ନବ୍ୟ ଜମାନାର ଭବ୍ୟ ପୂଜାର୍ଚ୍ଚନା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଏବେ ଏବେ ବିଘ୍ନନାଶନ ଗଣପତିଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କେବଳ ବିଦ୍ୟାନୁଷ୍ଠାନର ବିଦ୍ୟାର୍ଥୀଙ୍କ ଦ୍ୱାରା ନୁହେଁ, ଗାଁଠୁ ସହର ପର୍ଯ୍ୟନ୍ତ କ୍ଲବ, ଯୁବକ ସଂଘ ବା ଆଖଡାଶାଳର ତରୁଣମାନଙ୍କ ଭକ୍ତିଭାବର ଯେଉଁ କୋଳାହଳମୟ ପରିବେଶଟି ପୂଜା ପୂର୍ବ ଦିନଠୁ ଆରମ୍ଭ ହୋଇଥାଏ, ତାହା ଶେଷ ହୋଇଥାଏ ବିସର୍ଜନର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯାଇ ବିଶାଳ ବପୁବନ୍ତ ମାଟି ଗଣେଶଙ୍କୁ ନେଇ ଜଳସମାଧି ଦେବାରେ। ଏ ଲେଖକ ଭଳି ଯେଉଁମାନେ ଉତ୍ତୀର୍ଣ୍ଣ ବୟସରେ ଉପନୀତ ସେମାନେ ନିଜ ବାଲ୍ୟକାଳ ବା କୈଶୋର ଓ ତାରୁଣ୍ୟକୁ ଫେରି ଚାହିଁଲେ, ଏବେକାର ଗଣେଶ ପୂଜା ସେମାନଙ୍କୁ ପରୀ ରାଇଜର ଉପକଥା ଭଳି ମନେହେବ। ବିପୁଳ ଅର୍ଥବ୍ୟୟରେ ଆୟୋଜିତ ବିଶାଳ ସମାରୋହକୁ ପ୍ରତ୍ୟକ୍ଷ କଲା ପରେ ଲାଗିବ ମାଆବାପାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହେଉଥିବା ସେଇସବୁ ପୂଜାଗୁଡିକ ଥିଲା କେତେ ଶୁଷ୍କ, କେତେ ରଙ୍ଗହୀନ! ସେକାଳର ଗଣେଶମାନେ ଥିଲେ କେଡେ ମ୍ଳାନ, ଦରିଦ୍ର!
ପ୍ରକୃତରେ ସମୟ ବଦଳି ଯାଇଛି। ବଦଳି ଯାଇଛି ଈଶ୍ୱରଙ୍କୁ ଆବାହନ କରିବାର ବା ନିଜ ଆଧ୍ୟାତ୍ମିକ ଚେତନାର ପାର୍ଥିବ ପ୍ରଦର୍ଶନର ପ୍ରଣାଳୀ ଓ ପଦ୍ଧତି। ସଦାସର୍ବଦା ସ୍ମାର୍ଟ ଫୋନ୍‌ର ଇନ୍ଦ୍ରଜାଲ ନିକଟରେ ନିଜ ତାରୁଣ୍ୟ ବା ଯୌବନକୁ ବନ୍ଧା ପକାଇଥିବା ନିଜ ନିଜର ସନ୍ତାନମାନଙ୍କ ମନରେ ଆଧ୍ୟାତ୍ମିକ ଚେତନାର ଜାଗରଣ ଦେଖି ମାତାପିତାଙ୍କ ମନରେ ଏକ ଅବ୍ୟକ୍ତ ଉଲ୍ଲାସଭାବ। ଯାହାହେଉ, ଏଇ କମ୍ପ୍ୟୁଟର ଯୁଗରେ ଯୁବମାନସରେ ଈଶ୍ୱର ଭକ୍ତିର ଧର୍ମଭାବ ଯେପରି ଲୋପପାଇ ଆସୁଛି, ସେଠି ତାଙ୍କ ସନ୍ତାନ ପ୍ରାଣରେ ଈଶ୍ୱର ଆରାଧନା ପାଇଁ କି ଐକାନ୍ତିକ ନିଷ୍ଠା! ନିଜ ନିଜର ସଂସ୍କାରକୁ ନେଇ ଗର୍ବ କରନ୍ତି ମାଆବାପା।
ସନ୍ତାନର ଭକ୍ତି ପରୀକ୍ଷା କରି ମାତାପିତା ଦୁହେଁ ଏଣେ ଉଲ୍ଲସିତ ହେଉଥିଲାବେଳେ ତେଣେ ପୁଅ ପୂଜାର୍ଚ୍ଚନାର ନାମ ନେଇ ତା’ର ଶକ୍ତି ପରୀକ୍ଷା କରୁଥାଏ। ବିଭିନ୍ନ ସାହିବସ୍ତି ବୁଲି ରଙ୍ଗ ବେରଙ୍ଗର ରସିଦ ମୂଳେ ଚାନ୍ଦା ଆଦାୟ କରିବା, ରାସ୍ତାରେ ଯାଉଥିବା ଗାଡି ଅଟକାଇ ପୂଜାଚାନ୍ଦା ମାଗିବା ଓ ଅନାଦାୟେ ଉଦ୍ଦାମ ଯୌବନରେ ଭରପୂର ଶରୀରର ଶକ୍ତି ପ୍ରଦର୍ଶନ କରି ଚାନ୍ଦାଦାତାଙ୍କୁ ଭୟଭୀତ କରିବା ଭଳି ପୂଜାର ପ୍ରସ୍ତୁତି ପର୍ବକୁ ନେଇ ସେ ସଦାସର୍ବଦା ବ୍ୟସ୍ତ ରହୁଥାଏ। ଏହିଭଳି କେଇଜଣ ଧାର୍ମିକ ତରୁଣଙ୍କ ଭୟାନକ ପରିଣତିର ଧମକକୁ ଡରି ବାଧ୍ୟ ବଦାନ୍ୟମାନେ ଯେଉଁ ଚାନ୍ଦା ଦିଅନ୍ତି, ସେଇ ଚାନ୍ଦାରେ ସମୃଦ୍ଧ ହୋଇ ବିଶାଳ ବପୁବନ୍ତ ଗଣେଶମାନେ ଅଧିଷ୍ଠିତ ହୁଅନ୍ତି ସୁସଜ୍ଜିତ ପୂଜା ମଣ୍ଡପରେ।
ପୂଜାପର୍ବରେ ବ୍ରାହ୍ମଣଙ୍କ ମନ୍ତ୍ରପାଠ, ପୁଷ୍ପାଞ୍ଜଳି ଇତ୍ୟାଦି ଭକ୍ତିଭାବର ଯେତିକି ଉଚ୍ଛ୍ବାସ ବହନ ନ କରେ ତାହାଠୁ ଢେର ଅଧିକ ଗୁଣର ପୂଜା ପ୍ରତିବେଦନ ଅନୁଭୂତ ହୁଏ ପରବର୍ତ୍ତୀ ଦୁଇ ସନ୍ଧ୍ୟାରେ, ଯେତେବେଳେ ଗଣେଶଙ୍କ ଆସ୍ଥାନଠାରୁ ଅଧିକ ଉଚ୍ଚତାର ପାଖ ପେଣ୍ଡାଲରୁ ଭାସିଆସେ ମେଲୋଡି କଳାକାରଙ୍କ କଣ୍ଠ ସଙ୍ଗୀତ ଓ ଉଦଣ୍ଡ ନୃତ୍ୟ। ଅଗ୍ରପୂଜ୍ୟ ଗଣେଶଙ୍କୁ ଆଗରେ ରଖି ସ୍ବଳ୍ପ ବସ୍ତ୍ରାବୃତା ଆଧୁନିକ ତରୁଣୀଙ୍କ ଅଶ୍ଳୀଳ ନୃତ୍ୟ ଓ ଏହାକୁ ଉପଭୋଗ କରୁଥିବା ଦର୍ଶକଙ୍କୁ ଦେଖି ପୂଜାର ଆୟୋଜକ ତରୁଣ ଗଣେଶ ଭକ୍ତମାନଙ୍କ ଛାତି କୁଣ୍ଢେମୋଟ ହୋଇଯାଏ। ସେମାନେ ବି ନର୍ତ୍ତକୀଙ୍କ ପାଦ ସହିତ ପାଦ ମିଳାଇ ନାଚନ୍ତି। ନିଜ ଛୋଟ ଛୋଟ ଆଖି ଦୁଇଟି ମେଲାଇ ପୂଜାକର୍ତ୍ତା, ଭକ୍ତମାନଙ୍କୁ ଚାହିଁ ରହିଥାନ୍ତି ଅସହାୟ ଗଣେଶ। ଆତୁରରେ ଅପେକ୍ଷା କରିଥାନ୍ତି ପୂଜାର ଅନ୍ତିମ ପର୍ବ ବିସର୍ଜନକୁ। ଶେଷରେ ଉପନୀତ ହୁଏ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତିଟିକୁ ବିସର୍ଜନ ଦେବାର ବିଦାୟ ବେଳା। ବିରାଟ ଶୋଭାଯାତ୍ରାର ପଟୁଆରରେ ଗଣପତି ଟ୍ରକ୍‌ରେ ବସି ଯାତ୍ରା କରନ୍ତି ଜଳସମାଧି ନେବା ପାଇଁ। ଆଗରେ ବୁକୁଫଟା ଶବ୍ଦ ସୃଷ୍ଟିକାରୀ ଡିଜେରୁ ନିର୍ଗତ ହେଉଥାଏ ଆଧୁନିକ ରାଗ ସଙ୍ଗୀତର ବହୁବିଧ ମୂର୍ଚ୍ଛନା ଓ ତା’ସହ ସମତାଳରେ ବାଣ ରୋଶଣିର ବର୍ଣ୍ଣାଢ଼୍ୟ ଯାତ୍ରାରେ ନାଚି ନାଚି ଚାଲୁଥାନ୍ତି ତରୁଣ ଭକ୍ତବୃନ୍ଦ। ଭକ୍ତଗଣଙ୍କ ମଧ୍ୟରୁ କେଇଜଣ ନିଶା ସେବନ କରି ଏମିତି ଆଚରଣ କରୁଥାନ୍ତି ଲାଗୁଥାଏ ଗଣେଶଙ୍କଠୁ ଦୂରେଇ ଯିବାର ଦୁଃଖରେ ସେମାନେ ଏତେ ମ୍ରିୟମାଣ ଯେ ସେଇ ଦୁଃଖକୁ ଭୁଲିବା ପାଇଁ ବୋତଲର ସାହାଯ୍ୟ ନେବା ବ୍ୟତୀତ ତାଙ୍କର ଗତ୍ୟନ୍ତର ନ ଥିଲା!
ଏଥର ରାଜଧାନୀର ଏକ ବିସର୍ଜନ ଶୋଭାଯାତ୍ରାରେ ଯାଉଥିବା ତରୁଣମାନଙ୍କ ଉଦ୍ଦଣ୍ଡ ନୃତ୍ୟ ପ୍ରତ୍ୟକ୍ଷ କଲାବେଳେ ମନରେ ପ୍ରଶ୍ନଟିଏ ଉଙ୍କିମାରୁଥିଲା-‘ସେ ମଣିଷ ହୁଅନ୍ତୁ କି ଦେବତା, ବିଚ୍ଛେଦରେ ପୁଣି ଏତେ ଉଲ୍ଲାସ’! ନବ୍ୟ ଜମାନାର ଏହି ଭବ୍ୟ ଦେବ ଆରାଧନା ଭିତରେ ବେଳେବେଳେ ଆଉ କିଛି ଖବର ଆମ ତରୁଣମାନଙ୍କ ଭକ୍ତିଭାବନାର ଭିନ୍ନ ଏକ ପରିଭାଷା ସାମ୍ନାକୁ ଆଣିଥାଏ । ଖବର ମିଳିଛି, କେବଳ ସହର ନୁହେଁ, ଗାଁର ଯୁବକମାନେ ମଧ୍ୟ ଭବ୍ୟ ପୂଜାର୍ଚ୍ଚନା ମଧ୍ୟରେ ନିଜର ଭକ୍ତି ପରୀକ୍ଷା କରିବା ସହ ଏମିତି ଶକ୍ତି ପରୀକ୍ଷାରେ ନିମଜ୍ଜିତ ହେଲେ ଯେ ଗୋଟିଏ ନଦୀଘାଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପୂଜାମଣ୍ଡପର ମୂର୍ତ୍ତି ବିସର୍ଜନକୁ ନେଇ ଖଣ୍ଡଯୁଦ୍ଧ ସଂଘଟିତ ହେଲା ଓ ଲହୁଲୁହାଣ ହୋଇ ଗଣପତିଙ୍କ ଯୁବ ଭକ୍ତମାନଙ୍କୁ ହସ୍ପିଟାଲ ଯିବାକୁ ପଡିଲା।
ଏ ପ୍ରସଙ୍ଗରେ ଏକ ହାଲୁକା ହସକଥାଟିଏ ଶୁଣିବାକୁ ମିଳେ। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଣେ ଯୁବକଙ୍କ ଗୋଡ଼ ଖସି ସେ ଗଭୀର ନଦୀଗର୍ଭକୁ ଟାଣିହୋଇ ଯାଉଥିଲାବେଳେ ଏଇ ସଙ୍କଟରୁ ଉଦ୍ଧାର କରିବାକୁ ଅତି ବିକଳ ଭାବେ ଗଣପତିଙ୍କୁ ଡାକିଲା-”ହେ ବିଘ୍ନନାଶନ! ମୁଁ ପହଁରା ଜାଣେ ନାହିଁ। ମୋତେ ଦୟାକର ପ୍ରଭୁ !“ ଗଣେଶଙ୍କ ବିଖଣ୍ଡିତ ମୃଣ୍ମୟ ହସ୍ତିମୁଣ୍ଡରୁ ଅଚାନକ ଆଓ୍ବାଜ ଆସିଲା, ”ଗତ ତିନିଦିନ ହେଲା ତୁମର ପୂଜା ମଣ୍ଡପରେ ମୁଁ ଯେଉଁ କଲବଲ ହୋଇଛି, ସେତେବେଳେ ତୁମେ କେହି ମୋତେ ଦୟା କରିଥିଲ କି, ଏବେ ମୋ ପାଖରୁ ଦୟା ଆଶା କରୁଛ !!“ ତା’ ପରର ପରିଣାମ କ’ଣ ହୋଇଥିତ୍ବ, ଏହା ଅବଶ୍ୟ ସହଜରେ ଅନୁମେୟ। ତେବେ ବିସର୍ଜନ ପରେ ଗଣେଶ ପୂଜାର ସମାପ୍ତି ଘଟେ ନାହିଁ। ସବୁ ଖର୍ଚ୍ଚ ସରିବା ପରେ ବଳକା ଅର୍ଥରେ ଭୋଜିଟିଏ ହୁଏ ଓ ଉତ୍ସବର ଉଦ୍‌ଯାପନ ଘୋଷଣା କରି ମାଂସ ଭାତ ସହ ମଦ୍ୟ ସେବନ ପୂର୍ବକ ଆରବର୍ଷକୁ ଅପେକ୍ଷା କରାଯାଏ।
ନୂଆ ଜମାନାର ଏପରି ଅପୂର୍ବ ଦେବାଚ୍ଚର୍ନା କେବଳ ଗଣେଶ ବା ସରସ୍ବତୀ ପୂଜାରେ ଯେ ତରୁଣ ବା ଯୁବକମାନଙ୍କ ଦ୍ୱାରା ସମ୍ପାଦିତ ହେଉଛି, ଏହା କହିଲେ ଭୁଲ୍‌ ହେବ। ସେମାନଙ୍କଠୁ ବରିଷ୍ଠ, ଏପରି କି କେତେକ କ୍ଷେତ୍ରରେ ସେମାନଙ୍କ ମାତାପିତାମାନେ ମଧ୍ୟ ଏ ପ୍ରକାର ନବ୍ୟ ଚେତନାରୁ ମୁକ୍ତ ନୁହନ୍ତି। କେଇଦିନ ତଳେ ହିନ୍ଦୁ ସମାଜର ଅନ୍ୟ ଏକ ପ୍ରମୁଖ ପର୍ବ ଜନ୍ମାଷ୍ଟମୀ ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠରେ ରହୁଥିବା ଜଣେ ବୃତ୍ତିନିବୃତ୍ତ ଅଧ୍ୟକ୍ଷ ତାଙ୍କ କଲୋନୀରେ ଏହି ପର୍ବ ପାଳନର ଏକ ଭିଡିଓ ଚିତ୍ର ଏହି ଲେଖକଙ୍କ ନିକଟକୁ ପଠାଇ ଆମ ସଂସ୍କାର ଓ ସଂସ୍କୃତିର ଏକ ଭିନ୍ନ ପ୍ରତିବେଦନ ପ୍ରତ୍ୟକ୍ଷ କରିବାର ଅବସର ଦେଇଥିଲେ। ବାଳକୃଷ୍ଣଙ୍କ ଏକ ଧାତୁମୂର୍ତ୍ତିକୁ ଖଟୁଲିରେ ସ୍ଥାପନ କରି କିଛି ମହିଳା ଓ ପୁରୁଷ କେକ୍‌ କାଟି ”ହାପି ବାର୍ଥଡେ ଟୁ ୟୁ ଲର୍ଡ କ୍ରିଷ୍ଣ“ କହି ଜନ୍ମାଷ୍ଟମୀ ପାଳନ କରୁଥିବା ଦୃଶ୍ୟ ଅବଲୋକନ କରି ଏ ଲେଖକ ହତବମ୍ବ ହୋଇଯାଇଥିଲା କିଛି ସମୟ ପାଇଁ। ଉଗ୍ର ଆଧୁନିକତାର ଏମନ୍ତ ଆବେଦନ ଯଦି ଅଳ୍ପ ବୟସ୍କ ମା’ବାପାମାନେ ସେମାନଙ୍କ ସନ୍ତାନମାନଙ୍କ ଆଗରେ ରୋପିତ କରିଚାଲନ୍ତି, ତେବେ ଆସନ୍ତାକାଲିର ତତ୍ତ୍ୱାବଧାରକ ଭୂମିକା ନିର୍ବାହ କରିବାକୁ ଯାଉଥିବା ତାଙ୍କ ଉତ୍ତରଦାୟାଦମାନଙ୍କୁ ଆମ ଧର୍ମ ସଂସ୍କାରରେ କାଳ କାଳ ଧରି ପୂଜା ପାଇ ଆସୁଥିବା ଦେବଦେବୀଙ୍କ ଧଜ୍ଜିଆ ଉଡ଼ାଇବାକୁ ସାମାନ୍ୟ କଷ୍ଟ ଲାଗିବ ନାହିଁ।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦ ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri