ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅନନ୍ତ କୁମାର ମିଶ୍ରଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରମାନେ ତାଲା ଭାଙ୍ଗି ଘରେ ଥିବା ୨୦ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଅଳଙ୍କାର ସମେତ ନଗଦ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି । ଏନେଇ ଅନନ୍ତ ଖଇରା ଥାନାରେ ଅଭିଯୋଗ କରିଛନ୍ତି ।
ଅନନ୍ତଙ୍କର ଗୋଟିଏ ପକ୍କା ଓ ଅନ୍ୟ ଏକ କଚା ଘର ଥିବା ବେଳେ ଅନନ୍ତ ଓ ତାଙ୍କ ସ୍ତ୍ରୀ ମାଟି ଘରେ ଶୋଇଥିଲେ । ପକ୍ଜାଘର ଖାଲି ପଡିଥିଲା । ରାତି ପ୍ରାୟ ୩ ଟା ସମୟରେ ଅନନ୍ତଙ୍କ ସ୍ତ୍ରୀ ଉଠି ଦେଖିଲା ବେଳକୁ ପକ୍କା ଘର ଗ୍ରିଲ ଖୋଲା ରହିଛି ଏବଂ ଚୋରମାନେ ଆଲମିରା ଭାଙ୍ଗି ଗହଣା ଟଙ୍କା ସାଙ୍ଗକୁ ଆସବାବପତ୍ର ଲୁଟି ନେଇ ଚାଲିଯାଇଥିବା ଜଣାପଡିଥିଲା ।
ଏହି ଘଟଣାପରେ ଗ୍ରାମବାସୀ ସଙ୍ଗେସଙ୍ଗେ ଖଇରା ପୋଲିସକୁ ଫୋନ ଲଗାଇ ଥିଲେ ହେଁ କୌଣସି ଅଧିକାରୀ ଫୋନ ଉଠାଇନଥିଲେ । ଗୁରୁବାର ସକାଳେ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣା କ୍ରମେ ଘରଠାରୁ ୨କିମି ଦୂରରେ ୪ଜଣ ବ୍ୟକ୍ତି ସନ୍ଦେହ ଜନକ ଭାବେ ବୁଲୁଥିଲେ । ଏହି ସମୟରେ ସ୍ଥାନୀୟ ଯୁବକମାନେ ତାଙ୍କୁ ପଚରାଉଚୁରା କରିବାକୁ ସେମାନେ ଆଣିଥିବା ଏକ ବ୍ୟାଗଛାଡି ୨ଟି ବାଇକରେ ପଳାଇଥିଲେ । ଖଇରା ପୋଲିସର ନିଷ୍କ୍ରିୟତା ଯୋଗୁଁ ବାରମ୍ବାର ଏଭଳି ଚୋରି ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

