ଆଧୁନିକତା ଓ ଓଡ଼ିଆ କାବ୍ୟ

ଡ. ପ୍ରମୋଦ କୁମାର ପଣ୍ଡା

 

ସମାଜର ହିତ ସାଧନ କରୁଥିବା ଲେଖାକୁ ସାହିତ୍ୟ କୁହାଯାଇଥାଏ। ଏହା ମାଧ୍ୟମରେ ଜନସାଧାରଣ ତା’ର ସଭ୍ୟତା, ସଂସ୍କୃତି, ଇତିହାସ, ଭୂଗୋଳ, ବିଜ୍ଞାନ, ଦର୍ଶନ ଆଦିକୁ ପରିପ୍ରକାଶ କରିଥା’ନ୍ତି। ସାହିତ୍ୟର ଆହୁରି ଏକ ବଡ଼ ଦିଗ ହେଉଛି ମନୋରଞ୍ଜନ ଓ ସମାଜ ସଂସ୍କାର। ଏହି ସାହିତ୍ୟ ଦୁଇ ପ୍ରକାରର। ଏକ ଗଦ୍ୟ ସାହିତ୍ୟ ଓ ଅନ୍ୟଟି ପଦ୍ୟ ସାହିତ୍ୟ। ଉଭୟ ବିଭାଗ, ସେ ପଦ୍ୟ ସାହିତ୍ୟର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ହେଉ କିମ୍ବା ଗଦ୍ୟ ସାହିତ୍ୟର ଫକୀରମୋହନ ସେନାପତିଙ୍କ ପେଟେଣ୍ଟ ମେଡିସିନ ଅବା ଡାକ ମୁନିସୀ କିମ୍ବା ଲିଓ ଟଲ୍‌ଷ୍ଟୟଙ୍କ ଟମକକାଙ୍କ କୁଟିର, ସବୁକିଛି ସମାଜ ପାଇଁ ଉପଯୋଗୀ ହୋଇଛି । ଏହି ଦୁଇ ବିଭାଗରୁ ପଦ୍ୟ ସାହିତ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କାରଣ ଏହାକୁ ସ୍ବର, ତାଳ ଓ ଲୟରେ ଗାନ ଦ୍ୱାରା ଏହା ଏକ ସଙ୍ଗେ ଲକ୍ଷ ଲକ୍ଷ ଲୋକଙ୍କ ମନୋରଞ୍ଜନ କରାଇଥାଏ, ଯାହାକି ଗଦ୍ୟ ସାହିତ୍ୟ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ । ତାକୁ ନିଜେ ପଢ଼ି ତା’ର ମହତ୍ତ୍ୱ ଉପଲବ୍ଧି କରିବାକୁ ପଡ଼େ। ଏହି ପଦ୍ୟ ସାହିତ୍ୟ ବା କାବ୍ୟ ପଦ୍ୟାବଳୀ ବିଭିନ୍ନ ଛାନ୍ଦ, ରାଗ ଉପରେ ପର୍ଯ୍ୟବସିତ ହେଲେ ଖୁବ୍‌ ସୁନ୍ଦର ଲାଗେ। ଏହା ହୃଦୟ ଓ ମନକୁ ଛୁଇଁଯାଇ ଥାଏ।
ବିଭିନ୍ନ ପ୍ରକାର ଛାନ୍ଦରେ ଭିନ୍ନ ଭିନ୍ନ ସ୍ବର ଦେବାକୁ ପଡ଼େ। ତେଣୁ ସଙ୍ଗୀତ ଏକ ପ୍ରକାର ନ ହୋଇ ବିବିଧତା ବଜାୟ ରଖେ ଓ ଜନାଦୃତି ବୃଦ୍ଧି କରେ। ଆମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଛାନ୍ଦ ଯଥା ବଙ୍ଗଳାଶ୍ରୀ, ରସକୁଲ୍ୟା, ବିଭାସକେଦାର, ଗୁର୍ଜ୍ଜରୀ, ଚକ୍ରକେଳି, କଳହଂସ କେଦାର, ଶଙ୍କରାଭରଣ, ଆଷାଢ଼ ଶୁକ୍ଳ, ଚୋଖି, ଦାଣ୍ଡି ଇତ୍ୟାଦି କେଉଁ ଆଦିମ କାଳରୁ ପ୍ରଚଳିତ।
ଆମର ପୁରୁଣା ଲେଖକମାନେ ବ୍ୟାକରଣର ଏହିସବୁ ନିୟମରେ ଅଭ୍ୟସ୍ତ ଥିଲେ ଓ ସୁନ୍ଦର କାବ୍ୟ ମାନ ରଚନା କରିଯାଇଛନ୍ତି। ସେ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀସ ବିଳାସ ହେଉ ବା ଗଙ୍ଗାଧର ମେହେରଙ୍କ ତପସ୍ବିନୀ କିମ୍ବା ପ୍ରଣୟ ବଲ୍ଲରୀ କିମ୍ବା ଦୀନକୃଷ୍ଣ ଦାସଙ୍କ ରସ କଲ୍ଲୋଳ କିମ୍ବା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି କିମ୍ବା କବିବର ରାଧାନାଥଙ୍କ ଚିଲିକା କାବ୍ୟ ତା’ର ଛାନ୍ଦ ଓ ରାଗ ପାଇଁ ପ୍ରସିଦ୍ଧ।
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପାଲା, ଦାସକାଠିଆରେ ଛାନ୍ଦ ଓ ରାଗର ଭରପୂର ବ୍ୟବହାର ହୋଇଥାଏ । ଏହା ଆମ ଭାଷାର ଗରିଷ୍ଠତାକୁ ପ୍ରମାଣ ମଧ୍ୟ କରିଥାଏ । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା, ଓଡ଼ିଶୀ ନୃତ୍ୟ ମଧ୍ୟ ଶାସ୍ତ୍ରୀୟ ନୃତ୍ୟ । ଯଦିଓ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇ ନାହିଁ, ତଥାପି ଓଡ଼ିଶୀ ସଙ୍ଗୀତରେ ଶାସ୍ତ୍ରୀୟତା ପାଇଁ ସବୁକିଛି ଉପାଦାନ ଭରିରହିଛି। ଆମର ଗୀତ, କାବ୍ୟ ଇତ୍ୟାଦି ଛାନ୍ଦ ଓ ରାଗ ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ । ମାତ୍ର ବର୍ତ୍ତମାନର ନୂଆ ପିଢ଼ିର ଲେଖକ, ଲେଖିକାମାନେ ସାଦାସିଧା ଶୈଳୀ ଆପଣାଉଛନ୍ତି। ସେମାନେ ଛାନ୍ଦ ଓ ରାଗ ବିଷୟରେ ସମ୍ପୂର୍ଣ୍ଣ ଅଗଣ୍ୟ ହୁଅନ୍ତୁ କିମ୍ବା ସମୟ ଅଭାବ ହେଉ କିମ୍ବା ସାଦାସିଧା ଶୈଳୀରେ ସଙ୍ଗୀତ ରଚନା କରିବା ସହଜ ସାଧ୍ୟ ବୋଧ ହେଉ, କିନ୍ତୁ ପରିଶେଷରେ ଆଧୁନିକ ଯୁଗର କାବ୍ୟ କବିତା ଯେ ଅଧିକାଂଶ ଛାନ୍ଦ ଓ ରସ ହୀନ ଏଥିରେ ଦ୍ୱିମତ ନାହିଁ ।
ଯଦି ଏହିପରି ଭାବରେ କାବ୍ୟ କବିତା ରଚନା ଜାରି ରହେ, ତା’ ହେଲେ ସମୟ ଆସିବ ଓଡ଼ିଆ କାବ୍ୟ କବିତାକୁ କେହି ସ୍ବର, ଲୟ ଓ ତାଳରେ ଗାଇ ପାରିବେ ନାହିଁ। ତେଣୁ ଏହା ଜନମାନସରୁ ଦୂରେଇ ଯିବ। ପାଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହାର ବ୍ୟବହାର ହୋଇପାରିବ ନାହିଁ, କାରଣ ଏହା ଲୋକଙ୍କୁ ଅପେକ୍ଷିତ ମନୋରଞ୍ଜନ ପ୍ରଦାନରେ ବିଫଳ ହେବ। ଓଡ଼ିଆ ଭାଷାର ମଧୁରତା ଓ ଲାବନ୍ୟତା ପାଇଁ କାବ୍ୟ କବିତାରେ ଛାନ୍ଦ ରାଗ ରହିବା ଆବଶ୍ୟକ। ଅବଶ୍ୟ ବର୍ତ୍ତମାନ କିଛି ଆଗଧାଡ଼ିର କବି ଓଡ଼ିଆ କାବ୍ୟ କବିତାକୁ ସାଦାସିଧା ବା ସରଳ ଶୈଳୀରେ ପରିବେଷଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନେ ପଦ୍ୟ ସାହିତ୍ୟକୁ ଗଦ୍ୟରେ ପରିବେଷଣ କରି ସବୁ ପ୍ରକାର ସାହିତ୍ୟକୁ ଏକାକାର କରିବାକୁ ଚାହୁଁଛନ୍ତି। ଏହା ଠିକ୍‌ ନୁହେଁ।
ସାହିତ୍ୟର ବିବିଧତା ତା’ର ମହାନତାର ପରିପ୍ରକାଶ କରିଥାଏ । ଯଦି ଆମେ ସାହିତ୍ୟର ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, କ୍ଷୁଦ୍ର ନାଟକ ଇତ୍ୟାଦି ମଧ୍ୟରେ ପାର୍ଥକ୍ୟକୁ ବଜାୟ ନ ରଖିବା, ତା’ ହେଲେ ଆମ ସାହିତ୍ୟର କଳେବର ସଙ୍କୁଚିତ ହୋଇଯିବ।
ଅର୍ଥାତ୍‌ ୧୦୦ କିମ୍ବା ୨୦୦ ବର୍ଷ ପରେ ଆମେ ଦେଖିବାକୁ ପାଇବା ଯେ ଆମ ସାହିତ୍ୟ କେବଳ ଗଦ୍ୟ ହୋଇଯାଇଛି। ଏପରିକି କାବ୍ୟ କବିତାରେ ଛାନ୍ଦ, ରାଗ, ରସ ଇତ୍ୟାଦି ଉଭେଇ ଯାଇଛି। ସାହିତ୍ୟର ବିଭାଗ ବିବିଧତା ବିଲୋପ ମଧ୍ୟ ଭବିଷ୍ୟତରେ ସାହିତ୍ୟ ପାଇଁ ଏକ ବହୁତ ବଡ଼ କ୍ଷତି ସାଧନ କରିବ। ଅବଶ୍ୟ କାବ୍ୟ କବିତା ରଚନା ବେଳେ ପାଠକମାନଙ୍କ ବୋଧଗମ୍ୟ ବିଷୟକୁ ଧ୍ୟାନରେ ରଖିବା ଉଚିତ। ଆଧୁନିକ ଗଳ୍ପ, ଉପନ୍ୟାସ ବା ପ୍ରବନ୍ଧ ଠିକ୍‌ ଭାବେ ପରିବେଷଣ ବା ସୃଷ୍ଟି କରାଯାଉଛି। ମାତ୍ର ଆଧୁନିକ କାବ୍ୟ କବିତାକୁ ବିଶ୍ଳେଷଣ କଲେ ଦେଖାଯିବ ଯେ ଅନେକ ସମୟରେ ପାଠକ କବିତାଟିର ଅର୍ଥ ବୁଝିବାରେ ଅସମର୍ଥ ହୋଇପଡ଼େ କିମ୍ବା ଦ୍ୱିଧା ଭିତରେ ବୁଡିଯାଏ, ଯାହାକି ତାକୁ ଏହାକୁ ପାଠ ନ କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ପାଠକ ଯେତେବେଳେ କାବ୍ୟ ଓ କବିତା ଭଲ ଭାବେ ବୁଝିପାରେ ସେ ସେତେବେଳେ ତା’ର ରସ ଆସ୍ବାଦନ କରେ ଓ ଭିତରକୁ ପଶି ଆହୁରି ପଢ଼ିବାକୁ ଇଚ୍ଛା ପ୍ରକାଶ କରେ। ମାତ୍ର ଯେତେବେଳେ କାବ୍ୟ କବିତାଟି ପାଠକ ପାଇଁ ଦୁର୍ଭେଦ୍ୟବୋଧ ମନେହୁଏ କିମ୍ବା ମୂଲ୍ୟହୀନ ମନେହୁଏ, ସେତେବେଳେ ସେ ଆଉ ପଢ଼ିବାକୁ ଆଗ୍ରହ ପ୍ରକାଶ କରେ ନାହିଁ। ସେଥିପାଇଁ ବର୍ତ୍ତମାନ ଓଡ଼ିଶାରେ ପାଠକବୃନ୍ଦ ଓଡ଼ିଆ କାବ୍ୟ କବିତାକୁ ପଢୁନାହାନ୍ତି। କବି ବା ଲେଖକ ଭାବିବା ଆବଶ୍ୟକ ଯେ, ଲେଖା ପଢ଼ିବା ପାଇଁ ପାଠକ ସମୟ ନିବେଶ କରୁଛନ୍ତି, ଯଦି ସେମାନେ ତାଙ୍କ ସମୟର ମୂଲ୍ୟ ମୋ ଲେଖା ମାଧ୍ୟମରେ ପାଇବେ ନାହିଁ, ତା’ ହେଲେ ମୋ ଲେଖାକୁ କାହିଁକି ପଢ଼ିବେ? ତେଣୁ ମୋ ଲେଖାରେ ପାଠକଙ୍କ ସମୟ ଓ ଶ୍ରମ ମୂଲ୍ୟ ଫେରାଇବା ପାଇଁ ପର୍ଯ୍ୟାପ୍ତ ଉପାଦାନ ଭରି ରହିଥିବା ଆବଶ୍ୟକ । ସାଧାରଣତଃ କବି ବା ଲେଖକମାନେ ବିଭିନ୍ନ କ୍ଷେତ୍ରରୁ ଆସିଥାଆନ୍ତି । ସବୁ କବି ଲେଖକଙ୍କ ପାଖରେ ଛାନ୍ଦ, ରାଗ ଇତ୍ୟାଦି ଜ୍ଞାନ ମିଳିବା କଷ୍ଟକର ହୋଇଥାଏ। ତେଣୁ ଆମର ଓଡ଼ିଆ ବିଭାଗର ବିଶେଷଜ୍ଞ, ବୁଦ୍ଧିଜୀବୀ, ପ୍ରଫେସର ଆଦି ଛାନ୍ଦ, ରାଗ ଇତ୍ୟାଦିର ସରଳୀକରଣ ଅଧ୍ୟାୟକୁ ସ୍ବଳ୍ପରେ ପ୍ରକାଶ କରିବା ଆବଶ୍ୟକ, ଯାହାଦ୍ୱାରା ନୂତନ ପିଢ଼ିର କବି ଭାବୁକମାନେ ନିଜକୁ ଛାନ୍ଦ, ରାଗ ବ୍ୟାକରଣର ସମସ୍ତ ନିୟମରେ ଅଭ୍ୟସ୍ତ କରିପାରିବେ ଓ ଲେଖାଲେଖି କଲାବେଳେ ତାକୁ ବ୍ୟବହାର କରି ଓଡ଼ିଆ ଭାଷାର ମାଧୁର୍ଯ୍ୟକୁ ବଜାୟ ରଖିବାରେ ସହାୟକ ହେବେ।
ମୋ -୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri