ଲଂଘନ। ଏହି ଚୁକ୍ତି ମୁତାବକ ବେଲାରୁଷ, କାଜାକ୍‌ସ୍ତାନ ସମେତ ୟୁକ୍ରେନ୍‌ ସୋଭିଏଟ୍‌ ସଂଘଠୁ ପାଇଥିବା ଆଣବିକ ଅସ୍ତ୍ର ଓ କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ଅନ୍ୟପକ୍ଷେ ଏହି ତିନି ଦେଶର ସାର୍ବଭୌମ ଓ ସ୍ବାଧୀନତା ରକ୍ଷା କରିବା ଲାଗି ରୁଷିଆ, ଇଂଲଣ୍ଡ ଏବଂ ଆମେରିକା ଆଶ୍ୱାସନା ଦେଇଥିଲେ। ହିଟ୍‌ଲର ଭର୍ସାଇଲିଜ ଚୁକ୍ତି ଉଲ୍ଲଂଘନ କରିବାବେଳେ ଇଂଲଣ୍ଡ ଓ ଫ୍ରାନ୍ସ ଯେଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରି ନ ଥିଲେ ଠିକ୍‌ ସେହିଭଳି ରୁଷିଆ କ୍ରିମିଆକୁ ଆକ୍ରମଣ କରି ନିଜ ଦେଶରେ ମିଶାଇବା ଏବଂ ଡୋନବାସ୍‌ରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବାବେଳେ କୌଣସି ଦେଶ ଗମ୍ଭୀର ପଦକ୍ଷେପ ନେଲେ ନାହିଁ।
ଚେକୋସ୍ଲୋଭାକିଆର ସୁଡେଟନ୍‌ଲ୍ୟାଣ୍ଡ ପାଇଁ ହିଟ୍‌ଲର ଦାବି କରି କହିଥିଲେ ଯେ, ୟୁରୋପରେ ତାହା ତାଙ୍କର ଶେଷ ଦାବି । କିନ୍ତୁ ଯେଉଁମାନେ ତାଙ୍କ ‘ମୈନ କ୍ୟାମ୍ଫ୍‌’ ବା ମୋ ସଂଘର୍ଷ ବହି ପଢିଥିବେ, ସେମାନେ ପୂର୍ବ ୟୁରୋପରେ ଜର୍ମାନୀ ସାମ୍ରାଜ୍ୟବାଦ ପ୍ରତିଷ୍ଠା କରିବାରେ ତାଙ୍କ ଲାଳସାକୁ ଜାଣିପାରିଥିବେ। ସେହିଭଳି ସୋଭିଏଟ୍‌ ସଂଘ ପତନକୁ ଏକ ବିପର୍ଯ୍ୟୟ ରୂପେ ବର୍ଣ୍ଣନା କରିଥିବା ପୁଟିନଙ୍କୁ ଆମେ ସନ୍ଦେହ କରିବାର ଯଥାର୍ଥତା ରହିଛି। ସେ ମଧ୍ୟ ମୂଳ ସୋଭିଏଟ୍‌ ଅଞ୍ଚଳ ଉପରେ ରୁଷିଆର ପ୍ରଭାବ ରଖିବାକୁ ଚାହଁିଛନ୍ତି। ଯଦି ପୁଟିନ ୟୁକ୍ରେନ୍‌ ଦଖଲରୁ ବିରତ ରହି ତାହାକୁ ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳ କରନ୍ତି, ତେବେ ପୂର୍ବରୁ ସୋଭିଏଟ୍‌ ସଂଘର ଅଂଶ ଥିବା ଏଷ୍ଟୋନିଆ ଏବଂ ଲାଟଭିଆର ପାଳି ଆଗକୁ ପଡ଼ିବନି ତ?
ପୁଟିନଙ୍କ ପାଇଁ ଏବେ ଏକ ଅନୁକୂଳ ସ୍ଥିତି ରହିଛି ଯାହା ହିଟ୍‌ଲରଙ୍କ ଭାଗ୍ୟରେ ନ ଥିଲା। ତାହା ହେଉଛି ଆଣବିକ ଅସ୍ତ୍ର। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ମଧ୍ୟରେ ଯେଉଁ ଦେଶଗୁଡ଼ିକ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବେ, ସେମାନେ ଏହାର ଗମ୍ଭୀର ପରିଣାମ ଭୋଗ କରିବେ ବୋଲି ପୁଟିନ ଚେତାବନୀ ଦେଇଛନ୍ତି। ନିକଟରେ ୟୁକ୍ରେନ୍‌ ଆକ୍ରମଣ କରିବା ପୂର୍ବରୁ ଆଣବିକ ଅସ୍ତ୍ର କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷା କରି ପରିଣାମ ଯେ କେତେ ଭୟଙ୍କର ହେବ, ତାହା ସେ ଚେତାଇ ଦେଇଛନ୍ତି। ଆକ୍ରମଣ ଆରମ୍ଭ କରିବାର ୪ ଦିନ ପରେ ସେ ଆଣବିକ ଫୋର୍ସକୁ ମଧ୍ୟ ସତର୍କ କରିଦେଇଛନ୍ତି। ଏସବୁ ପରେ କେମିତି ପୁଟିନ୍‌ଙ୍କୁ ରୋକିହେବ? ଆର୍ଥିକ କଟକଣା ଜାରି ହୋଇଛି, ରୁଷିଆ ବିମାନ ପାଇଁ ବାୟୁ ସୀମା ବନ୍ଦ କରାଯାଇଛି ।
ରୁଷୀୟ ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ଆରମ୍ଭ ହୋଇଛି। ଏହାବାଦ୍‌ ବିଶେଷକରି ପଡ଼ୋଶୀ ଦେଶ ପୋଲାଣ୍ଡ ମଧ୍ୟ ରୁଷିଆ ଟ୍ରକ୍‌ଗୁଡ଼ିକ ପାଇଁ ସଡ଼କପଥ ବନ୍ଦ କରିବା ଦରକାର। ଏହି ପଦକ୍ଷେପଗୁଡ଼ିକ ନିଶ୍ଚିତ ଭାବେ ରୁଷିଆ ନାଗରିକମାନଙ୍କର ବ୍ୟାପକ କ୍ଷତି କରିବ। ତେବେ ଏସବୁ ବ୍ୟତୀତ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାର ଆଉ କିଛି ବାଟ ରହିଛି କି?
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଯୁଦ୍ଧର ମୁକାବିଲା କରିବା ଲାଗି ଏବେ ସୁଦ୍ଧା କ୍ୱିଭରେ ରହି ରୁଷୀୟ ସେନାଙ୍କ ପ୍ରତିରୋଧ କରିବା ଲାଗି ଲୋକଙ୍କୁ ଏକାଠି ହେବାକୁ କହୁଛନ୍ତି। ଯଦି ସେମାନେ ରୁଷୀୟ ସେନାର ଅତ୍ୟଧିକ କ୍ଷତି କରିପାରିବେ, ତେବେ ତାହା ଯୁଦ୍ଧ ବନ୍ଦ କରିବା ଲାଗି ପୁଟିନଙ୍କୁ ବାଧ୍ୟ କରିବ। କିନ୍ତୁ ରୁଷିଆ ଏହି ଯୁଦ୍ଧ ଜିତିବା ନିଶ୍ଚିତ ବୋଲି ମିଲିଟାରି ବିଶେଷଜ୍ଞ ବିଶ୍ୱାସ କରୁଛନ୍ତି। ସମ୍ଭବତଃ ଏହାକୁ ବିଚାରକୁ ନେଇ ଜେଲେନ୍‌ସ୍କି ଯୁଦ୍ଧ ବନ୍ଦ କରିବାକୁ ରୁଷିଆ ଲୋକମାନଙ୍କୁ କହିଛନ୍ତି। ବହୁ ରୁଷୀୟ ନାଗରିକ ଏହା କରିବାକୁ ବି ଚେଷ୍ଟା କରୁଛନ୍ତି। ଯୁଦ୍ଧ ଘୋଷଣା ହେବା ପରଠାରୁ ମସ୍କୋ ସମେତ ରୁଷିଆରେ ପାଖାପାଖି ୫୫ଟି ସହରରେ ଯୁଦ୍ଧବିରୋଧୀ ପ୍ରତିବାଦ ଦେଖିବାକୁ ମିଳିଛି। ଏକ ସ୍ବାଧୀନ ନିରୀକ୍ଷଣକାରୀ ସଂସ୍ଥା ଅନୁଯାୟୀ, ବିନା ଅନୁମତିରେ ଯୁଦ୍ଧ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିବା ୫,୦୦୦ ଲୋକଙ୍କୁ ଗିରଫ କରାଯାଇଛି। ହେଲେ ପ୍ରତିବାଦ ଜାରି ରଖିଛନ୍ତି। ଏହି ଲେଖା ପ୍ରସ୍ତୁତ ହେବା ସମୟରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ସାହସୀ ରୁଷୀୟ ‘ଯୁଦ୍ଧ ବନ୍ଦ କର’ ପିଟିଶନରେ ସ୍ବାକ୍ଷର କରିଛନ୍ତି। ଏତିକିରେ ପ୍ରତିବାଦ ଅଟକି ଯାଇନାହଁି। ୨୦୨୧ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ନୋଭୟା ଗେଜେଟର ସମ୍ପାଦକ ଡିମିଟ୍ରି ମୁରାଟୋଭ ଯୁଦ୍ଧ ବିରୋଧରେ ସ୍ବର ଉଠାଇବା ଲାଗି ଆହ୍ବାନ ଦେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ରୁଷିଆ ନାଗରିକମାନଙ୍କ ଯୁଦ୍ଧବିରୋଧୀ ଅଭିଯାନ ହିଁ କେବଳ ପୃଥିବୀରେ ଜୀବନ ବଞ୍ଚାଇପାରିବ। ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ମେୟରହୋଲ୍ଡ ଥିଏଟର ସେଣ୍ଟରର ନିର୍ଦ୍ଦେଶିକା ମେୟେଲିନା କୋଭାଲ୍‌ସ୍କାୟା ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ଜଣେ ହତ୍ୟାକାରୀଙ୍କ ପାଇଁ କାମ କରି ତାଙ୍କଠାରୁ ଦରମା ନେବା ଅସମ୍ଭବ ବୋଲି ସେ କହିଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଏବଂ ସାଇନ୍ସ ଜର୍ନାଲିଷ୍ଟଙ୍କ ସ୍ବାକ୍ଷର ସମ୍ବଳିତ ଚିଠି ରୁଷିଆର ସାଇନ୍ସ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ରୁଷିଆ ନିଜକୁ ଅନ୍ୟଠାରୁ ଅଲଗା ହେବା ଏବଂ ଏକ ଖରାପ ଓ କ୍ଷତିକାରକ ଦେଶ ଭାବେ ପରଚୟ ଦେବାରେ ନିଜେ ଦାୟୀ ଓ ଏହା ନିନ୍ଦନୀୟ ବୋଲି ସେଥିରେ ଦର୍ଶାଯାଇଛି। ଅନେକ ସହରରେ ସମାନ ସଂଖ୍ୟକ ମ୍ୟୁନିସିପାଲ ଡେପୁଟିମାନେ ମଧ୍ୟ ଆକ୍ରମଣକୁ ନିନ୍ଦା କରି ତାହାକୁ ଏକ କ୍ରୂର ଅତ୍ୟାଚାର ଭାବେ ଚିଠିରେ ଦର୍ଶାଇଛନ୍ତି। ଏହା ସହ ସେମାନଙ୍କ ସାମ୍ନାରେ ରୁଷିଆରେ ଏକ ଉତ୍ତମ ଜୀବନର ଆଶା ଚୂର୍‌ମାର ହୋଇଯାଉଛିି ବୋଲି କହିଛନ୍ତି।
ଏଭଳି ଏକ ଅନ୍ୟାୟ ଯୁଦ୍ଧ ବନ୍ଦ କରିବା ଲାଗି ୟୁକ୍ରେନ୍‌ରେ ରୁୁଷିଆର ସୈନ୍ୟମାନଙ୍କ କିଛି କରିବା ଦରକାର। ତେବେ କେତେକ ସୈନ୍ୟ ୟୁକ୍ରେନ ଯିବାକୁ ମନା କରିଦେଇଥିବା ଏକ ଅସମର୍ଥିତ ରିପୋର୍ଟରୁ ଜଣାପଡିଛି। ଯଥେଷ୍ଟ କାରଣ ନ ଥାଇ ଲୋକମାନଙ୍କୁ ମାରିବା ହିଁ ଏକ ପ୍ରକାର ମର୍ଡର ବା ହତ୍ୟା। ଯଦି ରୁଷିଆ ସୈନ୍ୟମାନେ ନିର୍ଦ୍ଦେଶ ମାନି ୟୁକ୍ରେନ୍‌ ଆକ୍ରମଣରେ ଘାତକ ଅସ୍ତ୍ର ପ୍ରୟୋଗ କରନ୍ତି, ତେବେ ସେମାନେ ଲୋକଙ୍କୁ ହତ୍ୟା କରିବାକୁ ଯାଉଛନ୍ତି ବୋଲି ବୁଝିବାକୁ ପଡ଼ିବ। ହିଟ୍‌ଲରଙ୍କ ନିର୍ଦ୍ଦେଶ ମାନିଥିବା ସୈନ୍ୟମାନଙ୍କୁ ଯେମିତି କ୍ଷମା ନାହିଁ ସେମିତି ପୁଟିନ୍‌ଙ୍କ ନିର୍ଦ୍ଦେଶ ପାଳନ କଲେ ରୁଷୀୟ ସେନାଙ୍କୁ ବି କ୍ଷମା ନାହିଁ। ଏବେଠାରୁ ଆଗକୁ ଯେତେଦିନ ପୁଟିନ ରୁଷିଆର ରାଷ୍ଟ୍ରପତି ରହିବେ ବିଶ୍ୱ ରୁଷିଆକୁ ନୂ୍ୟନ ଦୃଷ୍ଟିରେ ଦେଖିବ।
ଆହୁରି କଠୋର କଟକଣା ନିଶ୍ଚିତ କରି ଏକ ଉତ୍ତମ ଜୀବନର ଆଶା ଧୂଳିସାତ ହୋଇଯାଉଛି ବୋଲି ରୁଷୀୟମାନଙ୍କୁ ଦେଖାଇଦେବାକୁ ପଡ଼ିବ। ବିରୋଧକୁ ତୀବ୍ର କରିବାକୁ ପଡ଼ିବ। ହେଲେ ଯେଉଁମାନେ ଯୁଦ୍ଧକୁ ବିରୋଧ କରୁଛନ୍ତି , ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି। ତେବେ ପୁଟିନଙ୍କୁ ବଦଳାଇ ନୈତିକ ସିଦ୍ଧାନ୍ତ ଓ ଅନ୍ତର୍ଜାତୀୟ ନିୟମକୁ ମାନିବାକୁ ପ୍ରସ୍ତୁତ ଥିବା ଜଣେ ନେତାଙ୍କୁ ଆଣିବାକୁ ସେମାନେ କେମିତି ବା ଆଶା କରିବେ।
ପ୍ରାଧ୍ୟାପକ, ବାୟୋଏଥିକ୍ସ, ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri