ନଷ୍ଟ ନ ହେଉ ପୁସ୍ତକମେଳାର ପବିତ୍ରତା

ଡ.ପ୍ରଫୁଲ୍ଲ କୁମାର ସାହୁ

ବହି ମଣିଷର ବନ୍ଧୁ। ବୌଦ୍ଧିକ ଚେତନାର ସହଚର। କୈଶୋରରେ ବୌଦ୍ଧିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ ବହି। ଯୌବନର ସାମ୍ରାଜ୍ୟକୁ ଯୋଗାଏ ଜ୍ଞାନଦୀପ୍ତ ପ୍ରେରଣା। ପ୍ରୌଢ଼ାବସ୍ଥାରେ ବତାଏ ସମସ୍ୟା ସମାଧାନର ସୂତ୍ର। ବାର୍ଦ୍ଧକ୍ୟରେ ବିଷାଦରୁ ମୁକ୍ତି ପାଇଁ ପୁସ୍ତକ ହିଁ ସର୍ବୋତ୍ତମ ଅବଲମ୍ବନ। ତେଣୁ ବହି କିଛି ସାଧାରଣ ବନ୍ଧୁ ନୁହେଁ,ଏହା ସବୁ ବର୍ଗର ଓ ସବୁ ବୟସର ଲୋକଙ୍କ ପାଇଁ ସର୍ବକାଳୀନ ଓ ସର୍ବୋତ୍ତମ ବନ୍ଧୁ।
ପୁସ୍ତକରେ ଥାଏ ସିଦ୍ଧିର ମନ୍ତ୍ର, ଯାହା ବୁଦ୍ଧି, ବିଚାର ଓ ବିବେକକୁ ଶାଣିତ କରେ ଏବଂ ବଦଳେଇଦିଏ ପାଠକର ଦୃଷ୍ଟିଭଙ୍ଗୀ। ଇତିହାସ କହେ ଗୋଟେ ଗୋଟେ ଭଲ ବହିର ପ୍ରଭାବରେ ବଦଳିଯାଇଛି ପୃଥିବୀର ବହୁ ବିଶିଷ୍ଟ ଲୋକଙ୍କ ଜୀବନର ଗତିପଥ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପୁସ୍ତକ ଶୁଣାଏ ସଦ୍ଭାବନାର ମନ୍ତ୍ର। ଗୋଟିଏ ଦେଶ ଓ ଜାତିର ବୌଦ୍ଧିକ ସମ୍ପତ୍ତି। ଏହି ଦୃଷ୍ଟିରୁ ପୁସ୍ତକ ମେଳାକୁ କୁହାଯାଏ ସାହିତ୍ୟ ସଂସ୍କୃତିର ମେଳନ ବା ଏକ ବୌଦ୍ଧିକ ଆନ୍ଦୋଳନ। ଜ୍ଞାନର ନୂଆ ନୂଆ ଦିଗନ୍ତ ସହିତ ପରିଚିତ କରାଇବା ନିମନ୍ତେ ଉଦ୍ଦିଷ୍ଟ ଏହି ମେଳା ଆମ ଦେଶର କଲିକତା ସହରରେ ପ୍ରଥମେ ଆରମ୍ଭ ହୋଇଥିଲା(୧୯୭୬) ‘ନ୍ୟାଶନାଲ ବୁକ୍‌ ଫେୟାର’ ବା କଲିକତା ବହିମେଳା ନାମରେ। ଜନ୍ମର ମାତ୍ର ତିନିବର୍ଷ ପରେ ଆୟୋଜକମାନଙ୍କ ଅହଂ ଲଢ଼େଇରେ ପେଷି ହୋଇ ଦୁଇଫାଳ ହୋଇଗଲା କଲିକତା ବହିମେଳା। ଏହାକୁ ସହଜରେ ଗ୍ରହଣ କରିପାରିଲେନି ପଶ୍ଚିମବଙ୍ଗର ସାହିତି୍ୟକ ଓ ସଂସ୍କୃତିପ୍ରେମୀ ବୁଦ୍ଧିଜୀବୀ। ଲୋକଙ୍କ ଉଦ୍‌ବେଗକୁ ଅନୁଭବ କରି ଏଥିରେ ହସ୍ତକ୍ଷେପ କଲେ ରାଜ୍ୟ ସରକାର। ଫଳରେ ଦୁଇମେଳା ପୁଣି ମିଶିଗଲେ (୧୯୯୨) ଏବଂ ଜନ୍ମନେଲା ଏକକ ଅନୁଷ୍ଠାନ ‘ମିଲନ ମେଳା’, ଯାହା ଏବେ ଏସିଆର ସର୍ବବୃହତ୍ତମ ତଥା ପୃଥିବୀର ତୃତୀୟ ବୃହତ୍ତମ ପୁସ୍ତକ ମେଳା ଭାବେ ପରିଚିତ।
କଲିକତା ପୁସ୍ତକମେଳାର ସଫଳତା ଦେଖି ଆମ ରାଜ୍ୟରେ ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ ଓ ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା(୧୯୮୫) ଭୁବନେଶ୍ବରର ପୁସ୍ତକମେଳା। ପରବର୍ତ୍ତୀ ସମୟରେ ଆୟୋଜକମାନଙ୍କ ମଧ୍ୟରେ ପତିଆରା ଲଢ଼େଇ ଯୋଗୁ ଆରମ୍ଭ ହେଲା ବିଭାଜନ ପର୍ବ। ଏହି କାରଣରୁ ଭୁବନେଶ୍ବରରେ ଆୟୋଜିତ ହେଲା ରାଜଧାନୀ ପୁସ୍ତକମେଳା, କଳିଙ୍ଗ ପୁସ୍ତକ ମେଳା,ଏକାମ୍ର ପୁସ୍ତକମେଳା ଆଦି ଅନେକ ମେଳା। ଏସବୁକୁ ଏକାଠି କରି ଗୋଟିଏ ବୃହତ୍‌ ମେଳାର ଆୟୋଜନ ନିମନ୍ତେ ବୁଦ୍ଧିଜୀବୀମାନେ ପ୍ରୟାସ ଆରମ୍ଭକଲେ ଏବଂ ତାହା ସଫଳ ହେଲା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ। ୨୦୧୯ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସବୁ ମେଳାକୁ ମିଶାଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଲା ବୃହତ୍‌ ରାଜ୍ୟସ୍ତରୀୟ ପୁସ୍ତକ ମେଳା ‘ଅକ୍ଷର’।
ପୁସ୍ତକମେଳାକୁ କୁହାଯାଏ ଜ୍ଞାନଯଜ୍ଞ, ଯାହା ଜ୍ଞାନ କର୍ମକୁ ଦେଖାଏ ଠିକ୍‌ ରାସ୍ତା। ଏହି ଯଜ୍ଞରେ ଦେଶ ବିଦେଶର ବହୁ ପ୍ରକାଶକ ଯୋଗଦିଅନ୍ତି ଏବଂ ଏଠାରେ ଉପଲବ୍ଧ ହୁଏ ସବୁ ବର୍ଗର ପାଠକଙ୍କ ପାଇଁ ଉପାଦେୟ ବହି, ଯାହା ଏକକାଳୀନ ମିଳିବା ସମ୍ଭବ ହୁଏନି ନିର୍ଦ୍ଦିଷ୍ଟ କେଉଁ ବହି ଦୋକାନରେ। ଏତଦଭିନ୍ନ ଗ୍ରାହକଙ୍କୁ ମିଳୁଥିବା ଆକର୍ଷଣୀୟ ରିହାତି ମଧ୍ୟ ପୁସ୍ତକମେଳାର ଅନ୍ୟ ଏକ ବିଶେଷତ୍ୱ। କଥାରେ ଅଛି ‘ଘୋର୍‌ କୀର୍ତ୍ତନ ବେଳେ ମୂକ ବି ଆଁ କରିଦିଏ,’ କାରଣ ସେ ବି କିଛି ଗାଇବ। ଅର୍ଥାତ ହାତ ପାହାନ୍ତାରେ ଓ ରିହାତି ଦରରେ ଦୁର୍ଲ୍ଲଭ ବହି ଉପଲବ୍ଧ ହେଉଥିବାରୁ ନ କିଣିବା ଲୋକ ବି ଇଚ୍ଛାକରେ ମନପସନ୍ଦର କିଛି ବହି କିଣିବାପାଇଁ।
ସାହିତ୍ୟାନୁରାଗ ସୃଷ୍ଟି କରିବା ପୁସ୍ତକ ମେଳାର ଅନ୍ୟତମ ଲକ୍ଷ୍ୟ। ତାକୁ ହିଁ ଦୃଷ୍ଟିରେ ରଖି ସେଠାରେ ଆୟୋଜିତ ସାହିତ୍ୟ ସଭାକୁ କବି, ଲେଖକ, ଗବେଷକ, ସମାଲୋଚକ, ସ୍ତମ୍ଭକାରମାନେ ଆମନ୍ତ୍ରିତ ହୋଇ ଆସନ୍ତି ଏବଂ ସାହିତ୍ୟମୁଖର ହୋଇଉଠେ ପୁସ୍ତକମେଳାର ପ୍ରତିଟି ସନ୍ଧ୍ୟା। ଭାଷା,ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ସାଙ୍ଗକୁ ଆୟୋଜିତ ହୁଏ କବିତାପାଠ, କବି ସମ୍ମିଳନୀ, ଶିଶୁମେଳା, ପୁସ୍ତକ ଉନ୍ମୋଚନ ତଥା ପୁରସ୍କାର ପ୍ରଦାନ ଆଦି ଅନେକ କାର୍ଯ୍ୟକ୍ରମ। ଗୋଟିଏ ମଞ୍ଚରେ ଲେଖକ, ପାଠକ, ପ୍ରକାଶକ, ବିକ୍ରେତା, ମୁଦ୍ରାକର, ଚିତ୍ରଶିଳ୍ପୀ ଆଦି ବିଭିନ୍ନ ବିଭାଗର ପ୍ରତିନିଧି ଏକାଠି ହୋଇ ଖୋଜନ୍ତି ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନର ସୂତ୍ର।
ଜିଜ୍ଞାସୁ ପାଠକଙ୍କ ପାଇଁ ବହିମେଳାର ଆକର୍ଷଣ ଅନନ୍ୟ। ସେମାନେ ବହି ମେଳା ସମୟକୁ ଅପେକ୍ଷାକରି ରହନ୍ତି ମନପସନ୍ଦର ବହି କିଣିବା ଲକ୍ଷ୍ୟରେ। ଦିନଥିଲା ବଜାରକୁ ବହି ଆସିବା ଆଗରୁ ତାକୁ ଖୋଜି ବସୁଥିଲେ ପୁସ୍ତକପ୍ରେମୀ। ସେମାନେ ବୁଝିଥିଲେ ଗ୍ରନ୍ଥର ଗୁରୁତ୍ୱ ଓ ପଠନର ଉପଯୋଗିତା। ସେଥିପାଇଁ ସାମାନ୍ୟ ସମୟ ପାଇବା ମାତ୍ରେ ହାତରେ ବହି ବା ପତ୍ରିକାଖଣ୍ଡେ ଧରି ବସିପଡୁଥିଲେ ଆଗ୍ରହରେ। ଭ୍ରମଣ ବେଳେ ସାଙ୍ଗରେ ନେଉଥିଲେ ବହି। ଅନେକଙ୍କ ପାଇଁ ବହି ଥିଲା ବଞ୍ଚିବାର ସଞ୍ଜିବନୀ। ଭଲ ବହିଟିଏ ପାଇଲେ ସେମାନେ ଭୁଲି ଯାଉଥିଲେ ଭୋକଶୋଷ। ମନୋରଞ୍ଜନ ତଥା ଜ୍ଞାନ ଆହରଣ ପାଇଁ ଏବେ ଯୁବପିଢ଼ିର ପ୍ରଥମ ପସନ୍ଦ ହୋଇଛି ଇଣ୍ଟରନେଟ୍‌। ମାତ୍ର ତା’ କେବେ ବହିର ବିକଳ୍ପ ନୁହେଁ। କାରଣ ବହିର କାଗଜପୃଷ୍ଠାରେ ଥାଏ ଏକ ଅଲଗା ଆବେଦନ। ନିଆରା ସମ୍ମୋହନ। ବର୍ଣ୍ଣାଡ ଶ’ କହନ୍ତି, ବହି ସର୍ବୋତ୍ତମ, ସହଜଲବ୍ଧ ଓ ଚିରସ୍ଥାୟୀ ଆନନ୍ଦବୋଧର ଉତ୍ସ। ଇଣ୍ଟରନେଟରୁ ତଥ୍ୟ ମିଳେ, କିନ୍ତୁ ତତ୍ତ୍ବ ନୁହେଁ। ଇଣ୍ଟରନେଟରୁ ମିଳିପାରେ ରାମାୟଣ ସମ୍ପର୍କରେ ଅନେକ ତଥ୍ୟ। ମାତ୍ର ରାମଚନ୍ଦ୍ର କାହିଁକି ମର୍ଯ୍ୟାଦାପୁରୁଷ- ଏ ପ୍ରଶ୍ନର ଉତ୍ତର ନାହିଁ ଇଣ୍ଟରନେଟ ପାଖରେ। ଏହା କେବଳ ଜାଣିହେବ ସଦ୍‌ଗ୍ରନ୍ଥ ପ୍ରଣେତାମାନଙ୍କ ବିଚାର ଓ ମନନ ଅଧ୍ୟୟନ କରିବା ପରେ। ସେଥିପାଇଁ କୁହାଯାଏ ଜୀବନକୁ ଜାଣିବା ପାଇଁ, ଜଗତକୁ ବୁଝିବା ପାଇଁ ପୁସ୍ତକ ହିଁ ଜ୍ଞାନର ବତିଘର। ପୁସ୍ତକ ଅଧ୍ୟୟନ ଦ୍ବାରା ଜିଜ୍ଞାସା ବଢ଼େ ଓ ଜାଗ୍ରତ ହୁଏ ଚେତନା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ପରିବାର ପାଇଁ ବହି ଏକ ଅମୂଲ୍ୟ ସମ୍ପଦ। ଯେଉଁ ପରିବାରରେ ବହି ନାହିଁ, ସେ ପରିବାର ଧନୀ ହେଲେ ବି ଉନ୍ନତ ନୁହେଁ। ସେ ଘର ଗୋଟେ ସୁରକ୍ଷା ଅଟ୍ଟାଳିକା ହୋଇପାରେ,ମାତ୍ର ତାହା ଗୋଟେ ଆତ୍ମା ବିହୀନ ଶରୀର ପରି। ଏହି ଦୃଷ୍ଟିରୁ ଯେଉଁ ଶିକ୍ଷିତ ଲୋକମାନେ ବହି ପଢ଼ନ୍ତି ନାହିଁ ଓ ସାମର୍ଥ୍ୟ ଥାଇ ବି ବହି କିଣନ୍ତି ନାହିଁ,ସେମାନେ ଅଶିକ୍ଷିତ ଲୋକଙ୍କ ସହ ସମାନ। କାରଣ ପଠନାଭ୍ୟାସ କମିଗଲେ ସଙ୍କୁଚିତ ହୋଇଯିବ ଆମ ଦୃଷ୍ଟିକୋଣ। ଆଉ ରହିବନି ଭାବବ୍ୟକ୍ତ କରିବାର ସାମର୍ଥ୍ୟ। ଲେଖକମାନେ ବି ଜାଣିରଖିବା ଦରକାର ଧାଡିଏ ଉପାଦେୟ ଲେଖା ଲେଖିବାକୁ ହେଲେ, ପଢ଼ିବାକୁ ହୁଏ ଗାଡ଼ିଏ ଲେଖା। ଅଧିକ ନ ପଢ଼ିଲେ ସ୍ଥାଣୁ ହୋଇଯିବ ଚିନ୍ତନ ପ୍ରକ୍ରିୟା। ଆଉ ରହିବନି ଲେଖକୀୟ ବର୍ଣ୍ଣନା ସହିତ ପାଠକୀୟ କଳ୍ପନାର ସମନ୍ବୟ। ବହି କିଣି ନ ପଢ଼ିଲେ ସଙ୍କଟ ଭିତରକୁ ଠେଲି ହୋଇଯିବ ମୁଦ୍ରଣ ଶିଳ୍ପ। ଆଉ ରହିବନି ପୁସ୍ତକମେଳାର ଆଦର।
ବହିମେଳାର ଆଦର କମିବାର ଆଉ ଏକ ପ୍ରମୁଖ କାରଣ ହୋଇପାରେ ସାଙ୍ଗଠନିକ କ୍ଷେତ୍ରରେ ପତିଆରା ଲଢ଼େଇ। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଫଳରେ ରାଜଧାନୀରେ ଏକାଧିକ ପୁସ୍ତକ ମେଳା ପରିବର୍ତ୍ତେ ଏକକ ମେଳା ‘ଅକ୍ଷର’ ଅନୁଷ୍ଠିତ ହେଉଛି ସତ, ହେଲେ ରାଜ୍ୟର ଅନ୍ୟାନ୍ୟ ସହରରେ ତୁଟୁନି ବିବାଦ। ଭଦ୍ରକ ଭଳି ଛୋଟ ଛୋଟ ସହରରେ ସ୍ବଳ୍ପ ସମୟ ବ୍ୟବଧାନରେ ବାଦବୁଦିଆରେ ଅନୁଷ୍ଠିତ ହେଉଛି ଏକାଧିକ ପୁସ୍ତକ ମେଳା। ମେଳାରେ ବହି ବ୍ୟତୀତ ବୃଦ୍ଧିପାଉଛି ଅନ୍ୟାନ୍ୟ ଜିନିଷର ବିପଣୀ। ବୁଲାବିକାଳି ଓ ପେଁକାଳିବାଲାର ଶବ୍ଦ ସୃଷ୍ଟି କରୁଛି ବାଲିଯାତ୍ରାର ଭ୍ରମ। ଏହାଦ୍ବାରା ନଷ୍ଟ ହେଉଛି ମେଳାର ମହତ୍ତ୍ବ ଓ ପବିତ୍ରତା।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ,
ମୋ- ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri