ଋତୁସ୍ରାବ ଓ ବାଲ୍ୟ ବିବାହ

ଘାସିରାମ ପଣ୍ଡା

ଋତୁସ୍ରାବକୁ ନେଇ ସାଧାରଣରେ ବିଶେଷ ଆଲୋଚନା ହୁଏ ନାହିଁ। ପରମ୍ପରା ଓ ଧାର୍ମିକ ଧାରଣା ଦ୍ୱାରା ନିୟନ୍ତ୍ରିତ ହେବା କାରଣରୁ ଋତୁସ୍ରାବକୁ ନେଇ ଅନେକ ଭ୍ରମଧାରଣା ରହିଛି। ମହିଳାମାନଙ୍କୁ ଏହାର ପ୍ରତିକୂଳ ପ୍ରଭାବ ସହିବାକୁ ପଡୁଥିଲେ ବି ଲଜ୍ଜା ଓ ସଂକୋଚ କାରଣରୁ ଏଗୁଡ଼ିକ ଚର୍ଚ୍ଚାକୁ ଆସେ ନାହିଁ। ଏହା ମହିଳାମାନଙ୍କ ବ୍ୟକ୍ତିଗତ ବ୍ୟାପାର ବୋଲି ଧରି ନିଆଯାଇଛି। ସେହିପରି ପୁରୁଷମାନେ ଏ ବିଷୟରେ ଜାଣିବା ଓ କଥା ହେବାର ସମ୍ଭାବନା ପ୍ରାୟ ନ ଥାଏ। ଏସବୁ କାରଣରୁ ଋତୁସ୍ରାବଜନିତ ସ୍ବାସ୍ଥ୍ୟଗତ ଓ ସାମାଜିକ ସମସ୍ୟାକୁ ମହିଳାମାନେ ଅଭ୍ୟାସଗତ ଭାବେ ସହି ଆସୁଛନ୍ତି। କେହି କେହି ସମସ୍ୟାକୁ ଅନୁଭବ କରୁଥିଲେ ବି ପରମ୍ପରା ଓ ଧାର୍ମିକ ଧାରଣାକୁ ପ୍ରତିବାଦ କରିବା ଭଳି ସାହସ ଜୁଟାଇ ପାରୁନାହାନ୍ତି। ଋତୁସ୍ରାବଜନିତ ଶିକ୍ଷା ଓ ସଚେତନତାର ପ୍ରସାର ହେତୁ ସମଗ୍ର ବିଶ୍ୱରେ ମେ ୨୮କୁ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଏ। ଦିବସ ପାଳନର ବ୍ୟାପକତା ଓ ବିଭିନ୍ନ ସ୍ତରରେ ଅଧିକରୁ ଅଧିକ ଆଲୋଚନା ହିଁ ଏ ସମ୍ପର୍କରେ ଭ୍ରମଧାରଣା ଦୂରୀକରଣରେ ସହାୟକ ହେବ।
ଋତୁସ୍ରାବ ସମୟରେ ଅସ୍ବାସ୍ଥ୍ୟକର ପରିବେଶ ଓ ଅପରିଚ୍ଛନ୍ନତା କାରଣରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ଋତୁସ୍ରାବ କାରଣରୁ ଅନେକ ସାମାଜିକ ସମସ୍ୟା ମଧ୍ୟ ଉପୁଜିଥାଏ। ଅନେକ ଜାତି ଓ ଗୋଷ୍ଠୀରେ ବୟସ ନିର୍ବିଶେଷରେ ପ୍ରଥମ ଋତୁସ୍ରାବ ପରେ ବାଳିକାମାନଙ୍କୁ ବିବାହଯୋଗ୍ୟା ମନେକରାଯାଏ। ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ଏକ ଗାଁରେ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଆମେ ଯେତେବେଳେ ପହଞ୍ଚିଲୁ ଗାଁରେ ନାଚ ଗୀତ, ଭୋଜିଭାତ ହେଉଥିଲା। କାରଣ କ’ଣ ପଚାରିବାରୁ ଜଣାପଡ଼ିଲା, ସୁମିତ୍ରା ଆଜି ବଡ଼ ହୋଇଯାଇଛି । ସେଇ କାରଣରୁ ତାଙ୍କ ଘର ଲୋକେ ଗ୍ରାମବାସୀ ତଥା ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ପୂର୍ବକ ଉତ୍ସବର ଆୟୋଜନ କରିଛନ୍ତି। କିଶୋରୀ ବୟସରେ ପ୍ରଥମ ଋତୁସ୍ରାବ ହେଲେ ଝିଅ ବଡ଼ ହେଲା ବୋଲି କୁହାଯାଏ। ପରିବାର, ବନ୍ଧୁବାନ୍ଧବ ସିନା ମଉଜ କରୁଥିଲେ ହେଲେ ଝିଅଟିକୁ ଗୁହାଳ ଘରେ ଅଖାକୁ ଘୋଡ଼େଇ ତିଆରି ହୋଇଥିବା ଏକ ସ୍ବତନ୍ତ୍ର ବଖରାରେ ଅତି ଅସୁରକ୍ଷିତ, ଅସ୍ବାସ୍ଥ୍ୟକର ଓ ଅପରିଚ୍ଛନ୍ନ ଭାବେ ରଖାଯାଇଥିଲା। ପ୍ରଥମ ଋତୁସ୍ରାବ ହେଲା ପରେ ଉତ୍ସବ ପାଳନର ପରମ୍ପରା ଅନେକ ଜାତି ଓ ଗୋଷ୍ଠୀରେ ଏବେ ବି ପ୍ରଚଳିତ ଅଛି। ଏମାନଙ୍କ ଭିତରୁ ଅନେକଙ୍କ ପରମ୍ପରାରେ ବୟସ ଜାଣିବା ବା ମନେରଖିବାକୁ ଗୁରୁତ୍ୱ ଦିଆଯାଏ ନାହିଁ। ଋତୁସ୍ରାବ ପୂର୍ବରୁ ବିବାହକୁ ଏମାନେ ବାଲ୍ୟ ବିବାହ ବୋଲି ବିବେଚନା କରନ୍ତି। ଏଣୁ ଋତୁସ୍ରାବ ହେଲେ ଭୋଜିଭାତ କରି ବିବାହ ହେବାର ଯୋଗ୍ୟା ହେଲା ବୋଲି ଘୋଷଣା କରନ୍ତି।
ୱାଟରଏଡ୍‌ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ୭୦ ଭାଗ ଝିଅ ପ୍ରଥମ ଋତୁସ୍ରାବ ବେଳକୁ ଏ ନେଇ ସମ୍ପୂର୍ଣ୍ଣ ଅଜ୍ଞ ଥାଆନ୍ତି। ସେମାନଙ୍କ ସହ କ’ଣ ଘଟୁଛି ସେମାନେ ଜାଣିପାରି ନ ଥାନ୍ତି; ଫଳରେ ଅପ୍ରସ୍ତୁତ ଅନୁଭବ କରନ୍ତି। ପ୍ରଥମ ଋତୁସ୍ରାବ ପରେ ସେମାନଙ୍କର ଜୀବନ ଶୈଳୀ ହଠାତ୍‌ ନିୟନ୍ତ୍ରିତ ହୋଇଯାଏ। ସେମାନଙ୍କର ବୁଲିବା, ପୁଅ ପିଲାଙ୍କ ସହ ସାଙ୍ଗ ହେବା, ପୋଷାକ ପିନ୍ଧିବା ପ୍ରଭୃତି ନିଜ ଇଚ୍ଛା ଅନୁସାରେ ହୁଏ ନାହିଁ। ଏ ନେଇ ସେମାନଙ୍କ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ବଦଳରେ ଜବାବ ନ ଦେବା ପାଇଁ ତାଗିଦ୍‌ ମିଳେ। ଏହା ସେମାନଙ୍କୁ ମାନସିକ ଭାବେ ପ୍ରଭାବିତ କରେ। ଭାରତରେ ୨୩ ଭାଗ କିଶୋରୀ ଏଥିପାଇଁ ବିଦ୍ୟାଳୟ ଯିବା ବନ୍ଦ କରିଦିଅନ୍ତି। ଆମ ବିଦ୍ୟାଳୟଗୁଡ଼ିକରେ ଋତୁସ୍ରାବ ସମ୍ପର୍କରେ ଆଲୋଚନା ହୁଏ ନାହିଁ। ଋତୁସ୍ରାବ ହେଲେ ପରିଚ୍ଛନ୍ନ ପରିବେଶରେ ପ୍ୟାଡ୍‌ଟିଏ ବଦଳେଇବା ପାଇଁ ଜାଗାଟେ ନ ଥାଏ। ଏଥିପାଇଁ ମାସରେ ପ୍ରାୟ ପାଞ୍ଚ ଦିନ ଏମାନଙ୍କର ବିଦ୍ୟାଳୟ ଯିବା ପ୍ରଭାବିତ ହୁଏ। ଏହା କ୍ରମଶଃ କିଶୋରୀମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ କରେ। କିଶୋରୀ ବୟସରେ ବିଦ୍ୟାଳୟ ପରିସରରୁ ଥରେ ବାହାରି ଗଲେ ମାତାପିତାଙ୍କ ପାଇଁ ଝିଅ ବୋଝ ମନେହୁଏ। ସେମାନଙ୍କ ପାଇଁ ଝିଅଟିକୁ ବାହା କରେଇ ଦେବା ଏକମାତ୍ର ଲକ୍ଷ୍ୟ ହୋଇ ରୁହେ। ଝିଅ ମାତ୍ରେ ହିଁ ବିବାହ କରିବେ, ଛୁଆ ଜନ୍ମ କରିବେ ଏଭଳି ରୂଢ଼ିବାଦୀ ମାନସିକତାର ଏକ ସମାଜ ଭିତରେ ରହୁଥିବା ମାତାପିତା ପ୍ରଥମ ଋତୁସ୍ରାବ ପରେ ଝିଅକୁ ବିବାହଯୋଗ୍ୟା ବୋଲି ଭାବିବା ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରେ। ଏହା ବ୍ୟତୀତ ଋତୁସ୍ରାବ କାରଣରୁ ପାଠପଢ଼ା ବ୍ୟାହତ ହେବା ଓ ଝିଅ ଘରେ ବସି ରହିବାକୁ ଅସୁରକ୍ଷିତ ମନେ କରାଯିବା କାରଣରୁ ବିବାହକୁ ଏକମାତ୍ର ବିକଳ୍ପ ଭାବେ ଦେଖାଯାଉଥିବାରୁ ବାଲ୍ୟ ବିବାହ ବଢୁଛି।
ଋତୁସ୍ରାବକୁ ଲଜ୍ଜା ଓ ସଂକୋଚ ଭିତରୁ ବାହାରକୁ ଆଣି ଏକ ସାଧାରଣ ଶାରୀରିକ ପ୍ରକ୍ରିୟା ଭାବରେ ଗ୍ରହଣୀୟତା ବଢ଼େଇବାକୁ ହେଲେ ଏ ସମ୍ପର୍କିତ ଚର୍ଚ୍ଚା ଓ ଆଲୋଚନାକୁ ପ୍ରୋତ୍ସାହନ ଦେବାକୁ ହେବ। ଏ ଦିଗରେ ପୁରୁଷମାନେ ପୁରୋଧା ହେଲେ ପୁରୁଷ ପ୍ରଧାନ ସମାଜର ରୂଢ଼ିବାଦକୁ ଆହ୍ବାନ ଦେବା ପାଇଁ ମହିଳାମାନେ ସାହସ ପାଇବେ। ବିଦ୍ୟାଳୟ ସ୍ତରରୁ ଏଥିପାଇଁ ପ୍ରୟାସ କରାଯିବା ଆବଶ୍ୟକ। ଋତୁସ୍ରାବଜନିତ ଅବଧାରଣା ଦୂର ହେଲେ ବାଲ୍ୟ ବିବାହକୁ ଅନେକ ମାତ୍ରାରେ ରୋକାଯାଇ ପାରିବ। ଏହା କିଶୋରୀ ଓ ମହିଳାଙ୍କୁ ସମ୍ମାନ ସହ ବଞ୍ଚିବାର ଅବକାଶ ସୃଷ୍ଟିରେ ସହାୟକ ହୋଇପାରିବ।
ମୋ-୭୯୭୮୭୪୬୮୫୧


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri