ମାର୍ଟିନ ଲୁଥର ଓ ଗାନ୍ଧୀ ଦର୍ଶନ

ଡ. ଅଶ୍ୱିନୀ କୁମାର ଶତପଥୀ

 

ବିଶ୍ୱ ଇତିହାସରେ ‘ଅଶ୍ୱେତମାନଙ୍କର ଗାନ୍ଧୀ’ ଭାବେ ବିଖ୍ୟାତ ମାର୍ଟିନ ଲୁଥର କିଙ୍ଗ ଏକ ବିଶିଷ୍ଟ ଗୌରବର ଅଧିକାରୀ ।
୨୮ ଅଗଷ୍ଟ ୧୯୬୩ ଦିନ ତାଙ୍କ ଦ୍ୱାରା ଦିଆଯାଇଥିବା ଷୋହଳ ମିନିଟ୍‌ର ଓଜସ୍ବୀ ଭାଷଣ (ଆଇ ହାଭ ଏ ଡ୍ରିମ) ତାଙ୍କୁ ସମଗ୍ର ବିଶ୍ୱରେ ଅତୁଳନୀୟ ପ୍ରସିଦ୍ଧି ଆଣି ଦେଇଥିଲା। ତାଙ୍କର ଏହି ଭାଷଣକୁ ଆମେରିକା ସହ ସାରା ପୃଥିବୀରେ ଆଜି ସ୍ମରଣ କରାଯାଉଛି। ମାର୍ଟିନ ଲୁଥରଙ୍କ ଜୀବନ ଉପରେ ଗାନ୍ଧୀ ଦର୍ଶନର ଗଭୀର ପ୍ରଭାବ ପଡିଥିଲା; ଯାହା ତାଙ୍କର ଅହିଂସା ପ୍ରତି ଚରମ ନିଷ୍ଠା, ସାମଗ୍ରିକ ଜୀବନ ଦୃଷ୍ଟି ଏବଂ ଜୀବନବ୍ୟାପୀ ସାଧନାରୁ ପରିସ୍ପୁଷ୍ଟ ହୋଇଥାଏ । ସେ ଗାନ୍ଧିଜୀଙ୍କର ଅହିଂସାବାଦକୁ ଏକ ସଶକ୍ତ ହତିଆର ଭାବେ ଗ୍ରହଣ କରି ତାହାରି ମାଧ୍ୟମରେ ସମାଜର ଅତ୍ୟାଚାରିତ ବର୍ଗ ଏବଂ ଅଶ୍ୱେତମାନଙ୍କର ଅଧିକାର ନିମନ୍ତେ ଲଢେଇ କରିଥିଲେ। ସେମାନଙ୍କର ସ୍ବାଧୀନତା ଓ ଅଧିକାର ବାବଦରେ ସେ ତାଙ୍କର ଘୋଷଣାରେ ଉଲ୍ଲେଖ କରି କହିଥିଲେ- ”ସମଗ୍ର ମାନବ ସମାଜ ହେଉଛି ଏକ ଓ ଅଭିନ୍ନ। ସେମାନଙ୍କ ମଧ୍ୟରେ କୌଣସି ବୈଷମ୍ୟ, ଉଚ୍ଚନୀଚ ଆଦି ଭେଦଭାବ ନାହିଁ । “ ସେ ୟୁନାଇଟେଡ ଷ୍ଟେଟ୍‌ସର ଜର୍ଜିଆସ୍ଥିତ ଆଟଲାଣ୍ଟାଠାରେ ୧୫ ଜାନୁୟାରୀ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମୂଳ ନାମ ଥିଲା ମାଇକେଲ ଲୁଥର କିଙ୍ଗ ଜୁନିୟର। ପରବର୍ତ୍ତୀ ସମୟରେ ସେ ଏହାକୁ ପରିବର୍ତ୍ତନ କରି ମାର୍ଟିନ ଲୁଥର କିଙ୍ଗ ନାମ ଧାରଣ କରିଥିଲେ। ସେ ଥିଲେ ଆମେରିକାନ ବାପଟିଷ୍ଟ ଖ୍ରୀଷ୍ଟିୟାନ ମନ୍ତ୍ରୀ ଏବଂ ସିଭିଲ ରାଇଟସ୍‌ ଓ ଶାନ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା। ମାନବିକ ମୂଲ୍ୟବୋଧ ଓ ଅଧିକାର ପାଇଁ ସେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସାକୁ ଅସ୍ତ୍ର ରୂପେ ଗ୍ରହଣ କରି ତାହାରି ମାଧ୍ୟମରେ ଆନ୍ଦୋଳନାମତ୍କ ଲଢେଇ ଜାରି ରଖିଥିଲେ । ‘ଆଇ ହାଭ ଏ ଡ୍ରିମ’ (ମୋର ସ୍ବପ୍ନ) ଥିଲା ତାଙ୍କର ବିଶ୍ୱ ପ୍ରସିଦ୍ଧ ଭାଷଣ।
ୟୁନିଭର୍ସିଟିର ‘ମୋର ହାଉସ କଲେଜ’ରେ ସେ ଅଧ୍ୟୟନ କରିଥିଲେ। ତାଙ୍କର ଶିକ୍ଷା ପ୍ରଥମେ ‘କ୍ରୋଜର ଥିଓଲଜିକାଲ ସେମିନାରୀ (୧୯୪୮-୫୧) ଏବଂ ପରେ ‘ସ୍କୁଲ ଅଫ ଥିଓଲୋଜି (୧୯୫୧-୧୯୫୫)ରେ ହୋଇଥିଲା। ଛାତ୍ରାବସ୍ଥାରେ ସେ ତାଙ୍କର ଅଧ୍ୟାପକ ‘ବେଞ୍ଜାମିନ ଏଲାୟାମେଜ’ଙ୍କଠାରୁ ପ୍ରେରଣା ପାଇ ମହାତ୍ମା ଗାନ୍ଧୀଙ୍କ ସାହିତ୍ୟ ଅଧ୍ୟୟନ ସକାଶେ ପ୍ରେରଣା ଲାଭ କରିଥିଲେ। ଅଧ୍ୟାପକ ଏଲାୟାମେଜ ବିଶ୍ୱର ବହୁ ମାନ୍ୟଗଣ୍ୟ ବିଦ୍ୱାନଙ୍କ ସଦୃଶ ତାଙ୍କର ଭାରତ ଯାତ୍ରା କାଳରେ ଗାନ୍ଧୀ ସାହିତ୍ୟର ଗଭୀର ଅଧ୍ୟୟନ ଓ ଗବେଷଣା କରି ଗାନ୍ଧିଜୀଙ୍କର ଶିଷ୍ୟ ପାଲଟି ଯାଇଥିଲେ। ପରବର୍ତ୍ତୀ କାଳରେ ସେ ତାଙ୍କର ବହୁ ଛାତ୍ର ତଥା ବନ୍ଧୁଙ୍କୁ ଗାନ୍ଧୀଦର୍ଶନ ଉପରେ ଗବେଷଣା ତଥା ଅଧ୍ୟୟନ ସକାଶେ ଭାରତ ଭ୍ରମଣ ପାଇଁ ଅନୁପ୍ରେରିତ କରିଥିଲେ।
ମାର୍ଟିନଲୁଥର କିଙ୍ଗ ନିଜ ପତ୍ନୀ କୋରେଟ୍ଟାଙ୍କ ସହ ଭାରତ ଭ୍ରମଣରେ ଆସି ୯ ଫେବୃୟାରୀ ୧୯୫୯ରେ ମୁମ୍ବାଇଠାରେ ପହଞ୍ଚତ୍ଥିଲେ। ଏଥିପାଇଁ ଜାନୁୟାରୀ ୧୯୫୯ରେ ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସରୁ ତାଙ୍କୁ ଭାରତ ଯାତ୍ରା ସକାଶେ ନିମନ୍ତ୍ରଣ ପ୍ରାପ୍ତ ହୋଇଥିଲା। ତାଙ୍କ ସହ ଲରେନ୍ସ ରେଡିକ୍‌ (ମାର୍ଟିନଲୁଥରଙ୍କ ଜୀବନୀ ଲେଖକ) ମଧ୍ୟ ଭାରତ ଗସ୍ତରେ ଆସିଥିଲେ। ନିଜର ଅଭିବ୍ୟକ୍ତିରେ ମାର୍ଟିନଲୁଥର କହିଥିଲେ ଯେ, ଅନ୍ୟ ଦେଶଗୁଡ଼ିକୁ ମୁଁ ପର୍ଯ୍ୟଟନ ସକାଶେ ଯାଇଥାଏ ସତ, ହେଲେ ଭାରତ ମୋ ପାଇଁ ତୀର୍ଥଭୂମି। କାରଣ ଗାନ୍ଧିଜୀଙ୍କର ଜନ୍ମଭୂମି ହିସାବରେ ଏହା ପ୍ରତି ତାଙ୍କ ହୃଦୟରେ ଥିଲା ସ୍ବତନ୍ତ୍ର ଅନୁରକ୍ତି। ତାଙ୍କର ଭାରତ ଭ୍ରମଣର ବ୍ୟବସ୍ଥା ‘ଆମେରିକାନ ଫ୍ରେଣ୍ଡସ ସର୍ଭିସ କମିଟି’ ଏବଂ ‘ଗାନ୍ଧୀ ନ୍ୟାଶନାଲ ମେମୋରିଆଲ’ ନାମକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିଲା।
ତାଙ୍କର ଯାତ୍ରା କାଳରେ ରାତ୍ରିଭୋଜନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ତାଙ୍କ ସାନିଧ୍ୟରେ ସେ ପ୍ରାୟ ଚାରି ଘଣ୍ଟା ବିତାଇଥିଲେ। ଏହି ସମୟରେ ଗାନ୍ଧୀଙ୍କର ଦର୍ଶନ ଓ ଅହିଂସା ନୀତି ବାବଦରେ ଅତି ନିକଟରୁ ଅନୁଧ୍ୟାନ କରିବାର ସୁଯୋଗ ସେ ପ୍ରାପ୍ତ କରିଥିଲେ ।
ଏହି ଗସ୍ତ କାଳରେ ଗାନ୍ଧୀ ସ୍ମୃତି ସ୍ଥଳ ଓ ରାଜଘାଟ ଦର୍ଶନ ଥିଲା ତାଙ୍କ ପାଇଁ ଏକ ଭାବାମତ୍କ ଓ ପ୍ରେରଣାପ୍ରଦ କ୍ଷଣ।
ଭାରତ ଭ୍ରମଣ ସମୟରେ ସେ ବହୁ ଗ୍ରାମୀଣ କୃଷକ, ବୁଦ୍ଧିଜୀବୀ ତଥା ସବୁ ସ୍ତରର ନାଗରିକମାନଙ୍କ ସହ ମିଳାମିଶା ଓ ଆଲୋଚନା କରିଥିଲେ। ଏଇ ସମୟରେ ତାଙ୍କର ଅଟୋଗ୍ରାଫ ନେବା ସକାଶେ ପ୍ରବଳ ଭିଡ ସୃଷ୍ଟି ହେଉଥିଲା ା ମୋଟାମୋଟି ଭାବେ ଏଇ ଭ୍ରମଣ ତାଙ୍କ ଜୀବନର ଲକ୍ଷ୍ୟ ଓ ଗତିପଥକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ କରି ଦେଇଥିଲା। ସେ ହୋଇଯାଇଥିଲେ ଗାନ୍ଧିଜୀଙ୍କର (ଗାନ୍ଧୀ ଦର୍ଶନର) ଜଣେ ଅନୁଯାୟୀ ଓ ପଟଶିଷ୍ୟ। ଏହିପରି ଅଦ୍ୟାବଧି ଗାନ୍ଧୀ ଦର୍ଶନର ବୈଶିଷ୍ଟ୍ୟ ବିଭିନ୍ନ ସମୟରେ ନେଲ୍‌ସନ ମଣ୍ଡେଲା, ଆଲବର୍ଟ ଆଇନଷ୍ଟାଇନ, ଆନି ବେସାନ୍ତ ଓ ବାରାକ ଓବାମା ପ୍ରମୁଖ ବହୁ ବିଶ୍ୱବିଖ୍ୟାତ ପ୍ରତିଭା ତଥା ନେତୃବୃନ୍ଦଙ୍କୁ ଆକୃଷ୍ଟ ଓ ଅନୁପ୍ରାଣିତ କରି ଆସିଛି। ଭାରତରୁ ପ୍ରତ୍ୟାବର୍ତ୍ତନ ପରେ ସେ ଯେଉଁ ବିଶେଷ ଭବିଷ୍ୟବାଣୀ କରିଥିଲେ ତାହା ଏଠାରେ ଉଲ୍ଲେଖଯୋଗ୍ୟ ମନେହୁଏ। ସେ କହିଥିଲେ ଯେ, ଗାନ୍ଧିଜୀଙ୍କ ‘ଅହିଂସା ନୀତି’ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ‘ସିଦ୍ଧାନ୍ତ’ ଉପରେ ଯଦି ବିଶ୍ୱର ସମସ୍ତ ଦେଶ ପରିଚାଳିତ ନ ହୁଅନ୍ତି ତେବେ ପୃଥିବୀକୁ ଧ୍ୱଂସ ହେବାରୁ କେହି ରକ୍ଷା କରିପାରିବେ ନାହିଁ। ସମ୍ପ୍ରତି ଆମେରିକାର କ୍ୟାପିଟୋଲ ବିଲ୍ଡିଂ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଯେଭଳି ଆକ୍ରମଣ କରି ହିଂସା ଭିଆଇଲେ ତାହା ପୁରାତନ ଗଣତନ୍ତ୍ରର ଛବିକୁ ମଳିନ କରିଦେଇଛି। ଏହି ପରିପ୍ରେକ୍ଷୀରେ ଗାନ୍ଧୀ ଦର୍ଶନକୁ ନେଇ ମାର୍ଟିନଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ‘ସିଭିଲ ରାଇଟସ୍‌’ ଆନ୍ଦୋଳନ ପ୍ରବକ୍ତା (୧୯୫୫-୧୯୬୮) ଏବଂ ସର୍ବ ସାଧାରଣ ଜନତାର ଅଧିକାର ସୁରକ୍ଷା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିଥିବା ଏଇ ମହାନ୍‌ ନେତା ଜଣକ ୪ ଏପ୍ରିଲ ୧୯୬୮ରେ ଠିକ୍‌ ଗାନ୍ଧିଜୀଙ୍କ ସଦୃଶ ଏକ ଆତତାୟୀର ଗୁଳି ଚୋଟରେ ନିହତ ହୋଇଥିଲେ। ଆମେରିକାର ମେମ୍ଫିସ (ଟେନିସ) ସ୍ଥିତ ‘ଲରେନ ମଟେଲ’ରେ ଗୁଳିବିଦ୍ଧ ହେବା ପରେ ତାଙ୍କୁ ସେଣ୍ଟଜୋସେଫ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସକମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାକୁ ବ୍ୟର୍ଥ କରି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ସମାଚାର ସାରା ପୃଥିବୀକୁ ଶୋକାଚ୍ଛାଦିତ କରିଦେଇଥିଲା। ‘ଅଶ୍ୱେତମାନଙ୍କର ଗାନ୍ଧୀ’ ଭାବେ ସମଗ୍ର ବିଶ୍ୱ ଆଜି ତାଙ୍କୁ ବି ସ୍ମରଣ କରୁଛି ା ଅହିଂସାର ପୂଜାରୀ ଏବଂ ଗାନ୍ଧୀ ଦର୍ଶନ ଅନୁଯାୟୀ ତଥା ଦୃଢ ପ୍ରବକ୍ତା ଭାବେ ସେ କାଳକାଳକୁ ବିଶ୍ୱବାସୀଙ୍କ ଦ୍ୱାରା ଯେ ପୂଜିତ ହେଉଥିବେ ଏଥିରେ ସନ୍ଦେହର ଅବକାଶ ନାହିଁ ା
ଗାୟତ୍ରୀଭବନ, ନଲମଗଞ୍ଜଛକ, ମୋତିଗଞ୍ଜ, ବାଲେଶ୍ୱର, ମୋ: ୮୩୨୮୮୪୨୨୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri