ହଜିଯାଉଥିବା ଗାଁର ନକ୍‌ସା

ପିଲାଦିନଠାରୁ ଆଜିଯାଏ ମୁଁ ଯେତେ କବିତା ପଢ଼ିଛି ତା’ ଭିତରୁ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁଟି କବିତାଟି ମୋତେ ଖୁବ୍‌ ଭଲ ଲାଗିଛି। ଭାବୁଛି ଏଇ ଭାବନାଟି କେବଳ ମୋର ନୁହେଁ, ମୋ ପରି ଆପଣମାନେ ବି ଏଇ କବିତାକୁ କେବେ ନା କେବେ ଭଲ ପାଇଥିବେ। ଏଇ କବିତାଟି ପାଠ କଲାବେଳେ ନିଜର ବାଲ୍ୟଜୀବନ ମନ ଭିତରେ ପୁଣି ପଶିଯାଏ। ବୟସ ଶରୀରକୁ ହୁଏତ ଆଚ୍ଛନ୍ନ କରିପାରେ; ମାତ୍ର ଏଇଭଳି କବିତା ପାଠକଲେ ମନ ଶରୀରଠୁଁ ବାହାରି ଯାଇ ସ୍ମୃତିରେ ଆଶ୍ରୟ ନିଏ – ସବୁ ସ୍ମୃତିର କେନ୍ଦ୍ରସ୍ଥଳ ହେଉଛି ଶୈଶବ।
ଗ୍ରାମ୍ୟ ସ୍ମୃତିର ସ୍ବାଦ ଆଉ ଆନନ୍ଦ ନିଆରା। ବାଲ୍ୟ ଜୀବନର ପ୍ରଭାବରୁ ମଣିଷ ବୋଧହୁଏ ମୁକୁଳି ପାରେ ନାହିଁ। ଏଇ ବନ୍ଧନ ହିଁ ତା’ର ଭଲପାଇବାର ହେତୁ, ସେ ଯେଉଁଠି ଥିଲେ ବି ଝୁରୁଥାଏ ତା’ର ମାଆ ଓ ମାତୃଭୂମିକୁ। ସ୍ମୃତି ଅତୀତର ଗୋଟାଏ ପୃଷ୍ଠା ନୁହେଁ ବରଂ ଆମର ବର୍ତ୍ତମାନର ଗୋଟାଏ ଟିକି ଝରକା- ଯାହା ତିନିକାଳ ଭିତରେ ସୀମିତ ନ ହୋଇ ନିଜେ ଗୋଟିଏ ଋତୁ ପାଲଟିଯାଏ। ସେଇଥିପାଇଁ ସ୍ମୃତିର କଥା ସବୁ କେବଳ ଅତୀତର ବୋଲି କହିହେବ ନାହିଁ। ତିନିକାଳରୁ ସେ ଉତ୍ତୀର୍ଣ୍ଣ, ଜୀବନରେ ଶ୍ରେଷ୍ଠ ଘଟଣାମାନଙ୍କର ଇମାରତ ହେଉଛି ସ୍ମୃତି।
ଆମେ ପଢ଼ିଛୁ ଶ୍ରୀରାମ ଚନ୍ଦ୍ର ଯେତେବେଳେ ସ୍ବର୍ଣ୍ଣମୟୀ ଲଙ୍କା ଜୟ କଲେ ସେତେବେଳେ ତାଙ୍କୁ କେହି ହୁଏତ କହିଥିବେ, କାହିଁକି ଫେରିଯିବ ତମର ନିଜ ରାଇଜକୁ, ଖାଲି ବଣଜଙ୍ଗଲର ଅଞ୍ଚଳ ତ ଅଯୋଧ୍ୟା! କେବେ ଜଳକଷ୍ଟ ତ କେବେ ଆହାର ନିଅଣ୍ଟ। ସ୍ବର୍ଣ୍ଣରେ ଭରପୂର ଭୂଖଣ୍ଡ ଲଙ୍କାକୁ ଛାଡ଼ି କ’ଣ ଫେରିବା ବୁଦ୍ଧିମାନର କାର୍ଯ୍ୟ ହେବ? ସେତେବେଳେ ଶ୍ରୀରାମ ଚନ୍ଦ୍ର ନିଜର ଅନୁଜ ଲକ୍ଷ୍ମଣଙ୍କୁ ସାଙ୍କେତିକ ଭାବରେ କହିଥିଲେ –
”ଅପି ସ୍ବର୍ଣ୍ଣମୟୀ ଲଙ୍କା ନମେ ଲକ୍ଷ୍ମଣ ରୋଚତେ
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ।“
ସେଇଦିନୁ ମଣିଷର ମନରେ ହୃଦୟର ଗୋପନତମ ପ୍ରଦେଶରେ ରହିଯାଇଛି ସେଇ ତରଙ୍ଗ – ନିଜର ଜନ୍ମଭୂମି ପ୍ରତି ଏବଂ ଅନ୍ତରଙ୍ଗ ଅନୁଚ୍ଚାରିତ ଆବେଗ।
କିଛିଦିନ ତଳେ ସଚ୍ଚି ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ କବିତାର ଏକ ଲାଳିକା କରି କେହି ଆଧୁନିକ କବି ବର୍ତ୍ତମାନର ଗ୍ରାମ୍ୟଜୀବନର ଅଧଃପତନ ବିଷୟରେ ଲେଖିଛନ୍ତି – ଏହି ବ୍ୟଙ୍ଗ ଆମ ସମସ୍ତଙ୍କ ପାଇଁ ଊଣା ଅଧିକେ ପ୍ରଯୁଜ୍ୟ – ଗାଁ ଛାଡ଼ି ମଣିଷ କର୍ମ ଜଞ୍ଜାଳରେ ସହର ମୁହଁା ହୋଇଛି। ସହରର ଚାକଚକ୍ୟ, ସ୍ବାସ୍ଥ୍ୟ ଶିକ୍ଷାର ସୁବିଧା ତା’ର ଗ୍ରାମ୍ୟ ମନସ୍କତାକୁ ମାଡ଼ି ମକଚି ଦେଇଛି। ସହରଗୁଡ଼ିକ ଦୂଷିତ ହୋଇଯାଇଛି। ପୃଥିବୀର ସର୍ବୋଚ୍ଚ ପ୍ରଦୂଷିତ ସହର ଭିତରେ ଭାରତର ବହୁ ସହର ରହିଛି; ଏପରି କି ବର୍ଷର ବହୁ ସମୟରେ ଦେଶର ରାଜଧାନୀର ବାୟୁ ପ୍ରଦୂଷଣ ଏତେ ନୂ୍ୟନ ସ୍ତରକୁ ଚାଲିଯାଉଛି, ଯାହା କି ଭୟଙ୍କର ବେମାରିର କାରଣ ପାଲଟୁଛି। ଗାଁରୁ କର୍ମସଂସ୍ଥାନ ପାଇଁ ବହୁ ଲୋକ ସହରକୁ ଆସୁଥିବାରୁ ଏବଂ ସହରତଳି ଅଞ୍ଚଳରେ ବିନାନୁମତିରେ ଅବସ୍ଥାନ କରୁଥିବାରୁ ସେମାନଙ୍କର ଜୀବନର ମାନ ଅତ୍ୟନ୍ତ ଦୁର୍ବିଷହ ହେଉଛି। ତା’ ସତ୍ତ୍ୱେ କର୍ମସଂସ୍ଥାନର ଡାକ ସେମାନଙ୍କୁ ସହରଆଡ଼କୁ ହାତଠାରି ଡାକିଛି।
ଗ୍ରାମ ଓ ସହର ମଧ୍ୟରେ ବ୍ୟବଧାନ ଥିଲା ସଭ୍ୟତାର ମାପକ ବୁଝାଉଥିବା ଅନେକ ଆଧୁନିକ ବ୍ୟବସ୍ଥା। ଗ୍ରାମାଞ୍ଚଳରୁ ସହର ଆଡ଼କୁ ହେଉଥିବା ଗତିକୁ ରୋକିବା ପାଇଁ ନୂତନ ଯୋଜନା ମାନ ସରକାର ହାତକୁ ନେଇଥିଲେ; ଯାହାର ଉଦ୍ଦେଶ୍ୟ ଥିଲା ସହରାଞ୍ଚଳରେ ଉପଲବ୍ଧ ହେଉଥିବା ସୁବିଧା ଗ୍ରାମାଞ୍ଚଳରେ ପହଞ୍ଚେଇବା। ଆଜିକାଲି କେବଳ ଗ୍ରାମାଞ୍ଚଳରେ ଉନ୍ନତ ଗମନାଗମନ ବ୍ୟବସ୍ଥା ନୁହେଁ ବରଂ ବିଜୁଳିଆଲୁଅ, ପାଇପ ପାଣି, ଜାଳେଣି ଗ୍ୟାସ, ଇଣ୍ଟରନେଟ୍‌ ଆଦି ଉପଲବ୍‌ଧ ହେଲାଣି। ଏଗୁଡ଼ିକ ମିଳିବା ଏକ ଭଲ ପଦକ୍ଷେପ; ମାତ୍ର ଗ୍ରାମଗୁଡ଼ିକର ଯେଉଁ ଆଧାର ଥିଲା ତାହା ହେଲା ତା’ର ପର୍ବପର୍ବାଣି ଓ ସାଂସ୍କୃତିକ ବିଚାରଧାରା ଏବଂ ପ୍ରତି ଲୋକଙ୍କ ଭିତରେ ଥିବା ସମ୍ପର୍କ। ଏଇଗୁଡ଼ିକର ଦ୍ରୁତ ଅବକ୍ଷୟ ବାସ୍ତବରେ ସମାଜ ବିଜ୍ଞାନୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ସହରି ସଭ୍ୟତାରେ ଲୋକଙ୍କ ଭିତରେ ସମ୍ପର୍କ କେବଳ ବସ୍ତୁବାଦୀ; ମାତ୍ର ଗ୍ରାମାଞ୍ଚଳରେ ସେଇ ସମ୍ପର୍କ ଗଭୀର। ସେଇ ସମ୍ପର୍କର ଚେର ଯେ ଆସ୍ତେ ଆସ୍ତେ ଶୁଖି ଆସୁଛି! ଆଗରୁ ଗୋଟିଏ ଗଁାରେ ଲୋକେ ଅନ୍ୟକୁ ଦାଦା, ଖୁଡ଼ୀ, ଭାଇ, ନାନୀ, ମାଉସୀ, ମଉସା ଆଦି ଯେଉଁ ସମ୍ପର୍କରେ ଭାବୁଥିଲେ ସେଗୁଡ଼ାକ ସବୁ ଆସ୍ତେ ଆସ୍ତେ ଲୁଚିଯାଇ ସାର୍‌ ଆଉ ବାବୁ ଭିତରେ ସୀମିତ ହୋଇଯିବାକୁ ଦୌଡ଼ ଆରମ୍ଭ ହୋଇଯାଇଛି।
ଭାରତର ଆତ୍ମା ଗାଁରେ ରହିଛି ବୋଲି ଖାଲି ଗାନ୍ଧିଜୀ କହୁ ନ ଥିଲେ, ବହୁ ସମାଜ ବିଜ୍ଞାନୀଙ୍କର ତାହା ହିଁ ମତ। ଯେତେବେଳେ ଗାଁ ସଂକୁଚିତ ହୋଇଯାଉଛି – ଖେତ ପୋତା ହୋଇ ଘର ତିଆରି ଚାଲିଛି – ଜଙ୍ଗଲ କଟା ହୋଇ ରାସ୍ତା ତିଆରି ହେଉଛି ସେତେବେଳେ ସେଇ ଆତ୍ମା ଦେହ ଛାଡ଼ି ଯିବାକୁ ଆଉ ବା କେତେ ଡେରି! ଯୌଥ ପରିବାର ଲୋପ୍‌ ପାଇବାକୁ ବସିଲାଣି। ଏକକ ପରିବାର ତା’ ଜାଗା ନେଲାଣି। ଗାଁର ଅନୁଭବ ପାଇବାକୁ କେତେକ ସହରରେ କାଳ୍ପନିକ ଗ୍ରାମ ସୃଷ୍ଟି କରାଯାଇଛି କେବଳ ବହିରାଗତ ଅତିଥିଙ୍କୁ ଏକ କାଳ୍ପନିକ ପ୍ରତାରଣା ଭିତରେ ଗ୍ରାମ୍ୟଜୀବନର ସ୍ବାଦ ଚଖେଇବା ପାଇଁ। ସମ୍ଭବତଃ ଅହମଦାବାଦର ‘ଚୋଖିଧାନୀ’ ଆପଣ ବୁଲିଛନ୍ତି!
ସବୁ ସହରି ସୁବିଧା ମିଳିବା ଉଚିତ, ତାକୁ କେହି କେବେ ବିରୋଧ ନ କରନ୍ତୁ। ହେଲେ ଗାଁର ଚେତନା ଲୋପ୍‌ ପାଇ ନ ଯାଉ। ସଚ୍ଚିବାବୁ ସିନା କହୁଥିଲେ, ଭୂଗୋଳରେ ତାଙ୍କ ଗାଁର ନଁା ନାହିଁ ବୋଲି ତାଙ୍କର ମନରେ ଦର୍କାର ନ ଥିଲା କାରଣ ତାହା ଥିଲା ତାଙ୍କର ସ୍ମୃତିରେ। ଏବେ ଗୁଗଲ୍‌ରେ ଗାଁର ନଁା ରହିଛି ହେଲେ ସ୍ମୃତିରେ ତା’ର ପଦଚିହ୍ନ କ୍ରମେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଉଛି। ଆଉ କିଛିଦିନ ଏମିତି ଗଲେ ତାହା ନା ଥିବ ଭୂଗୋଳରେ, ତାକୁ ଖୋଜିବାକୁ ହେବ ଇତିହାସରେ।
ଗଁାକୁ ଖୋଜିବା ଆମର କେବଳ ଅତୀତ ମନସ୍ଥତା ନୁହେଁ ବରଂ ଆମର ସଂସ୍କୃତିର ସେଇ ଅମୂଲ୍ୟ ସମ୍ପଦକୁ ଏବେଠାରୁ ସଂରକ୍ଷଣ କରାଯାଉ – ତା’ ନ ହେଲେ ଭାରତର ଆତ୍ମାକୁ ଯେତେ ଖୋଜିଲେ ବି ମିଳିବ ନାହିଁ ଭବିଷ୍ୟତରେ!

  • ନିରଞ୍ଜନ ସାହୁ
    ମୋ : ୯୪୩୮୪୮୨୯୧୧

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri