ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ ଯୋଜନାସବୁକୁ ନେଇ ଉନ୍ନତିର ଦାବି କରାଯାଉଛି। ଜିଡିପି ରିପୋର୍ଟ ଓ ପୁରସ୍କାର ମାଧ୍ୟମରେ ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ପ୍ରତିଷ୍ଠା କରାଯାଉଛି। କିନ୍ତୁ ଏହି ସମସ୍ତ ଆଡମ୍ୱର ଭିତରେ ଗୋଟିଏ ମୂଳ ପ୍ରଶ୍ନ ଅନୁତ୍ତରିତ ରହିଯାଉଛି ସଭ୍ୟତା କ’ଣ କେବଳ ଢାଞ୍ଚାଗତ ଉନ୍ନତିରେ ମପାଯାଏ?
ସଭ୍ୟତାର ପ୍ରକୃତ ମାପକ ହେଉଛି ଏକ ସମାଜ ମନୁଷ୍ୟକୁ କିପରି ଦେଖେ ବିଶେଷକରି ପୁରୁଷ ଓ ନାରୀଙ୍କୁ। ଶକ୍ତିଶାଳୀ ଅର୍ଥନୀତି ଥିଲେ ମଧ୍ୟ ଯଦି ନାରୀ ଅସୁରକ୍ଷିତ ଓ ପୁରୁଷ ନୀରବ ଯନ୍ତ୍ରଣାରେ ବଞ୍ଚେ, ତେବେ ସେ ସମାଜକୁ ସଭ୍ୟ ବୋଲି କହିବା କେତେ ଯୁକ୍ତିଯୁକ୍ତ? ଓଡ଼ିଶାର ଗାଁଠାରୁ ସହର ପର୍ଯ୍ୟନ୍ତ ନାରୀ ଆଜି ଅନେକ ଭୂମିକାରେ ଦେଖାଯାଉଛି। ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସେ ଆର୍ଥିକ ସ୍ୱାଧୀନତା ଦିଗକୁ ଆଗେଇଛି। ଆଶା କର୍ମୀ, ଅଙ୍ଗନଓ୍ୱାଡି କର୍ମୀ, ମିଶନ ଶକ୍ତିର ମା’ମାନେ ସମାଜର ମୂଳ ଢାଞ୍ଚାକୁ ଧରି ରଖିଛନ୍ତି। କାର୍ଯ୍ୟସ୍ଥଳ, ପ୍ରଶାସନ, ଶିକ୍ଷା, ଚିକିତ୍ସା, କ୍ରୀଡ଼ାସବୁ କ୍ଷେତ୍ରରେ ଓଡ଼ିଆ ନାରୀ ନିଜ ସାମର୍ଥ୍ୟ ପ୍ରମାଣ କରୁଛି।
ତଥାପି, ଦୈନିକ ଖବରକାଗଜର ପୃଷ୍ଠା ଖୋଲିଲେ ଦେଖାଯାଏ ସେଥିରେ ଗଭୀର ବିରୋଧାଭାସ ରହିଛି। ନାରୀ ଉପରେ ହିଂସା, ଯୌନ ଉତ୍ପୀଡ଼ନ, ଗୃହହିଂସା, ମନୋବୃତ୍ତିକ ନିର୍ଯାତନା, ଅସୁରକ୍ଷା ଏସବୁ ଖବର ଆଜି ମଧ୍ୟ ଥମିନାହିଁ। ଆଇନ ରହିଛି, ଯୋଜନା ରହିଛି, ସ୍ଲୋଗାନ ରହିଛି; କିନ୍ତୁ ମନୋଭାବ କେତେ ଦୂର ବଦଳିଛି? ନାରୀକୁ ଆଜି ମଧ୍ୟ ଅନେକ ସମୟ ସମ୍ମାନ ନାମରେ ନିୟନ୍ତ୍ରଣ କରାଯାଉଛି। ସେ କ’ଣ ପିନ୍ଧିବ, କେଉଁଠି ଯିବ, କେତେ ଡେରିରେ ଫେରିବ ଏହି ପ୍ରଶ୍ନଗୁଡ଼ିକ ତା’ର ସ୍ୱାଧୀନତାକୁ ଧୀରେ ଧୀରେ ଛଡେଇ ନେଉଛି। ସଭ୍ୟତା ଯଦି ନାରୀକୁ ସୁରକ୍ଷା ଦେବାରେ ଅସମର୍ଥ, ତେବେ ଉନ୍ନତି କାହା ପାଇଁ?
ଅନ୍ୟ ପଟେ, ପୁରୁଷକୁ ନେଇ ଥିବା ସାମାଜିକ ଆଶା ମଧ୍ୟ ଅତ୍ୟନ୍ତ କଠୋର ଓ ଅମାନବୀୟ। ଓଡ଼ିଆ ସମାଜରେ ପୁରୁଷକୁ ଆଜି ମଧ୍ୟ ଦେଖାଯାଏ ଅର୍ଥ ଅର୍ଜନକାରୀ, ପରିବାରର ସମସ୍ତ ଦାୟିତ୍ୱର ବୋଝ ବୋହୁଥିବା ମଣିଷ, ଯିଏ କେବେ କ୍ଲାନ୍ତ ହୁଏନି, କେବେ କାନ୍ଦେନି, କେବେ ଦୁର୍ୱଳ ହୁଏନି। ଏହି ପୁରୁଷତ୍ୱର ସଂଜ୍ଞା ଅନେକ ପୁରୁଷଙ୍କୁ ଭିତରୁ ଭାଙ୍ଗିଦେଉଛି। ବେକାରି, ଋଣଭାର, କାମର ଚାପ, ପାରିବାରିକ ଦାୟିତ୍ୱ, ସାମାଜିକ ଆଶା ଏସବୁ ମଧ୍ୟରେ ପୁରୁଷର ମାନସିକ ସ୍ୱାସ୍ଥ୍ୟ ଆଜି ଏକ ଅଣଦେଖା ସମସ୍ୟା। ସେ ଯଦି କହେ ମୁଁ ଭଲ ନାହିଁ, ସମାଜ ହସିଦେଉଛି। ସେ ଯଦି କାନ୍ଦେ, ତା’କୁ ଦୁର୍ୱଳ ବୋଲି ଚିହ୍ନଟ କରାଯାଏ। ଏହି ନୀରବତା ଓ ଅସ୍ୱୀକୃତି ଅନେକ ସମୟ ଭୟାବହ ପରିଣାମ ଆଣୁଛି ଆତ୍ମହତ୍ୟା, ଆସକ୍ତି, ହିଂସା।
ଦୁଃଖର କଥା, ଆଜି ଲିଙ୍ଗଭିତ୍ତିକ ଆଲୋଚନା ଧୀରେ ଧୀରେ ସମାଧାନମୂଳକ ନ ହୋଇ, ମୁହାଁମୁହିଁର ରୂପ ନେଉଛି। ନାରୀ ସଶକ୍ତୀକରଣର କଥା ହେଲେ କିଛି ଲୋକ ଭାବନ୍ତି ପୁରୁଷକୁ ଦୋଷୀ କରିବା ହିଁ ଏହାର ଉଦ୍ଦେଶ୍ୟ। ପୁରୁଷ ସମସ୍ୟା ଉପରେ କଥା ହେଲେ ତାକୁ ନାରୀ ବିରୋଧୀ ଭାବେ ଦେଖାଯାଏ। ଏହି ଚିନ୍ତାଧାରା ସଭ୍ୟତାକୁ ଆଗକୁ ନୁହେଁ, ପଛକୁ ଟାଣୁଛି।
ନାରୀ ସଶକ୍ତୀକରଣର ଅର୍ଥ ପୁରୁଷକୁ ପଛକୁ ଠେଲିଦେବା ନୁହେଁ। ଏବଂ ପୁରୁଷ ଯନ୍ତ୍ରଣାକୁ ସ୍ୱୀକାର କରିବାର ଅର୍ଥ ନାରୀ ଉପରେ ହେଉଥିବା ଅନ୍ୟାୟକୁ ଅସ୍ୱୀକାର କରିବା ମଧ୍ୟ ନୁହେଁ। ସଭ୍ୟତା କେବେ ଏକ ପକ୍ଷର ଜୟରେ ଗଢ଼ିଉଠେନି; ସେ ସମବେଦନା, ସମତା ଓ ପରସ୍ପର ବୁଝାମଣାରେ ଗଢ଼ିଉଠେ। ଓଡ଼ିଶାର ଭବିଷ୍ୟତ ସେଠି ନିର୍ଭର କରେ, ଯେଉଁଠାରେ ନାରୀ ରାସ୍ତାରେ ଚାଲିବାବେଳେ ଭୟଭୀତ ହୁଏ ନାହିଁ, ଆଉ ପୁରୁଷ ନିଜ ଦୁର୍ୱଳତା କହିବାକୁ ଲଜ୍ଜା ବୋଧ କରେ ନାହିଁ। ଯେଉଁଠାରେ ପିଲାମାନେ ଶିଖନ୍ତି ସମ୍ମାନ ଜନ୍ମସିଦ୍ଧ, ଲିଙ୍ଗଭିତ୍ତିକ ଦୟା ନୁହେଁ।
ଏହି ପରିବର୍ତ୍ତନ କେବଳ ଆଇନ, ପୋଲିସ ବା ଯୋଜନା ଦ୍ୱାରା ସମ୍ଭବ ନୁହେଁ। ଏହା ପାଇଁ ପରିବାରରୁ ଆରମ୍ଭ କରି ଶିକ୍ଷା ପ୍ରଣାଳୀ, ସାମାଜିକ ଆଲୋଚନା, ମାଧ୍ୟମର ଭୂମିକା ସବୁଠାରେ ମନୋଭାବର ପରିବର୍ତ୍ତନ ଆବଶ୍ୟକ। ଝିଅକୁ ସାହସୀ ଓ ପୁଅକୁ ସମବେଦନଶୀଳ ହେବା ଶିଖାଇବା ହିଁ ସତ୍ୟ ସଭ୍ୟତାର ଆରମ୍ଭ। ପୁରୁଷ ଓ ନାରୀ ଦୁହେଁ ସଭ୍ୟତାର ଦୁଇଟି ସମାନ ଶକ୍ତିଶାଳୀ ସ୍ତମ୍ଭ। ଏକକୁ ଦୁର୍ୱଳ କରି ଅନ୍ୟକୁ ସଶକ୍ତ କରାଯାଇପାରେ ନାହିଁ। ଯେଦିନ ଆମେ ଏହି ସତ୍ୟକୁ ହୃଦୟଙ୍ଗମ କରିବୁ, ସେଦିନ ଓଡ଼ିଶା କେବଳ ଉନ୍ନତ ନୁହେଁ ସତ୍ୟରେ ସଭ୍ୟ ହେବ।
କାଶୀପୁର, ରାୟଗଡ଼ା
ମୋ: ୯୦୭୮୧୭୫୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri