ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣାରେ ପାଟପୁର ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ମଙ୍ଗଳବାର ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ ଚାଲାଣ କରିଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୁଶପଲ୍ଲୀ ଗ୍ରାମର ଟ୍ରାକ୍ଟର ମାଲିକ ସୁରଥ ମଲ୍ଲିକ (୩୬) ଏବଂ ଟ୍ରାକ୍ଟର ଚାଳକ ରାମ ମଲ୍ଲିକ (୨୦)। ଥାନା ମାମଲା ନଂ. ୨୫୬/୨୬ ଅନୁଯାୟୀ କୋର୍ଟରେ ଆବେଦନ କରାଯାଇଥିବା ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ-ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତ ଶନିବାର ସକାଳ ପ୍ରାୟ ୭ଟାରେ ଉସ୍ତପଲ୍ଲୀ ଗ୍ରାମର ପଞ୍ଚାନନ ମଲ୍ଲିକଙ୍କ ୧୭ ବର୍ଷୀୟ ନାବାଳକ ପୁଅ ବିନୋଦ ମଲ୍ଲିକ ଏବଂ ତାଙ୍କ ସମ୍ପର୍କୀୟ ଭାଇ ତଥା ବଡ଼ଗଡ଼ ଥାନା ଅଧୀନ ଏକ ଗାଁର ମଙ୍ଗଳା ମଲ୍ଲିକଙ୍କ ୧୫ ବର୍ଷୀୟ ପୁଅ ଗଣେଶ ମଲ୍ଲିକ ନିଜ ଘର କାମ ପାଇଁ କୁଶପଲ୍ଲୀ ଗାଁର ସୁରଥଙ୍କ ଟ୍ରାକ୍ଟର ଭଡ଼ାରେ ନେଇଥିଲେ। ଉଭୟ ଭାଇ ଟ୍ରାକ୍ଟର ଡାଲାରେ ବସି ମୋରୁମ ଖାଦାନକୁ ଯାଇଥିଲେ।
ମୋରୁମ ଖୋଳୁଥିବା ସମୟରେ ଖାଦାନ ଧସିଯାଇଥିଲା। ଟ୍ରାକ୍ଟର ଚାଳକ ରାମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ସେ ଉଭୟଙ୍କୁ ସତର୍କ କରାଇ ନ ଥିଲେ। ଫଳରେ ଏକ ବଡ଼ ପଥର ଖଣ୍ଡ ବିନୋଦଙ୍କ ମୁଣ୍ଡ ଉପରେ ଛେଚି ହୋଇଯିବାରୁ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗଣେଶ ଗୁରୁତର ଆହତ ହୋଇଥିଲେ।
ପାଟପୁର ଥାନା ଏଏସଆଇ ସୁଧିର କୁମାର ନାୟକ ଘଟଣାର ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା।
ତେବେ ଉପରସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଅପମୃତ୍ୟୁ ମାମଲାକୁ ଅପରାଧିକ ମାମଲାରେ ରୂପାନ୍ତରିତ କରାଯାଇଥିଲା। ଥାନା

