ଚତୁର ୪

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ସଂକ୍ରାନ୍ତ ୩ଟି ନୂଆ ଆଇନର କାର୍ଯ୍ୟକାରିତା ଉପରେ ୧୨ ଜାନୁୟାରୀରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏଥିସହିତ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ଲାଗି ସର୍ବୋଚ୍ଚ ଅଦାଲତ ଏକ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ରାୟ ପ୍ରକାଶ ପାଇବାର ତତ୍‌କ୍ଷଣାତ୍‌ ଏହି କମିଟିରେ କେଉଁ ୪ ଜଣ ସଦସ୍ୟ ରହିବେ ସେମାନଙ୍କ ନାମ ପ୍ରକାଶ କରାଯାଇଛି। ପ୍ରଥମରେ ଅଛନ୍ତି ଅଶୋକ ଗୁଲାଟି। ନିଜକୁ କୃଷି ଅର୍ଥନୀତିଜ୍ଞ ଭାବେ ପରିଚୟ ଦେଉଥିବା ଗୁଲାଟି ନିକଟରେ ଏକ ଲମ୍ବା ଭିଡିଓ ଆଲୋଚନାରେ ଏହି ୩ କୃଷି ଆଇନର ଗୁରୁତ୍ୱ ସମ୍ପର୍କରେ ଅନେକ ସକାରାତ୍ମକ ମତ ରଖିଥିଲେ। ଏଥିସହିତ ସେ ସରକାରଙ୍କ କୃଷି ଆଇନକୁ ୧୯୯୧ର ଅର୍ଥନୈତିକ ସଂସ୍କାର ସହ ତୁଳନା କରିଛନ୍ତି। ଦ୍ୱିତୀୟରେ ଅଛନ୍ତି ଭାରତୀୟ କିଷାନ ସଂଘ ସଭାପତି ତଥା କିଷାନ ସମନ୍ବୟ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂ ମାନ୍‌। ଭୂପିନ୍ଦର କହନ୍ତି, କୃଷିକୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବାକୁ ହେଲେ ସଂସ୍କାର ନିତାନ୍ତ ଦରକାର। ଅର୍ଥାତ୍‌ ତାଙ୍କ ମତରେ ଏହିଭଳି ଆଇନର ସ୍ଥାନ ରହିଛି। ତୃତୀୟରେ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ ଏସିଆ ନିର୍ଦ୍ଦେଶକ ପ୍ରମୋଦ କୁମାର ଜୋଷୀ ଅଛନ୍ତି। ପ୍ରମୋଦ ନିକଟରେ ଇଂଲିଶ ଦୈନିକ ‘ଫାଇନାନ୍‌ସିଆଲ୍‌ ଏକ୍ସପ୍ରେସ୍‌’ରେ ସରକାରଙ୍କ ବିବାଦୀୟ ଆଇନକୁ ପ୍ରଶଂସା କରି ଲେଖା ପ୍ରକାଶ କରିଥିଲେ। ସେହିପରି ଚତୁର୍ଥ ସ୍ଥାନରେ ଅଛନ୍ତି ଶେତ୍‌କାରୀ ସଙ୍ଗଠନ ଅଧ୍ୟକ୍ଷ ଅନିଲ ଘନଓ୍ବାତ। ଘନଓ୍ବାତ ପରିସ୍ଥିତିକୁ ସାମ୍ନା କରିବା ପାଇଁ କୃଷକମାନଙ୍କ ଉଦ୍‌ବେଗକୁ ଲକ୍ଷ୍ୟକରି ତିନୋଟି ଆଇନକୁ କେତେକାଂଶରେ ସଂଶୋଧନ କରାଯାଉ ବୋଲି ମତ ଦେଇଥିଲେ। ଉପରଲିଖିତ ୪ଟି ନାମ ଘୋଷଣା ପୂର୍ବରୁ ଆନ୍ଦୋଳନକାରୀ କୃଷକମାନେ ସୁପ୍ରିମ୍‌କୋର୍ଟଙ୍କ କମିଟିରେ କେଉଁମାନେ ସଦସ୍ୟ ହେବେ ତାହାକୁ ସନ୍ଦେହ କରି ଅନୁଧ୍ୟାନ କରାଯିବ ବୋଲି ନାମ ପ୍ରକାଶ ଆଗରୁ କହିସାରିଥିଲେ।
ଦିନବେଳେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥଗିତାଦେଶକୁ ଶୁଣି ଦେଶବ୍ୟାପୀ ଏକ ଆଶାର ଆଲୋକ ଖେଳିଯାଇଥିଲା। ବିଗତ କିଛି ମାସ ଧରି ସୁପ୍ରିମକୋର୍ଟ ଯେତେଗୁଡ଼ିଏ ରାୟ ଦେଇଛନ୍ତି, ସେଥିରେ ସରକାରଙ୍କୁ ସୁହାଇଲା ଭଳି ମତ ପ୍ରକାଶ ପାଇଆସିଛି। ସମ୍ଭବତଃ ସେହି ଧାରଣା ଭାଙ୍ଗିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଥିବା ଅନୁଭବ କରିବା ପରେ ଶୀର୍ଷ ଅଦାଲତ ଏପରି ସ୍ଥଗିତାଦେଶ ଦେଇଥିଲେ। ଏହା କହିଲା ବେଳେ ଆମେ ସଚେତନ ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି କେଉଁ ପ୍ରକାର ମତ ରଖିବ ସଦସ୍ୟମାନଙ୍କ ନାମ ଘୋଷଣା ପରେ ବୁଝିବା କଷ୍ଟକର ନୁହେଁ। ନିଜର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଅଦାଲତଙ୍କ ଏହି ଅସ୍ଥାୟୀ ସ୍ଥଗିତାଦେଶ ଅଧିକ କ୍ଷତିକାରକ ହୋଇପାରେ। କାରଣ ସୁପ୍ରିମକୋର୍ଟ ଯଦି ଭାବୁଥିବେ ଯେ, ଏଭଳି ସାମୟିକ ସ୍ଥଗିତାଦେଶ ରଖି ସମୟ ଗଡ଼େଇ ନେବେ ଏବଂ ତାହା ପରବର୍ତ୍ତୀ ସମୟରେ ବିଶେଷଜ୍ଞ କମିଟି ଗୋଟେ ରାୟ ଦେବ ଯାହା ସରକାରଙ୍କୁ ସୁହାଇବ, ତେବେ ‘ସାପ ଓ ଶିଡ଼ି ଖେଳ’ ଭଳି ସମସ୍ୟା ଆହୁରି ବଢ଼ିଯିବ। ବିଶେଷଜ୍ଞ କମିଟିର ମତ କୁଆଡ଼େ ଯିବ ତାହା ରିପୋର୍ଟ ପ୍ରକାଶ ପାଇବା ଆଗରୁ ଯେକୌଣସି ନାଗରିକ ଅନୁମାନ କରିପାରୁଛନ୍ତି। ଏହି କମିଟିରେ ରଖାଯାଇଥିବା ସଦସ୍ୟଙ୍କ ଅତୀତକୁ ଦେଖିଲେ ମନେହେଉଛି ଯେପରି ଇଏ ଏକ ଖେଳ ବା ଚତୁରତା, ଯେଉଁଥିରେ ପ୍ରତିବାଦକାରୀଙ୍କୁ ଚପାଇଦେଇ ବାଉଳା କରିବାର ଉଦ୍ଦେଶ୍ୟ ରହିଛି।
ଆଇନର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେବା ପରେ ମଧ୍ୟ କୃଷକମାନେ ବିବାଦୀୟ ୩ଟି ଆଇନ ପ୍ରତ୍ୟାହାର କରିବା ଦାବିରେ ଅଡ଼ି ବସିଛନ୍ତି। କୃଷକ ନେତାମାନଙ୍କ କହିବା ଅନୁଯାୟୀ, ଏହି ୪ ଜଣ ସଦସ୍ୟ ସରକାରଙ୍କ ଇଙ୍ଗିତରେ ପରିଚାଳିତ ହେବା ସୁନିଶ୍ଚିତ। ସେଥିପାଇଁ ଏହି କମିଟିର ରିପୋର୍ଟ ଉପରେ ବିଶ୍ୱାସ ନାହିଁ ବୋଲି ଯାହା କୁହାଯାଉଛି ତାହା ସ୍ବୀକାରଯୋଗ୍ୟ। ତିନି ବିବାଦୀୟ ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ନ ହେବା ଯାଏ ଘରକୁ ଫେରିବେ ନାହିଁ ବୋଲି କୃଷକ ସଙ୍ଗଠନଗୁଡ଼ିକ ଜିଦ୍‌ରେ ଅଟଳ ଅଛନ୍ତି। କୃଷକମାନେ କାହିଁକି ୩ଟି ଆଇନକୁ ବିରୋଧ କରୁଛନ୍ତି ସରକାର ବୁଝିବା ଦରକାର। ଏଗୁଡ଼ିକର ସ୍ବରୂପକୁ ଦେଖିଲେ ଚାଷୀଙ୍କ ହିତ ପରିବର୍ତ୍ତେ କର୍ପୋରେଟ୍‌ ବା ବଡ଼ ବ୍ୟବସାୟୀଙ୍କ ସ୍ବାର୍ଥରକ୍ଷା ଦିଗରେ ସରକାର ଅଧିକ ଇଚ୍ଛୁକ ଥିବା ବୁଝାପଡ଼ୁଛି।
ଆନ୍ଦୋଳନକାରୀଙ୍କ ବିରୋଧରେ କେତେକ ମତ ପ୍ରକାଶ ପାଇଛି, ଯାହା ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ପ୍ରଥମେ ସେମାନଙ୍କୁ ଭାରତ ବିରୋଧୀ ଓ ଖଲିସ୍ତାନ ସମର୍ଥକ ବୋଲି କୁହାଯାଇଥିଲା। ଦ୍ୱିତୀୟରେ ଯୁକ୍ତି କରାଯାଇଥିଲା ଯଦି କୃଷିକ୍ଷେତ୍ରରେ ପୁରୁଣା ବ୍ୟବସ୍ଥା ଭଲ ଥିଲା, ତେବେ ଦେଶବ୍ୟାପୀ କୃଷକ ଆତ୍ମହତ୍ୟା କାହିଁକି ହେଉଥିଲା। ତୃତୀୟରେ ଏହା ମଧ୍ୟ କୁହାଗଲା ଯେ, କୃଷକ ଖଟିକରି ତା’ର ଜୀବନ ଯେମିତି ଯାପନ କରୁଛି ସେହିଭଳି ଅନ୍ୟ ସମସ୍ତେ ମଧ୍ୟ କାର୍ଯ୍ୟ କରି ରୋଜଗାର କରୁଛନ୍ତି ଓ ଖାଦ୍ୟ କିଣୁଛନ୍ତି। ଅର୍ଥାତ୍‌ କୃଷକ କାହା ପ୍ରତି ଦୟା କରୁନାହିଁ ବା କାହାରିକୁ ମାଗଣାରେ ଖାଦ୍ୟ ଯୋଗାଉ ନାହିଁ। ଏହି ତିନୋଟି ଅଭିଯୋଗକୁ ଅତି ସହଜରେ କାଟି ହେବ। ଉତ୍ତର ଭାରତର କୃଷକମାନେ ଅନ୍ୟ ଚାଷୀଙ୍କ ଭଳି ସଚେତନ। ତେବେ ଓଡ଼ିଶା କିମ୍ବା କର୍ନାଟକର ଚାଷୀ ପାଇଁ ଭୌଗୋଳିକ ଦୃଷ୍ଟିକୋଣରୁ, ଦିଲ୍ଲୀକୁ ଘେରାଉ କରିବା ଅସମ୍ଭବ। ସେଥିପାଇଁ ପଞ୍ଜାବ ଓ ହରିୟାଣାର ଚାଷୀଙ୍କୁ ଦେଶବିରୋଧୀ ଆଖ୍ୟା ଦେବା ମହାପାପ। ଯେଉଁମାନେ ଅନ୍ୟକୁ ଦେଶବିରୋଧୀ କହୁଛନ୍ତି, ସେମାନେ ମନେରଖିବା ଦରକାର ଯେ ଗଣତନ୍ତ୍ରରେ ରାଜନୈତିକ ଦଳର ପରିବର୍ତ୍ତନ ଘଟିଥାଏ। କିନ୍ତୁ କୌଣସି ବ୍ୟକ୍ତିବିଶେଷ ଏକାକୀ ବିଶ୍ୱର ହର୍ତ୍ତାକର୍ତ୍ତା ଭାବିବା ଅନୁଚିତ। ପ୍ରତ୍ୟେକ ନାଗରିକ ଏହି ଦେଶର ମାଲିକ। ଦ୍ୱିତୀୟ ଯୁକ୍ତି ସ୍ବୀକାରଯୋଗ୍ୟ ଯେ, ଭାରତରେ ପୁରୁଣା କୃଷି ବ୍ୟବସ୍ଥା ମଧ୍ୟ ଦୁର୍ବଳ ଥିଲା। ସକାରାତ୍ମକ ସରକାରର କର୍ତ୍ତବ୍ୟ ହେଉଛି ଦୁର୍ବଳ ଶ୍ରେଣୀକୁ ସଶକ୍ତ କରିବା। ସେହି ଦୁର୍ବଳତାର ସୁବିଧା ଉଠାଇ ଶୋଷଣ କରିବା ଅନୁଚିତ। ତୃତୀୟ ଯୁକ୍ତି ବିରୋଧରେ କୌଣସି ମତର ପ୍ରୟୋଜନ ନାହିଁ। ଦେଶର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭକରି ରେଳଷ୍ଟେଶନର କୁଲି ପର୍ଯ୍ୟନ୍ତ ସମସ୍ତେ ପ୍ରବଳ ମାତ୍ରାରେ ମାନସିକ କିମ୍ବା ଶାରୀରିକ ପରିଶ୍ରମ କରି ରୋଜଗାର କରୁଛନ୍ତି। ସେହି ରୋଜଗାରର କିଛି ଅଂଶ ଖର୍ଚ୍ଚ କରି ଖାଦ୍ୟ କିଣୁଛନ୍ତି। କୃଷକ ଯଦି ବଞ୍ଚିବା ପାଇଁ ନିଜର ଖାଦ୍ୟ ପ୍ରସ୍ତୁତ ନ କରେ, ତେବେ ରାଷ୍ଟ୍ରପତିଙ୍କଠାରୁ କୁଲି ପର୍ଯ୍ୟନ୍ତ ସମସ୍ତେ ନିଜର ଖଟଣି ଅଯଥା ବୋଲି ଭାବିବା ଅପରିହାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?