ମୋଦୀ ମନ୍ତ୍ର: ଜନସେବା

ସେବାପକ୍ଷ’ର ଗୌରବମୟ ସମୟରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପୁଣି ଓଡ଼ିଶା ଆଗମନ ଆମ ୪.୫କୋଟି ଓଡ଼ିଆଙ୍କ ପାଇଁ ସମ୍ମାନ ଓ ସ୍ବୀକୃତିର ଦିନ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ତରଫରୁ ମୁଁ ଏହି ମହାନ୍‌ ବିଭୂତିଙ୍କର ଜନ୍ମଦିନ ଅବସରରେ ସେବା ମାଧ୍ୟମରେ ପାଳନର ମହାନ୍‌ ପରମ୍ପରାରେ ସାମିଲ ହୋଇଥିବା ଆପଣମାନଙ୍କ ତରଫରୁ ମୋଦିଜୀଙ୍କୁ ସ୍ବାଗତ କରୁଛି। ମହାପ୍ରଭୁ ଜଗନ୍ନାଥ, ମା’ ସମଲେଇ ତଥା ଓଡ଼ିଶାର ଏହି ପୁଣ୍ୟ ଭୂମିର ଆଶୀର୍ବାଦ ତାଙ୍କୁ ଦୀର୍ଘ, ନିରାମୟ ତଥା ଦେଶ ଓ ଦେଶବାସୀଙ୍କ ସେବା ପାଇଁ ଆହୁରି କର୍ମଠ କରୁ ଏହି ଦିନରେ ମୋର ଏତିକି ପ୍ରାର୍ଥନା। ରାଜ୍ୟରେ ବିଜେପି ସରକାର କାର୍ଯ୍ୟଭାର ଗ୍ରହଣ କରିବା ଅର୍ଥାତ୍‌ ନୂଆ ମନ୍ତ୍ରିମଣ୍ଡଳ ଶପଥ ଦିନ ଓଡ଼ିଶା ଗସ୍ତଠାରୁ ଆଜି ଝାରସୁଗୁଡ଼ା ଗସ୍ତକୁ ହିସାବ କଲେ ଏହା ତାଙ୍କର ସପ୍ତମ ଓଡ଼ିଶା ଗସ୍ତ। ଏହା ସତ, ଦେଶ ସ୍ବାଧୀନତାଠାରୁ ଦେଶରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ମିଶି ଓଡ଼ିଶାକୁ ଯେତେଥର ଆସିଛନ୍ତି ମୋଦୀ ତାଙ୍କର କାର୍ଯ୍ୟକାଳରେ ତା’ଠାରୁ ଅଧିକ ଥର ଆମ ରାଜ୍ୟକୁ ଗସ୍ତ କରି ସାରିଲେଣି। ଏହା ଏହି ରାଜ୍ୟକୁ, ରାଜ୍ୟବାସୀଙ୍କୁ ତାଙ୍କ ହୃଦୟର ନିଭୃତତମ କୋଣରୁ ଭଲ ପାଇବା ବିନା ସମ୍ଭବ ନୁହେଁ। ଆଜି ମୋଦିଜୀ ଝାରସୁଗୁଡ଼ାରେ ‘ଯୁବ ସମାବେଶ’କୁ ସମ୍ବୋଧନ କରିବେ ଏବଂ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ଏତେ ଭଲ ପାଉଥିବା ଓଡ଼ିଶାର ଏହି ମହାନ୍‌ ଦରଦୀବନ୍ଧୁଙ୍କୁ ପୁଣି ଥରେ ହୃଦୟରୁ ସ୍ବାଗତ କରୁଛି।
ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ୧୫ ଦିନ ପର୍ଯ୍ୟନ୍ତ ଆମେ ସେବାପକ୍ଷ ପାଳନ କରିବା ପଛରେ ଭାରତୀୟ ଜନତା ପାର୍ଟିର ରାଜନୈତିକ ସିଦ୍ଧାନ୍ତର ପ୍ରତିଫଳନ, ମାତ୍ର ଆମେ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ରାଜନୀତି ସରକାର ବା କ୍ଷମତା କୈନ୍ଦ୍ରିକ ନୁହେଁ। ବିଜେପି ଏବଂ ଏହାର ମୂଳ ଦଳ ଜନସଂଘ ଆରମ୍ଭରୁ ରାଜନୀତିର ପୃଷ୍ଠଭୂମି ଲୋକ କଲ୍ୟାଣ I ସେବାପକ୍ଷ ମୋଦିଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜୟନ୍ତୀ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ସତ, ମାତ୍ର ବର୍ଷର ୩୬୫ ଦିନ ଆମ ପାଇଁ ରାଜନୀତି ସେବା ଓ ସମର୍ପଣର ଦିନ। ଏହି ୧୫ ଦିନରେ ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଜନ ସାଧାରଣଙ୍କୁ ଭାଗୀଦାରି କରିବା ମୂଳ ଉଦ୍ଦେଶ୍ୟ। ମୁଁ ଅତ୍ୟନ୍ତ ଆନନ୍ଦିତ ମୋଦିଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରର ଅବ୍ୟବହିତ ପୂର୍ବରୁ ”ମା’ ପାଇଁ ଗଛଟିଏ“ ଅଭିଯାନରେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ମୁଁ ଅନୁରୋଧ କରିଥିଲି। ମୋ ରାଜ୍ୟବାସୀ ଏହିଦିନ ଦେଢ଼ କୋଟି ଗଛ ଲଗାଇଥିବା ନିର୍ଦ୍ଧାରିତ ଆପ୍‌ ମାଧ୍ୟମରେ ଅପଲୋଡ୍‌ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଆପ୍‌ରେ ଅପଲୋଡ୍‌ କରିବା ବାହାରେ ଆହୁରି ହଜାର ହଜାର ଓଡ଼ିଆ ଜନତା ବୃକ୍ଷରୋପଣ କରିଥିବାର ଖବର ମୋ ପାଖରେ ଅଛି। ଏହା ତ ଓଡ଼ିଶାବାସୀଙ୍କର ମୋଦିଜୀଙ୍କ ପ୍ରତି ଥିବା ଅଖଣ୍ଡ ଭଲ ପାଇବାର ପ୍ରମାଣ। ଏହି ଭଲ ପାଇବା ଦୀର୍ଘସ୍ଥାୟୀ ହେଉ ଆଜି ମୋଦୀଙ୍କ ଓଡ଼ିଶା ଆଗମନ ଦିନରେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।
ମୋଦିଜୀଙ୍କ ଦୃଢ଼ ନେତୃତ୍ୱ କାରଣରୁ ଓଡ଼ିଶାର ପ୍ରଗତି ଅଧିକ ଗତିଶୀଳ ହୋଇଛି। ୨୦୧୪ରୁ ୨୦୨୫ ମୋଦିଜୀଙ୍କ ୧୧ବର୍ଷର ଶାସନରେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପାଇଁ ମୋଦିଜୀଙ୍କ ଦୁଆର ଖୋଲା I
କେମିତି ଓ କ’ ଣ କ’ ଣ ଓଡ଼ିଶା ଲାଭ ପାଇଲା ଏହାର ବିବରଣୀ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ମୁଁ ଏହି ଆଲେଖ୍ୟ ଲେଖୁନାହିଁ। ଆପଣମାନଙ୍କ ଆଶୀର୍ବାଦରେ ରାଜ୍ୟରେ ବିଜେପି ସରକାର ଗଠନ ହେଲା ଓ ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲି। ବିଜେପିର କାର୍ଯ୍ୟକର୍ତ୍ତା ଓ ବିଧାୟକ ଭାବରେ ଅନେକ ଥର ମୋଦିଜୀଙ୍କ ସାନ୍ନିଧ୍ୟ ଲାଭ କରିଥିଲି। ମାତ୍ର ମୁଖ୍ୟମନ୍ତ୍ରୀ ହେବା ପରେ ମୋଦିଜୀଙ୍କ ସହ ସମ୍ପର୍କର ନିବିଡ଼ତା ସହିତ ସିଧା ସିଧା ତାଙ୍କରି ମାର୍ଗଦର୍ଶନ ଓ ରୋଡ୍‌ ମ୍ୟାପ୍‌ ଆଧାରରେ ଓଡ଼ିଶାର ବିକାଶ ରଥକୁ ଦ୍ରୁତ ଗତିରେ ଆଗେଇ ନେବାର ଭୂମିକା ମୋତେ ମୋଦିଜୀଙ୍କ ବ୍ୟକ୍ତିତ୍ୱ ନେଇ ଅନେକ ସମୟରେ ଅନ୍ତର୍ମୁଖୀ କରିଛି। ମୋତେ ଓ ମୋ ସରକାରକୁ ସମୟ ଓ ବିକାଶର କଷଟି ପଥରରେ ମାପିବାକୁ ବାରମ୍ବାର ଚେଷ୍ଟା କରିଛି। ଯେତେଥର ଆତ୍ମ ସମୀକ୍ଷା କରିଛି, ମୋଦିଜୀଙ୍କ ମାର୍ଗ ଦର୍ଶନକୁ ବ୍ୟାଖ୍ୟା କରିଛି, ସେତେଥର ମୋତେ ଜନସେବାର ନୂଆ ନୂଆ ରାସ୍ତା ଦେଖାଯାଇଛି। ଆହୁରି ଯୋଜନାବଦ୍ଧ ଉଦ୍ୟମ ଓ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣା ମିଳିଛି।
ମୋର ମନେଅଛି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଜୀ ଗୁଜରାଟର ନର୍ମଦା ନଦୀ କୂଳେ କେବଡ଼ିଆଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ବିଶ୍ବର ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି କଲେ। ମାତ୍ର ଦେଶର ଅନନ୍ୟ କିଷାନ ନେତା ସର୍ଦ୍ଦାର ପଟେଲଙ୍କର ବିଶାଳ ଲୌହ ଅବୟବ ନିର୍ମାଣ ପାଇଁ ସାରା ଦେଶକୁ ସାମିଲ କରିବା ଲାଗି ଆମେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଦେଶର ସାଧାରଣ ଜନତାଙ୍କୁ ଆହ୍ବାନ ଦେଲେ I ସେ ଅନୁରୋଧ କଲେ ଦେଶର ପ୍ରତି ପରିବାରରୁ ଲୁହା ସଂଗ୍ରହ କରିବାକୁ। ବିଶେଷ ଭାବରେ ଚାଷ କାମରେ ବ୍ୟବହୃତ ହୋଇଥିବା ହଳ-ଲଙ୍ଗଳ ବା ଅନ୍ୟ ଉପକରଣର ଲୁହା ଦାନ କରିବାକୁ ଆହ୍ବାନ ଜଣାଇଲେ। ବିଜେପିର କାର୍ଯ୍ୟକର୍ତ୍ତା ଭାବରେ ଆମେ ଆମ ଅଞ୍ଚଳର ପରିବାର ପରିବାର ବୁଲି ଲୁହାଖଣ୍ଡ ସବୁ ସଂଗ୍ରହ କଲୁ। ଘରକୁ ଘର ବୁଲି ମୋଦିଜୀଙ୍କ ଆହ୍ବାନ, ସର୍ଦ୍ଦାର ପଟେଲଙ୍କର ଦେଶକୁ ଅଖଣ୍ଡ ରଖିବାର ଭାବନା ଏବଂ ଭବିଷ୍ୟତ ଭାରତ କଥା ଆଲୋଚନା କଲାବେଳେ ସାଧାରଣ ପରିବାରମାନଙ୍କର ଏକ ରାଷ୍ଟ୍ରୀୟ ଆନ୍ଦୋଳନରେ ସାମିଲ ହେବା ଖୁସିକୁ ସେତେବେଳେ ମନେ ମନେ ଅନୁଭବ କରୁଥିଲୁ। ହୃଦୟଙ୍ଗମ ହେଉଥିଲା ମୋଦୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ କେବଳ ସଫଳତାର ନାୟକ ନୁହନ୍ତି, ଜନ ଭାଗୀଦାରି ତାଙ୍କ କାର୍ଯ୍ୟ ପଦ୍ଧତିର ଅବିଚ୍ଛେଦ୍ୟ ଅଙ୍ଗ।
ଭାରତୀୟ ସମାଜ ଜୀବନରେ ଆଉ ଦୁଇ ବିଭୂତି ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜୀବନ ଦର୍ଶନ ସହ ମୋଦିଜୀଙ୍କ ବିଚାରରେ ସମାନତାକୁ ମୁଁ ଅନୁଭବ କରୁଛି। ଗାନ୍ଧିଜୀ ଦେଶର ସ୍ବାଧୀନତା ସଂଗ୍ରାମକୁ ଖାଲି ବ୍ରିଟିଶ ସାଙ୍ଗରେ ଅସହଯୋଗରେ ସୀମିତ ରଖି ନ ଥିଲେ। ଅସହଯୋଗ ଆନ୍ଦୋଳନ ସଫଳତା ପଛରେ ତାଙ୍କର ଜନ ଭାଗୀଦାରି ପାଇଁ ସୁଦୂର ପ୍ରସାରୀ ଚିନ୍ତା, ଯୋଜନା ଏବଂ ସଫଳ କ୍ରିୟାନ୍ବୟନ ସ୍ପଷ୍ଟ ଦେଖାଯାଉଛି। କୁଟି ଖାଅ- କାଟି ପିନ୍ଧ, ଲବଣ ସତ୍ୟାଗ୍ରହ ଆଦି ଲୋକଙ୍କୁ ଆନ୍ଦୋଳନ ସହ ଯୋଡ଼ିବା ହିଁ ତ ଥିଲା ମୂଳ ଉଦ୍ଦେଶ୍ୟ। ଶାସ୍ତ୍ରିଜୀଙ୍କ ନେତୃତ୍ୱରେ ଦେଶ ଲଢ଼ୁଥିଲା ବିଦେଶୀ ଶକ୍ତି ସହ ସାମରିକ ଓ କୂଟନୈତିକ ଯୁଦ୍ଧ। ମାତ୍ର ଦେଶର ଖାଦ୍ୟାନ୍ନ ଅଭାବକୁ ସାମ୍‌ନା କରିବା ପାଇଁ ସପ୍ତାହରେ ଗୋଟିଏ ଓଳିର ଆହାର ତ୍ୟାଗକରି ଉପବାସ ରହିବା ପାଇଁ ଆହ୍ବାନ ଦେଶରେ ନୂଆ ଜାଗରଣର ଲହରି ଆଣିଥିଲା।
ଆଜି ଯେତେବେଳେ ଆମେ ମୋଦିଜୀଙ୍କ ୧୧ ବର୍ଷର କାର୍ଯ୍ୟକାଳକୁ ଦେଶର ସାଧାରଣ ଜନତା ଭାବରେ ସମୀକ୍ଷା କରୁଛୁ ସେତେବେଳେ ତାଙ୍କର ଜନ ଭାଗୀଦାରି ମାଧ୍ୟମରେ ଜନ ଆନ୍ଦୋଳନ ତିଆରି ବିକାଶକୁ ସର୍ବବ୍ୟାପି ଏବଂ ସର୍ବସ୍ପର୍ଶୀ କରିବାରେ ମୂଳ ମନ୍ତ୍ର ହୋଇଛି।
ମୋଦିଜୀ ନିଜ ପ୍ରଧାନମନ୍ତ୍ରୀତ୍ୱର ପ୍ରାରମ୍ଭିକ ବର୍ଷରେ ସ୍ବଚ୍ଛତା ଅଭିଯାନ ଆରମ୍ଭ କଲେ। ସେତେବେଳର ତାଙ୍କର ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କର ଅଳ୍ପଦିନ ତଳର ଏକ ଟିଭି ସାକ୍ଷାତ୍‌କାର ଦେଖିଲି। ମୋଦିଜୀଙ୍କର ଜନତାଙ୍କ ସମସ୍ୟାର ଅନୁଭବ ଓ ପ୍ରଶାସନିକ କଳକୁ ମାର୍ଗଦର୍ଶନର ପ୍ରସଙ୍ଗରେ ନୃପେନ୍ଦ୍ର ମିଶ୍ରଙ୍କ ବ୍ୟାଖ୍ୟା ଆମ ଭଳି ନୂଆ ପିଢ଼ିର ରାଜନେତାଙ୍କୁ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରୁଛି। ଲାଲକିଲ୍ଲାରୁ ଶୌଚାଳୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସାମିଲ ପ୍ରସଙ୍ଗ ପ୍ରଶାସନିକ ବ୍ୟବସ୍ଥାକୁ ନୂଆ ନୂଆ ଲାଗୁଥିଲା। କିନ୍ତୁ ଲାଲକିଲ୍ଲାରୁ ୨୦୧୪ ଅଗଷ୍ଟ ୧୫ ଭାଷଣରେ ମୋଦିଜୀଙ୍କୁ ଏହା ସବୁଠୁ ବଡ଼ ଲାଗୁଥିଲା।
ମୋଦିଜୀ ଯେତେବେଳେ ରାସ୍ତାରୁ କାଗଜ ଉଠାଇ ନିଜ ପକେଟରେ ରଖୁଛନ୍ତି ସ୍ବଚ୍ଛତା ଜନ ଆନ୍ଦୋଳନରେ ନୂଆ ଉତ୍ସାହ ଯୋଡ଼ି ହେଉଛି। ଆଣ୍ଡାମାନର ସମୁଦ୍ର କୂଳରେ ଯେତେବେଳେ ନିଜେ ବୁଲି ଭାରତର ପର୍ଯ୍ୟଟନ ବିକାଶ ମାଧ୍ୟମରେ ଅର୍ଥନୀତିକୁ ଦୃଢ଼ କରିବା ପାଇଁ ବାର୍ତ୍ତା ଦେଉଛନ୍ତି ତାହା ଜନ ଆନ୍ଦୋଳନ ହେଉଛି। ଯେତେବେଳେ ‘ଦେଖୋ ଅପନା ଦେଶ’ ସନ୍ଦେଶ ଦେଉଛନ୍ତି ସେତେବେଳେ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଭିଡ଼ ଲାଗି ଯାଉଛି। ଖଦି ପିନ୍ଧିବାର ଆହ୍ବାନ, ଦେଶରେ ନୂଆ ବାତାବରଣ ସୃଷ୍ଟି କରୁଛି। ସମୟ ମିଳିଲେ ୟୁଟ୍ୟୁବ ଖୋଲି ମୋ ପସନ୍ଦର ବ୍ୟକ୍ତିମାନଙ୍କର ସାକ୍ଷାତ୍‌କାର ଦେଖିବାକୁ ମୋତେ ଭଲ ଲାଗେ। ନିକଟରେ ଏକ ଜାତୀୟ ଟିଭି ଚ୍ୟାନେଲର ୩ ଜଣ ଆଙ୍କର୍‌ ମୋଦିଜୀଙ୍କ ସାକ୍ଷାତ୍‌କାର କରୁଥିଲେ। ସେମାନଙ୍କର ପ୍ରଶ୍ନ ଥିଲା ଆପଣ ଦେଶବାସୀଙ୍କ ମନ ଉପରେ କବ୍‌ଜା କରିଦେଇଛନ୍ତି। ମୋଦିଜୀ ନମ୍ରତାର ସହ ଉତ୍ତର ଦେଇଥିଲେ ଜନମନକୁ ଯିଏ କବ୍‌ଜା କରିବାର ଦୁଃସାହସ କରିବ, ସିଏ ଶେଷ ହୋଇଯିବ। ଜନମନକୁ ବୁଝିବା ଦରକାର, ଜନ ମନର ବିଚାର ଓ ଆମର ବିଚାର ମାଧ୍ୟମରେ ଥିବା ଦୂରତାକୁ ବୁଝିବା ଏବଂ ଏହି ଦୂରତାକୁ ଦୂର କରି ଜନ ମନର ଇଚ୍ଛାକୁ ସମ୍ମାନ ଦେଇ ସେମାନଙ୍କ ପାଖକୁ ଗଲେ ସେମାନେ ଖୋଲା ମନରେ ଖାଲି ସ୍ବୀକାର କରନ୍ତିନି ବରଂ ଏଥିରେ ଖୁସିରେ ସାମିଲ ହୋଇଯାଆନ୍ତି। ଲାଲକିଲ୍ଲାରୁ ଶୌଚାଳୟ ଆନ୍ଦୋଳନର କଥା ହେଉ, କୁମ୍ଭ ମେଳାରେ ସଫାଇ କର୍ମଚାରୀଙ୍କ ପାଦ ଧୋଇବା ଜନମନର ମନରେ ଏକ ସକାରାତ୍ମକ ଭାବନା ତିଆରି କରୁଛି। ଜନଧନ ବ୍ୟାଙ୍କ ଖାତା ଖୋଲିବା ହେଉ ଅଥବା ଦେଶର ମେହନତୀ ମଣିଷ ପାଇଁ ମୁଦ୍ରା ଲୋନ, ଦେଶର ଗରିବ ଓ ଉପେକ୍ଷିତ ଲୋକଙ୍କୁ ବିକାଶର କେନ୍ଦ୍ରବିନ୍ଦୁକୁ ଆଣି ପାରିଛି।
ମୋଦିଜୀ ଆମର ରାଜ୍ୟରେ ବିକାଶ ପାଇଁ ନୂଆ ସୁଯୋଗ ତିଆରି କରିଛନ୍ତି। ୟୁପିଏ ଶେଷ ୫ ବର୍ଷରେ ଆମ ରାଜ୍ୟର ରେଳବାଇ ପାଇଁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ଆସୁଥିଲା। ଦେଶର ଶେଷ ରେଳ ବଜେଟରେ ମୋଦିଜୀ ଓ ଅଶ୍ବିନୀ ବୈଷ୍ଣବ ୧୦ ହଜାର ୫୯୯ କୋଟି ଅର୍ଥାତ୍‌ ୧୨.୬ ଗୁଣ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ରାଜ୍ୟରେ ଏବେ ୮୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରେଳ ପ୍ରକଳ୍ପ ଚାଲିଛି। ୧୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସଡ଼କ ପ୍ରକଳ୍ପ ନିର୍ମାଣ ଚାଲିଛି। ରାଜ୍ୟରେ ଫିଜିକାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ହେଉ ବା ସୋସିଆଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ମୋଦିଜୀଙ୍କ ସମୟ ଓଡ଼ିଶା ପାଇଁ ସୁବର୍ଣ୍ଣ ଯୁଗ।
ମୋଦିଜୀଙ୍କୁ ସ୍ବାଗତ କରିବା ସମୟରେ ଗୋଟିଏ କଥା କହିବି, ଆମ ପାଖରେ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ଅଜସ୍ର ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓ ବୁଦ୍ଧିମାନ ମାନବ ସମ୍ବଳ ଅଛି, ଯାହା ଭାରତର ଅନ୍ୟ କୌଣସି ରାଜ୍ୟ ପାଖରେ ନାହିଁ। ଓଡ଼ିଶା ଧନୀ, ମାତ୍ର ଓଡ଼ିଆ ଗରିବ। ଆମକୁ ଏହି ଅପମାନଦାୟକ ପରିସ୍ଥିତିରୁ ବାହାରିବାକୁ ପଡ଼ିବ। ଖାଲି ଓଡ଼ିଶା ଧନୀ ନୁହେଁ, ଓଡ଼ିଶାବାସୀ ବି ସମ୍ପନ୍ନ। ଏହା ୨୦୩୬ ମସିହା ସୁଦ୍ଧା ଆମେ ସମ୍ଭବ କରି ଦେଖାଇପାରିବା।
ମୋଦିଜୀ ପ୍ରଧାନମନ୍ତ୍ରୀ ହେବାବେଳେ ଆମ ଦେଶ ବିଶ୍ବର ୧୧ ନମ୍ବର ଅର୍ଥନୀତି ଥିଲା। ଏବେ ଆମେ ୪ ନମ୍ବରରେ। ଦେଶର ବିକାଶ ପଛରେ ରହିଛି ଦେଶବାସୀଙ୍କର ଦେଶର ନେତୃତ୍ୱ ଉପରେ ଅଖଣ୍ଡ ବିଶ୍ବାସ ଓ ଆଗକୁ ବଢ଼ିବା ପାଇଁ ଆତ୍ମ ବିଶ୍ୱାସ। ମୋଦିଜୀଙ୍କର ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଭାଗ୍ୟୋଦୟରେ ନିର୍ଣ୍ଣାୟକ ଭୂମିକା ନେବ। ଏହା ସମ୍ଭବ ହେବା ପଛରେ ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପୂର୍ବୋଦୟ ବିଚାର ମୂଳ ସହାୟକ ହେବ। ମୋଦିଜୀଙ୍କ ଆଜି ଓଡ଼ିଶା ଆଗମନ ଓ ବିକଶିତ ଓଡ଼ିଶା ଗଠନ ପାଇଁ ‘ଯୁବ ସମାବେଶ’ରେ ଯୋଗଦାନ ଅବସରରେ ତାଙ୍କୁ ସ୍ବାଗତ କରିବା। ଏହା ସହ ଜନ ଭାଗୀଦାରି, ଗରିବ କଲ୍ୟାଣ ଓ ଦ୍ରୁତ ଆର୍ଥିକ ବିକାଶକୁ ସଫଳ କରିବା ପାଇଁ ଶପଥ ନେବା। ସାଢ଼େ ୪ କୋଟି ଓଡ଼ିଆଙ୍କ ଏହି ବିକାଶ ଯାତ୍ରାରେ ଡବଲ ଇଞ୍ଜିନ ସରକାର ଓ ମୁଁ ନିମିତ୍ତ ମାତ୍ର।

ମୋହନ ଚରଣ ମାଝୀ

ଜୟ ଜଗନ୍ନାଥ
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?