ଗରିବ କଲ୍ୟାଣ ପାଇଁ ମୋଦୀଜୀଙ୍କ ଭିବି ଜି-ରାମ୍‌-ଜି

ନିକଟ ଅତୀତରେ ଆମ ସଂସଦରେ ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ଭିବି ଜି-ରାମ୍‌-ଜି ଆଇନ ପାରିତ ହୋଇଛି। ଦେଶରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ଆଇନର ବିରୋଧ କରିବା ସହ ରୋଜଗାରର ଗ୍ୟାରେଣ୍ଟି ଶେଷ ହୋଇଯିବା, ଗାନ୍ଧୀଜୀଙ୍କ ଅପମାନ ପରି ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣି ଜନମତ ଭ୍ରମିତ କରିବାର ଅପଚେଷ୍ଟା କରୁଛି। ଆମ୍‌ ଆଦ୍‌ମୀ ପାର୍ଟି ଶାସିତ ପଞ୍ଜାବ ବିଧାନସଭାରେ ଏହି ଆଇନ ବିରୁଦ୍ଧରେ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ଗଣତନ୍ତ୍ରରେ ଦ୍ୱିମତ ହେବା କିଛି ଖରାପ କଥା ନୁହେଁ। ମତ ଓ ଭିନ୍ନ ଭିନ୍ନ ମତ ଓ ମତ ମତାନ୍ତର ଗଣତନ୍ତ୍ରକୁ ସୁଦୃଢ଼ କରେ। ଏହା ଆମେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ପୃଷ୍ଠଭୂମିରୁ ସରକାରକୁ ଆସିଥିବା ବ୍ୟକ୍ତିମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅଖଣ୍ଡ ବିଶ୍ୱାସ। ମାତ୍ର ଗଣତାନ୍ତ୍ରିକ ବିତର୍କର ଗୋଟିଏ ବଡ଼ ସର୍ତ୍ତ ରହିଛି। ଏହି ମତାନ୍ତରର ଆଧାର ସତ୍ୟ ଓ ତଥ୍ୟ ଆଧାରିତ ହେବା ଉଚିତ। ବିତର୍କର ନିର୍ଯାସ ଯେତେବେଳେ ସାମ୍ନାକୁ ଆସିବ କିଏ ଠିକ୍‌ କିଏ ଭୁଲ୍‌ ସେତେବେଳେ ତା’ର ଆନୁଷ୍ଠାନିକ ଘୋଷଣାର ଆବଶ୍ୟକତା ନାହିଁ। ଭାରତ ଓ ଓଡ଼ିଶାର ସମୃଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ସେମାନଙ୍କର ମନ ବନେଇ ନେବେ।
ଭିବି ଜି-ରାମ୍‌-ଜି ବିବାଦ ପରିପ୍ରେକ୍ଷୀରେ ଓଡ଼ିଆ ଲୋକମାନଙ୍କର ଜଣେ ସେବକ ଭାବରେ ଏହି ନିବନ୍ଧ ମାଧ୍ୟମରେ କିଛି ତଥ୍ୟ ଓ ସତ୍ୟକୁ ଉପସ୍ଥାପିତ କରିବି। ମୋ ବୈଚାରିକ ପୃଷ୍ଠଭୂମି ଆଧାରରେ ବ୍ୟାଖ୍ୟା କରିବି। ମୋ ପ୍ରିୟ ଓଡ଼ିଶାବାସୀ ଏହାକୁ ହୃଦୟଙ୍ଗମ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ଏହା ସହ ଆଦିବାସୀ, ଦଳିତ, ପଛୁଆବର୍ଗ, ମହିଳା, ଚାଷୀ ଓ ଯୁବପିଢ଼ିର କିଏ ହିତାକାଂକ୍ଷୀ, କିଏ ଗରିବର ପ୍ରକୃତ ବନ୍ଧୁ ତା’ର ଆକଳନ ବି ସ୍ପଷ୍ଟ ଭାବରେ କରିଦେବେ।
ନିବନ୍ଧ ଆରମ୍ଭରୁ ମୁଁ ସ୍ପଷ୍ଟତାର ସହ କହିବାକୁ ଚାହେଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ। ବିକଶିତ ଭାରତର ମୂଳଦୁଆ ଗରିବ କଲ୍ୟାଣ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଆମ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ମାନେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ଗଠନରେ ଓଡ଼ିଶାର ଏକ ପ୍ରମୁଖ ଭୂମିକା ରହୁ ଏଥିପାଇଁ ମୋଦୀଜୀଙ୍କ ମାର୍ଗଦର୍ଶନରେ ବିକାଶର ନକ୍ସା ଆଧାରରେ ଆମେ କାମ କରୁଛୁ।
ମୋର ଦୃଢ଼ ବିଶ୍ୱାସ ଏହି ନୂତନ ଭିବି ଜି-ରାମ୍‌-ଜି ଆଇନ ମୋଦୀଜୀଙ୍କ ବିକଶିତ ଭାରତ ନିର୍ମାଣ ସ୍ବପ୍ନକୁ ସାକାର କରିବା ପାଇଁ ଗରିବ ଓ ମେହନତି ମଣିଷର ଯୋଗଦାନକୁ ଆହୁରି ବଢ଼ାଇବ। ପୁରୁଣା ଏମ୍‌ଜିଏନ୍‌ଆର୍‌ଇଜିଏର ତ୍ରୁଟି ବିଚ୍ୟୁତିକୁ ଅନୁଭବ ଆଧାରରେ ଦୂରକରି ଭିବି ଜି-ରାମ୍‌-ଜି ନୂଆ ଅଧ୍ୟାୟ ସୃଷ୍ଟି କରିବ।
ଏବେ ଆସିବା କିଛି ତଥ୍ୟକୁ। ପୂର୍ବରୁ କିଛି ମତ ରଖିଲି ଏବଂ ପରେ ମୋର ମତ ରଖିବି। ମତ ସହ କିଏ ଦ୍ୱିମତ ହୋଇପାରେ। ମାତ୍ର ତଥ୍ୟ ହେଉଛି ପ୍ରାମାଣିକ ସତ୍ୟ। ମୋ ସାମ୍ନାକୁ ଆସିଥିବା କିଛି ତଥ୍ୟ ମୁଁ ଆପଣଙ୍କ ସାମ୍ନାରେ ଉପସ୍ଥାପନା କରୁଛି।
ୟୁପିଏ ଶାସନର ଦ୍ୱିତୀୟ ପାଳିରେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ବଜେଟ ପ୍ରବଳ ମାତ୍ରାରେ ତଳକୁ ତଳକୁ ଯାଇଥିଲା। ୨୦୧୦-୧୧ ଆର୍ଥିକ ବର୍ଷରେ ୪୦,୧୦୦ କୋଟିର ବଜେଟ ୨୦୧୨-୧୩ ଆର୍ଥିକ ବର୍ଷରେ ୩୩,୦୦୦ କୋଟିରେ ପହଞ୍ଚିଥିଲା। ସେତେବେଳର ବିଭାଗୀୟ ରାଜ୍ୟ ପାହ୍ୟା ମନ୍ତ୍ରୀ ରାଜୀବ ଶୁକ୍ଳା ସଂସଦରେ ଉତ୍ତର ଦେଇ କହିଥିଲେ, ୨୦୧୦-୧୧ରେ ୭.୫୫ କୋଟି ଶ୍ରମିକରୁ ୨୦୧୩ ନଭେମ୍ବର ବେଳକୁ ଏହା ଖସି ୬.୯୩ କୋଟିରେ ପହଞ୍ଚିଥିଲା। ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ, ଶ୍ରମିକକୁ ଅର୍ଥ ପ୍ରଦାନରେ ପାରଦର୍ଶିତାର ଘୋର ଅଭାବ, ପ୍ରଶାସନିକ ସ୍ଥାଣୁତା ଶ୍ରମିକମାନଙ୍କର ଏହି ଯୋଜନାରେ କାମ ପାଇଁ ଆଗ୍ରହକୁ କମ୍‌ କରୁଥିଲା।
ମୋଦୀ ଶାସନ କାଳ ଆରମ୍ଭରୁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାକୁ ଦୁର୍ବଳ କରି ଦେବାକୁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସଂସଦ ଭିତରେ ଓ ବାହାରେ ବହୁ ତୁମ୍ବିତୋଫାନ ହୋଇଛି। ବିତର୍କ ତଥ୍ୟ ଆଧାରିତ ହେବା ଉଚିତ। ୨୦୧୩-୧୪ ୟୁପିଏ ଶେଷ ବର୍ଷରେ ଏହି ଯୋଜନାର ୩୩ ହଜାର କୋଟି ବଜେଟ ବଢ଼ି ବଢ଼ି ମୋଦୀଙ୍କ ଶାସନରେ ୨୦୨୪-୨୫ରେ ୮୬ ହଜାର କୋଟିରେ ପହଞ୍ଚତ୍ଛି। ୟୁପିଏର ଶେଷ ବର୍ଷ ୨୦୧୩-୧୪ରେ ୧୬୬୦ କୋଟି ମ୍ୟାନ୍‌ ଡେଜର କାମ ଏନ୍‌ଡିଏ ଶାସନରେ ୩,୨୧୦ କୋଟିରେ ପହଞ୍ଚିଥିଲା। ଏହି ସମୟରେ କେନ୍ଦ୍ରୀୟ ଅର୍ଥର ବ୍ୟୟବରାଦ ୨.୧୩ ଲକ୍ଷ କୋଟିରୁ ବଢ଼ି ୮.୫୩ ଲକ୍ଷ କୋଟିରେ ପହଞ୍ଚତ୍ଲା। ସମ୍ପୂର୍ଣ୍ଣ କାମର ସଂଖ୍ୟା ୧୫୩ ଲକ୍ଷରୁ ୮୬୨ ଲକ୍ଷରେ ପହଞ୍ଚିଲା। ଏହି କାମରେ ମହିଳାଙ୍କ ଭାଗୀଦାରି ୪୮ ପ୍ରତିଶତରୁ ବଢ଼ି ୫୬ ପ୍ରତିଶତରୁ ଅଧିକ ହେଲା। ଏହି ଯୋଜନାରେ ପାଖାପାଖି ୯୯ ପ୍ରତିଶତ ଶ୍ରମିକ ଆଧାର ସଂଯୁକ୍ତ ଅର୍ଥ ପ୍ରଦାନରେ ଯୋଡ଼ି ହୋଇଥିଲେ। ଏହା ଏହି ଯୋଜନା ପ୍ରତି ବୈମାତୃକ ମନୋଭାବ ନୁହେଁ ବରଂ ମୋଦୀ ସରକାରଙ୍କର ଗରିବମାନଙ୍କୁ ଲାଭ ପହଞ୍ଚାଇବାର ନିଷ୍ଠାକୁ ହିଁ ଦର୍ଶାଉଛି।
ନାମ ପରିବର୍ତ୍ତନ ବିବାଦକୁ ପରେ ଆସିବି, ମାତ୍ର ଆଉ କିଛି ତଥ୍ୟକୁ ମୁଁ ଆପଣଙ୍କ ସାମ୍‌ନାରେ ଉପସ୍ଥାପନା କରିବାକୁ ଚାହୁଁଛି। ପୁରୁଣା ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ପରିବାର ପିଛା ବାର୍ଷିକ ୧୦୦ ଦିନର କାମର ଗ୍ୟାରେଣ୍ଟି ଥିଲା। ମାତ୍ର ଯଦି ଆମେ ତଥ୍ୟକୁ ଦେଖିବା ୧୦୦ ଦିନ ପରିବର୍ତ୍ତେ ହାରାହାରି ୫୦ ଦିନର କାମ ମିଳୁଥିଲା। ଏହି ଯୋଜନାରେ ତଦାରଖ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ବିଚ୍ୟୁତି ଥିଲା; ଯାହା ପାଇଁ ଏହି ଯୋଜନା ଦୁର୍ନୀତିରେ ପୋତି ହୋଇପଡ଼ୁଥିଲା। ୨୦୦୬ରୁ ୨୦୧୧ ଭିତରେ ବିହାରରେ ୬ ହଜାର କୋଟିର ସ୍କାମ, ୨୦୧୧ରେ ଉତ୍ତର ପ୍ରଦେଶରେ ୧୦ ହଜାର କୋଟିର ଫେକ୍‌ ଜବ କାର୍ଡ, ମିଛ ପର୍‌ଚେଜର ସ୍କାମ ସାମ୍ନାକୁ ଆସିଥିଲା। ୨୦୧୨ରେ ଆମ ଓଡ଼ିଶାର ସମ୍ବଲପୁରରେ ମୃତ, ବୟୋବୃଦ୍ଧ, ରୋଗୀଙ୍କୁ ନେଇ ମିଛ କର୍ମ ନିଯୁକ୍ତି, ଅର୍ଦ୍ଧ ନିର୍ମିତ ରାସ୍ତା କାମ ତଥା ଆଦୌ ହୋଇ ନ ଥିବା କାମର ବିଲ୍‌ ଉଠିଥିଲା। ଗୋଟିଏ କାମକୁ ବାରମ୍ବାର ବିଲ୍‌ କରାଯାଇଥିଲା। ମୋଟାମୋଟି ଦୁର୍ବଳ ଯୋଜନା, ଅସଂଗଠିତ ବା ଅନଷ୍ଟ୍ରକ୍‌ଚର୍ଡ କର୍ମ ନିଯୁକ୍ତି, ସ୍ଥାନୀୟ ବିକାଶ ଆବଶ୍ୟକତା ଅନୁସାରେ ଯୋଜନା ନ ହେବା, ବିଭିନ୍ନ ଋତୁକାଳୀନ ଓ ପ୍ରଶାସନିକ ସମସ୍ୟା ଏହି ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାକୁ ଅନ୍ତଃସାର ଶୂନ୍ୟ କରିଦେଇଥିଲା।
ଏମ୍‌ଜିଏନ୍‌ଆର୍‌ଇଜିଏକୁ ସମାପ୍ତ କରି ଭିବି ଜି-ରାମ୍‌-ଜି ମୋଦୀଙ୍କ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ହାସଲ କରିବାକୁ ଉଦ୍ଦିଷ୍ଟ। ୧୦୦ ଦିନ ପରିବର୍ତ୍ତେ ୧୨୫କାର୍ଯ୍ୟ ଦିବସରେ ଗ୍ୟାରେଣ୍ଟି ଏଥିରେ ଅଛି। ଗ୍ରାମାଞ୍ଚଳ କର୍ମ ନିଯୁକ୍ତି ବ୍ୟବସ୍ଥାର ଆଧୁନିକୀକରଣ କରାଯାଇ ପୂର୍ବ ଆଇନରେ ଥିବା ବହୁଦିନର ଦୁର୍ବଳତାକୁ ଦୂର କରାଯାଇଛି। ଦୀର୍ଘ ସ୍ଥାୟୀ ଗ୍ରାମୀଣ ଆସେଟ୍‌ ପ୍ରସ୍ତୁତ କରିବା ମାଧ୍ୟମରେ ଗ୍ରାମାଞ୍ଚଳରେ ଉତ୍ପାଦନ କ୍ଷମତା ବୃଦ୍ଧିକରିବା ଏହି ନୂଆ ନିୟମର ମୂଳଲକ୍ଷ୍ୟ। ପୂର୍ବରୁ ଲେବର୍‌ ବଜେଟ ଅନିଶ୍ଚିତ ଥିଲା। ଏଥିରେ ପରିବର୍ତ୍ତନ କରାଯାଇ ରାଜ୍ୟମାନଙ୍କୁ ମଧ୍ୟ ଅନେକ କ୍ଷେତ୍ରରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ୨୬୦ ପ୍ରକାରର ଛୋଟ ବଡ଼ କାମକୁ ଷ୍ଟ୍ରିମ୍‌ ଲାଇନ କରାଯାଇ ଚାରୋଟି ପ୍ରମୁଖ କ୍ଷେତ୍ରରେ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଏଗୁଡିକ ହେଲା ଗ୍ରାମାଞ୍ଚଳ ବିକାଶର ୪ଟି ପ୍ରମୁଖ ଦିଗ ଯଥା ଜଳ ସୁରକ୍ଷା (Water Security), ଗ୍ରାମୀଣ ଭିତ୍ତିଭୂମି (Rural Infrastructure), ଜୀବିକା ସମ୍ପଦ(Livelihood Assets) ଏବଂ ଜଳବାୟୁ ସୁରକ୍ଷା (Climate Protection)। ଏହା ୨୦୪୭ ବିକଶିତ ଭାରତର ୪ ଆଧାର ସ୍ତମ୍ଭ ହେବ। କୃଷି କ୍ଷେତ୍ରକୁ ଆଖି ଆଗରେ ରଖି ଜିଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଚାଷ ଓ ଅମଳ ସମୟରେ ୬୦ ଦିନ ଏହି କାମ ଦେବା ପାଇଁ ସ୍ଥାନୀୟ ସ୍ତରରେ ନିଷ୍ପତ୍ତି ନେବା ପାଇଁ ଅଧିକାର ଦିଆଯାଇଛି। ଅର୍ଥାତ୍‌ ପୂର୍ବରୁ ଯେପରି ମିଛରେ କାମ ହୋଇଛି କହି ମିଛ କାଗଜପତ୍ର ଆଧାରରେ ଖର୍ଚ୍ଚ କରାଯାଇଥିଲା ସେଥିରେ ରୋକ ଲାଗିବ। ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକ ଅଭାବ ଓ ମଜୁରି ବଢ଼ିବା ସମସ୍ୟା ଦୂର ହେବ।
ଏଆଇ ଏବଂ ଜିପିଏସ୍‌ ମୋବାଇଲ ଟ୍ରାକିଂ ଆଧୁନିକ ଟେକ୍ନୋଲୋଜି ଆଦିର ବହୁଳ ବ୍ୟବହାର, ବାଧ୍ୟତାମୂଳକ ତଥ୍ୟ ସାର୍ବଜନୀନକରଣ, ବାଧ୍ୟତାମୂଳକ ସୋସିଆଲ ଅଡିଟ ନୂଆ ଯୋଜନାକୁ ପାରଦର୍ଶୀ କରିବ। କାମ ମାଗିବାର୧୫ଦିନ ମଧ୍ୟରେ କାମ ଯୋଗାଇ ନ ପାରିଲେ ଭତ୍ତା ଯୋଗାଣକୁ ସୁନିଶ୍ଚିତ କରାଯିବାର ବ୍ୟବସ୍ଥା କରାଯାଇଛି।
ମୋଟା ମୋଟି ଲୋକଙ୍କ ହାତକୁ କାମ ଦରକାର ଓ ରୋଜଗାର ଦରକାର। ମୋଦୀଙ୍କ ଭିବି ଜି-ରାମ୍‌-ଜି ରେ ଅଧିକ ଦିନ କାମ, ଅଧିକ ରୋଜଗାର, କାମ ନ ମିଳିଲେ ଭତ୍ତା ସହ ଟେକ୍ନୋଲୋଜିର ବହୁଳ ବ୍ୟବହାର ଚୋରି-ଚପାଟି ଓ ଦୁର୍ନୀତି ଉପରେ ରୋକ ଲଗାଇବ। ଏହା ସହ ଖାଲି କାମ ନୁହେଁ ଦୀର୍ଘ ମିଆଦୀ ରୋଜଗାର ସୁଯୋଗ ସୃଷ୍ଟି ପାଇଁ ଭିତ୍ତିଭୂମି ସୃଷ୍ଟି କରିବ। ଗାଁ ଓ ଗରିବଙ୍କ ମନ ବୁଝି ସେମାନଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାର ରୋଜଗାରର ପନ୍ଥାକୁ ସୁନିଶ୍ଚିତ କରିବ ଭିବି ଜି-ରାମ୍‌-ଜି ।
ଆଉ ରହିଲା ଗାନ୍ଧୀଜୀଙ୍କ ନାଁ କାହିଁକି ବଦଳାଇଲ। ଆମେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ପାଇଁ ଗାନ୍ଧୀଜୀ ଓ ଦୀନ ଦୟାଲଜୀଙ୍କ ବିଚାର ସର୍ବୋପରି। ବାଜପେୟୀଜୀଙ୍କ ସୁଶାସନ ମଡେଲ ହେଉ ବା ମୋଦୀଜୀଙ୍କ ଗରିବ କଲ୍ୟାଣ ଏହା ମୂଳରେ ଗାନ୍ଧୀଜୀଙ୍କ ଗ୍ରାମ ସ୍ବରାଜ ଓ ଦୀନ ଦୟାଲଙ୍କ ଏକାତ୍ମ ମାନବ ଦର୍ଶନ; ଯାହାର ମୂଳମନ୍ତ୍ର ବିକାଶ ପାହାଚର ଶେଷଧାଡ଼ିରେ ଥିବା ଲୋକ ପାଖରେ ଯୋଜନାର ଲାଭ ପହଞ୍ଚାଇବା। ମୋଦୀଜୀଙ୍କ ଭିବି ଜି-ରାମ୍‌-ଜି ପଛରେ ରହିଛି ଗାନ୍ଧୀବାଦର ପ୍ରେରଣା।
ଶେଷରେ କଂଗ୍ରେସ ବନ୍ଧୁମାନଙ୍କୁ ପ୍ରଶ୍ନ, କଂଗ୍ରେସ ଶାସନରେ ଗୋଟିଏ ଯୋଜନାର ନାଁ ଥିଲା ଜବାହର ରୋଜଗାର ଯୋଜନା। ସେ ଯୋଜନା ରହିଲାନି। କଂଗ୍ରେସ ଶାସନ କାଳରେ ଏହା ହେଲା। ଏହାର ମାନେ କ’ଣ କଂଗ୍ରେସ ନେହେରୁଙ୍କର ଅପମାନ କଲା ? ନା ଯୋଜନାରେ ‘ରାମ’ ନାମ କଂଗ୍ରେସକୁ ଛଟପଟ କରୁଛି ?

ଜୟ ଜଗନ୍ନାଥ

ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?