କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍ଆର୍ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍ର ପ୍ରସିଦ୍ଧ ‘କୋଲୋସିୟମ’ଠାରୁ ବି ଆକାରରେ ବଡ଼ ଏହି ଗର୍ତ୍ତଟି ପ୍ରାୟ ଦୁଇ ବର୍ଷ ପୂର୍ବେ (ମେ ୨୦୨୪) ଏକ ଗ୍ରହାଣୁ କିମ୍ବା ଧୂମକେତୁର ଖଣ୍ଡ ବିଖଣ୍ଡିତ ଅଂଶ ଅତି ତୀବ୍ର ବେଗରେ ଆସି ଚନ୍ଦ୍ରପୃଷ୍ଠରେ ପିଟିହେବା ଫଳରେ ସୃଷ୍ଟି ହୋଇଥିଲା। ତେବେ ପୃଥିବୀ କିମ୍ବା ମହାକାଶରେ ଥିବା ଟେଲିସ୍କୋପ୍ଗୁଡ଼ିକରେ ଏହା ସେହି ସମୟରେ ଧରାପଡ଼ି ନ ଥିଲା।
ଏହି ବିଶାଳ ଗର୍ତ୍ତଟି ପ୍ରାୟ ୭୨୮ ଫୁଟ (୨୨୨ ମିଟର) ଓସାରିଆ ଏବଂ ୧୪୧ ଫୁଟ (୪୩ ମିଟର) ଗଭୀର। ନିକଟ ଅତୀତରେ ସୌରମଣ୍ଡଳରେ ସୃଷ୍ଟି ହୋଇଥିବା ପ୍ରତ୍ୟକ୍ଷ ଅନୁଧ୍ୟାନକୃତ ଗର୍ତ୍ତଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ବିଶାଳ। ହ୍ୟୁଷ୍ଟନସ୍ଥିତ ‘ଲୁନାର ଆଣ୍ଡ୍ ପ୍ଲାନେଟାରି ଇନ୍ଷ୍ଟିଚ୍ୟୁଟ୍’ର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଥୋମାସ ମ୍ୟାକ୍ଗେଚିନ୍ଙ୍କ ନାମାନୁସାରେ ଏହାର ନାମ ‘ମ୍ୟାକ୍ଗେଚିନ୍’ ରଖାଯାଇଛି। ମେ ୨୦୨୪ରେ ଏହା ସୃଷ୍ଟି ହୋଇଥିବା ବେଳେ ‘ଏଲ୍ଆର୍ଓ’ର କ୍ୟାମେରା ଡାଟାରୁ ଅଗଷ୍ଟ ୨୦୨୫ରେ ଏହାର ପ୍ରାଥମିକ ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ଅଧିକ ସ୍ପଷ୍ଟ ଚିତ୍ର ସଂଗ୍ରହ କରାଯାଇ ଚଳିତ ବର୍ଷ ନାସା ବିଜ୍ଞାନୀମାନେ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି।
ବୈଜ୍ଞାନିକ ପତ୍ରିକା ‘ସାଇନ୍ସ ଆଡଭାନ୍ସେସ’ରେ ପ୍ରକାଶିତ ଗବେଷଣା ଅନୁଯାୟୀ, ଏତେ ବଡ଼ଧରଣର ଗ୍ରହାଣୁ ମାଡ଼ହେବା ସାଧାରଣତଃ ପ୍ରତି ୧୩୨ ବର୍ଷରେ ଥରେ ଘଟିଥାଏ। ଏହି ପ୍ରଭାବ ଯୋଗୁ ଚନ୍ଦ୍ରପୃଷ୍ଠର ମାଟି ଓ ପଥରଖଣ୍ଡ ପ୍ରାୟ ୬୬ ମାଇଲ୍ (୧୦୦ କିଲୋମିଟର) ଦୂରତା ପର୍ଯ୍ୟନ୍ତ ବିଛାଡ଼ି ହୋଇପଡ଼ିଛି। ଗର୍ତ୍ତ ଚାରିପାଖରେ ପ୍ରାୟ ୪ ମାଇଲ (୭ କିଲୋମିଟର) ଅଞ୍ଚଳରେ ଏକ ‘କୋଲ୍ଡ ସ୍ପଟ’ ସୃଷ୍ଟି ହୋଇଛି। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଚନ୍ଦ୍ରର ଉପରିଭାଗ ମାଟି ପ୍ରତି ୮୦,୦୦୦ ବର୍ଷରେ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଥାଏ। ଫଳରେ ପୂର୍ବରୁ ସାଧାରଣରେ ଧାରଣା ଥିବା ‘ଆପୋଲୋ ନଭୋଚାରୀଙ୍କ ପାଦଚିହ୍ନ ଚିରଦିନ ରହିବ’ – ତାହା ଭୁଲ୍ ପ୍ରମାଣିତ ହୋଇଛି। ନାସା ଚନ୍ଦ୍ରପୃଷ୍ଠରେ ନିଜର ଆଷ୍ଟ୍ରୋନଟ୍ଙ୍କ ପାଇଁ ସ୍ଥାୟୀ ବାସସ୍ଥଳୀ ନିର୍ମାଣ କରିବାକୁ ଯୋଜନା କରୁଥିବାରୁ, ଏହି ଗ୍ରହାଣୁ ପାତରୁ ବିଚ୍ଛୁରିତ ହେଉଥିବା ପଥର ଓ ଧୂଳିକଣାର ପ୍ରଭାବକୁ ମାପିବା ଏବଂ ବାସସ୍ଥଳୀଗୁଡ଼ିକୁ ସୁରକ୍ଷିତ ଓ ସୁଦୃଢ଼ କରିବା ପାଇଁ ଏହି ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ।

