ନୂଆଦିଲ୍ଲୀ,୧୩ା୫: ପାକିସ୍ତାନୀ ସେନା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା କରାଚୀ ଓ ଲାହୋରରେ ଥିବା ସାମରିକ ସ୍ଥଳକୁ ଟାର୍ଗେଟ୍ କରିଥିଲା। ଏକ ଗଣମାଧ୍ୟମ ସମ୍ମିଳନୀରେ ବାୟୁସେନାର ଅପରେଶନ୍ସ ଡିଜି ଏୟାର ମାର୍ଶାଲ ଏ.କେ. ଭାରତୀ ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ମିଶାଇଲ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ଏହାର କରାଚୀ ନିକଟସ୍ଥ ମାଲିର୍ କ୍ୟାଣ୍ଟନ୍ମେଣ୍ଟରେ ଥିବା ମିଶାଇଲ୍ ସାଇଟ୍କୁ ଟାର୍ଗେଟ୍ କରାଯାଇଥିଲା। ସେହିପରି ଲାହୋର ଏବଂ ପଞ୍ଜାବ ପ୍ରଦେଶର ଗୁଜ୍ରାନଓ୍ବାଲାରେ ଥିବା ରାଡାର ସାଇଟ୍କୁ ବାୟୁସେନା ଟାର୍ଗେଟ୍ କରିଥିଲା ବୋଲି ଭାରତୀ କହିଛନ୍ତି। ‘ଅପରେଶନ ସିନ୍ଦୂର’ ବେଳେ ନୌସେନା ମଧ୍ୟ ଆରବ ସାଗରରେ ଆକ୍ରମଣ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା ଏବଂ ଏହାର ଟାର୍ଗେଟ୍ରେ କରାଚୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିଲା ବୋଲି ଭାଇସ୍ ଆଡମିରାଲ ଏ.ଏନ୍. ପ୍ରମୋଦ କହିଥିଲେ। ଗତ ୭ ତାରିଖ ରାତି ୧ଟା ୫ ମିନିଟ୍ରୁ ୨୫ ମିନିଟ୍ ପାଇଁ ଅପରେଶନ ସିନ୍ଦୂର କରାଯାଇଥିଲା। ଏଥିରେ ପାକିସ୍ତାନର ୪ଟି ଏବଂ ପାକ୍ ଅଧିକୃତ କଶ୍ମୀରର ୫ଟି ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରାଯାଇଥିଲା। ଏହି ଆକ୍ରମଣରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ କେବଳ ଆତଙ୍କବାଦୀଙ୍କ ବିରୋଧରେ ଥିଲା, ପାକ୍ ସେନା ବିରୋଧରେ ନୁହେଁ। ତେବେ ପାକିସ୍ତାନୀ ସୁରକ୍ଷା ବଳ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଏଥିରେ ହସ୍ତକ୍ଷେପ କରିବାରୁ ଭାରତ କାର୍ଯ୍ୟାନୁଷ୍ଠାନ ବଢ଼ାଇବାକୁ ବାଧ୍ୟ ହୋଇଥିଲା ବୋଲି ଏୟାର ମାର୍ଶାଲ ଭାରତୀ କହିଛନ୍ତି।


