ବୃହସ୍ପତିର ଚନ୍ଦ୍ର

ଏବେ ରାତ୍ରି ଆକାଶରେ ଏକ ଉଜ୍ଜ୍ୱଳ ତାରା ଦୃଶ୍ୟ ହେଉଛି। ଏହି ତାରାକୁ ସନ୍ଧ୍ୟା ହେଉ ହେଉ ମଧ୍ୟ ଦେଖିବାକୁ ମିଳୁଛି ଏବଂ ଏହା ପ୍ରାୟ ଛଅ ଘଣ୍ଟାକାଳ ଆକାଶରେ ରହି ମଧ୍ୟରାତ୍ରି ବେଳକୁ ଅସ୍ତ ଯାଉଛି। ଏହା କିନ୍ତୁ ଏକ ତାରା ନୁହେଁ; ଆମ ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତି। ଦୂରବୀକ୍ଷଣ ଯନ୍ତ୍ରରେ ଚାହିଁଲେ ଏହା ଚାରୋଟି ବଡ଼ ବଡ଼ ଚନ୍ଦ୍ରଙ୍କୁ ମଧ୍ୟ ସ୍ପଷ୍ଟ ଦେଖି ହେଉଛି। ଏହି ଚନ୍ଦ୍ରମାନଙ୍କୁ ୧୬୧୦ ଖ୍ରୀଷ୍ଟାବ୍ଦରେ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଆବିଷ୍କାର କରିଥିଲେ। ଏହି ଚନ୍ଦ୍ରସବୁ ହେଲେ: ଆୟୋ, ୟୁରୋପା, କ୍ୟାଲିଷ୍ଟୋ ଓ ଗ୍ୟାନିମିଡ୍‌। ଏହି ଚନ୍ଦ୍ରମାନଙ୍କୁ ମୂଳ ଗ୍ରହର ବିଷୁବରେଖା ଉପରେ ଧାଡ଼ି ହୋଇ ରହିଥିବାର ଦେଖି ହେଉଛି। କିଛି ସମୟ ଛାଡ଼ି ଲକ୍ଷ୍ୟ କଲେ, ଏହି ଚନ୍ଦ୍ରମାନେ ବୃହସ୍ପତି ଗ୍ରହ ଚାରିପଟେ ଘୂରୁଥିବାର ମଧ୍ୟ ଦେଖିହେବ ଯାହା ସେମାନଙ୍କ ପରିବର୍ତ୍ତନଶୀଳ ଅବସ୍ଥାନରୁ ଜଣାପଡ଼ିବ। ଚନ୍ଦ୍ରଗୁଡ଼ିକ ମଧ୍ୟରୁ କେତେବେଳେ ମୂଳଗ୍ରହର ଉଭୟ ପଟେ ଦୁଇଟି ଓ ଅନ୍ୟପଟେ ତିନୋଟି ରହି ଥିବାର ଦେଖି ହେବ ତ ଆଉ କେତେବେଳେ ସମୁଦାୟ ଚାରୋଟି ଚନ୍ଦ୍ର ପରିବର୍ତ୍ତେ ତିନୋଟି, ଦୁଇଟି କିମ୍ବା କେବଳ ଗୋଟିଏକୁ ଦେଖିବା ସମ୍ଭବ ହୋଇଥାଏ। ଚନ୍ଦ୍ରସବୁ ଗ୍ରହ ଚାରିପଟେ ଘୂରିଘୂରି ଗ୍ରହ ପଛପଟକୁ ଚାଲିଗଲେ ସେମାନଙ୍କୁ ଆଉ ଦେଖିବା ସମ୍ଭବ ହୁଏ ନାହିଁ। ଭୟେଜର-୧ ଓ ଭୟେଜର-୨ ମହାକଶ ଯାନଦ୍ୱୟ ଏହି ଗ୍ରହଟିର ପାଖ ଦେଇ ଗତିକରି ଏହାର ଚନ୍ଦ୍ରମାନଙ୍କ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି।
ଜୀବନର ସଙ୍କେତ: ୟୁରୋପା
ୟୁରୋପା ଆକାରରେ ଆମ ପୃଥିବୀର ଚନ୍ଦ୍ରଠାରୁ ସାମାନ୍ୟ ଛୋଟ। ଏହାର କଠିନ ବରଫାବୃତ ଚଟାଣ ତଳେ ତରଳ ଜଳରାଶିର ସମୁଦ୍ର ବିଦ୍ୟମାନ, ଯେଉଁଠି ଆଗାମୀ ଦିନରେ କିଛି ଜୀବନସତ୍ତା ବିକଶିତ ହେବାର ସମ୍ଭାବନା ରହିଛି। ଭୟେଜର-୨ ମହାକାଶ ଯାନର ଫଟୋସବୁରୁ ୟୁରୋପାର ପୃଷ୍ଠରେ କିଛି ଉଲ୍‌କାପାତ ଜନିତ ଗହ୍ବରର ସନ୍ଧାନ ମିଳିଛି। ଏହା ପୃଷ୍ଠରେ ମଧ୍ୟ ହଜାର ହଜାର କିଲୋମିଟର ବ୍ୟାପୀ ସୁଦୀର୍ଘ ସମାନ୍ତରାଳ ପ୍ରାଚୀରମାଳା ବିସ୍ତୃତ, ଯାହା ଏହାର ବରଫାବୃତ ପୃଷ୍ଠ ଉପରେ କଳାରେଖା ସଦୃଶ ପ୍ରତୀୟମାନ ହେଉଛି।
ବିଶାଳ ଗ୍ୟାନିମିଡ୍‌
ବୃହସ୍ପତିର ଅନ୍ୟତମ ଚନ୍ଦ୍ର ଗ୍ୟାନିମିଡ୍‌ ଆମ ସୌରଜଗତର ମଧ୍ୟ ବୃହତ୍ତମ ଚନ୍ଦ୍ର। ଏହା ଆକାରରେ ବୁଧ ଗ୍ରହଠାରୁ ମଧ୍ୟ ବଡ଼ ଏବଂ ଆମ ପୃଥିବୀର ଚନ୍ଦ୍ରଠାରୁ ଦେଢ଼ ଗୁଣ ବଡ଼। ‘ଭୟେଜର-୨’ର ଫଟୋସମୂହରୁ ଏହା ପୃଷ୍ଠରେ ଥିବା ଅନେକ ରୂପରେଖ ଆମ ପୃଥିବୀ ସହିତ ସାମଞ୍ଜସ୍ୟ ଥିବାର ଜଣାପଡୁଛି। ଏହା ପୃଷ୍ଠରେ ଅନେକ ସମାନ୍ତରାଳ ଫାଟ ଦେଖାଯାଏ ଯାହା ଆମ ପୃଥିବୀର ପ୍ରଶାନ୍ତ ମହାସାଗର କିମ୍ବା ଆଣ୍ଟଲାଣ୍ଟିକ ମହାସାଗର ତଳ ସଦୃଶ ଦୃଶ୍ୟମାନ ହେଉଛି। ଏହା ପୃଷ୍ଠରେ ମଧ୍ୟ ଉଲ୍‌କାପାତ ଜନିତ କିଛି ଗହ୍ବର ପରିଲକ୍ଷିତ ହେଉଛି।
ଉତ୍ତପ୍ତ ଚନ୍ଦ୍ର ଆୟୋ
ବୃହସ୍ପତିର ସବୁଠାରୁ ବୈଚିତ୍ର୍ୟମୟ ଚନ୍ଦ୍ର ହେଲା ଆୟୋ। ଏହାର ଅଭ୍ୟନ୍ତର ଅତ୍ୟନ୍ତ ଉତ୍ତପ୍ତ ଓ ପୃଷ୍ଠଦେଶ ଅତି ରୁକ୍ଷ ଓ ଅନେକ ଆଗ୍ନେୟଗିରିରେ ପରିପୂର୍ଣ୍ଣ। ଆମ ପୃଥିବୀର ଆଗ୍ନେୟଗିରିର ମୁଖ (ଗହ୍ବର) ସବୁ ଶିଖରରେ ଅବସ୍ଥିତ ଥିଲାବେଳେ ଆୟୋ ଆଗ୍ନେୟଗିରିର ମୁଖ ସିଧାସଳଖ ଏହାର ପୃଷ୍ଠ ଉପରେ ବିଦ୍ୟମାନ। ମାତ୍ର ଏଥିରୁ ଲାଭା ପରିବର୍ତ୍ତେ ତରଳ ଗନ୍ଧକର ସ୍ରୋତ ଅନବରତ ନିର୍ଗତ ହୁଏ। ଆୟୋର ଏହି ଅସ୍ବାଭାବିକ ତାପମାତ୍ରା ପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଦାୟୀ କରାଯାଏ : ପ୍ରଥମତଃ ଏହାର ଗୋଟିଏ ପଟେ ବୃହସ୍ପତି ଓ ଅନ୍ୟ ପଟେ ଏହାର ଅନ୍ୟ ଚନ୍ଦ୍ରଗଣଙ୍କ ବିପରୀତମୁଖୀ ପ୍ରଚଣ୍ଡ ମହାକର୍ଷଣ ବଳର ସମ୍ମୁଖୀନ ହେବା ଦ୍ୱାରା କ୍ରମାଗତ ସଙ୍କୋଚନ ଓ ପ୍ରସାରଣ ଜନିତ ଘର୍ଷଣ ବଳରେ ବିପୁଳ ତାପ ସଷ୍ଟି ହେଉଛି। ଦ୍ୱିତୀୟତଃ ଆୟୋ ବୃହସ୍ପତିର ପ୍ରଚଣ୍ଡ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଗତି କରିବା ଯୋଗୁ ଉଚ୍ଚ ବିଦ୍ୟୁତ ସ୍ରୋତ ଉତ୍ପନ୍ନ ହୋଇ ତାପଶକ୍ତିରେ ରୂପାନ୍ତରିତ ହେଉଛି।
ପ୍ରାଚୀନ ଗହ୍ବର ସ୍ମୃତି: କ୍ୟାଲିଷ୍ଟୋ
ବୃହସ୍ପତିର ଅନ୍ୟତମ ଚନ୍ଦ୍ର କ୍ୟାଲିଷ୍ଟୋ ଗ୍ୟାନିମିଡ୍‌ଠାରୁ ସାମାନ୍ୟ ଛୋଟ। ଏହାର ବରଫାବୃତ ଚଟାଣ ତଳେ ଅନେକ ପୁରାତନ ଓ ବିଶାଳକାୟ ଗହ୍ବର ସାଇତା ହୋଇ ରହିଛି, ଯାହା ସମ୍ଭବତଃ ସୌରଜଗତର ଆଦ୍ୟକାଳରେ ଉଲ୍‌କାପାତଜନିତ ଆଘାତ ଯୋଗୁ ସଷ୍ଟି ହୋଇଥିଲା। ଏହି ଗହ୍ବରସବୁ ଆକାରରେ ଗୋଲାକାର ଜଣାପଡୁଛନ୍ତି। ମାତ୍ର ଏଠାରେ ଆମର ଚନ୍ଦ୍ର ପରି ଗହ୍ବର ଚାରିପଟେ ପରିବେଷ୍ଟିତ ପ୍ରାଚୀର କିମ୍ବା ସୁଉଚ୍ଚ ଶିଖରୀ ଦେଖିବାକୁ ମିଳେ ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,ଭୋପାଳ, ମଧ୍ୟପ୍ରଦେଶ
ମୋ :୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri