
ମୋରଡ଼ା,୬।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ତଥା ବେତନଟୀ ଥାନା ଅଧୀନ ଭାଲିଆଡ଼ିହା ପଞ୍ଚାୟତର ବାରମାଇଲ ଛକ ନିକଟରେ ଶନିବାର ସକାଳ ୮ଟାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ରାମନଗର ଗ୍ରାମର ହାଡ଼ିଆ ଟୁଡୁ(୫୫)। ଚିକିତ୍ସା ଅବହେଳା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁକରି ତଦନ୍ତ କରୁଛି।
ସୂଚନା ମୁତାବକ, ଝାଡ଼ାବାନ୍ତି ହେବାରୁ ହାଡ଼ିଆ ଶୁକ୍ରବାର ଅପରାହ୍ନ ୨ଟା ସମୟରେ ବାରମାଇଲ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ହେଉଥିବା ସମୟରେ ଡାକ୍ତରଖାନା କର୍ମଚାରୀଙ୍କ ଅଜାଣତରେ ସେ ଡାକ୍ତରଖାନାରୁ ଚାଲିଯାଇଥିଲେ। ତେବେ ଡାକ୍ତରଖାନା ତରଫରୁ ହାଡ଼ିଆଙ୍କ ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ହାମ୍ବିରା ମୁର୍ମୁ କହିଛନ୍ତି। ହାଡ଼ିଆଙ୍କୁ ଚିକିତ୍ସାରେ ଅବହେଳା କାରଣରୁ ସେ ଡାକ୍ତରଖାନାରୁ ପଳାଇଥିଲେ। ରାସ୍ତାକଡ଼ରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଭାଇ ସଞ୍ଜୟ ଟୁଡୁ ଅଭିଯୋଗ କରିଛନ୍ତି।