କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା

 

ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା ସୁରକ୍ଷା। କିନ୍ତୁ ବଡ଼ ପରିତାପର ବିଷୟ ଯେ ନିଜକୁ ପ୍ରଜ୍ଞାବାନ୍‌ ମନେକରୁଥିବା ମଣିଷ ଏବେ ସ୍ବାର୍ଥ ଏବଂ ଅହଂକାରରେ ଅନ୍ଧ ହୋଇ ଆପଣାଇ ନେଉଛି ‘ବୀରଭୋଗ୍ୟା ବସୁନ୍ଧରା’, ଅର୍ଥାତ୍‌ ”ଜୋର୍‌ ଯା’ର ମୁଲକ ତା’ର“ ମାନସିକତା। ଏହାର ପରିଣାମ କୁତ୍ସିତତମ ରୂପ ନେଇ ଆମ ଆଗରେ ଉଭା ହୋଇଛି ୟୁକ୍ରେନ୍‌ଠାରେ ରୁଷିଆ ରଚି ଚାଲିଥିବା ଧ୍ୱଂସଲୀଳା ଏବଂ ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଭୟାବହ ଯୁଦ୍ଧଠାରୁ ଆରମ୍ଭ କରି ପୃଥିବୀର କୋଣ-ଅନୁକୋଣରେ ଘଟି ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପର୍ଯ୍ୟନ୍ତ। ଏହା ମନକୁ ଆଣେ ପ୍ରାତଃସ୍ମରଣୀୟ କବି ରାଧାମୋହନ ଗଡ଼ନାୟକଙ୍କ ମନ୍ତବ୍ୟ- ”ଜୟ ପରାଜୟ ହାନିଲାଭେ ଯା’ର କିଞ୍ଚତ୍ତେ ନାହିଁ ଲାଭ, କ୍ଷମତାର ଯୂପେ ନିରୀହ ଜୀବନ ବଳି ପଡୁଅଛି ଆଗ।“ ଫଳରେ ରୋଗବ୍ୟାଧି, ଦୁର୍ଘଟଣା, ଅନାହାର ତଥା ପ୍ରାକୃତିକ ବିପର୍ଯ୍ୟୟ ଆଦିରୁ ସମୁଦାୟ ଯେତିକି ଜୀବନହାନି ଘଟୁଛି ତହିଁରୁ ତାହା ଅଧିକ ହେଉଛି। ଅନ୍ୟପକ୍ଷରେ ପରିବେଶ ଓ ପରିସଂସ୍ଥା ଅପୂରଣୀୟ ଭାବେ କ୍ଷତିଗ୍ରସ୍ତ ହେଉଛି, ଅର୍ଥନୀତି ଭୁଶୁଡ଼ି ପଡୁଛି ଏବଂ ଷଷ୍ଠବିଲୁପ୍ତି ପ୍ରକ୍ରିୟା ଅଧିକ ଗମ୍ଭୀର ହେବାରେ ଲାଗିଛି।
ସ୍ବାଧୀନତା ପରଠାରୁ କ୍ରମାଗତଭାବେ ଉଭୟ ଯୁଦ୍ଧବାଦ ଏବଂ ସନ୍ତ୍ରାସବାଦର ଏକ ସ୍ଥାୟୀ ଶିକାର ହୋଇ ଆସିଛି ଆମ ଦେଶ ଭାରତ। ଗୋଟିଏ ପାଖରେ ଆତଙ୍କବାଦୀ ପାକିସ୍ତାନ ଏବଂ ଅନ୍ୟ ପାଖରେ ପ୍ରସାରଣବାଦୀ ଶକ୍ତିଶାଳୀ ଚାଇନାର ଅସହିଷ୍ଣୁତା ତଥା ଆକ୍ରମଣାତ୍ମକ ଆଚରଣ ଯୋଗୁ ଏହାକୁ ସତତ ଅଚାନକ ଯୁଦ୍ଧର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୋଇ ରହିବାକୁ ପଡ଼ୁଛି। ସେଥିପାଇଁ ସେମାନଙ୍କ ସହିତ ତାଳଦେଇ ଏହାକୁ ଅଜସ୍ର ଅର୍ଥବ୍ୟୟରେ କ୍ରୟ କିମ୍ବା ନିଜସ୍ବ ଜ୍ଞାନ କୌଶଳରେ ନିର୍ମାଣ କରିବାକୁ ପଡୁଛି ନୂତନ ନୂତନ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ତଥା ଅନ୍ୟାନ୍ୟ ପ୍ରତିରକ୍ଷା ବ୍ୟବସ୍ଥା। ଏହାର ପ୍ରତିରକ୍ଷା ଗବେଷଣା ଓ ବିକାଶ ପରିଷଦର ବୈଜ୍ଞାନିକମାନେ ବିଗତ ମାର୍ଚ୍ଚ ୧୧ ତାରିଖ (୨୦୨୪) ଦିନ ଓଡ଼ିଶାର ଉପକୂଳସ୍ଥ ଡକ୍ଟର ଏ.ପି.ଜେ. ଅବଦୁଲ୍‌ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷା କରିଥିବା ”ମଲ୍‌ଟିପ୍ଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍‌ଗେଟେଡ୍‌ ରି-ଏଣ୍ଟ୍ରି ଭେହିକ୍ଲି“ ବା ”ଏମ୍‌ଆଇଆର୍‌ଭି“- ଅଗ୍ନି ୫ କ୍ଷେପଣାସ୍ତ୍ର ତନ୍ମଧ୍ୟରୁ ଅନ୍ୟତମ। ଏହା ଶତ୍ରୁକୁ ଆକ୍ରମଣ କରିବାକୁ ନିରୁତ୍ସାହିତ କରିବା ଦିଗରେ ଏକ ପ୍ରଭାବଶାଳୀ ବ୍ୟବସ୍ଥା ହୋଇପାରିବ ବୋଲି ବିଚାର କରାଯାଉଛି।
ବର୍ତ୍ତମାନ ଭାରତ ନିକଟରେ ଥିବା ନାଭିକୀୟ ଯୁଦ୍ଧାସ୍ତ୍ର ବହନକାରୀ ବ୍ୟବସ୍ଥାମାନଙ୍କ ମଧ୍ୟରେ ରହିଛି ଭୂ-ଭାଗରୁ ନିକ୍ଷେପଣ ଲାଗି ପୃଥିବୀ-୨, ଅଗ୍ନି-୧, ଅଗ୍ନି-୨, ଅଗ୍ନି-୩, ଅଗ୍ନି-୪ ଏବଂ ଅଗ୍ନି-୫ ଆଦି କ୍ଷେପଣାସ୍ତ୍ର। ଏଗୁଡ଼ିକ ଯଥାକ୍ରମେ ୩୫୦ କିଲୋମିଟର, ୭୦୦ କିଲୋମିଟର, ୨୦୦୦ କିଲୋମିଟର, ୩୦୦୦ କିଲୋମିଟର, ୪୦୦୦ କିଲୋମିଟର ଏବଂ ୫୦୦୦ କିଲୋମିଟର ଦୂରବର୍ତ୍ତୀ ଲକ୍ଷ୍ୟସ୍ଥଳମାନ ଭେଦ କରିବାକୁ ସକ୍ଷମ। ସେହିପରି ସୁଖୋଇ, ମିରେଜ୍‌-୨୦୦୦, ଜାଗୁଆର୍‌ ଏବଂ ରାଫେଲ୍‌ ଭଳି ଯୁଦ୍ଧ ବିମାନରୁ ମଧ୍ୟ ତାହା ନିକ୍ଷେପ କରାଯାଇପାରିବ। ତେବେ ଜଳଭାଗରୁ ଏପରି କରିବାର ଏକମାତ୍ର ବ୍ୟବସ୍ଥା ରହିଛି ନାଭିକୀୟ ଶକ୍ତି ପରିଚାଳିତ ୬୦୦୦ ଟନ୍‌ ବିଶିଷ୍ଟ ବାଲାଷ୍ଟିକ୍‌ ମିସାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତ। ଏହା କେ-୧୫ ନାଭିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରି ୭୫୦ କିମି ପରିସର ମଧ୍ୟରେ ଲକ୍ଷ୍ୟସ୍ଥଳ ଭେଦ କରିବାକୁ ଅଭିପ୍ରେତ। ତେବେ ଏହି ଶ୍ରେଣୀର ଅଧିକ ଶକ୍ତିଶାଳୀ ବୁଡ଼ାଜାହାଜମାନ ଏବେ ନିର୍ମାଣାଧୀନ ରହିଛି ଏବଂ ଖୁବ୍‌ଶୀଘ୍ର ତାହା ଆମ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ ବୋଲି ଆଶା କରାଯାଏ।
ବର୍ତ୍ତମାନ ଭାରତର ଅସ୍ତ୍ର ଭଣ୍ଡାରରେ ଥିବା ପରମାଣବିକ ଅସ୍ତ୍ର ବହନ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ତୁଳନାରେ ଏମ୍‌ଆଇଆରଭି ପ୍ରଯୁକ୍ତି ବିଦ୍ୟାସମ୍ପନ୍ନ ଅଗ୍ନି-୫ର ବିଶେଷତ୍ୱ ହେଲା ଯେ, ଏହା ଏକ ସଙ୍ଗରେ ଏକାଧିକ ପରମାଣବିକ ଅସ୍ତ୍ରମାନ ବହନ କରିପାରିବ ଏବଂ ୫୦୦୦ରୁ ୮୦୦୦ କିଲୋମିଟର ପରିସର ମଧ୍ୟରେ ଭିନ୍ନ ଭିନ୍ନ ଦିଗରେ ଶହ ଶହ କିଲୋମିଟର ଦୂରତାରେ ଅବସ୍ଥିତ ଲକ୍ଷ୍ୟସ୍ଥଳଗୁଡ଼ିକୁ ସ୍ବାଧୀନଭାବେ ଏକ ସଙ୍ଗରେ ଭେଦ କରିପାରିବ। କେବଳ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ରୁଷିଆ ଏବଂ ଚାଇନା ନିକଟରେ ରହିଛି ଏ ପ୍ରକାର ବ୍ୟବସ୍ଥା। ସମ୍ଭବତଃ ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟ ଏ ପ୍ରଯୁକ୍ତି ବିଦ୍ୟାର ଅଧିକାରୀ।
ଆମ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପରିଷଦ ୨୦୦୮ରେ ପ୍ରଥମେ ଅଗ୍ନି-୫ କ୍ଷେପଣାସ୍ତ୍ରର ବିକାଶ ଘଟାଇଥିଲା ଏବଂ ତାହା ପରୀକ୍ଷା ହୋଇଥିଲା। ୨୦୧୨ ମସିହା ଏପ୍ରିଲ ମାସରେ, ତତ୍ପରେ ୨୦୧୩, ୨୦୧୫, ୨୦୧୬, ୨୦୧୮, ୨୦୨୧ ଏବଂ ୨୦୨୨ରେ ଏହାର ସଫଳ ପୁନଃ ପରୀକ୍ଷଣମାନ ଅନୁଷ୍ଠିତ ହୋଇଛି। ତେବେ ଏଗୁଡ଼ିକର କେବଳ ଗୋଟିଏ ଲେଖାଏଁ ନାଭିକୀୟ ଯୁଦ୍ଧାସ୍ତ୍ର ବହନ କରିବାର ସାମର୍ଥ୍ୟ ଥିଲା। ତାହାକୁ ଏବେ ଏକକାଳୀନ ତହିଁରୁ ୩ରୁ ୧୦ଟି ପର୍ଯ୍ୟନ୍ତ ବହନ କରିବା ଲାଗି ବିକଶିତ କରାଯାଇଛି। ଏଣୁ କ୍ଷେପଣାସ୍ତ୍ର ଏମ୍‌ଆଇଆରଭି ଅଗ୍ନି-୫ରେ ଖଚିତ ହୋଇଥିଲା ୧,୬୫୦ କିଲୋଗ୍ରାମର ତିନୋଟି ଯୁଦ୍ଧାସ୍ତ୍ର। ଉତ୍‌କ୍ଷେପଣକାଳରେ ଏହାର ଓଜନ ଥିଲା ୫୦ ଟନ୍‌ ଏବଂ ତ୍ରି-ସ୍ତରୀୟ କଠିନ ଇନ୍ଧନ ଦ୍ୱାରା ପରିଚାଳିତ ହୋଇ ତାହା ସେକେଣ୍ଡକୁ ୮.୫ କିଲୋମିଟର ବେଗରେ ଗତି କରିଥିଲା।
ପ୍ରଥମେ ଆମେରିକା ୧୯୭୦ରେ ଏହି ଶ୍ରେଣୀର ଯାନଟିଏ ମୁତୟନ କରିବାକୁ ସମର୍ଥ ହୋଇଥିଲା। ଏହି ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ରର ନାମ ଥିଲା ‘ମିନିଟ ମ୍ୟାନ-୩’। ତତ୍ପରେ ଏହା ବୁଡ଼ାଜାହାଜରୁ ନିକ୍ଷେପ କଲା ଭଳି ଏ ଜାତୀୟ କ୍ଷେପଣାସ୍ତ୍ର ‘ପୋସିଡନ’ ନିର୍ମାଣ କଲା, ଯାହା ଏକ ସଙ୍ଗରେ ୧୦ଟି ନାଭିକୀୟ ଯୁଦ୍ଧାସ୍ତ୍ର ବହନ କରିପାରିଲା। ତଥାଶୀଘ୍ର ଏହାକୁ ଅନୁସରଣ କଲା ରୁଷିଆ ଏବଂ ଏକ ସଙ୍ଗରେ ୧୬ ପର୍ଯ୍ୟନ୍ତ ନାଭିକୀୟ ଯୁଦ୍ଧାସ୍ତ୍ର ଧାରଣ କଲା ଭଳି କ୍ଷେପଣାସ୍ତ୍ରର ବିକାଶ ଘଟାଇଲା। ପରସ୍ପରଠାରୁ ୧୫୦୦ କିଲୋମିଟର ଦୂରରେ ଅବସ୍ଥିତ ଲକ୍ଷ୍ୟସ୍ଥଳଗୁଡ଼ିକୁ ଏକ ସଙ୍ଗରେ ଭେଦ କରିବାର ସାମର୍ଥ୍ୟ ଏହାର ଥିଲା। ତତ୍ପରେ କ୍ରମାନ୍ବୟ ଭାବେ ଏ ବ୍ୟବସ୍ଥା ନିର୍ମାଣ କରିବାକୁ ଲାଗିଲେ ଇଂଲଣ୍ଡ, ଫ୍ରାନ୍ସ ଏବଂ ଚାଇନା।
ଭାରତକୁ ଏହି ନୂତନ ସାମର୍ଥ୍ୟ ଦେଇଥିବା ପ୍ରକଳ୍ପ ମିଶନ ଦିବ୍ୟାସ୍ତ୍ରର ମୁଖ୍ୟ ଥିଲେ ଡକ୍ଟର ଶିନାରାଣୀ। ତାଙ୍କ ମତରେ ଏ ସଫଳତା ଭାରତର ପ୍ରତିରକ୍ଷା ଲାଗି ନାନା ଦିଗରୁ ଗୁରୁତ୍ୱପୂର୍ଣ୍ଣ। ଏହା ପ୍ରକୃତରେ ଆମକୁ ପ୍ରଦାନ କରିଛି ଶତ୍ରୁ ରାଷ୍ଟ୍ରମାନଙ୍କୁ ଆମ ଉପରେ ନାଭିକୀୟ ଅସ୍ତ୍ରରେ ଆକ୍ରମଣ କରିବାରୁ ନିବୃତ୍ତ କରିବାର ସାମର୍ଥ୍ୟ। କାରଣ, ସେହିପରି ସ୍ଥଳେ ଆମେ ଏହାକୁ ଉପଯୋଗ କରି ସେମାନଙ୍କ କୁକର୍ମର ଉପଯୁକ୍ତ ପ୍ରତିଶୋଧ ନେଇପାରିବୁ ବୋଲି ସେମାନେ ଏଥିରୁ ବେଶ୍‌ ହୃଦୟଙ୍ଗମ କରିପାରିବେ।
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?