ଗୋପାଳପୁର,୨୪ା୧(ନବୀନ ରାଜ ଆଚାରୀ): ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପୋଲିସ ଶୁକ୍ରବାର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ଜେନାପୁର ବାଲିସାହି ଅଞ୍ଚଳର ବସନ୍ତ ମଲ୍ଲିକ (୨୧)। ଗତ ଡିସେମ୍ବର ୨୮ରେ ଗୋସାଣି ନୂଆଗାଁ ଥାନା ଅଞ୍ଚଳର ନାବାଳିକା ଜଣଙ୍କ ଗୋପାଳପୁରସ୍ଥିତ ପିଉସୀଙ୍କ ଘରକୁ ବୁଲିବାକୁ ଆସିଥିଲେ। ବୁଲାବୁଲି ସରିବା ପରେ ପିଉସୀ ଓ ପିଉସା ତାଙ୍କୁ ବ୍ରହ୍ମପୁର ଯିବା ପାଇଁ ବସ୍ରେ ବସାଇଥିଲେ। କିନ୍ତୁ ନାବାଳିକା ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ନ ମିଳିବାରୁ ୨୯ ତାରିଖରେ ନାବାଳିକାଙ୍କ ଜେଜେମା’ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୪୫୮/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବସନ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ପୋଲିସ ଖବରପାଇ ଢେଙ୍କାନାଳ ଜିଲା ବିଧାରପୁର ଗ୍ରାମରୁ ତାଙ୍କୁ ଧରିଥିବା ବେଳେ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ନାବାଳିକାକୁ ଅପହରଣ ସହ ବଳାତ୍କାର କରାଯାଇଥିବା ନେଇ ପୋଲିସ ନିକଟରେ ସେ ପ୍ରକାଶ କରିଥିଲେ। ଶୁକ୍ରବାର ନାବାଳିକାଙ୍କ ଡାକ୍ତରୀ ମାଇନା, ବିଚାର ପତି ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିଲା। ବସନ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

